Editorial: ସେବା ଓ ସେବକ ସଂସ୍କାର ପ୍ରସଙ୍ଗ: ଜାନକୀଶ ବଡ଼ପଣ୍ଡାଙ୍କ ସମ୍ପାଦକୀୟ ଆଶା ଓ ଆକାଶରେ ପଢ଼ନ୍ତୁ ଏଥର...

1 hour ago 1
ARTICLE AD BOX

ସେବା ଓ ସେବକ ସଂସ୍କାର ପ୍ରସଙ୍ଗ

ଜାନକୀଶ ବଡ଼ପଣ୍ଡା
ଆଶା ଓ ଆକାଶ

ଶ୍ରୀଜଗନ୍ନାଥ ମନ୍ଦିରରେ କାର୍ଯ୍ୟରତ ସେବକମାନେ ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା, ନୀତି ଓ ସେବାର ଧାରକ। ସେମାନଙ୍କ ସେବା, ଆଚରଣ ଓ ଶୃଙ୍ଖଳାର ଉନ୍ନତି ପାଇଁ ସ୍ୱାଧୀନତା ପରଠାରୁ ବିଭିନ୍ନ ସମୟରେ ସରକାର, ମନ୍ଦିର ପ୍ରଶାସନ ଓ ବିଭିନ୍ନ କମିଟି ପଦକ୍ଷେପ ଗ୍ରହଣ କରିଛନ୍ତି। ୧୯୫୨ ମସିହାରେ ଓଡ଼ିଶା ସରକାର ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାରର ଆବଶ୍ୟକତା ଅନୁଭବ କରି ସତ୍ବଲିପି ଏବଂ ୧୯୫୫ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ସେବାୟତଙ୍କ ଅଧିକାର, କର୍ତ୍ତବ୍ୟ ଓ ପ୍ରଶାସନିକ ନିୟନ୍ତ୍ରଣର ଆଇନଗତ ଭିତ୍ତି ସୃଷ୍ଟି କଲା। ପରବର୍ତ୍ତୀ ତିନି ଦଶକ ମଧ୍ୟରେ ସେବକମାନଙ୍କୁ ପରିଚୟପତ୍ର, ସେବାର ତାଲିକା, ନୀତି ପାଳନ, ଶୃଙ୍ଖଳା ଓ ସେବାର ନଥିକରଣ ଉପରେ ବିଭିନ୍ନ ପଦକ୍ଷେପ ନିଯୋଗମାନଙ୍କ ସହ ଆଲୋଚନା ମାଧ୍ୟମରେ ଗ୍ରହଣ କରାଯାଇଥିଲା। ୧୯୯୬ରେ ମନ୍ଦିର ପରିଚାଳନାରେ ସୁଧାର, ନୀତିର ସମୟାନୁବର୍ତ୍ତିତା, ସେବାୟତଙ୍କ ଉତ୍ତରଦାୟିତ୍ବ ଓ ପ୍ରଶିକ୍ଷଣ ଉପରେ ରଘୁନାଥ ସାହୁ କମିଟି ସୁପାରିସ କରିଥିଲେ। ୨୦୦୫ରେ ନ୍ୟାୟମୂର୍ତ୍ତି ବି. ପି. ଦାସ ସଂସ୍କାର କମିଶନ ସେବକଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ, ଆଚରଣବିଧି, ସେବାର ମୂଲ୍ୟାଙ୍କନ, ଭକ୍ତଙ୍କ ସହ ସଦ୍‌ବ୍ୟବହାର, ସାମାଜିକ ସୁରକ୍ଷା ଓ ଆଧୁନିକ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଥିଲେ। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ, କିଛି ବିଶୃଙ୍ଖଳିତ ସେବକଙ୍କ କାରଣରୁ ଶ୍ରୀଜଗନ୍ନାଥଙ୍କ ସେବା, ପୂଜା, ନୀତି ପାଳନର ମାନ ହ୍ରାସ ପାଇଆସୁଛି, ଯେଉଁଥିପାଇଁ ସଂସ୍କାର ଆବଶ୍ୟକ। 

