ARTICLE AD BOX
ଆମେରିକା: ମଣିଷଙ୍କ ପାଇଁ ବୃଦ୍ଧାଶ୍ରମ ଥିବା କଥା ଆମେ ଶୁଣିଛେ। କିନ୍ତୁ ହାତୀଙ୍କ ପାଇଁ ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ। ଆମେରିକାର ଟେନେସିରେ ଥିବା ‘ଦି ଏଲିଫାଣ୍ଟ ସାଙ୍କଚୁଆରୀ’ ଏବେ ଅବସରପ୍ରାପ୍ତ ହାତୀମାନଙ୍କ ପାଇଁ ସୁରକ୍ଷିତ ଘର ପାଲଟିଛି। ମାତ୍ର ଗୋଟିଏ ହାତୀ ପାଇଁ ୧୧୨ ଏକର ଜମିରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ୩୨ ବର୍ଷ ମଧ୍ୟରେ ୩,୦୬୦ ଏକରର ବିଶାଳ ଅଭୟାରଣ୍ୟରେ ପରିଣତ ହୋଇଛି। ଏହାକୁ ପ୍ରତିଷ୍ଠା କରିଥିଲେ ଆମେରିକାର ଜଣେ ପଶୁ କଲ୍ୟାଣ କର୍ମୀ କ୍ୟାରୋଲ୍ ବକଲି।
୧୯୭୪ ମସିହାରେ କଲେଜ ପଢୁଥିବା ସମୟରେ କ୍ୟାରୋଲ୍ ବକଲି ଏକ କାର୍ ଟାୟାର ଦୋକାନ ବାହାରେ 'ତାରା' ନାମକ ଏକ ଛୋଟ ଏସୀୟ ହାତୀକୁ ଦେଖିଥିଲେ। ସେ ତାରାର ଯତ୍ନ ନେବା ଆରମ୍ଭ କଲେ ଏବଂ ପରେ ତାକୁ କିଣି ନିଜ ସାଥିରେ ରଖିଲେ। ସେମାନେ ଦୀର୍ଘ ବର୍ଷ ଧରି ସର୍କସ ଏବଂ ଟିଭି ଶୋ'ରେ ଏକାଠି କାମ କରିଥିଲେ । କିନ୍ତୁ ତାରା ପାଇଁ ମନୋରଞ୍ଜନ ଜଗତରୁ ଦୂରେଇ ଏକ ଶାନ୍ତ ପରିବେଶ ସୃଷ୍ଟି କରିବାକୁ ଚାହିଁଥିଲେ କ୍ୟାରୋଲ୍।
ପ୍ରଥମ ବାସିନ୍ଦା ଥିଲା 'ତାରା'
ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ହାତୀମାନଙ୍କ ଯତ୍ନ ନେଉଥିବା କ୍ୟାରୋଲ୍ ବକଲି ୧୯୯୪ ମସିହାରେ ଟେନେସିର ହୋହେନୱାଲ୍ଡରେ ୧୧୨ ଏକର ଜଙ୍ଗଲ ଜମି କିଣିଥିଲେ। ଏହା ତାଙ୍କ ପ୍ରିୟ ହାତୀ ‘ତାରା’ ପାଇଁ ଥିଲା। ୧୯୯୫ରେ ଏହି ସ୍ଥାନକୁ ଅଭୟାରଣ୍ୟ ଭାବେ ଖୋଲାଯାଇଥିଲା ଏବଂ ତାରା ଏହାର ପ୍ରଥମ ବାସିନ୍ଦା ହୋଇଥିଲା।
ସର୍କସ ଏବଂ ଚିଡ଼ିଆଖାନାର ଆବଦ୍ଧ ପରିବେଶ ହାତୀମାନଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ଅନୁଭବ କରି, ସେ ଟେନେସିଠାରେ ଆମେରିକାର ପ୍ରଥମ ପ୍ରାକୃତିକ ହାତୀ ଅଭୟାରଣ୍ୟ ପ୍ରତିଷ୍ଠା କରିଥିଲେ। ଏଠାରେ ସର୍କସ ଓ ଚିଡ଼ିଆଖାନାରୁ ଅବସର ନେଇଥିବା ଅସୁସ୍ଥ ଓ ବୃଦ୍ଧ ହାତୀମାନଙ୍କୁ ମୁକ୍ତ ପରିବେଶରେ ରଖାଯାଏ।