ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ନେଉନି। ପ୍ରତ୍ୟକ ଦିନ କେଉଁଠି ନା କେଉଁଠି ହାତୀର ଆତଙ୍କ ଦେଖିବାକୁ ମିଳୁଛି। ଗତକାଲି ରାତିରେ ପୁଣି ଗାଁ ମଝିରେ ପଶି ଏକ ଦନ୍ତା ହାତୀ ଧାନ ଖାଇବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଘୁ.ଉଦୟଗିରି ସହରର ୧ନଂ ୱାର୍ଡକୁ ଲାଗିଥିବା କଳିଙ୍ଗା ପଞ୍ଚାୟତ ପୁକୁଲିଙ୍ଗିଆ ଗ୍ରାମର ମଝିସାହିରେ ଏହି ଘଟଣା ଘଟିଛି।
ଶୁକ୍ରବାର ରାତିରେ ମାଲିକାପୋଡି ପଞ୍ଚାୟତର ମୁକୁଲିଙ୍ଗିଆ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ବାଡ଼ିବଗିଚାରେ ପଶି ଫସଲ ନଷ୍ଟ କରିଥିଲେ। ରାତିସାରା ହାତୀଙ୍କ ଚଳପ୍ରଚଳ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ରହିଥିଲେ। ଏହାର ପରଦିନ ପୁଣି ଦୁଇ ଦନ୍ତା ହାତୀ ପୁକୁଲିଙ୍ଗିଆ ଗ୍ରାମ ଭିତରକୁ ପଶି ଆତଙ୍କ ସୃଷ୍ଟି କରିଥିଲା। ଆଜି ଭୋର ପ୍ରାୟ ୩ଟା ସମୟରେ ହାତୀଟି ଗ୍ରାମ ଭିତରକୁ ପଶିଥିବା ଜଣାପଡ଼ିଛି। ଏହି ସମୟରେ ହାତୀଟି ପୁକୁଲିଙ୍ଗିଆ ମଝିସାହିର ଅନନ୍ତ ପ୍ରଧାନଙ୍କ ଘର ସାମ୍ନାରେ ଥିବା ଧାନ ବସ୍ତା ନିକଟକୁ ଯାଇଥିଲା। ହାତୀଟି ଧାନ ବସ୍ତାକୁ ଖାଇବା ସହ ନଷ୍ଟ କରିଦେଇଥିବା ଦେଖାଯାଇଛି।
Elephant: କନ୍ଧମାଳରେ ହାତୀ ଆତଙ୍କ; ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଗାଁ ମଝିରେ ହାତୀ ପଶିବା ଖବର ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ରାତି ସମୟରେ ହାତୀ ଗାଁ ଭିତରକୁ ପଶୁଥିବାରୁ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି। ଚାଷଜମି ଓ ବାଡ଼ିବଗିଚାରେ ହାତୀ ପଶି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ହାତୀ ଆତଙ୍କ ଲଗାତାର ବଢ଼ୁଥିବା ବେଳେ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ହାତୀ ଗାଁ ଭିତରକୁ ପଶୁଥିବା ସମୟରେ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତି ନଥିବା ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାତୀ ଭୟରେ ଗ୍ରାମବାସୀ ରାତିରେ ଅନିଦ୍ରା ହୋଇ ରହୁଥିବା ବେଳେ ହାତୀ ଆତଙ୍କ କେବେ ଦୂର ହେବ, ସେନେଇ ଚିନ୍ତାରେ ଅଛନ୍ତି। ତୁରନ୍ତ ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଁ ଭିତରକୁ ହାତୀ ପ୍ରବେଶ ରୋକିବା ପାଇଁ ପ୍ରଭାବୀ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

1 week ago
5


