ARTICLE AD BOX
ରାୟଗଡ଼ା: ଦିନକୁ ଦିନ ପରିବେଶ ନଷ୍ଟ ହେଉଛି, ଯାହାବି ଜଳ ଜଙ୍ଗଲ ମାଟି ବଞ୍ଚିଯାଇଛି ତାହା କେବଳ ଆଦିବାସୀଙ୍କ ହାତରେ ସୁରକ୍ଷିତ ରହିଛି ଏହାକୁ ଧ୍ବଂସ ହେବାକୁ କଦାପି ଅନୁମତି ଦିଆଯିବନି। ନିକଟରେ ରାୟଗଡ଼ା ଜିଲ୍ଲାକୁ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଗସ୍ତ କରିଥିଲେ। ସେମାନେ ଏଠି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାରଙ୍କ ସହ ଚୁକ୍ତି କରିଛନ୍ତି। କିନ୍ତୁ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର କୌଣସି ଲାଭ ହେବ ନାହିଁ ବରଂ ପରିବେଶ ନଷ୍ଟ ହେବା ସହ ସ୍ଥାନୀୟ ଲୋକ ରୋଗଗ୍ରସ୍ତ ହେବେ। ପୂର୍ବରୁ ମଧ୍ୟ ସରକାର ଏଠାରେ ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକ ଯୁବତୀ ରୋଜଗାର ପାଇବେ ବୋଲି କହିଥିଲେ କିନ୍ତୁ ଶିଳ୍ପ ପ୍ରତିଷ୍ଠା ସତ୍ବେ ସ୍ଥାନୀୟ ଯୁବକ ଯୁବତୀ ବହୁମାତ୍ରାରେ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ଶବ ହୋଇ ଫେରୁଛନ୍ତି। ଏଣୁ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପର୍ଯ୍ୟାପ୍ତ ଧ୍ୟାନ ଦେବା ସହ ପରିବେଶ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ସମସ୍ତେ ମିଳିତ ହୋଇ ସଂଘର୍ଷ କରିବାକୁ ପଡିବ ବୋଲି ବିଶ୍ବ ଆଦିବାସୀ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାୟଗଡ଼ା ବିଧାୟକ ଆପ୍ପଲାସ୍ବାମୀ କାଡ୍ରାକା କହିଛନ୍ତି।
ଜିଲ୍ଲାରେ ୬୦%ଜନସାଧାରଣ ଆଦିବାସୀ
ରାୟଗଡ଼ା ଜିଲ୍ଲା ଏକ ସେଡ୍ୟୁଲ୍ ଅଞ୍ଚଳ ଏବଂ ଜିଲ୍ଲାରେ ପାଖାପାଖି ୬୦%ଜନସାଧାରଣ ଆଦିବାସୀ କିନ୍ତୁ ଯେଉଁ ପରିମାଣରେ ସେମାନଙ୍କ ଉନ୍ନତି ହେବା କଥା ହୋଇପାରିନାହିଁ ବୋଲି କହିଛନ୍ତି। ଏପରିକି ସ୍ଥାନୀୟ କମ୍ପାନୀରେ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ସିକ୍ୟୁରିଟି ଗାର୍ଡ କିମ୍ବା ହାଉସ କିପିଙ୍ଗ ଭଳି ଚାକିରିରେ ରଖିବା ପାଇଁ ଜଣେ ନିର୍ବାଚିତ ପ୍ରତିନିଧି ଭାବେ କହିଲେ ମଧ୍ୟ କମ୍ପାନୀ ଲୋକ କେହି ଶୁଣୁନାହାନ୍ତି ବୋଲି ଶ୍ରୀ କାଡ୍ରାକା କ୍ଷୋଭ ପ୍ରକାଶ କରିଥିଲେ। ଏଣୁ ଜିଲ୍ଲାର ଯୁବକ ଯୁବତୀମାନେ ଗୁଣାତ୍ମକ ଶିକ୍ଷା ଉପରେ ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ଶ୍ରୀ କାଡ୍ରକା ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ଅବସରପ୍ରାପ୍ତ ଓଏସ ଭୀମସେନ ଶବର ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ଓଏଏସ୍ ଅଧିକାରୀ ଗୋପୀନାଥ ସାରକା ଯୋଗଦେଇ ଆଦିବାସୀ ସମାଜର ଐତିହ୍ୟ, ଅଧିକାର ଓ ସଂସ୍କୃତିର ସୁରକ୍ଷା ସମ୍ପର୍କରେ ମତ ରଖିଥିଲେ।
Cattle Death: ଚୋରା ପଥର ଚାଲାଣ ହାଇୱା ଧକ୍କାରେ ଦୁଇ ଗୋମାତା ମୃତ
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ହାଲୁଆ ସରପଞ୍ଚ ତାମାରାଓ ବିଡ଼ିକା, ମିରାବାଲି ସରପଞ୍ଚ ଅଶୋକ ପୁଆଲା, ଚକ୍ର ବିଡ଼ିକା, ମିନାରାଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପାରମ୍ପରିକ ଲୋକନୃତ୍ୟ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଢୋଲ-ମାଦଳର ତାଳେ ତାଳେ ପାରମ୍ପରିକ ନୃତ୍ୟରେ ଝୁମିଥିଲେ ଆଦିବାସୀ ଯୁବକ-ଯୁବତୀ। ବିଭିନ୍ନ ଜନଜାତିର ଲୋକକଳା, ଗୀତ ଓ ନୃତ୍ୟ ମାଧ୍ୟମରେ ଆଦିବାସୀ ସଂସ୍କୃତିର ଜୀବନ୍ତ ଚିତ୍ର ପ୍ରତିଫଳିତ ହୋଇଥିଲା। ଜିସିଡି ହାଇସ୍କୁଲ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାୟଗଡ଼ା ବ୍ଲକ ଅଧ୍ୟକ୍ଷ ହର ପ୍ରସାଦ ହେପୃକା ସଂଯୋଜନା କରିଥିଲେ।

1 hour ago
2