ଏଠାରେ ଜଙ୍ଗଲ, ଚାରଣଭୂମି, ପୋଖରୀ ଓ ଉଷ୍ମ ଆବାସ ସହ ପ୍ରତ୍ୟେକ ହାତୀଙ୍କ ଆବଶ୍ୟକତା ଅନୁସାରେ ପ୍ରାଣୀ ଚିକିତ୍ସା ସୁବିଧା ରହିଛି। ଏଠାରେ ହାତୀମାନଙ୍କୁ ମଣିଷଙ୍କ ମନୋରଞ୍ଜନ ପାଇଁ କୌଣସି ପ୍ରଦର୍ଶନ କରିବାକୁ ପଡ଼େନାହିଁ। ସେମାନଙ୍କ ଯତ୍ନ ପାଇଁ ‘ପ୍ରୋଟେକ୍ଟେଡ୍ କଣ୍ଟାକ୍ଟ’ ଓ ‘ପଜିଟିଭ୍ ରିଇନଫୋର୍ସମେଣ୍ଟ’ ପଦ୍ଧତି ଅନୁସରଣ କରାଯାଏ। ଏହାଦ୍ୱାରା ହାତୀ ଓ ଯତ୍ନ ନେଉଥିବା କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରଖାଯାଏ।
Environmental Warrior: ପରିବେଶ ଯୋଦ୍ଧା: ହିମାଳୟରେ ଆବର୍ଜନା ସଫା କରୁଛନ୍ତି ୟୁଲାମ୍ ଓ ସାଥୀ
ତାରା ଓ କ୍ୟାରୋଲ୍ଙ୍କ ସମ୍ପର୍କ ବେଶ୍ ଚର୍ଚ୍ଚିତ
ତାରା ଓ କ୍ୟାରୋଲ୍ଙ୍କ ସମ୍ପର୍କ ଯେତିକି ଚର୍ଚ୍ଚିତ, ତାରାର ଅଭୟାରଣ୍ୟ ଛାଡ଼ିବା ଘଟଣା ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା। ୨୦୧୦ ମସିହାରେ ଅଭୟାରଣ୍ୟର ବୋର୍ଡ ଅଫ୍ ଡିରେକ୍ଟର୍ସ ସହ ମତାନ୍ତର ହେବା ଯୋଗୁଁ କ୍ୟାରୋଲ୍ ବକଲିଙ୍କୁ ସେହି ସଂଗଠନରୁ ବାହାର କରିଦିଆଯାଇଥିଲା। ଏହାପରେ କ୍ୟାରୋଲ୍ ନିଜର ପ୍ରିୟ ହାତୀ 'ତାରା'ର ମାଲିକାନା ସ୍ଵତ୍ଵ ଏବଂ ତାକୁ ଦେଖା କରିବା ଅଧିକାର ପାଇଁ ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ। ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ତାରା ସେହି ଅଭୟାରଣ୍ୟ ପରିବାରର ଏକ ଅଂଶ ଥିଲା ଏବଂ ତାକୁ ସେଠାରୁ ଅଲଗା କରିବା ଠିକ୍ ନଥିଲା। ଦୀର୍ଘ ୧୧ ବର୍ଷର ଆଇନଗତ ଲଢ଼େଇ ପରେ ଟେନେସି ସୁପ୍ରିମକୋର୍ଟ କ୍ୟାରୋଲ୍ ବକଲିଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ତାରାଙ୍କର ପ୍ରକୃତ ମାଲିକ ଭାବେ ତାଙ୍କୁ ସ୍ଵୀକୃତି ଦେଇଥିଲେ। ଏହି ରାୟ ଆଧାରରେ ୪୭ ବର୍ଷୀୟା ହାତୀ ତାରାକୁ ଟେନେସି ଅଭୟାରଣ୍ୟରୁ ସଫଳତାର ସହ ସ୍ଥାନାନ୍ତର କରାଯାଇ ଜର୍ଜିଆର ଆଟାପୁଲଗସସ୍ଥିତ 'ଏଲିଫ୍ୟାଣ୍ଟ ରିଫ୍ୟୁଜ୍ ନର୍ଥ ଆମେରିକା' କୁ ନିଆଯାଇଛି, ଯାହାକୁ କ୍ୟାରୋଲ୍ ନିଜେ ପ୍ରତିଷ୍ଠା କରିଛନ୍ତି।

1 hour ago
2


