ARTICLE AD BOX
ଭଞ୍ଜନଗର (ବିଶ୍ବମ୍ବର ଜେନା): ବାଜିଲା ଘଣ୍ଟି, ଖୋଲିଲା ସ୍କୁଲ। ଦୀର୍ଘ ୨୩ ଦିନ ପରେ ବିଦ୍ୟାଳୟରେ ପାଦ ଥାପିଲେ ସ୍କୁଲ ଛାତ୍ରଛାତ୍ରୀ। ଦଶହରା ପାଇଁ ବିଦ୍ୟାଳୟ ଗୁଡିକ ଛୁଟି ଘୋଷଣା କରାଯାଇଥିବା ବେଳେ ଏହାରି ଭିତରେ ମାଡି ଆସିଥିଲା। ଅର୍ଣ୍ଣବ ବାତ୍ୟା ଆଉ ବାତ୍ୟା ପ୍ରଭାବରେ ହୋଇଥିବା ବନ୍ୟାରେ ପ୍ରତିଟି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଢା ଯାଉଥିବା ସ୍କୁଲ ଗୁଡିକ ମଧ୍ୟ ଏଥିରୁ ବାଦ ପଡିନଥିଲା। ବିଶେଷ କରି ଭଞ୍ଜନଗର ବ୍ଳକ ଓ ସହର ପାଇଁ ଦୁଖ ଆଣିଥିଲା ଲୋହରାଖଣ୍ଡ ନଦୀ।
ଏହି ନଦୀ ଅବବାହିକାରେ ରହିଥିବା ଗ୍ରାମ ଗୁଡିକ ଜଳବନ୍ଦୀ ପରିସ୍ଥିତି ହେବା ସହ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରି ଦେଇଥିଲା। ଚାଷବାସ ଠାରୁ ଆରମ୍ଭ କରି ରୋଜଗାରକୁ ଛାରଖାର କରି ଦେଇଥିଲା। ଲୋହରାଖଣ୍ଡି ନଦୀର ବନ୍ୟା। ଗତମାସ ୨୮ ତାରିଖ ରାତିରେ ପ୍ରବଳ ବର୍ଷା ସହ ଡହ ଡ୍ୟାମ ଶତପ୍ରତିଶତ ପୂର୍ଣ୍ଣ ହେବା ପରେ ଏହି ଡ୍ୟାମରୁ ଆସିଥିବା ପାଣି ହିଁ ଏହି ଅଞ୍ଚଳର ବନ୍ୟାର କାରଣ ବୋଲି ସାଧାରଣରେ ଅଭିଯୋଗ ହେଉଥିବା ବେଳେ କୁନି ପିଲାଙ୍କ ପାଠ ପଢା ମଧ୍ୟ ପାଣିରେ ମିଳେଇ ଯାଇଛି। ଅନେକ ପରିବାର ଘରେ ପାଣି ପଶିବା ଯୋଗୁ ଘର କରଣା ସାଙ୍ଗକୁ ପିଲାଙ୍କ ବହି ଖାତା ଠାରୁ ଆରମ୍ଭ କରି ପାଠ ପଢା ସାମଗ୍ରୀ ସବୁ ଲୋଟି ଯାଇଛି।
ବର୍ତ୍ତମାନ ବନ୍ୟା ପାଣି ଛାଡିଛି ସତ କିନ୍ତୁ ଏବେ ବି ସ୍କୁଲ ଗୁଡିକରେ ବନ୍ୟା ବିଭୀଷିକାର ବାସ୍ତବତା ଜଳଜଳ ହୋଇ ଦେଖା ଯାଉଛି। ଅନେକ ବହିପତ୍ର ପାଣିରେ ବୁଡି ଯାଇଥିବା ବେଳେ ତାକୁ ଶୁଖା ଯାଉଛି। କେଉଁଠି ଭଙ୍ଗା ଟେବୁଲ ବ୍ୟାଞ୍ଚକୁ ସଜାଡୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ତ କେଉଁଠି ବନ୍ୟାରୁ ଉଦ୍ଧାର ହୋଇଥିବା ଜିନିଷକୁ ଆଜି ବି ସଫା କରୁଛନ୍ତି କର୍ତ୍ତୁପକ୍ଷ। ସୋମବାର ଠାରୁ ସ୍କୁଲ ଖୋଲିଥିବା ବେଳେ ଧିରେ ଧିରେ ପିଲାଙ୍କ ଉପସ୍ଥାନ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଭଞ୍ଜନଗର ବ୍ଳକର ସାନକୋଦଣ୍ଡା ପଞ୍ଚାୟତର ବାହାଡାପଦର ଉଚ୍ଚ ବିଦ୍ୟାଳୟ, ଗମ୍ଭାରିଗୋଚ୍ଛା,ବଡକୋଦଣ୍ଡା ପଞ୍ଚାୟତର ଡି.କଇଠପଲ୍ଲୀ, ପୌରପାଳିକାର ଟାଉନ ପ୍ରାଥମିକ ବିଦ୍ୟାଳୟ,ରାଜକୁଣ୍ଡପଲ୍ଲୀ ପ୍ରାଥମିକ ବିଦ୍ୟାଳୟ,ନାହାତୁଠ ସାହି ପ୍ରାଥମିକ ବିଦ୍ୟାଳୟ ଓ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ୍ୟା ଜଳ ପ୍ରବେଶ କରିଥିଲା।
