ARTICLE AD BOX
ଅହମଦାବାଦ: ଗୁଜରାଟର ଆନନ୍ଦ ଜିଲ୍ଲାରେ ଜଣେ ୪ ବର୍ଷୀୟା ଶିଶୁକୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ପୁଲିସ ଟିମ୍ ଆଜି ଜଣେ ମୁଖ୍ୟ ସନ୍ଦିଗ୍ଧକୁ ଏନକାଉଣ୍ଟର କରି ମାରିଦେଇଛନ୍ତି। ପୁଲିସ ଅନୁଯାୟୀ ସନ୍ଦିଗ୍ଧ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ଛୁରୀ କାଢ଼ି ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା। ପୁଲିସ ଟିମ୍ ଏହାର ପାଲଟା ଜବାବ ଦେଇ ଗୁଳି ଚଳାଇବା ଦ୍ବାରା ଗୁଳିମାଡ଼ରେ ତା’ର ମୃତ୍ୟୁ ହୋଇଛି। ଆନନ୍ଦ ଡିଏସ୍ପି ଗୌରବ ଜାସନୀ ସ୍ପଷ୍ଟ କରିଛନ୍ତି ଯେ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଛି। ପୁଲିସ ଏହି ମାମଲାରେ ୨୫ ବର୍ଷୀୟ ସୁରେଷ ପାରମରକୁ ବୋରସଦରୁ ଗିରଫ କରି ପରବର୍ତ୍ତୀ ଜେରା ପାଇଁ ଆନନ୍ଦ ନେଉଥିଲା। ତେବେ ବାଟରେ ପାରମର ଅସୁସ୍ଥ ଅନୁଭବ କରୁଥିବା କହି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲା। ପୁଲିସ ଅଧିକାରୀମାନେ ଦାବି କରିଛନ୍ତି ଯେ ଗାଡ଼ିରୁ ଓହ୍ଲାଇ ଯିବାପରେ ପାରମର ଏକ ଛୁରୀ ଦ୍ବାରା ପୁଲିସ ଟିମ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ପୁଲିସ ତାକୁ ସରେଣ୍ଡର୍ କରିବାପାଇଁ ଚେତାବନୀ ଦେଇଥିଲା। କିନ୍ତୁ ସେ ସରେଣ୍ଡର୍ ନକରି ଆକ୍ରମଣ ଜାରି ରଖିବାରୁ ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା। ପାରମର ଆନନ୍ଦ ଜିଲ୍ଲାର ବସଦ ରେଳ ଷ୍ଟେସନ୍ରେ ପୀଡ଼ିତାଙ୍କୁ କୁଆଡ଼େ ନେଇ ଯାଉଥିବା ସିସିଟିଭି କ୍ୟାମେରାରୁ ଧରାପଡ଼ିବାପରେ ଗିରଫ ହୋଇଥିଲା। ୪ ବର୍ଷୀୟା ଶିଶୁ ଜୁଲାଇ ୧୮ ତାରିଖରେ ନିଖୋଜ ହୋଇ ଯାଇଥିଲା। ପରଦିନ ସକାଳେ ରେଳ ଧାରଣାରୁ ତା’ର ମୃତଦେହ ମିଳିଥିଲା।
ଆହୁରି ପଢନ୍ତୁ: Lightning Strikes ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୫ ମୃତ, ୧୦ଜଣ ଗୁରୁତର
ଅନ୍ୟପଟେ କିନ୍ତୁ ବିହାରର ସମସ୍ତିପୁରରେ ଆଜି ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ୍ ଯିବା ବାଟରେ ଗୁଳି କରି ହତ୍ୟା କରାଯାଇଛି। ଦିନକ ପୂର୍ବରୁ ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଆଜି କାଜିୟା ଗ୍ରାମରେ ଏହି ଘଟଣା ଘଟିଛି। ଅପରାଧ ସ୍ଥଳରୁ ପୁଲିସ ୪ଟି ବୁଲେଟ୍ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ବାଇକ୍ରେ କିଛି ଦୁର୍ବୃତ୍ତ ଆସି ଉମେଶ ଠାକୁରଙ୍କ ଝିଅ ସୋନମ କୁମାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସୋନମ ହେଉଛନ୍ତି କସ୍ତୁରବା ବିଦ୍ୟାଳୟର ଛାତ୍ରୀ। ଉକ୍ତ ଘଟଣାକୁ ବିରୋଧ କରି ପରିବାର ସଦସ୍ୟ ଓ ଗ୍ରାମବାସୀ ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗ୍ରାମର ଜଣେ ଯୁବକ ଏହି ହତ୍ୟାକାଣ୍ଡ ଘଟାଇଛି। ପୀଡ଼ିତାଙ୍କ ମା’ ସଙ୍ଗୀତା ଦେବୀ କହିଛନ୍ତି, ତାଙ୍କ ଝିଅ ଗାଁର ଜଣେ ଯୁବକଙ୍କ ସହ ଯୋଗାଯୋଗରେ ଥିଲା ଏବଂ ସେ ହିଁ ତାକୁ ହତ୍ୟା କରିଛି। ଦେବୀ କହିଛନ୍ତି, ହତ୍ୟାର ଦିନକ ପୂର୍ବରୁ ଅଭିଯୁକ୍ତ ତାଙ୍କ ଝିଅକୁ ବିବାହ କରିବ ବୋଲି କହିଥିଲା। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଜାରି ରଖିଛି।

13 hours ago
1