୧୫୬୮ ମସିହାରେ କଳାପାହାଡ଼ ଶ୍ରୀମନ୍ଦିର ଆକ୍ରମଣ କଲାବେଳେ ଶ୍ରୀବିଗ୍ରହମାନଙ୍କୁ ସେବାୟତମାନେ ସୁରକ୍ଷିତ ସ୍ଥାନକୁ ନେଇଯାଇଥିବାରୁ ନୀତି ପାଳନ କିଛି ଦିନ ପାଇଁ ବ୍ୟାହତ ହୋଇଥିଲା। ପରେ ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କ ସମୟରେ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମପଦାର୍ଥ ଉଦ୍ଧାର କରାଯାଇ ୧୫୭୫ ମସିହାରେ ନୂତନ ଦାରୁବିଗ୍ରହ ନିର୍ମାଣ ତଥା ପୁନଃପ୍ରତିଷ୍ଠା କରାଗଲା ପରେ ନିୟମିତ ନୀତି ଓ ପୂଜା ଆରମ୍ଭ ହୋଇଥିଲା। ୧୫୬୮ରୁ ୧୭୪୮ ଯାଏଁ ପ୍ରାୟ ୧୮୦ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ବିଦେଶୀ ଆକ୍ରମଣ ଯୋଗୁଁ ଶ୍ରୀବିଗ୍ରହଙ୍କୁ ଅନେକ ଥର ମନ୍ଦିରରୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲେ ମଧ୍ୟ ସେବକମାନେ ଶ୍ରୀବିଗ୍ରହଙ୍କ ସେବାପୂଜା ସୁରକ୍ଷିତ ସ୍ଥାନରେ ଅବ୍ୟାହତ ରଖିଥିଲେ; ଯଦିଓ କିଛି ସମୟ ପାଇଁ ନୀତି ବ୍ୟାହତ ହୋଇଥିଲା। ସେବକମାନେ ଯେ ବଂଶାନୁକ୍ରମିକ ଭାବେ ବହୁ ପିଢ଼ି ଧରି ସମର୍ପିତ, ନିଷ୍ଠାପର ସେବା କରି ଚାଲିଛନ୍ତି, ତାହାର ଉଲ୍ଲେଖ ଇତିହାସରେ ରହିଛି। ଏଠାରେ ଏହା ମଧ୍ୟ ସ୍ପଷ୍ଟ କରିଦେବା ଆବଶ୍ୟକ ଯେ, ସେମାନଙ୍କୁ ଶୃଙ୍ଖଳିତ କରିବାର ଉପକ୍ରମ ହେଲେ, ସେମାନେ ସେବାପୂଜାରେ ଅସହଯୋଗ କରିପାରନ୍ତି, ଯାହା ସମସ୍ତଙ୍କୁ ଧୈର୍ଯ୍ୟର ସହିତ ସହିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ- Government Collection: ପୁଞ୍ଜି ପ୍ରତ୍ୟାହାରରୁ ୪୫,୩୦୬ କୋଟି ସଂଗ୍ରହ

