El Nino: ଡିସେମ୍ବରରେ ଚରମରେ ପହଞ୍ଚିବ ଏଲ୍‌ନିନୋ, ଶକ୍ତିଶାଳୀ ହେବା ଆଶଙ୍କା

1 hour ago 2
ARTICLE AD BOX

ଜେନେଭା: ଚଳିତ ବର୍ଷ ଏଲ୍‌ନିନୋ ଆହୁରି ଶକ୍ତିଶାଳୀ ହେବ ଏବଂ ଡିସେମ୍ବରରେ ଏହା ଚରମ ସ୍ତରରେ ପହଞ୍ଚିବ। ଏହା ୧୯୫୦ ପରଠାରୁ ଦେଖାଯାଇଥିବା ସବୁଠୁ ଶକ୍ତିଶାଳୀ ଏଲ୍‌ନିନୋ ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଗୁରୁବାର ଚେତାବନୀ ଦେଇଛି। ଡବ୍ଲ୍ୟୁଏମ୍‌ଓର ଅକ୍ଟୋବର-ଡିସେମ୍ବର ଋତୁକାଳୀନ ଜଳବାୟୁ ଆକଳନ ଅନୁଯାୟୀ, ଏଲ୍‌ନିନୋର ପ୍ରଭାବ ଫେବ୍ରୁଆରି ୨୦୨୭ ପର୍ଯ୍ୟନ୍ତ ରହିବାର ସମ୍ଭାବନା ପ୍ରାୟ ୧୦୦ ପ୍ରତିଶତ।

ଏଲ୍‌ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ଭୂମଧ୍ୟରେଖୀୟ ଜଳର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ବଢ଼ିବାର ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା। ଏହାର ପ୍ରଭାବ କେବଳ ପ୍ରଶାନ୍ତ ମହାସାଗରରେ ସୀମିତ ରହେ ନାହିଁ। ବିଶ୍ୱର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଓ ବର୍ଷାର ଧାରା ବଦଳାଇ ଦିଏ। ଫଳରେ କେଉଁଠି ମରୁଡ଼ି ଓ ଅତ୍ୟଧିକ ଗରମ ବଢ଼ିପାରେ, ତ ଆଉ କେଉଁଠି ପ୍ରବଳ ବର୍ଷା ଓ ବନ୍ୟା ଆସିପାରେ।
ଡବ୍ଲ୍ୟୁଏମ୍‌ଓ ମହାସଚିବ ସେଲେଷ୍ଟ ସାଉଲୋ କହିଛନ୍ତି ଯେ, ଏଲ୍‌ନିନୋ ବର୍ତ୍ତମାନ ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛି। ୨୦୨୭ ଫେବ୍ରୁଆରି ପର୍ଯ୍ୟନ୍ତ ଏହା ରହିବାର ସମ୍ଭାବନା ପ୍ରାୟ ୧୦୦ ପ୍ରତିଶତ ଥିବା ସେ କହିଛନ୍ତି। ଏହି ଆକଳନ ୧୩ଟି ଜାତୀୟ ଓ ଅନ୍ତର୍ଜାତୀୟ ପାଣିପାଗ କେନ୍ଦ୍ରର ତଥ୍ୟ ଓ ମଡେଲ୍‌ର ସମନ୍ୱିତ ବିଶ୍ଳେଷଣ ଉପରେ ଆଧାରିତ।

El Nino 2026: ଏଲ୍‌ନିନୋ ଏଯାଏଁ ପୂରା ଶକ୍ତିଶାଳୀ ହୋଇନି, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ

ଏଲ୍‌ନିନୋର ଶକ୍ତି ମାପିବା ପାଇଁ ବ୍ୟବହୃତ ‘ନିନୋ ୩.୪’ ଅଞ୍ଚଳର ସମୁଦ୍ରପୃଷ୍ଠ ତାପମାତ୍ରା ଜୁନ୍‌ରେ ସ୍ୱାଭାବିକଠାରୁ ୧.୬ ଡିଗ୍ରି ସେଲସିୟସ୍‌ ଅଧିକ ଥିଲା। ଅଗଷ୍ଟରେ ଏହା ୨.୫ ଡିଗ୍ରିକୁ ବଢ଼ିଥିଲା। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩.୭ ଡିଗ୍ରି ଅଧିକ ହେବ ବୋଲି ଆକଳନ କରାଯାଇଛି।

ଏହା ୨୦୧୫-୧୬ରେ ଥିବା ୨.୬ ଡିଗ୍ରିର ପୂର୍ବ ରେକର୍ଡକୁ ଅତିକ୍ରମ କରିବ। ଏଲ୍‌ ନିନୋର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ବିଶ୍ୱର ବହୁ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବାର ଆଶଙ୍କା ରହିଛି। ଏହା ସହ ବର୍ଷାର ସ୍ୱାଭାବିକ ଧାରା ବଦଳିବ। ଡବ୍ଲ୍ୟୁଏମ୍‌ଓର ଆକଳନ ଅନୁଯାୟୀ, ଭାରତୀୟ ଉପମହାଦେଶରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ସଙ୍କେତ ରହିଛି। ଅନ୍ୟପକ୍ଷରେ କେତେକ ଅଞ୍ଚଳରେ ଅଧିକ ବର୍ଷା ଓ ବନ୍ୟାର ଆଶଙ୍କା ରହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.