Editorial: ସ୍ବାସ୍ଥ୍ୟକୁ ସର୍ଟକଟ୍

1 hour ago 1
ARTICLE AD BOX

ଉପାଦାନ ତାଲିକା ବହନ କରୁଥିବା ସାରଣୀ ଏକ ଲମ୍ବା ରାସ୍ତା ହୋଇଥିବା ବେଳେ ସମ୍ମୁଖ ଛାପା ହେଉଛି ଏକ ସର୍ଟକଟ୍। ଅହରହ ସୀମିତ ସମୟ, ଧ୍ୟାନ ଓ ସୂଚନାର ଚାପରେ କାର୍ଯ୍ୟ କରୁଥିବା ମନୁ‌ଷ୍ୟ ସ୍ବାଭାବିକ ଭାବରେ ସର୍ଟକଟ୍ ରାସ୍ତା ଆପ‌ଣାଇଥାଏ। ତେଣୁ ‘ଏଫ୍ଏସ୍ଏସ୍ଏଆଇ’ ପରି ଖାଦ୍ୟ ମାନ ନିୟନ୍ତ୍ରକ ନିଜର ଦାୟିତ୍ବକୁ ଯଦି ଆନ୍ତରିକତା ସହିତ ନିର୍ବାହ କରିବାକୁ ଚାହେଁ, ତେବେ ଖାଉଟିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସତର୍କ ସୂଚନା ଛାପିବା ନିମିତ୍ତ ତା’ ପାଇଁ ଯେଉଁ ସର୍ବାଧିକ ପ୍ରଭାବଶାଳୀ ବିଲ୍‌ବୋର୍ଡ ଉପଲବ୍‌ଧ, ତାହା ହେଉଛି ଖାଦ୍ୟପଦାର୍ଥ ପ୍ୟାକେଟ୍‌ର ସମ୍ମୁଖ ଭାଗ।

‘‘କାହିଁକି? ତୁମେ କ’ଣ ଏ ଦେଶର ଲୋକମାନେ ସୁସ୍ଥ ରହିବା ଚାହୁଁ ନାହଁ? ଆହୁରି ନିର୍ଦ୍ଦିଷ୍ଟ ଭାବରେ ବର୍ଦ୍ଧିଷ୍ଣୁ ପିଲାମାନେ?’’ ଏକ ମାମଲାର ଶୁଣାଣି ସମୟରେ ଗତ ଗୁରୁବାର ଦିନ ଏହା ଥିଲା ସୁପ୍ରିମ୍ କୋର୍ଟ ଭାରତ ସରକାରଙ୍କୁ ପଚାରିଥିବା ଏକ ଭର୍ତ୍ସନାମୂଳକ ପ୍ରଶ୍ନ। ଯେଉଁ ମାମଲାରେ ସରକାରଙ୍କ ସହିତ ଦେଶରେ ଖାଦ୍ୟପଦାର୍ଥର ଗୁଣାତ୍ମକ ମାନ ନିୟନ୍ତ୍ରଣ ଦାୟିତ୍ବ ନିର୍ବାହ କରୁଥିବା ସଂସ୍ଥା ‘ଫୁଡ୍ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଏସ୍ଏଆଇ’) ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କର ଏଭଳି କଟୂ ଭର୍ତ୍ସନାର ସମ୍ମୁଖୀନ ହେଇଥିଲା, ତାହା ହେଉଛି ବଜାରରେ ବିକ୍ରି ହେଉଥିବା ଉଚ୍ଚ ମାତ୍ରାରେ ଚିନି, ଲୁଣ ଓ ସାଚ୍ୟୁରେଟେଡ୍ ଚର୍ବି ଆଦି ସ୍ବାସ୍ଥ୍ୟ ହାନିକରକ ଉପାଦାନ ବ୍ୟବହାର କରାଯାଇ ପ୍ରସ୍ତୁତ ଖାଦ୍ୟପଦାର୍ଥମାନଙ୍କର ପ୍ୟାକେଟ୍‌ର ସମ୍ମୁଖ ଭାଗରେ ସ୍ପଷ୍ଟ ଭାବରେ ସତର୍କ ସୂଚନା ଛାପା ହେବା ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ସରକାର ଓ ‘ଏଫ୍ଏସ୍ଏସ୍ଏଆଇ’ ଅବଲମ୍ବନ କରି ଚାଲିଥିବା ଦୀର୍ଘକାଳୀନ ଟାଳଟୁଳ ନୀତି। ସରକାର ଏଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜନସ୍ବାସ୍ଥ୍ୟ ସୁରକ୍ଷା ଅପେକ୍ଷା ବ୍ୟବସାୟୀମାନଙ୍କ ସ୍ବାର୍ଥକୁ ଅଧିକ ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ଆକ୍ଷେପ କରି ଅଦାଲତ ଧମକ ଦେଇଛନ୍ତି ଯେ ଯଦି ଏ ଦିଗରେ ସରକାର ତୁରନ୍ତ ଦୁଇ ସପ୍ତାହ ମଧ୍ୟରେ ବିହିତ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅଦାଲତ ଏ ବାବଦରେ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ।
ସର୍ବୋଚ୍ଚ ଅଦାଲତଙ୍କର ପ୍ରଶ୍ନର ସରଳ ଅନ୍ତର୍ନିହିତ ମର୍ମ ହେଉଛି: ଯଦି ଜନସ୍ବାର୍ଥ ସୁରକ୍ଷା ନିମିତ୍ତ ସରକାରଙ୍କର ହ‌ସ୍ତକ୍ଷେପର ଆବଶ୍ୟକତା ନେଇ କୌଣସି ସନ୍ଦେହ ନାହିଁ, ତେବେ ଖାଉଟିମାନେ ଦୀର୍ଘ କାଳ ଧରି ନିଜର ସ୍ବାସ୍ଥ୍ୟକୁ ବିପନ୍ନ କରି ସରକାରୀ ଅମଲାତନ୍ତ୍ରର ନିଷ୍ପତ୍ତି ଗ୍ରହଣକୁ କାହିଁକି ଅପେକ୍ଷା କରିଚାଲିବେ? ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ପ୍ରତିହତକ୍ଷମ ବିପଦରୁ ସୁରକ୍ଷିତ ରଖିବା ହେଉଛି ରାଷ୍ଟ୍ରର ନୈତିକ ତଥା ସାଂବିଧାନିକ ଦାୟିତ୍ବ। ଭାରତ ଭଳି ଏକ ବିକାଶଶୀଳ ଦେଶ ବର୍ତ୍ତମାନ ଏଇ ପରିପ୍ରେକ୍ଷୀରେ ଏକ ନିଷ୍ଠୁର ବିଡ଼ମ୍ବନା ଦେଇ ଗତି କରୁଛି: ଦେଶବାସୀ ଏ ପର୍ଯ୍ୟନ୍ତ ଅପପୁଷ୍ଟି କବଳରୁ ସଂପୂର୍ଣ୍ଣ ମୁକ୍ତି ଲାଭ କରିନାହାନ୍ତି କିନ୍ତୁ ସେଥିସହିତ ଏଠାରେ ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ଅନ୍ୟାନ୍ୟ ଅଣ-ସଂକ୍ରାମକ ବ୍ୟାଧିମାନଙ୍କର ଦ୍ରୁତ ପ୍ରସାର ଘଟିବା ପରିଦୃଷ୍ଟ ହେଉଛି। ଅଧିକରୁ ଅଧିକ ସଂଖ୍ୟକ ଭାରତୀୟମାନଙ୍କର ଦୈନନ୍ଦିନ ଆହାରରେ ଅତି ପ୍ରକ୍ରିୟାକୃତ ଓ ପ୍ୟାକେଜ୍ ଖାଦ୍ୟର ପ୍ରବେଶ ଏହି ବ୍ୟାଧିମାନଙ୍କର ପ୍ରସାରର ଅନ୍ୟତମ କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକମତ।
ଅନେକ ଖାଉଟି ଏ ସମ୍ବନ୍ଧରେ ସଚେତନ ଥିଲେ ମଧ୍ୟ ସେମାନେ କ୍ରୟ କରୁଥିବା ଖାଦ୍ୟପଦାର୍ଥରେ ଉପସ୍ଥିତ ଏଇସବୁ କ୍ଷତିକାରକ ଉପାଦାନମାନଙ୍କର ପରିମାଣ ଓ ମାତ୍ରା ସମ୍ବନ୍ଧରେ ଅବଗତ ନଥାନ୍ତି। ବିଡ଼ମ୍ବନା ହେଲା କିନ୍ତୁ ଅଧିକାଂଶ ପ୍ୟାକେଟ୍ ଏ ସମ୍ବନ୍ଧରେ ସୂଚନା ବହନ କରୁଥିଲେ ମଧ୍ୟ ତାହା ଖାଉଟିମାନଙ୍କର ଦୃଷ୍ଟି ଆକର୍ଷଣ କରି ନ ଥାଏ। ଏହାର କାରଣ ହେଉଛି ବିକ୍ରେତାମାନେ ଅବଲମ୍ବନ କରୁଥିବା ଏକ ମନସ୍ତାତ୍ତ୍ବିକ ଚାଲାକି: ସେମାନେ ଏ ସମସ୍ତ ସୂଚନା ଅତି କ୍ଷୁଦ୍ର ହରପରେ ସଂପୃକ୍ତ ପ୍ୟାକେଟ୍‌ର ପୃଷ୍ଠ ଭାଗରେ ଛାପି ଦେଇଥାନ୍ତି। ଜଣେ ସାଧାରଣ ଖାଉଟି ପକ୍ଷରେ ଏ ସମସ୍ତ ସୂଚନା ନିରୀକ୍ଷଣ କରି ପାଠ କରିବା ଓ ହୃଦୟଙ୍ଗମ କରିବା ପାଇଁ ଆବଶ୍ୟକ ହୋଇଥାଏ: ସାକ୍ଷରତା, ସମୟ, ସଂଖ୍ୟା ଅନୁଶୀଳନ ଦକ୍ଷତା, ଓ ତୁଳନା କରିବାର କ୍ଷମତା। ତରବର ହୋଇ ପିଲାଙ୍କ ପାଇଁ ପ୍ରାତଃଭୋଜନ ଦାନା (ବ୍ରେକ୍‌ଫାଷ୍ଟ ସେରିଏଲ୍) କିଣୁଥିବା ଜଣେ ମାତା କିମ୍ବା ପିତା, ତୁରନ୍ତ ଉପଭୋଗ କରିବା ପାଇଁ ଏକ ଚଟ୍‌ପଟି ପ୍ୟାକେଟ୍ କିଣୁଥିବା କିଶୋର କିଶୋରୀମାନେ କିମ୍ବା ତରବର ହୋଇ ଖାଇଦେଇ କାମକୁ ଲେଉଟିବା ପାଇଁ ଏକ ପୂର୍ବପ୍ରସ୍ତୁତ ଖାଦ୍ୟ ପ୍ୟାକେଟ୍ କିଣୁଥିବା କୌଣସି କର୍ମଜୀବୀଙ୍କ ପାଖରେ ସଂପୃକ୍ତ ପ୍ୟାକେଟ୍‌ରେ ଛାପା ହୋଇଥିବା ଉପାଦାନ ତାଲିକାକୁ ଅନୁଶୀଳନ କରିବା ପାଇଁ ସମୟ, ସୁବିଧା ତଥା କ୍ଷମତା ନ ଥାଏ। ଯଦି ପ୍ୟାକେଟ୍‌‌ର ସମ୍ମୁଖ ଭାଗରେ ସେଥିରେ ଥିବା ଖାଦ୍ୟର ସମ୍ଭାବ୍ୟ ବିପଦ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ସତର୍କ ସୂଚନା ବଡ଼ବଡ଼ ହରପରେ ଛାପାଯାଏ, ତେବେ ତାହା ଖାଉଟିଙ୍କର ଦୃଷ୍ଟି ଆକର୍ଷଣ କରିବାରେ କେବେହେଲେ ବିଫଳ ହେବ ନାହିଁ।
ଖାଉଟି ଦୃଷ୍ଟିକୋଣରୁ ଉପାଦାନ ତାଲିକା ଓ ସତର୍କ ସୂଚନା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଫରକ ରହିଥାଏ: ଉପାଦାନ ତାଲିକା ପାଠକରି ଖାଉଟିକୁ ତାହାକୁ ତର୍ଜମା କରି ତାହାର ଭଲମନ୍ଦ ପ୍ରଭାବ ଆବିଷ୍କାର କରିବାକୁ ପଡ଼ିଥାଏ, ଯାହା ହେଉଛି ଏକ ମାନସିକ କସରତ; ସମ୍ମୁଖ ଭାଗରେ ଛାପା ହୋଇଥିବା ସତର୍କ ସୂଚନା ଖାଉଟିର ସେଇ ମାନସିକ କସରତକୁ ଲାଘବ କରିଦେଇଥାଏ। ଏଇ ଫରକ ଯୋଗୁଁ ଉପାଦାନ ତାଲିକା ‌ଅପେକ୍ଷା, ତାହାର ତାତ୍ପର୍ଯ୍ୟ ବହନ କରୁଥିବା ଏକ ସଂକ୍ଷିପ୍ତ ଓ ସରଳ ସତର୍କ ସୂଚନା ଖାଉଟିକୁ ସଚେତନ କରିବାରେ ବହୁଗୁଣ ଅଧିକ ଫଳପ୍ରଦ ହୋଇଥାଏ। ରାଷ୍ଟ୍ରର ଦାୟିତ୍ବ କେବଳ ନାଗରିକ ପାଇଁ ଉପାଦାନ ସଂପର୍କିତ ସୂଚନା ଉପଲବ୍‌ଧ କରିବାରେ ସୀମିତ ନୁହେଁ, ତାହାର ମର୍ମ ‌ସମ୍ବନ୍ଧରେ ନାଗରିକକୁ ସଚେତନ କରିବା ମଧ୍ୟ‌ ହେଉଛି ରାଷ୍ଟ୍ରର ଅନିବାର୍ଯ୍ୟ ଦାୟିତ୍ବ।