ଶ୍ରୀମନ୍ଦିରରେ ଯେହେତୁ ସେବା, ପୂଜା ପ୍ରଦାନ କୌଳିକ ବୃତ୍ତି, ତେଣୁ ପ୍ରତ୍ୟେକ ପିଢ଼ିରେ ଉତ୍ତରାଧିକାରୀ ବଢ଼ିବା ସ୍ୱାଭାବିକ। ସେଥିପାଇଁ ବଂଶାନୁକ୍ରମିକ ସେବା ଯୋଗାଉଥିବା ସେବକଙ୍କ ସଂଖ୍ୟା ଅସୀମିତ ହୋଇଯାଇଛି। ଏହା କେବଳ ପ୍ରଶାସନିକ ନୁହେଁ, ବରଂ ପରମ୍ପରା, ସେବା ଅଧିକାର ଓ ଜୀବିକା ସହ ଜଡ଼ିତ ହୋଇଥିବାରୁ, ଆଲୋଚିତ ହୁଏ ନାହିଁ। ଅନେକ ସମୟରେ ସେବକ-ପ୍ରପୀଡ଼ିତ ଶ୍ରଦ୍ଧାଳୁ ଅତିଷ୍ଠ ହେଲେହେଁ ନିରବ ରହୁଥିବାରୁ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ କରନ୍ତି ନାହିଁ। ଏ ସମ୍ପର୍କରେ କିଛି ବିଶିଷ୍ଟ ସେବକଙ୍କ ମତ ଲୋଡ଼ିଥିଲୁ। ସେମାନଙ୍କ ସ୍ପଷ୍ଟ ମତ ଯେ, ଅନେକ ସେବକ ଶିଳମନସ୍କ ହୋଇ ନଥିବାରୁ ଅଯଥାରେ ଅସଭ୍ୟ ଭାଷାରେ ବୋଲିବାଣି କରନ୍ତି। ଯଦି ସରକାର କଠୋର ଆଇନ କାର୍ଯ୍ୟକାରୀ କରିବାକୁ ସାହସ କରନ୍ତେ, ସାମୟିକ ପ୍ରତିକ୍ରିୟା ଦେଖାଦେଲେ ମଧ୍ୟ କିଛି ମାସ ମଧ୍ୟରେ ଅମାନିଆ ସେବକଙ୍କୁ ଶୃଙ୍ଖଳିତ କରିହେବ ଏବଂ ଅଧିକୃତ ସେବକ ସଂଖ୍ୟାକୁ ସୀମିତ କରାଯାଇ ପାରିବ। 

ନୀତି, ସେବା ଓ ପୂଜା ସୁଚାରୁ ଭାବେ ପରିଚାଳନା ପାଇଁ ପାରମ୍ପରିକ ୧୧୯ ପ୍ରକାର ସେବା ମଧ୍ୟରୁ ସଂଖ୍ୟା କ୍ରମଶଃ କମି ଏବେ ୧୦୦ରେ ପହଞ୍ଚିଲାଣି। ଏହି ସେବାଗୁଡ଼ିକୁ ସାଧାରଣତଃ ‘ଛତିଶା ନିଯୋଗ’ ବ୍ୟବସ୍ଥା ଅଧୀନରେ ସଂଗଠିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବିଭିନ୍ନ ନିଯୋଗର ନେତୃମଣ୍ଡଳୀଙ୍କ ସହ ବାରମ୍ବାର ଆଲୋଚନା କରି, ସେମାନଙ୍କ ସହମତିରେ ପ୍ରତ୍ୟେକ ନିଯୋଗରେ ଥିବା ସେବକ ତାଲିକାକୁ ପ୍ରତ୍ୟେକ ବର୍ଷ ନବୀକରଣ କରି ପାରିବେ। ଏଥିରୁ, ପ୍ରତ୍ୟେକ ନିଯୋଗର ପ୍ରକୃତ ଓ ସକ୍ରିୟ ସେବକଙ୍କ ବଂଶଲିପି ଏବଂ ଡିଜିଟାଲ ତାଲିକା ପ୍ରସ୍ତୁତ ହୋଇପାରିବ। ଶହେ ବର୍ଷ ତଳେ ଶ୍ରୀମନ୍ଦିରରେ କାର୍ଯ୍ୟରତ ଥିବା ସେବକଙ୍କ ସଂଖ୍ୟା ଏବଂ ଏବେ ପ୍ରକୃତ ଆବଶ୍ୟକ ହେଉଥିବା ସେବକଙ୍କ ସଂଖ୍ୟା ମଧ୍ୟରେ ଯାହା ସର୍ବନିମ୍ନ, କେବଳ ସେତିକି ସଂଖ୍ୟକ ସେବକଙ୍କୁ ଅଧିକୃତ ସେବକ ଭାବେ ଗ୍ରହଣ କରାଯିବା ଉଚିତ। ଅନ୍ୟମାନଙ୍କୁ ‘ଅପେକ୍ଷାମାଣ ତାଲିକା’ରେ ରଖାଯାଇପାରେ। ଯେଉଁ ସେବାରେ ଅଧିକ ସେବକ ଉପଲବ୍ଧ ଅଛନ୍ତି, ସେଠାରେ ପାଳି ଅନୁଯାୟୀ ସେବା କରିବାର ବ୍ୟବସ୍ଥା ବନ୍ଦ ହେବା ଆବଶ୍ୟକ। ପ୍ରକାର ଭେଦରେ ଅଧିକୃତ ସେବକମାନଙ୍କୁ ବଂଶାନୁକ୍ରମିକ ସେବା ଓ ନୀତି ଅଧିକାର ସହିତ ତାହାର ନିୟମ, ଆଚାର, ବିଚାର, ଉଚ୍ଚାରଣ, ଆଚରଣ ଓ ଦକ୍ଷତା ଉପରେ ପ୍ରଶିକ୍ଷଣ ଓ ପରୀକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ- OSWC Dividend ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଦେଲା ୩ କୋଟି ଟଙ୍କା ଲାଭାଂଶ

