Editorial: ହସର ରହସ୍ୟ

1 week ago 8
ARTICLE AD BOX

ଏହା ସତ ଯେ ଅଧିକାଂଶ ନିଷ୍କରୁଣ ଏକଛତ୍ରବାଦୀ ଶାସକଙ୍କ ଭଳି ଉଦାରତାର ପରିଚୟ ଦେବା ଲାଗି ଉତ୍ତର କୋରିଆ ଯେଉଁ ନାମ ବହନ କରିଥାଏ, ତାହା ହେଲା ‘ଡେମୋକ୍ରାଟିକ ରିପବ୍ଲିକ ଅଫ କୋରିଆ’, ଅର୍ଥାତ୍‌ ତାହା ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର। ସେଠାରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥାଏ, ଯେଉଁଠି ୯୯.୯% ମତଦାନ ହୁଏ ଏବଂ ସମସ୍ତ ଭୋଟ ସେହି ଗୋଟିଏ ପରିବାରର କର୍ତ୍ତାଙ୍କ ନିକଟକୁ ଯାଇଥାଏ। ତେଣୁ, ଏଭଳି ଗମାତର ଆୟୋଜନ ମଧ୍ୟ ହୋଇପାରେ ଭାବମୂର୍ତ୍ତି ପରିମାର୍ଜନ ଉଦ୍ଦେଶ୍ୟରେ ଏକ ପ୍ରୟାସ! 

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌

‘ହର୍ମିଟ କିଂଡମ’ ଭାବରେ ପରିଚିତ ଉତ୍ତର କୋରିଆର ଶୁଷ୍କ, ଭାବହୀନ, ପାଷାଣପ୍ରତିମ ଚେହେରାରେ ହସ ଫୁଟାଇବା ଲକ୍ଷ୍ୟରେ ସେହି ଦେଶର ଅତ୍ୟନ୍ତ ନିଷ୍ଠୁର ଶାସକ କିମ ଜୋଙ୍ଗ ଉନଙ୍କ ଦ୍ବାରା ଗମାତ ବା ଇଂରେଜୀରେ ‘ଫନ୍‌’ର ଆୟୋଜନ କରାଯିବା କେବଳ ବିସ୍ମୟ ଓ କୌତୂହଳ ସୃଷ୍ଟି କରି ନ ଥାଏ, ଅସଂଖ୍ୟଙ୍କୁ ଆମୋଦିତ ମଧ୍ୟ କରିଛି। ପ୍ରକାଶ ଥାଉ କି ଗୋଟିଏ ପରିବାରର ତିନି ପିଢ଼ିର ଦାୟାଦ ଗୋଟିଏ ଦେଶ ଓ ତା’ର ପ୍ରାୟ ଅଢ଼େଇ କୋଟି ଅଧିବାସୀଙ୍କୁ ସଂପୂର୍ଣ୍ଣ ଅକ୍ତିଆର କରି, ଅବଶିଷ୍ଟ ପୃଥିବୀଠାରୁ ସଂପୂର୍ଣ୍ଣ ପୃଥକ୍‌ ରଖି ‘ହର୍ମିଟ୍‌’ ବା ‘ଏକାନ୍ତବାସୀ’ ଭଳିି ଏକ ବିଶେଷଣ ଅର୍ଜନ କରିଛନ୍ତି; ଏବଂ ବାହାରୁ ବିକାଶର ଆଲୋକ ବା ସମୀରଣର ପ୍ରବେଶକୁ ରୁନ୍ଧିବା ଲାଗି ବାତାୟନ କିଳି ଦେଇଛନ୍ତି। ଏଣୁ ପ୍ରଶ୍ନ ଉଠିଥାଏ ଯେ ସେହି ଶାସକଙ୍କ ହୃଦୟରେ ଏଭଳି ପରିବର୍ତ୍ତନ ଘଟିଲା କେମିତି ବା କାହିଁକି? 
