Editorial: ସିନ୍ଧୁ ମାନେନା ସୀମା: ସୁଦର୍ଶନ ଦାସଙ୍କ ସମ୍ପାଦକୀୟ କଲମରୁ ପଢ଼ନ୍ତୁ ଏଥର...

1 hour ago 2
ARTICLE AD BOX

ସିନ୍ଧୁ ମାନେନା ସୀମା

ସୁଦର୍ଶନ ଦାସ

ନିକଟରେ ଲଦାଖ ବୁଲି ଯିବାର ସୁଯୋଗ ମିଳିଥିଲା। ହିମାଳୟର ଅପୂର୍ବ ଶୋଭା ଯେମିତି ବିସ୍ମିତ କରିଥିଲା, ତା’ଠୁ ଅଧିକ ଆକର୍ଷିତ କରିଥିଲା ସିନ୍ଧୁ ଓ ଏହାର ଅନେକ ଶାଖା ନଦୀ। ହିମାଳୟର ଉଚ୍ଚ ପର୍ବତମାଳା ଭିତରେ ଯାତ୍ରା କରୁଥିବାବେଳେ ବାରମ୍ବାର ସିନ୍ଧୁ ନଦୀର ସାନ୍ନିଧ୍ୟ ମିଳିଥିଲା। କେତେବେଳେ ସେ ପଥୁରିଆ ପାହାଡ଼ କୋଳରେ ସାପ ପରି ଅଙ୍କାବଙ୍କା ହୋଇ ବହୁଥିଲା, ପୁଣି କେତେବେଳେ ବିସ୍ତୃତ ଉପତ୍ୟକାରେ ନିଜର ବ୍ୟାପ୍ତିର ପରିଚୟ ଦେଉଥିଲା। କେତେବେଳେ ଗର୍ଜନ କରି ପ୍ରବାହିତ ହେଉଥିଲା ପାହାଡ଼ ସନ୍ଧିରେ ତ ପୁଣି କେତେବେଳେ କଳକଳ ନାଦ କରି ନିଜର ଅସ୍ତିତ୍ୱକୁ ଜାହିର କରୁଥିଲା ନିର୍ଜନତା ଭିତରେ। ଆଉ ପୁଣି କେତେବେଳେ ନିରବରେ ବୋହି ଯାଉଥିଲା ବିସ୍ତୀର୍ଣ୍ଣ ନଦୀ ଶଯ୍ୟାରେ ନିଜକୁ ଅଜାଡ଼ିଦେଇ। ଏହାର ନିରନ୍ତର ପ୍ରବାହମାନ ଜଳ ରାଶି ଭିତରେ ଏକ ନଦୀର ସତ୍ତା କେବଳ ଦୃଶ୍ୟମାନ ହୁଏ ନାହିଁ, ତାହା ଭିତରେ ଉଭା ହୁଏ ପାଞ୍ଚ ହଜାର ବର୍ଷର ସଭ୍ୟତା, ସଂସ୍କୃତି, ବାଣିଜ୍ୟ, ସଂଘର୍ଷ ଓ ମାନବ ସଂସ୍କୃତିକୁ ବହନ କରି ଆସୁଥିବା ଏକ ଜୀବନ୍ତ ଐତିହ୍ୟ।    

ଏହି ନଦୀ ଏକଦା ଥିଲା ପୃଥିବୀର ଏକ ପ୍ରାଚୀନତମ ମହାନ ସଭ୍ୟତାର ଅନ୍ତୁଡ଼ିଶାଳ। ନୀଳ ନଦୀ କୂଳରେ ମିଶର ସଭ୍ୟତା, ଟାଇଗ୍ରିସ୍ ଓ ୟୁଫ୍ରେଟିସ୍ ଅବବାହିକାରେ ମେସୋପଟାମିଆଁ, ହାୟାଙ୍ଗ-ହୋ ନଦୀ କୂଳରେ ଚୀନ୍ ସଭ୍ୟତା ଯେମିତ ଗଢ଼ିଉଠିଥିଲା, ଠିକ୍ ସେମିତି ଖ୍ରୀଷ୍ଟପୂର୍ବ ୩୩୦୦ ଶତାବ୍ଦୀରେ ଏହି ସିନ୍ଧୁ ନଦୀ ଅବବାହିକାରେ ମୁଣ୍ଡ ଟେକିଥିଲା ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତା, ଯାହା ଇତିହାସରେ ଏକ ବିସ୍ମୟ। ଯେଉଁ ସମୟରେ ପୃଥିବୀର ଅନେକ ଅଞ୍ଚଳରେ ସୁସଂଗଠିତ ନଗର ବା ସହର ଜୀବନ ବିକାଶର ଧାରଣା ମଧ୍ୟ ଜନ୍ମ ନେଇ ନଥିଲା, ସେହି ସମୟରେ ସିନ୍ଧୁ ଅବବାହିକାର ଯୋଜନାବଦ୍ଧ ସହର, ଜଳ ନିଷ୍କାସନ ପ୍ରଣାଳୀ, ବାଣିଜ୍ୟ, କୃଷି ଓ ଶିଳ୍ପର ବିକାଶ ଘଟିଥିଲା। ଏହା ପ୍ରମାଣିତ କରେ ସେ ମହାନ ସଭ୍ୟତାର ଜନ୍ମ କେବଳ ମଣିଷର ପ୍ରତିଭା ଓ ବୁଦ୍ଧିରେ ନୁହେଁ, ମହାନ ନଦୀମାନଙ୍କର ଉଦାରତା ଓ ପରଶରେ ମଧ୍ୟ ଉଦ୍‌ଭାସିତ ହୁଏ। 