ସମସ୍ତ ନିଯୋଗ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପରିଚାଳନା କମିଟି, ରାଜ୍ୟ ସରକାର ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ସଭାପତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହମତିରେ ସମ୍ପର୍କିତ ଆଇନରେ ସଂଶୋଧନ କରାଯାଇ ‘ଅପେକ୍ଷାମାଣ ତାଲିକା’ରେ ସ୍ଥାନିତ ସେବକଙ୍କ ପାଇଁ ଆଜୀବନ ଅବସରଭତ୍ତା ବ୍ୟବସ୍ଥା ହେବା ଦରକାର। ବିକଳ୍ପ ଜୀବିକା ପାଇଁ ସେମାନଙ୍କୁ କୌଶଳ ବିକାଶ, ଶିକ୍ଷା ଓ ସୁଯୋଗ ଦେବା ଦରକାର। ଫଳରେ, ସେମାନେ ରୋଜଗାରକ୍ଷମ ହୋଇ ପାରିବେ। ସେମାନଙ୍କ ପରିବାରର କେହିବି ସମର୍ଥ ସଦସ୍ୟ ପରବର୍ତ୍ତୀ କାଳରେ ସେବା ଅଧିକାର ପାଇବାର ବ୍ୟବସ୍ଥା ରହିବା ଆବଶ୍ୟକ। ସେବକଙ୍କ ବଂଶାନୁକ୍ରମିକ ଅଧିକାରକୁ ସମ୍ମାନ ଦେଇ ସକ୍ରିୟ ସେବା କରୁଥିବା ଅଧିକୃତ ସେବକଙ୍କ ସଂଖ୍ୟାକୁ ସୀମିତ ରଖିବା ଏକ ଆଦର୍ଶ ପ୍ରଶାସନିକ ପଦକ୍ଷେପ। ଏଥିରେ ସେବା ମାନ ବଢ଼ିବ, ପରମ୍ପରା ଅକ୍ଷୁଣ୍ଣ ରହିବ।

