Education: ସମସ୍ୟା ଘେରରେ ଶ୍ରମଶକ୍ତି ସରକାରୀ ହାଇସ୍କୁଲ

3 hours ago 2
ARTICLE AD BOX

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଟିସ୍କୋ କଲୋନିସ୍ଥିତ ଶ୍ରମଶକ୍ତି ସରକାରୀ ହାଇସ୍କୁଲରେ କୃତ୍ରିମ ଶିକ୍ଷକ ଅଭାବ ସମସ୍ୟା ଏବଂ ୮ ବର୍ଷ ଧରି ଅତିରିକ୍ତ ଶ୍ରେଣୀଗୃହ ଓ ଶୌଚାଳୟ ନିର୍ମାଣାଧୀନ ଅବସ୍ଥାରେ ପଡ଼ିରହିବାକୁ ନେଇ ତାତିଛନ୍ତି ଅଭିଭାବକ ସଂଘ ଓ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)। ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ବିନା ଛୁଟି ଦରଖାସ୍ତରେ ଗତ ଦେଢ଼ମାସ ଧରି ସ୍କୁଲ ଆସୁନଥିବା ଏବଂ ମୂଳ ସ୍କୁଲ ଛାଡ଼ି ଜଣେ ଗଣିତ ଶିକ୍ଷକ ଦାନଗଦୀ ବ୍ଲକର ଏକ ସ୍କୁଲରେ ନିୟୋଜିତ ହେବାର ଦୃଢ଼ ପ୍ରତିବାଦ କରାଯାଇଥିଲା। 

ଏସ୍‌ଏମ୍‌ସି ସଭାପତି ବିଜୟ ବାରିକ(ବାବୁଲି)ଙ୍କ ଆବାହକତ୍ବରେ ସଦସ୍ୟ ଲମ୍ବୋଦର ମହାନ୍ତଙ୍କ ସଂଯୋଜନାରେ ଆଜି ସ୍ବତନ୍ତ୍ର ବୈଠକ ଡକାଯାଇଥିଲା। ରାଷ୍ଟ୍ରଭାଷା ଶିକ୍ଷାଦାନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯିବା ଏବଂ ଗଣିତ ଓ ବିଜ୍ଞାନରେ ଶିକ୍ଷାଦାନ ଆଶାନୁରୂପ ହୋଇନପାରିବା ପ୍ରସଙ୍ଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଂପୃକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଭାବିତ କରି ବେଆଇନ ଭାବେ ନିଜନିଜ ସ୍ବାର୍ଥ ହାସଲ କରିଆସୁଥିବା ସାଧାରଣରେ ଅଭିଯୋଗ ହୋଇଥିଲା। 

ଷ‌ଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ଏଠାରେ ୫ ଟି ଶ୍ରେଣୀରେ ପଢ଼ୁଥିବା ୨୫୪ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଦ୍ବିତୀୟତଃ ସର୍ବଶିକ୍ଷା ଅଭିଯାନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଏଠାରେ ୮ ବର୍ଷ ପୂର୍ବରୁ ଅଫିସ ପଛ ପାର୍ଶ୍ବ ଦ୍ବିତଳ ମହଲାରେ ୩ଟି ଶ୍ରେଣୀଗୃହ ଓ ସଭାଗୃହ ବର୍ଷବର୍ଷ ଧରି ଅଧପନ୍ତରିଆ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏଥିରେ ସ୍କୁଲର ପୁରୁଣା ଡେସ୍କ୍‌ବେଞ୍ଚ୍ ସବୁ ଭର୍ତ୍ତିହୋଇ ରହିଛି। ଏହି ଆସବାବପତ୍ର ଏଠାରେ ଖତ ଖାଉଛି। ନିର୍ମାଣାଧୀନ ବାରଣ୍ଡାରେ ପୁରୁଣା ସିମେଣ୍ଟ୍‌ ବ୍ୟାଗ୍‌ ସବୁ ପଥର ପାଲଟି ଯାଇଛି। 

ଠେଲିଦେଲେ ଶିଡ଼ିଘର କାନ୍ଥରୁ ଇଟା ଖସି ପଡ଼ୁଛି। ହାତ ମାରିଲେ ବାଲି ଝଡ଼ି ଯାଉଛି। ୬ଟି ଶୌଚାଳୟର କାର୍ଯ୍ୟ ଛାତ ପଡ଼ିବାରେ ସୀମିତ ରହିଛି। ବର୍ଷବର୍ଷ ଧରି ଅବ୍ୟବହୃତ ନିର୍ମାଣାଧୀନ କୋଠାବାଡ଼ି ଏବେ ଭୂତକୋଠି ହୋଇ ବିଷଧର ସରୀସୃପଙ୍କ ବାସସ୍ଥଳୀ ହୋଇଛି। ଯାହାକି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ଆଶଂକା ପ୍ରକାଶ ପାଇଛି। ବିଭାଗୀୟ ମୁଖ୍ୟଙ୍କ ଭାଗିଦାରୀରେ ଜଣେ ଶିକ୍ଷକ ଛାୟା ଠିକାଦାର ଭାବେ ଏହି କାର୍ଯ୍ୟ କରାଉଥିଲେ ବୋଲି ଅଭିଭାବକ ସଂଘ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲା। ୩୬ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରେ ଆରମ୍ଭରୁ ସୂଚନା ଫଳକ ନରହିବା ଓ ପୂରା ବିଲ ଉଠାଇନେବା ସତ୍ତ୍ବେ ପ୍ରକଳ୍ପ ୮ ବର୍ଷ ଧରି ଏହା ଦରଖଣ୍ଡିଆ ରହିବା ପଛରେ ବଡ଼ ଦୁର୍ନୀତି ଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ, ଦୋଷୀ ଚିହ୍ନଟ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ‌ରେ ଦୃଢ଼ ଦାବି କରାଯାଇଥିଲା। 

ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟରେ ତାଲା

ସ୍କୁଲ ପରିସର‌ରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ନିଯୁକ୍ତି, ପ୍ରକଳ୍ପ ସଂପୂର୍ଣ୍ଣ ଓ ସ୍ବଚ୍ଛ ପରିବେଶ ଦାବିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ପାଇଁ ଦରଖାସ୍ତ ଲେଖାଯାଇଥିଲା। ପୁଷ୍ପିତା ସିଂ, ପୁଷ୍ପାଞ୍ଜଳି ସେଠୀ, ମାମିନା ରାଉତ, ପିଙ୍କି ନନ୍ଦ, ଶ୍ରୀମତୀ ପଟ୍ଟନାୟକ, ନିର୍ମଳେନ୍ଦୁ ମହାନ୍ତ, ସୁରଥ ମହାନ୍ତ, ସେକ୍ ଅଫଜଲ, ରମେଶ ଜେରାଇ, ପୁରାତନ ଛାତ୍ରସଂଘ ପକ୍ଷରୁ ମନୋଜ କୁମାର ବେହେରା ଓ ବିଶ୍ବଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଛାତ୍ରଛାତ୍ରୀଙ୍କୁ ଧରି ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟହେବେ ବୋଲି ଅଭିଭାବକ ସଂଘ ଚେତାବନୀ ଦେଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.