ARTICLE AD BOX
ଲଣ୍ଡନ: ଇଂଲଣ୍ଡ ଓ ୱେଲ୍ସରେ ଚଳିତବର୍ଷ ମେ ଓ ଜୁନ୍ ମାସରେ ରେକର୍ଡଭଙ୍ଗା ଗ୍ରୀଷ୍ମପ୍ରବାହ ପ୍ରାୟ ୩ ହଜାର ଲୋକଙ୍କ ଜୀବନ ନେଇଛି। ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚ୍ଏସ୍ଏ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆକଳନ ଅନୁସାରେ, ମେ ଓ ଜୁନ୍ର ଗ୍ରୀଷ୍ମପ୍ରବାହ ଯୋଗୁଁ ୨,୮୭୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ୨୦୨୨ରେ ହୋଇଥିବା ୨,୯୮୫ ଜଣଙ୍କ ମୃତ୍ୟୁ ରେକର୍ଡର ଖୁବ୍ ନିକଟରେ ପହଞ୍ଚିଛି। ଅଗଷ୍ଟ ମାସ ଏଯାଏଁ ବାକି ଥିବାରୁ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିପାରେ ବୋଲି ଆଶଙ୍କା କରାଯାଉଛି।
ୟୁକେଏଚ୍ଏସ୍ଏ କହିଛି, ଅଧିକାଂଶ ମୃତ୍ୟୁ ୭୫ ବର୍ଷରୁ ଅଧିକ ବୟସ୍କ ଏବଂ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଘଟିଛି। ତୀବ୍ର ଗରମ ଯୋଗୁଁ ହୃଦ୍ରୋଗ, ଶ୍ବାସକ୍ରିୟା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯିବାରୁ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଦେଶର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ଉପରେ ମଧ୍ୟ ଅସାଧାରଣ ଚାପ ପଡ଼ିଥିଲା।
Delhi: ୩ ଦିନ ଯାଏଁ ଭୀଷଣ ଗ୍ରୀଷ୍ମପ୍ରବାହ: ୪୬ ଡିଗ୍ରି ଛୁଇଁପାରେ ଦିଲ୍ଲୀ ତାପମାତ୍ରା
ବିଶେଷଜ୍ଞଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବ୍ରିଟେନରେ ଗ୍ରୀଷ୍ମପ୍ରବାହର ତୀବ୍ରତା ଓ ସ୍ଥାୟିତ୍ବ ଦ୍ରୁତ ଗତିରେ ବଢ଼ୁଛି। ଇମ୍ପେରିଆଲ୍ କଲେଜ୍ ଲଣ୍ଡନ, ବ୍ରିଟେନର ମେଟ୍ ଅଫିସ୍ ଓ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍ର ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମେ ଓ ଜୁନ୍ର ଗ୍ରୀଷ୍ମପ୍ରବାହରେ ହୋଇଥିବା ମୃତ୍ୟୁର ପ୍ରାୟ ୪୨ ପ୍ରତିଶତ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ସିଧାସଳଖ ସମ୍ପର୍କିତ।
ଚଳିତବର୍ଷ ମେ ମାସରେ ପଶ୍ଚିମ ଲଣ୍ଡନରେ ୩୫.୧ ଡିଗ୍ରି ସେଲ୍ସିୟସ୍ ଏବଂ ଜୁନ୍ରେ ନର୍ଫକ୍ର ଲିଙ୍ଗଉଡ୍ରେ ୩୭.୭ ଡିଗ୍ରି ସେଲ୍ସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା। ଏହି ଗ୍ରୀଷ୍ମପ୍ରବାହ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ରେଡ୍ ହେଲ୍ଥ ହିଟ୍ ଆଲର୍ଟ ଜାରି କରାଯାଇଥିଲା। କିଛି ହସ୍ପିଟାଲ୍ରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିବାବେଳେ ଲଣ୍ଡନ ଆମ୍ବୁଲାନ୍ସ ସେବା ଇତିହାସରେ ସର୍ବାଧିକ ଜରୁରୀ ଫୋନ୍ କଲ୍ ପାଇଥିଲା।

3 hours ago
2