ଆହୁରି ପଢ଼ନ୍ତୁ- Jantar Mantar protest: ଯନ୍ତର-ମନ୍ତର ଆନ୍ଦୋଳନ ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି: ଆର୍‌ଏସ୍‌ଏସ୍‌

ସିନ୍ଧୁ ଏକ ମହାନ ସଭ୍ୟତାକୁ ଜନ୍ମ ଦେବା ସହିତ ସଭ୍ୟତାର ସଂଯୋଜକ ମଧ୍ୟ ଥିଲା। କାରାକୋରମ ଓ ହିମାଳୟର ଉପତ୍ୟକା ଦେଇ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ପ୍ରାଚୀନ ବାଣିଜ୍ୟ ପଥ ମଧ୍ୟ-ଏସିଆ, ତିବ୍ବତ ଓ ଭାରତୀୟ ଉପମହାଦେଶକୁ ସଂଯୋଗ କରୁଥିଲା, ସେହି ପଥର ପ୍ରଦର୍ଶକ ହେଉଛି ସିନ୍ଧୁ। ଆଜି ଯାହାକୁ ଆମେ ସିଲ୍‌କ ରୁଟ୍‌ ବୋଲି ଜାଣୁ, ତାହା ଏହି ସିନ୍ଧୁ ଓ ତା’ର ଉପନଦୀ କୂଳେ କୂଳେ ଲମ୍ବି ଯାଇଥିଲା। ସେହି ପଥରେ ଚୀନରୁ ଆସୁଥିଲା ରେଶମ, ମଧ୍ୟ-ଏସିଆରୁ ଆସୁଥିଲା ଘୋଡ଼ା ଓ ମୂଲ୍ୟବାନ୍‌ ପଥର, ତିବ୍ବତରୁ ଲୁଣ ଓ ପଶମ, ଲଦାଖରୁ ପଶ୍ମିନା ଏବଂ ଭାରତରୁ ଯାଉଥିଲା ମସଲା, ସୂତା ଓ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ। ଏହି ପଥରେ ମଧ୍ୟ ଯାତ୍ରା କରୁଥିଲେ ଧର୍ମ, ଦର୍ଶନ, ଭାଷା, କଳା, ସଙ୍ଗୀତ ଓ ଚିନ୍ତାଧରା। ବୌଦ୍ଧ ଭିକ୍ଷୁମାନେ ଏହି ପଥରେ ଯାଇଥିଲେ ଚୀନ। ବ୍ୟବସାୟୀମାନଙ୍କ ସହିତ ଯାତ୍ରା କରୁଥିଲା ସଂସ୍କୃତି, ଭାଷା ଓ ଧର୍ମ।

