Expensive beating: ହାଣ୍ଡିଶାଳରେ ମହଙ୍ଗା ମାଡ଼: ରାସନ, ପନିପରିବା, ଇନ୍ଧନ ସବୁ ମହଙ୍ଗା

1 hour ago 1
ARTICLE AD BOX

ଭୁବନେଶ୍ବର: ଅଳ୍ପ ରୋଜଗାରରେ ଜୀବନ କାଟୁଥିବା ଓଡ଼ିଆ ପରିବାର ପାଇଁ ଜୁଲାଇ ସବୁଠୁ ନିଷ୍ଠୁର ମାସ ସାବ୍ୟସ୍ତ ହୋଇଛି। ୫ଶହ ଟଙ୍କାରେ ପନିପରିବା କିଣିଲେ ସପ୍ତାହେ ଯାଉନି। ରାସନ କିଣିବାକୁ ଗଲେ ଦାମ୍‌ ଶୁଣି ମୁଣ୍ଡ ବୁଲାଇ ଦେଉଛି। ଘର ଚଳାଇବା ପାଇଁ ଯାହା ଦରକାର ସେସବୁର ଦାମ୍‌ ଏହାମଧ୍ୟରେ ବହୁତ ବଢ଼ିଯାଇଛି। ଗାଡ଼ିରେ‌ ପେଟ୍ରୋଲ୍‌ ପକାଇବା ହେଉ କିମ୍ବା ଡାଲି, ଚାଉଳ କିଣିବା ହେଉ, ସବୁଥିରେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଫଳରେ ସୀମିତ ରୋଜଗାରରେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦରବୃଦ୍ଧିର କୌଣସି ଠୋସ୍‌ କାରଣ ମଧ୍ୟ ନାହିଁ। କେବଳ ଗୋଟିଏ ବଡ଼ କାରଣ ହେଉଛି ନିଜ ଆବଶ୍ୟକତା ମେଣ୍ଟାଇବା ପାଇଁ ପର ରାଜ୍ୟ ଉପରେ ନିର୍ଭରଶୀଳତା। ଓଡ଼ିଶା ନିଜ ଆବଶ୍ୟକତାର ୯୦ ପ୍ରତିଶତ ଜିନିଷ ବାହାରୁ ମଗାଉଛି। ସେଠାରୁ ଅଧିକ ଦାମରେ ଅଣାଯାଉଥିବା ଜିନିଷ ରାଜ୍ୟର ବଜାରଗୁଡ଼ିକରେ ଆହୁରି ଅଧିକ ଦାମ୍‌ରେ ବିକ୍ରି ହେଉଛି। ବର୍ଷା ପାଗ ମଧ୍ୟ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ, ଗତ ଜୁନ ତୁଳନାରେ ଜୁଲାଇ ମାସରେ ସବୁ ଦରକାରୀ ରାସନ ସାମଗ୍ରୀ ମୂଲ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଚିନି କେଜି ୪୧ ଟଙ୍କାରୁ ବଢ଼ି ୫୧ ଟଙ୍କା ହୋଇଛି। 
ଖାଇବା ତେଲ ଦର ୧୬୧ ଟଙ୍କାରୁ ବଢ଼ି ୧୯୦ ଟଙ୍କା ହୋଇଛି। ସୋରିଷ ତେଲ ଯାହା ପୂର୍ବରୁ ଲିଟର ପିଛା ୧୭୦ ଟଙ୍କାରେ ମିଳୁଥିଲା ତାହା ଏବେ ୧୮୪ ଟଙ୍କା ହୋଇଯାଇଛି। ଚାଉଳ କେଜି ୩୦ ଟଙ୍କାରୁ ବଢ଼ି ୪୫ ଟଙ୍କା, ବିରି କେଜି ୧୦୮ ଟଙ୍କାରୁ ବଢ଼ି ୧୨୦ ଟଙ୍କା, ମଇଦା ଦାମ ୨୯ ଟଙ୍କାରୁ ବଢ଼ି ୩୩ ଟଙ୍କା ଓ ସୁଜି ଦର ୩୧ ଟଙ୍କାରୁ ବଢ଼ି ୩୬ ଟଙ୍କା ହୋଇଯାଇଛି। ଅଧିକ ରପ୍ତାନି କରାଯାଉଥିବାରୁ ରାଜ୍ୟରେ ଚାଉଳ ଦର ବଢ଼ୁଥିବା କୁହାଯାଉଛି। କିନ୍ତୁ ଗହମ ଦର ସ୍ଥିର ଥିବା ସତ୍ତ୍ବେ ସେଥିରୁ ପ୍ରସ୍ତୁତ ଜିନିଷଗୁଡ଼ିକର ଦାମ୍‌ କାହିଁକି ବଢ଼ୁଛି ତାହା ବୁଝାପଡ଼ୁନାହିଁ। କୌଣସି ଏକ ନିର୍ଦ୍ଦିଷ୍ଟ ମାସରେ ଅତ୍ୟାବଶ୍ୟକ ଜିନିଷ ଦରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ।