ପ୍ରକାଶ ଥାଉ କି ଶାସକଙ୍କ ଅନୁମତି କ୍ରମେ ଉତ୍ତର କୋରିଆର ଯେଉଁ ସ୍ବଳ୍ପ ସଂଖ୍ୟକ ଚିତ୍ର ଓ ଦୃଶ୍ୟ ସମୟେ ସମୟେ ପ୍ରକାଶ୍ୟ ହୋଇଥାଏ, ତହିଁରୁ ଏକ ସମୃଦ୍ଧ ଓ ସୁଖୀ ଦେଶର ଆଭାସ ମିଳିପାରେ ସତ; କିନ୍ତୁ ପ୍ରକୃତ ପକ୍ଷେ ତାହା ଏକ ଦରିଦ୍ର ଓ ନିର୍ମମ ଭାବେ ନିପୀଡ଼ିତ ରାଷ୍ଟ୍ର, ଯେଉଁଠି ବିଦେଶ ଯିବା, ବିଦେଶୀ ସିନେମା ବା ଟେଲିଭିଜନ ସୋ ଦେଖିବା, ଇଣ୍ଟରନେଟର ସ୍ବାଧୀନ ବ୍ୟବହାର କରିବା ଇତ୍ୟାଦି ମଧ୍ୟ ନିଷିଦ୍ଧ, ତେଣିକି ବିଦେଶୀ ଟେଲିଭିଜନ ନ୍ୟୁଜ ଚ୍ୟାନେଲ କଥା ଦୂରେ ଥାଉ। ଏବଂ ଏହାର ଅବମାନନା ବିନା କୌଣସି ଦ୍ବିଧା ବା ସଂକୋଚରେ ତତ୍‌କ୍ଷଣାତ୍‌ ମୃତ୍ୟୁ ଦଣ୍ଡର ଦଶା ଦେଇପାରେ। ସେ ଦେଶରେ କେଶ ବିନ୍ୟାସ, ପ୍ରସାଧନର ବ୍ୟବହାର ଓ ପୋଷାକ ପରିଧାନ ଇତ୍ୟାଦି ମଧ୍ୟ ଶାସକଙ୍କ ସ୍ଥିରୀକୃତ ଶୈଳୀ ଅନୁସାରେ ହୋଇଥାଏ; ଯେମିତି କି ସାଂପ୍ରତିକ ସର୍ବମୟ କର୍ତ୍ତା କିମ ଜୋଙ୍ଗ ଉନଙ୍କ ଭଳି କେଶ ରଖିବା ବା ଚଷମା ପିନ୍ଧିବା ଏପରିକି ସେ ପରିଧାନ କରୁଥିବାରୁ ଚମଡ଼ା ଜ୍ୟାକେଟ ପିନ୍ଧିବା ମଧ୍ୟ ନିଷିଦ୍ଧ। ୨୦୨୧ ମସିହାରେ, କିମ ଜୋଙ୍ଗ ଉନଙ୍କ ବାପା କିମ ଜୋଙ୍ଗ-ଇଲଙ୍କ ନିଧନର ଦଶ ବର୍ଷ ପୂର୍ତ୍ତି ଅବସରରେ, ରାଷ୍ଟ୍ରୀୟ ଶୋକ ପ୍ରକାଶ ସ୍ବରୂପ ନାଗରିକମାନଙ୍କ ହସିବା, ପାରିବାରିକ ଉତ୍ସବ ପାଳନ କରିବା, ମଦ୍ୟପାନ କରିବା, ସପିଂ କରିବା ଓ ଏପରିକି କୌଣସି ଆତ୍ମୀୟ ସ୍ବଜନଙ୍କ ଦେହାନ୍ତରେ ଶ୍ରୁତିଗୋଚର ହେଲା ଭଳି କ୍ରନ୍ଦନ କରିବା ଆଦିକୁ ଦଣ୍ଡନୀୟ ଅପରାଧ କରାଯାଇଥିଲା। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସେହି ସମୟରେ ଲୁଚେଇ ମଦ ପିଉଥିବା କତିପୟ ନାଗରିକ ଧରା ପଡ଼ି ନିଃଶବ୍ଦରେ ଅଦୃଶ୍ୟ ହୋଇଯାଇଛନ୍ତି। ସେ ଦେଶରେ ଜଣଙ୍କର ଦୋଷ ବା ଅପରାଧ ଲାଗି ସମଗ୍ର ପରିବାର ମୃତ୍ୟୁ ଦଣ୍ଡ ଓ ଦୀର୍ଘ କାଳ କାରାବାସ ଭୋଗିବାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି, ଯାହାକୁ ‘ଗିଲ୍‌ଟ ଅଫ ଆସୋସିଏସନ’ ବା ‘ସଂସର୍ଗର ପ୍ରାୟଶ୍ଚିତ୍ତ’ ବୋଲି କୁହାଯାଇଥାଏ। ଉତ୍ତର କୋରିଆରୁ କୌଣସିମତେ ପଳାୟନ କରି ଦକ୍ଷିଣ କୋରିଆରେ ଶରଣ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିବା ସିନ ଡୋଙ୍ଗ ନ୍ୟୁକ, ଯିଏ ନିଜ ପିତାମହ କରିଥିବା ଅପରାଧ ଲାଗି ‘ଗିଲ୍‌ଟ ଅଫ ଆସୋସିଏସନ’ କ୍ରମରେ ବନ୍ଦିନୀ ମା’ଙ୍କ ଗର୍ଭରୁ ଜେଲରେ ଜନ୍ମ ହୋଇ ଉତ୍ତର କୈଶୋର ଯାଏଁ ବଢ଼ିବାର ଦୁର୍ଭାଗ୍ୟ ସହିଥିଲେ ଏବଂ ଚକ୍ଷୁ ସାମନାରେ ପୁଲିସ ହାତରେ ନିଜ ମା’ ଓ ଭାଇଙ୍କ ହତ୍ୟା ଦେଖିଥିଲେ। ଘଟଣା ଚକ୍ରରେ ସଂପ୍ରତି ଜଣେ ପ୍ରସିଦ୍ଧ ମାନବ ଅଧିକାର ଓକିଲରେ ପରିଣତ ହୋଇଥିବା ଡୋଙ୍ଗ ନ୍ୟୁକଙ୍କ ଜୀବନୀ ପୁସ୍ତକ ‘ଏସକେପ ଫ୍ରମ କ୍ୟାଂପ ୧୪’ରୁ ସେ ଦେଶର ଶାସକ ଓ ବ୍ୟବସ୍ଥା କିଭଳି ଅକଳ୍ପନୀୟ ଭାବେ ନିଷ୍ଠୁର ହୋଇପାରେ, ତାହାର ଧାରଣା ମିଳିଥାଏ। ସେମିତି ସମଗ୍ର ପୃଥିବୀକୁ ସ୍ତବ୍‌ଧ କରି ଦେଇଥିବା ଭଳି ଖବରଟିଏ କହିଥିଲା, କିଭଳି ୨୦୧୩ ମସିହାରେ, ବିଶ୍ବାସଘାତକତାର ଆରୋପରେ, ଉଚ୍ଚ ପଦାସୀନ ତାଙ୍କର ଜଣେ ମଉସା-ଶ୍ବଶୂର ଜାଙ୍ଗ ସଙ୍ଗ ଥାଏକଙ୍କୁ ଦଳେ ଡାହାଳ କୁକୁରଙ୍କ ଦଳ ଭିତରେ କଲବଲ ହୋଇ ମରିବାକୁ ଛାଡ଼ି ଦିଆଯାଇଥିଲା। ଯଦିଓ ଏହା ଏକ ଅପପ୍ରଚାର ଏବଂ ଫାୟାରିଂ ସ୍କ୍ବାଡ୍‌ ଦ୍ବାରା ଥାଏକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ବିଷୟ ଉତ୍ତର କୋରିଆ ପକ୍ଷରୁ ସଫେଇ ଦିଆଯାଇଥିଲା, ତଥାପି ବିଶ୍ବାସ କରାଯାଏ ଯେ ଦେଶକୁ ଭୟ ଜର୍ଜର କରି ରଖିବା ସକାଶେ ଏଭଳି ପଦକ୍ଷେପ ନିଆଯାଇଥିବା ଅସମ୍ଭବ ମଧ୍ୟ ନୁହେଁ! ତେଣୁ, ସେଭଳି ଏକ ଦେଶରେ ଗମାତର ଆୟୋଜନ ସ୍ବାଭାବିକ ଭାବେ ଚକିତ କରିଦେବା ଭଳି ହୋଇଥାଏ।
କୁହାଯାଉଛି ଯେ ଏହା ପଛରେ ମଧ୍ୟ ରହିଛି ଏକ ଅଭିସନ୍ଧି! ପ୍ରକାଶ ଥାଉ କି ନବମ ଦଶକରେ, ସୋଭିଏତ ରୁଷିଆର ବିଲୟ ପରେ ଉତ୍ତର କୋରିଆର ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା ଏବଂ ୧୯୯୪ ମସିହାରୁ ୧୯୯୯ ମସିହା ମଧ୍ୟରେ ସେ ଦେଶ ପ୍ରତ୍ୟକ୍ଷ କରିଥିଲା ଅବର୍ଣ୍ଣନୀୟ ଦୁର୍ଭିକ୍ଷ ଓ ଅନଟନ। ସେହି ସମୟରେ କେବଳ ବଞ୍ଚି ରହିବା ଲାଗି (୬ରୁ ୧୦ ଲକ୍ଷ ମୃତ୍ୟୁ ମୁଖରେ ପଡ଼ିଥିଲେ), ସାଧାରଣ ଲୋକେ ନିଜ ବ୍ୟକ୍ତିଗତ ସଂପତ୍ତିର ଯେଉଁ ବିକ୍ରିବଟା ଆରମ୍ଭ କରିଥିଲେ, ତାହା କ୍ରମେ ଏକ ବଜାରର ସୃଷ୍ଟି କରିଛି, ଯହିଁରେ ଅନେକ ନାଗରିକ ଆଖିଦୃଶିଆ ବିତ୍ତ ମଧ୍ୟ ଆହରଣ କରିପାରିଛନ୍ତି, ଯେଉଁମାନଙ୍କ ସଂଖ୍ୟା ଆନୁମାନିକ ଭାବେ କୁଆଡ଼େ ହେବ ପ୍ରାୟ ୮ ନିୟୁତ। ତେବେ, ସେଭଳି ନାଗରିକଙ୍କ ସକାଶେ ବିତ୍ତ ବ୍ୟୟ କରିବାର‌ ବିଶେଷ କୌଣସି ସୁଯୋଗ ନ ଥିବାରୁ ତାହା ସେମାନଙ୍କ ନିକଟରେ ଜମା ଆକାରରେ ହିଁ ପଡ଼ି ରହିଛି। ସୁତରାଂ, ବିତ୍ତ ଖର୍ଚ୍ଚର ସୁଯୋଗ ସକାଶେ ସେଠାରେ ଏଭଳି ଉଦ୍ୟମ ଦେଖିବାକୁ ମିଳୁଛି; ଯେମିତି ରାଜଧାନୀ ପୋଙ୍ଗୟାଙ୍ଗରେ, ଗପସପର ଆସର ଓ ମଉଜ ଲାଗି, ଦୃଶ୍ୟମାନ ହେଲାଣି ଅନେକ କାଫେଟେରିଆ, ୱାଟର ପାର୍କ, ଗେମିଂ ଜୋନ, ସ୍କିଂ ରେସର୍ଟ ଇତ୍ୟାଦି; ୨୦୨୫ ଜୁଲାଇରୁ ସ୍ବଦେଶୀ ପର୍ଯ୍ୟଟକଙ୍କ ଦ୍ବାରା ଲୋକାରଣ୍ୟ ହୋଇ ଉଠିଛି ବିଳାସ ପରିପୂର୍ଣ୍ଣ ୱପସାନ-କଲମା ବେଳାଭୂମି। ବର୍ଷକ ଭିତରେ ସେଠାକୁ ଆସିଲେଣି ୩ ଲକ୍ଷରୁ ଅଧିକ ଲୋକ। ଏହାର ଅର୍ଥ ନାଗରିକଙ୍କ ସଂଚିତ ଅର୍ଥକୁ ରାଜକୋଷକୁ ଆଣିବାର ଏହା ହେଉଛି ଏକ କୌଶଳ; ଏବଂ ଏକ ବିରସ ରାଷ୍ଟ୍ର ସକାଶେ ସରକାରୀ କର୍ତ୍ତୃତ୍ବାଧୀନ ଗମାତ ମଧ୍ୟ ବେଶ ଆକର୍ଷଣୀୟ ହୋଇଥାଏ।