/filters:format(webp)/sambad/media/media_files/2026/11/11/whatsapp-image-2026-11-11-20-33-23.jpeg)
ବନ୍ୟା ପରିବର୍ତ୍ତି ସ୍ଥିତିକୁ ମୁକାବିଲା କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦିନରାତି ଏକ କରିବାକୁ ପଡିଥିଲା। ଶ୍ରେଣୀ କକ୍ଷ ଠାରୁ ଆରମ୍ଭ କରି,ଶୌଚାଳୟ,ରୋଷେଇ ଘର, ଆଦିରେ ପଶିଥିବା ପଙ୍କକାଦୁଅ ବାହାର କରି ସ୍ଥିତି ସ୍ବଭାବିକ ପାଇଁ ଚେଷ୍ଟା କରିଥିଲେ। ବିଇଓ ବିଭିନ୍ନ ପ୍ରଭାବିତ ସ୍କୁଲ ଗସ୍ତ କରି ସ୍କୁଲ ଖୋଲିବା ପୂର୍ବରୁ ସ୍ଥିତି ସୁଧାରିବାକୁ ନିଜେ ତଦାରଖ କରିଥିଲେ। ଏପରିକି ଗାଲେରୀରୁ କିଛି ଶିକ୍ଷକ ଆସି ଗମ୍ଭାରି ଗୋଚ୍ଛା ସ୍କୁଲ ସଫେଇରେ ସହଯୋଗ କରିଥିଲେ। କିଛି ସ୍କୁଲ ଅଗ୍ନିଶମ ବାହିନୀ ସହଯୋଗରେ କାଦୁଅ ପଙ୍କ ସଫା କରିଥିଲେ।
ଏସମସ୍ତ ସ୍କୁଲର ସ୍ଥିତି ପ୍ରାୟତ ସମାନ ରହିଥିବା ବେଳେ ଡି.କଇଠପଲ୍ଲୀ ସ୍କୁଲକୁ ବିଚାରକୁ ନିଆଗଲେ। ଏହି ସ୍କୁଲର ୮୦ ଫୁଟ ଲମ୍ବା ପାଚେରୀ ବନ୍ୟା ପାଣିରେ ଭାଙ୍ଗି ସ୍କୁଲ ଭିତରେ ଲହଡି ଖେଳାଇଥିଲା। ଲାଇବ୍ରେରୀରେ ରହିଥିବା ପ୍ରାୟ ୩୫୦ ବହି ନଷ୍ଟ ହୋଇଥିବା ବେଳେ ଏବେ ଖରାରେ ତାକୁ ଶୁଖାଇବାକୁ ପ୍ରୟାଶ କରାଯାଉଛି। ପାଣି ପମ୍ପ,ସାଉଣ୍ଡ ବକ୍ସ୍,ପ୍ରେଜେକ୍ଟର,କିଛି ଚେୟାର,ଟେବୁଲ,ଆଲମିର ତଳ ଭାଗରେ ଥିବା କିଛି ଫାଇଲ ଓ ପିଲାଙ୍କ ପରୀକ୍ଷା ଖାତା ଆଦି ପାଣିରେ ନଷ୍ଟ ହୋଇଥିବା ସ୍କୁଲ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି। ସମାନ ସ୍ଥିତି ଉପରୋକ୍ତ ବିଦ୍ୟାଳୟରେ ମଧ୍ୟ ରହିଛି। ଟିଏଲ୍ଏମ୍ ବକ୍ସ୍, ଖେଳ ସାମଗ୍ରୀ ,ଯାଦୁ ପେଟି ଆଦି ନଷ୍ଟ ହୋଇଛି। ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ କେବଳ ବିଦ୍ୟାଳୟର ସଫାସୁତୁରା କରାଯାଇଥିବା ବେଳେ ପୂର୍ବ ସ୍ଥିତି ଫେରାଇ ଆଣିବା ନିମନ୍ତେ ଆହୁରି କିଛି ଦିନ ଲାଗିଯିବ। ଏସବୁ ସମସ୍ୟା ସାଙ୍ଗକୁ ପିଲାଙ୍କ ଘରେ ମଧ୍ୟ ବହିପତ୍ର ନଷ୍ଟ ହୋଇଥିବାରୁ ଏସଂକ୍ରାନ୍ତରେ ସରକାରଙ୍କୁ ଚିଠି କରି ଅବଗତ କରାଯାଇଥିବା ବିଇଓ ଲୋପାମୁଦ୍ରା ରଥ ପ୍ରକାଶ କରିଛନ୍ତି।

1 hour ago
2