ମନୁଷ୍ୟକୁ ଏକ ଅର୍ଥନୈତିକ ପ୍ରାଣୀ ରୂପେ ବର୍ଣ୍ଣନା କରାଯାଉଥିଲେ ହେଁ ସେମାନେ ସର୍ବଦା ଏକ ନିର୍ଭୁଲ୍‌ ଅର୍ଥନୈତିକ ହିସାବ ଯନ୍ତ୍ର ରୂପେ କାର୍ଯ୍ୟ କରି ନଥାନ୍ତି। ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଲାଭ କରିଥିବା ମନସ୍ତତ୍ତ୍ବବିତ୍ ସ୍ବର୍ଗୀୟ ଡାନିଏଲ୍ କାନେମ୍ୟାନ୍ ମନୁଷ୍ୟ କିପରି ସାଧାରଣତଃ ନିଷ୍ପତ୍ତି ଗ୍ରହଣ ପାଇଁ ଏକ ସର୍ଟକଟ୍ ରାସ୍ତା ପସନ୍ଦ କରିଥାଏ, ତାହା ପ୍ରମାଣିତ କରି ଏଇ ଇଲାକାରେ ଏକ କ୍ଷୁଦ୍ର ବିପ୍ଳବ ସୃଷ୍ଟି କରିଥିଲେ। ଉପାଦାନ ତାଲିକା ବହନ କରୁଥିବା ସାରଣୀ ଏକ ଲମ୍ବା ରାସ୍ତା ହୋଇଥିବା ବେଳେ ସମ୍ମୁଖ ଛାପା ହେଉଛି ଏକ ସର୍ଟକଟ୍। ଅହରହ ସୀମିତ ସମୟ, ଧ୍ୟାନ ଓ ସୂଚନାର ଚାପରେ କାର୍ଯ୍ୟ କରୁଥିବା ମନୁ‌ଷ୍ୟ ସ୍ବାଭାବିକ ଭାବରେ ସର୍ଟକଟ୍ ରାସ୍ତା ଆପ‌ଣାଇଥାଏ। ତେଣୁ ‘ଏଫ୍ଏସ୍ଏସ୍ଏଆଇ’ ପରି ଖାଦ୍ୟ ମାନ ନିୟନ୍ତ୍ରକ ନିଜର ଦାୟିତ୍ବକୁ ଯଦି ଆନ୍ତରିକତା ସହିତ ନିର୍ବାହ କରିବାକୁ ଚାହେଁ, ତେବେ ଖାଉଟିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସତର୍କ ସୂଚନା ଛାପିବା ନିମିତ୍ତ ତା’ ପାଇଁ ଯେଉଁ ସର୍ବାଧିକ ପ୍ରଭାବଶାଳୀ ବିଲ୍‌ବୋର୍ଡ ଉପଲବ୍‌ଧ, ତାହା ହେଉଛି ଖାଦ୍ୟପଦାର୍ଥ ପ୍ୟାକେଟ୍‌ର ସମ୍ମୁଖ ଭାଗ।
ରାଷ୍ଟ୍ର ଯଦି ଜାଣିଛି ଯେ ଅତ୍ୟଧିକ ଚିନି, ଲୁଣ ବା ସାଚ୍ୟୁରେଟେଡ୍ ଚର୍ବି ହେଉଛି ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ, ତେବେ ନାଗରିକମାନଙ୍କୁ ମଧ୍ୟ ସେଇ ଜ୍ଞାନରେ ଅଂଶୀଦାର କରିବା ହେଉଛି ତାହାର ମୌଳିକ ଦାୟିତ୍ବ। ଆଉ ଏଇ ଗୁରୁଦାୟିତ୍ବ ସଫଳ ଭାବରେ ନିର୍ବାହ କରିବାରେ ଯେଉଁ ଏକ ମାଧ୍ୟମ ବିଶେଷ ଭାବରେ ସହାୟକ ହେବ, ତାହା ହେଉଛି ଖାଦ୍ୟ ପ୍ୟାକେଟ୍‌ର ସମ୍ମୁଖ ଛାପା। ଯେହେତୁ ଏଭଳି ଖାଦ୍ୟ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତର ଦୀର୍ଘକାଳୀନ କ୍ଷତି ପହୁଞ୍ଚାଇଥାଏ, ସରକାର ଆଉ କାଳବିଳମ୍ବ ନ କରି ଏଥିପାଇଁ ନିଷ୍ପତ୍ତି ନେଇ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷିତ ରଖିବା ସହିତ ନିଜକୁ ମଧ୍ୟ ଅଦାଲତୀ ରୋଷରୁ ରକ୍ଷା କରିବେ ବୋଲି ଆଶା କରାଯାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.