ଏହା ସତ ଯେ ଅଧିକାଂଶ ନିଷ୍କରୁଣ ଏକଛତ୍ରବାଦୀ ଶାସକଙ୍କ ଭଳି ଉଦାରତାର ପରିଚୟ ଦେବା ଲାଗି ଉତ୍ତର କୋରିଆ ଯେଉଁ ନାମ ବହନ କରିଥାଏ, ତାହା ହେଲା ‘ଡେମୋକ୍ରାଟିକ ରିପବ୍ଲିକ ଅଫ କୋରିଆ’, ଅର୍ଥାତ୍‌ ତାହା ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର। ସେଠାରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥାଏ, ଯେଉଁଠି ୯୯.୯% ମତଦାନ ହୁଏ ଏବଂ ସମସ୍ତ ଭୋଟ ସେହି ଗୋଟିଏ ପରିବାରର କର୍ତ୍ତାଙ୍କ ନିକଟକୁ ଯାଇଥାଏ। ତେଣୁ, ଏଭଳି ଗମାତର ଆୟୋଜନ ମଧ୍ୟ ହୋଇପାରେ ଭାବମୂର୍ତ୍ତି ପରିମାର୍ଜନ ଉଦ୍ଦେଶ୍ୟରେ ଏକ ପ୍ରୟାସ! ଉତ୍ତର କୋରିଆରେ ହସର ଉପସ୍ଥିତି ବା ସୁଖାନୁଭୂତି ନେଇ ଅନେକ ଗୁଲି ଗଳ୍ପ ରହିଆସିଛି, ଯେମିତି ଗୋଟିଏ ହେଲା, ନିଶାର୍ଦ୍ଧରେ କବାଟ ଖଟଖଟ କରି ପୁଲିସ ଯେତେବେଳେ କହେ କିମ ଜୁ କବାଟ ଖୋଲ, ସେତିକି ବେଳେ ଘର ଭିତରୁ ଆଶ୍ବସ୍ତ ଗୃହସ୍ବାମୀର ଉତ୍ତର ଆସେ ଏଇଟା କିମ ଜୁର ଘର ନୁହେଁ, ସେ ଆମ ପଡ଼ୋଶୀ! ତା’ ପରେ ପରମ ତୃପ୍ତିର ଶ୍ବାସ ନିଷ୍କାସନ! ଉତ୍ତର କୋରିଆ ବାହାରେ ଏଭଳି ଅସଂଖ୍ୟ ଗପର ହାଟ। ଏବେ, ଏହି ଆଲୋଚ୍ୟ ସଂଦର୍ଭକୁ ନେଇ ମଧ୍ୟ ଉତ୍ତର କୋରିଆ ବାହାରେ ହାସ୍ୟ-ପରିହାସ ଶୁଣିବାକୁ ମିଳିଲାଣି। କୁହାଯାଉଛି ଯେ ସତରେ କିମ ଜୋଙ୍ଗ ଉନ ଉଦାର ହୋଇଯାଇଛନ୍ତି; ତା’ ହୋଇ ନ ଥିଲେ ଗମାତର ଆୟୋଜନ ନ କରାଇ ସେ ତ ସିଧାସଳଖ ନାଗରିକଙ୍କ ଜମା ପୁଞ୍ଜି ବାଜ୍ୟାପ୍ତି କରି ‌େଦଇଥାଆନ୍ତେ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.