ରାସନ, ପନିପରିବା, ଇନ୍ଧନ ସବୁ ମହଙ୍ଗା
ଘର ଚଳାଇବା କଷ୍ଟକର

ପନିପରିବା ଦରବୃଦ୍ଧି ଉପରେ ଆଲୋକପାତ କରି ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି ଯେ ପାଇକାରୀ ବଜାରରେ ଟମାଟୋ ଦାମ ୧୮ ଟଙ୍କା, ଆଳୁ କ୍ବିଣ୍ଟାଲ୍‌ ୭୦୦ ଟଙ୍କା, ବନ୍ଧାକୋବି ଗୋଟାକୁ ୨୨ରୁ ୨୩ ଟଙ୍କା, ପୋଟଳ (କଲିକତି) କେଜି ୨୫ ଟଙ୍କା ଓ ଦେଶୀ ପୋଟଳ ୩୫ ଟଙ୍କା ରହିଛି। ସେହିପରି ଦେଶୀ ବାଇଗଣ କେଜି ୪୦ ଟଙ୍କା ଓ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ନାଗପୁରରୁ ଅଣାଯାଉଥିବା ବାଇଗଣ କେଜି ଦାମ୍‌ ୨୫ ଟଙ୍କା ରହିଛି। ପିଆଜ କେଜି ୩୦-୩୫ ଟଙ୍କା, ବିନ୍‌ ୭୦-୮୦ ଟଙ୍କା, କାଙ୍କଡ଼ କେଜି ୩୦ ଟଙ୍କା, ଦେଶୀ ଝୁଡ଼ଙ୍ଗ କେଜି ୨୫ ଟଙ୍କା ଓ କଲିକତି ଝୁଡ଼ଙ୍ଗ ଦାମ ୧୫ ଟଙ୍କା ରହିଛି। ପାଇକାରୀ ଦର ଉପରେ ନଜର ପକାଇଲେ ଯଦିଓ ତାହା କମ୍‌ ମନେ ହେଉଛି, କିନ୍ତୁ ଖୁଚୁରା ବଜାରରେ ସେହି ସବୁ ପନିପରିବା ଦାମ ୧୦ରୁ ୨୦ ଟଙ୍କା ଅଧିକ ଦାମ୍‌ରେ ବିକ୍ରି ହେଉଛି। ଖୁଚୁରା ବ୍ୟବସାୟୀମାନେ ପରିବହନ ଖର୍ଚ୍ଚ ଓ କିଣାମୂଲ୍ୟରେ ନିଜ ବ୍ୟବଧାନ ରଖିବା ପରେ ସୁହାଇବା ଭଳି ଦରରେ ପନିପରିବା ବିକ୍ରି କରୁଛନ୍ତି। ସେଥିପାଇଁ ବିଭିନ୍ନ ବଜାରରେ ପରିବା ଦର ଭିନ୍ନ ଭିନ୍ନ ରହୁଛି।

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଓଡ଼ିଶାରେ ପରିବାରଗୁଡ଼ିକର ହାରାହାରି ମାସିକ ଖର୍ଚ୍ଚ ଗ୍ରାମାଞ୍ଚଳରେ ୩୩୫୭ ଟଙ୍କା ଓ ସହରାଞ୍ଚଳରେ ୫୮୨୫ ଟଙ୍କା। ବର୍ତ୍ତମାନ ସମୟରେ ରାସନ, ପନିପରିବା, ପେଟ୍ରୋଲ୍‌ ଓ ଡିଜେଲ, ଏଲ୍‌ପିଜି ଗ୍ୟାସ୍‌ ଓ ଅଣ୍ଡା ଦରରେ ଯେଉଁଭଳି ବୃଦ୍ଧି ଘଟିଛି, ସେତିକି ଟଙ୍କାରେ ଘର ଚଳାଇବା ଆଦୌ ସମ୍ଭବପର ନୁହେଁ। ସୀମିତ ରୋଜଗାରରେ ଆବଶ୍ୟକ ଜିନିଷ କିଣିପାରୁନଥିବା ପରିବାରଗୁଡ଼ିକ କିଛି ସାମଗ୍ରୀ କିଣିବା ବନ୍ଦ କରିବାକୁ ବାଧ୍ୟ ହେବେ, ଯାହା ରାଜ୍ୟର ଅପପୁଷ୍ଟି ସମସ୍ୟାକୁ ଆହୁରି ଗମ୍ଭୀର କରିବା ଆଶଙ୍କା ରହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.