ARTICLE AD BOX
ଓଜନ ହ୍ରାସ ଏବଂ ମଧୁମେହ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଲୋକପ୍ରିୟ ଔଷଧକୁ ନେଇ ଏବେ ଆଖିର ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତା ବଢ଼ିଛି। ଓଜେମ୍ପିକ୍, ୱେଗୋଭି, ମାଉଞ୍ଜାରୋ ଓ ଜେପ୍ବାଉଣ୍ଡ୍ ଭଳି ଔଷଧର ବ୍ୟବହାର ସହ ଆଖିର ଏକ ବିରଳ ରୋଗର ସମ୍ଭାବ୍ୟ ସମ୍ପର୍କ ଥିବା ନେଇ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ) ଚେତାବନୀ ଜାରି କରିଛି। ଏହି ଔଷଧଗୁଡ଼ିକର ଚେତାବନୀ ଲେବଲ୍ ରେ ନୂଆ ସୂଚନା ସାମିଲ କରିବାକୁ କୁହାଯାଇଛି।
ଯେଉଁ ରୋଗକୁ ନେଇ ଚିନ୍ତା ପ୍ରକାଶ ପାଇଛି, ତାହା ହେଉଛି ନନ୍ଆର୍ଟେରିଟିକ୍ ଆଣ୍ଟିରିୟର ଇସ୍କେମିକ୍ ଅପ୍ଟିକ୍ ନ୍ୟୁରୋପାଥି (NAION)। ଏହା ଆଖିର ଅପ୍ଟିକ୍ ସ୍ନାୟୁକୁ ରକ୍ତ ପ୍ରବାହ କମିଯିବା ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା। ଏଥିରେ ହଠାତ୍ ଗୋଟିଏ ଆଖିର ଦୃଷ୍ଟିଶକ୍ତି କମିଯାଇପାରେ। ଧୂଆଁଳିଆ ଦେଖାଯିବା ଏବଂ ଆଖି ଆଗରେ କଳା ଦାଗ ବା ବ୍ଲାଇଣ୍ଡ୍ ସ୍ପଟ୍ ଦେଖାଯିବା ଏହାର ପ୍ରମୁଖ ଲକ୍ଷଣ। ଏହି ରୋଗ ଯୋଗୁଁ ହ୍ରାସ ପାଇଥିବା ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ବର୍ତ୍ତମାନ କୌଣସି ନିଶ୍ଚିତ ଚିକିତ୍ସା ନାହିଁ।
ସମ୍ଭାବ୍ୟ ବିପଦକୁ ନେଇ ଯାଞ୍ଚ ଆରମ୍ଭ
୨୦୨୪ରେ ଜାମା ଅପଥାଲମୋଲୋଜି ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପରେ ଏହି ସମ୍ଭାବ୍ୟ ବିପଦକୁ ନେଇ ଯାଞ୍ଚ ଆରମ୍ଭ ହୋଇଥିଲା। ସେମାଗ୍ଲୁଟାଇଡ୍ ଔଷଧ ସେବନ କରୁଥିବା ରୋଗୀଙ୍କଠାରେ ନାଇଅନ୍ ର ବିପଦ ବଢ଼ିବାର ସମ୍ଭାବନା ଥିବା ଗବେଷଣାରେ ଦର୍ଶାଯାଇଥିଲା। ଓଜେମ୍ପିକ୍ ଓ ୱେଗୋଭିରେ ସେମାଗ୍ଲୁଟାଇଡ୍ ସକ୍ରିୟ ଉପାଦାନ ଭାବେ ବ୍ୟବହୃତ ହୁଏ।
ଏଫ୍ଡିଏର ବିଶ୍ଳେଷଣରେ ୧୨୬ଟି କ୍ଲିନିକାଲ୍ ପରୀକ୍ଷଣର ୧ ଲକ୍ଷ ୩୪ ହଜାରରୁ ଅଧିକ ରୋଗୀଙ୍କ ତଥ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ନାଇଅନ୍ର ୧୫ଟି ସମ୍ଭାବ୍ୟ ମାମଲା ଚିହ୍ନଟ ହୋଇଥିଲା। ଏଥିମଧ୍ୟରୁ ୧୦ଟି GLP-1 ଔଷଧ ସେବନକାରୀଙ୍କଠାରେ ଏବଂ ୫ଟି ପ୍ଲାସିବୋ କିମ୍ବା ଅନ୍ୟ ମଧୁମେହ ଔଷଧ ସେବନକାରୀଙ୍କଠାରେ ଦେଖାଯାଇଥିଲା। GLP-1 ଔଷଧ ସେବନକାରୀଙ୍କଠାରେ ପ୍ରତି ୧ ଲକ୍ଷ ବ୍ୟକ୍ତି-ବର୍ଷରେ ୬.୪ଟି ମାମଲା ରହିଥିବାବେଳେ ଅନ୍ୟ ଗୋଷ୍ଠୀରେ ଏହା ୩.୮ ଥିଲା।
A New Danger for the Eyes: ଆଖି ପାଇଁ ନୂଆ ବିପଦ: ଏଲ୍-ଓଆର୍ଡି
ତେବେ ଏହି ଔଷଧ ଯୋଗୁଁ ସିଧାସଳଖ ଦୃଷ୍ଟିଶକ୍ତି ନଷ୍ଟ ହେଉଥିବା ଏଯାଏଁ ପ୍ରମାଣିତ ହୋଇନାହିଁ। ଏ ସମ୍ପର୍କିତ ଗବେଷଣାର ଫଳାଫଳ ମଧ୍ୟ ସମାନ ନୁହେଁ। ତେଣୁ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଏହି ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କର ହଠାତ୍ ଦୃଷ୍ଟିଶକ୍ତି କମିଗଲେ କିମ୍ବା ଧୂଆଁଳିଆ ଦେଖାଗଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ବନ୍ଦ କରିବା କିମ୍ବା ଡୋଜ୍ ପରିବର୍ତ୍ତନ କରିବା ଅନୁଚିତ।

1 hour ago
2