ଯଦିଓ ଶ୍ରୀଜଗନ୍ନାଥଙ୍କ ସେବା ଏକ କୌଳିକ ଓ ଧାର୍ମିକ ପରମ୍ପରା ଏବଂ ସେବକମାନେ ଶୈଶବରୁ ପରିବାରର ମୁରବିଙ୍କଠାରୁ ପ୍ରଶିକ୍ଷଣ ନେଇ ଥାଆନ୍ତି, ତଥାପି ସେମାନଙ୍କର ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ। ଫଳରେ ଓଡ଼ିଆ, ସଂସ୍କୃତ ଭାଷା ତଥା ‘ନିଳାଦ୍ରୀ ମହୋଦୟ’ ଉପରେ ଜ୍ଞାନାର୍ଜନ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି, ଶ୍ରୀମନ୍ଦିରର ନୀତିକାନ୍ତି ଓ ସେବା ପ୍ରଣାଳୀରେ ପ୍ରଶିକ୍ଷଣ ସହଜ ହେବ। ସେମାନଙ୍କର ଶାରୀରିକ ଓ ମାନସିକ ଭାବେ ସେବା କରିବାର କ୍ଷମତା ରହିବା ଆବଶ୍ୟକ। ବାସ୍ତବବାଦୀ ସେବକ ସଂଖ୍ୟା ନିର୍ଦ୍ଧାରଣ, ପଦ ଖାଲି ହେବା ମାତ୍ରେ ନୂତନ ସେବକଙ୍କୁ ସକ୍ରିୟ ସେବାରେ ନିଯୁକ୍ତି ଏବଂ ପ୍ରଶିକ୍ଷଣ ଓ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ବାଧ୍ୟତାମୂଳକ କରିବା ଜରୁରି। ପ୍ରଶିକ୍ଷଣ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ। ଏହି ପଦ୍ଧତିରେ ପରମ୍ପରା ସୁରକ୍ଷିତ ରହିବ ଏବଂ ସେବାୟତଙ୍କ ସଂଖ୍ୟା ମଧ୍ୟ ସୁବ୍ୟବସ୍ଥିତ ଭାବରେ ନିୟନ୍ତ୍ରିତ ହୋଇପାରିବ।

ଆହୁରି ପଢ଼ନ୍ତୁ- Supreme Court: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

କିଛି ସେବକ ବ୍ୟବସାୟ, ସରକାରୀ, ବେସରକାରୀ ଚାକିରି କରୁଥିଲେ ମଧ୍ୟ କୌଳିକ ବୃତ୍ତି ବଜାୟ ରଖିବା ପାଇଁ ପାଳି ଅନୁସାରେ ପାରମ୍ପରିକ ସେବା ପ୍ରଦାନ କରୁଛନ୍ତି। ଅନ୍ୟମାନେ, ଜୀବିକା ନିର୍ବାହ ପାଇଁ ଆଜୀବନ ସେବକ ଭାବେ କାର୍ଯ୍ୟ କରୁଛନ୍ତି। ଚାକିରି ବା ଅନ୍ୟ ସୂତ୍ରରୁ ରୋଜଗାର କରୁଥିବା ସେବକମାନଙ୍କୁ ପାଳି ସେବାରୁ ନିବୃତ କରାଗଲେ ସେବକ ସଂଖ୍ୟା ନିୟନ୍ତ୍ରିତ ହେବ। ସେବକ ଅଧିକାରରୁ ବଞ୍ଚିତ ସଦସ୍ୟମାନେ ଅଣସେବକ ବୋଲାଇବେ। ସେବକ ବଂଶରେ ଜନ୍ମିତ ଉଭୟ ଅଧିକୃତ ଓ ଅନଧିକୃତ ସଦସ୍ୟଙ୍କ ସନ୍ତାନମାନେ ଯେଭଳି ଉଚ୍ଚଶିକ୍ଷା ପାଇ ପାରିବେ, ପରିବାରବର୍ଗ ମାଗଣା ସ୍ୱାସ୍ଥ୍ୟ ବୀମା ଏବଂ ଗୃହ ନିର୍ମାଣ ସହାୟତା ପାଇବେ ତାହାର ବ୍ୟବସ୍ଥା କରାଯିବା ଆବଶ୍ୟକ। ଖୁସିର କଥା ଯେ, ଚଳିତ ରଥଯାତ୍ରା ଦିନ ଡିଜିଟାଲ୍ ଦାନ ଓ ଇ-ଡୋନେସନ୍ ମାଧ୍ୟମରେ ଦାନ ଗ୍ରହଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଦେଉଥିବା ଯେକୌଣସି ଦାନର ଡିଜିଟାଲ୍ ରସିଦ ପ୍ରଶାସନ ପକ୍ଷରୁ ଦିଆଯାଇ ତାହାର ଏକ ନିର୍ଦ୍ଦିଷ୍ଟ ଅଂଶ ଅଧିକୃତ ସେବକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଦିଆଗଲେ, ସେମାନେ ଅଧିକ ଦାୟିତ୍ବବାନ୍ ହୋଇ ସମସ୍ତ ନୀତି ଶୃଙ୍ଖଳିତ ଭାବେ ନିର୍ବାହ କରିବେ। ସେବକମାନଙ୍କୁ ପ୍ରଦାନ କରାଯାଉଥିବା ପାଳିଆ ପୁରସ୍କାର, ଖେଇ ତଥା ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶି ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଗଲେ, ପ୍ରଶାସନ ମଧ୍ୟ ତୁଷ୍ଟୀକରଣ ମାଧ୍ୟମରେ ବିଲେଇକୁ ହାତ କାମୁଡ଼ା ଶିଖାଇବେ ନାହିଁ।

