ARTICLE AD BOX
୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨ଜଣ ଶିକ୍ଷକ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ ଅଧୀନରେ ଥିବା ୭୨ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୧୦ଟି ବିଦ୍ୟାଳୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହା ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।
ତଥ୍ୟ ଅନୁଯାୟୀ, ସୁଗାମାହା ପ୍ରାଥମିକ ବିଦ୍ୟାଳୟରେ ୬ ଜଣ, ଡମେଙ୍ଗିରେ ୬ ଜଣ, ପାଙ୍ଗାନାଜୁରେ ୫ ଜଣ, ଲାବୁରିରେ ୮ ଜଣ, ଜେ ପୋଡ଼ିକିଆରେ ୭ ଜଣ, ତୁମୁସିଙ୍ଗିଆରେ ୯ ଜଣ ଏବଂ ଗଦିଙ୍ଗିଆ, କୁନ୍ଦାନାଜୁ, ରିଶୁଗୁଡ଼ା ଓ ସାକା ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ସମସ୍ତ ବିଦ୍ୟାଳୟରେ ପ୍ରାୟ ଦୁଇଜଣ ଲେଖାଏଁ ଶିକ୍ଷକ ଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କିପରି ଶିକ୍ଷାଦାନ କରାଯାଉଛି, ତାହା ନେଇ ପ୍ରଶ୍ନ ଉଠୁଛି।
ସୁଗାମାହା ବିଦ୍ୟାଳୟରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏହି ସ୍କୁଲର ଭବିଷ୍ୟତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅନ୍ୟପଟେ ସରକାର ପ୍ରତ୍ୟେକ ବ୍ଲକରେ ଆବାସିକ ବିଦ୍ୟାଳୟ ସ୍ଥାପନ କରୁଥିବାରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ସେଠାରେ ନାମ ଲେଖାଉଛନ୍ତି। ଫଳରେ ଗ୍ରାମାଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବା ଦେଖାଯାଉଛି। ଅନ୍ୟ କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ଶିକ୍ଷକ ଅଭାବ ରହିଥିବାରୁ ପାଠପଢ଼ା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି।
ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ କହିଛନ୍ତି, ୧୫ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶାଇବାର ବ୍ୟବସ୍ଥା ରହିଛି। ତେବେ ଘୁ.ଉଦୟଗିରି ବ୍ଲକ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ। ଏହାଛଡ଼ା, ଘୁ.ଉଦୟଗିରି ବ୍ଲକରେ ଦୀର୍ଘ ଦିନ ଧରି ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବି ଖାଲି ପଡ଼ିଛି।
Education policy: ଶିକ୍ଷା ବ୍ୟବସ୍ଥା ସ୍ୱଦେଶୀ ଅଭିମୁଖୀ ହେବା ଦରକାର: ଧର୍ମେନ୍ଦ୍ର
ପୂର୍ବରୁ ରାଇକିଆ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଥିଲେ। ତାଙ୍କ ବଦଳି ପରେ ବର୍ତ୍ତମାନ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଏହି ଦାୟିତ୍ୱ ସମ୍ଭାଳୁଛନ୍ତି। କାମ ଚଳାରେ ଚାଲିଛି ଶିକ୍ଷା ବିଭାଗ।ଦୀର୍ଘ ଦିନ ଧରି ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଯୁକ୍ତ ନ ହେବା ଏବଂ ଅନେକ ବିଦ୍ୟାଳୟରେ ଛାତ୍ରସଂଖ୍ୟା କ୍ରମାଗତ ଭାବେ କମୁଥିବାରୁ ବ୍ଲକର ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତକୁ ନେଇ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି।
ବର୍ତ୍ତମାନ ସମୟରେ ସରକାର ଏହି ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।କହିବାକୁ ଗଲେ ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ପ୍ରତି କାହାର ନଜର ନାହିଁ ନା ପ୍ରଶାସନିକ ଅଧିକାରୀଙ୍କ ନା ଲୋକ ପ୍ରତିନିଧିଙ୍କ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଯଦି ଏହିଭଳି ବିକଳ ଚିତ୍ର ତାହାହେଲେ କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ ଉଠୁଛି। ମାଳମାଳ ସମସ୍ୟା ଦେଖିଲେ ସ୍ଥାନୀୟ ବ୍ଲକରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା କୁନି କୁନି ଶିଶୁଙ୍କ ଭବିଷ୍ୟତ ସହ ଏକ ପ୍ରକାର ଖେଳ ଖେଳୁଥିବା ଭଳି ମନେ ହେଉଛି। ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ବଦଳରେ ତାର ଅଧୋଗତି କରିବାରେ ଲାଗିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତମାନେ।

1 hour ago
1