ଶ୍ରୀମନ୍ଦିରର ସେବାରେ ‘ଗଜପତି’ ମଧ୍ୟ ବଂଶାନୁକ୍ରମେ ଆଦ୍ୟସେବକ। ତାଙ୍କର ଭାଇ ଓ ବଂଶଜମାନେ ଗଜପତିଙ୍କ ସହିତ ପାଳିକରି ମହାପ୍ରଭୁଙ୍କର ସେବା କରନ୍ତି ନାହିଁ। ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ସେବକ ପ୍ରତିନିଧିତ୍ବ କରନ୍ତି। ତାଙ୍କର ସଂଖ୍ୟା ମଧ୍ୟ ଏକ, ଯାହା ବଂଶାନୁକ୍ରମିକ ନୁହେଁ। ମୁଖ୍ୟ ପାଟଯୋଷୀ ମହାପାତ୍ର (ଛତିଶା ନିଯୋଗ ନାୟକ) ପଦରେ କେବଳ ଜଣେ ହିଁ ମୁଖ୍ୟ ସେବକ ରହନ୍ତି। ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ଏହି ବଂଶାନୁକ୍ରମିକ ସେବାର ମୁଖ୍ୟ ଦାୟିତ୍ୱ ପରିବାରର ଜଣେ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ଥାଏ। ଏହି ସମସ୍ତ ଉଦାହରଣରୁ ଏହା ସ୍ପଷ୍ଟ ଯେ, ଆବଶ୍ୟକତା ଅନୁସାରେ ମଧ୍ୟ ସେବକଙ୍କ ସଂଖ୍ୟା ନିୟନ୍ତ୍ରିତ କରାଯାଇ ପାରିବ। ଫଳରେ, ସମସ୍ତ ନୀତି ସୁଚାରୁ ରୂପେ ସମ୍ପନ୍ନ ହେବ। କେବଳ ଅଧିକୃତ ସେବକ ମନ୍ଦିର ପରିସରରେ ଓ ରଥ ଉପରେ ଦୃଶ୍ୟମାନ ହେବେ ଏବଂ ଠାକୁରଙ୍କୁ ଆଢୁଆଳରେ ରଖି ନିଜକୁ ବିଜ୍ଞପିତ କରିପାରିବେ ନାହିଁ। ଅଧିକ ଶ୍ରଦ୍ଧାଳୁ କମ୍‌ ସମୟରେ ବାଧାହୀନ ଦେବଦର୍ଶନ କରି ତୃପ୍ତ ହେବେ। ଆଶା, ନିଯୋଗର ସଦସ୍ୟ ତଥା ପ୍ରଶାସନିକ କଳ ଏଥିପ୍ରତି ଧ୍ୟାନ ଦେବେ ଏବଂ ସାହସ ପ୍ରଦର୍ଶନ କରି ଆବଶ୍ୟକ ପରାମର୍ଶ କାର୍ଯ୍ୟକାରୀ କରିବେ।
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୮୨୯୯୦୩୭

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.