ସିନ୍ଧୁ ନଦୀର ଉତ୍ପତ୍ତି, ଏହାର ନାମର ବିଶେଷତ୍ୱ, ଯାତ୍ରା ପଥ ଇତ୍ୟାଦି ଭିତରେ ଭରି ରହିଛି ଅନେକ ରହସ୍ୟ। ଭୂତାତ୍ତ୍ବିକ ଅନୁସନ୍ଧାନରୁ ଜଣା ପଡ଼େ, ହିମାଳୟଠାରୁ ଆହୁରି ପ୍ରାଚୀନ ସିନ୍ଧୁ ନଦୀ। ହିମାଳୟର ବୟସ ୫୦-୫୫ ନିୟୁତ ବର୍ଷ ବୋଲି ଆକଳନ କରାଯାଏ। ମାତ୍ର ସିନ୍ଧୁର ବୟସ ୧୨୦-୧୩୦ ନିୟୁତ ବର୍ଷ। ତେଣୁ ସିନ୍ଧୁ ନଦୀ ହିମାଳୟର ସନ୍ତାନ ନୁହେଁ, ସେ ହିମାଳୟର ପ୍ରାଚୀନ ସହଯାତ୍ରୀ। ସିନ୍ଧୁ ହିମାଳୟର ଜନ୍ମ ଦେଖିଛି, ତା’ କୂଳରେ ମଣିଷ ସଭ୍ୟତାର ଉତ୍‌ଥାନ ଓ ପତନକୁ ବି ଦେଖିଛି। ଏହାର ଉତ୍ପତ୍ତିର ରହସ୍ୟ ଆଜି ବି ସମ୍ପୂର୍ଣ୍ଣ ଉନ୍ମୋଚିତ ହୋଇ ନାହିଁ। ଆଧୁନିକ ଭୂଗୋଳ ଆମକୁ କହେ ଯେ ସିନ୍ଧୁର ଉତ୍ସ ତିବ୍ବତର କୈଳାସ ପର୍ବତର ଉତ୍ତରରେ ଥିବା ‘ସଙ୍ଗେ ଖାବାବ’ ବା ‘ସିଂହ ମୁହଁ’ରୁ ସୃଷ୍ଟି। କିନ୍ତୁ ବିଜ୍ଞାନର ଏହି ବର୍ଣ୍ଣନା ସହ ଯୋଡ଼ିହୋଇ ରହିଛି ଅନେକ ପୌରାଣିକ, ଆଧ୍ୟାତ୍ମିକ, ଲୋକ ବିଶ୍ୱାସର କାହାଣୀ। ଋଗ୍ ବେଦରେ ଅନେକ ଶ୍ଳୋକ ଭିତରେ ସିନ୍ଧୁ ନଦୀ ଉଭା ହୁଏ ବାରମ୍ବାର। କୈଳାସ ପର୍ବତ ଶିଖରରେ ଥିବା ସିଂହ ମୁହଁରୁ ଜନ୍ମ ନେଇଥିବା ସେହି ଜଳଧାରା ପରେ ପରେ ଇତିହାସ, ସଭ୍ୟତା, ସଂସ୍କୃତି ଓ ମାନବ ସ୍ୱପ୍ନକୁ ବହନ କରି ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚେ। ସେଥିପାଇଁ ଏକଥା କହିଲେ ଅତ୍ୟୁକ୍ତି ହେବ ନାହିଁ, ଯେ ସିନ୍ଧୁର ଉତ୍ପତ୍ତି ସ୍ଥଳ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ ଏହା ଏକ ସଭ୍ୟତାର ଆଦି ପର୍ବ। 

ଆହୁରି ପଢ଼ନ୍ତୁ- Meghalaya violence: ମେଘାଳୟରେ ହିଂସା ଜାରି: ସରକାରୀ କାର୍ଯ୍ୟାଳୟ ଓ ଗାଡ଼ି ଉପରେ ଆକ୍ରମଣ

କୈଳାଶ କୋଳରୁ ଜନ୍ମ ନେଇ ପ୍ରାୟ ୩୧୮୦ କିଲୋମିଟର ଦୀର୍ଘ ଯାତ୍ରା ପରେ ଏହା ଆରବ ସାଗରରେ ନିଜକୁ ଅଜାଡ଼ି ଦିଏ। ତିବ୍ବତରୁ ଉତ୍ପତ୍ତି ଲାଭ କରି ଏହା ପ୍ରଥମେ ଭାରତର ଲଦାଖ ଦେଇ ପ୍ରବାହିତ ହୁଏ, ତା’ପରେ ପାକିସ୍ତାନର ଗିଲିଗିଟ-ବାଲଟିସ୍ଥାନ ଓ ପଞ୍ଜାବ-ସିନ୍ଧି ପ୍ରଦେଶ ଅତିକ୍ରମ କରି ସାଗରରେ ମିଶେ। ୧୧.୨୦ ଲକ୍ଷ ବର୍ଗ କିଲୋମିଟର ହେଉଛି ଏହାର ଅବବାହିକା ଯାହା ତିବ୍ବତ (ଚୀନ), ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନକୁ ପ୍ରସାରିତ ହୋଇଛି। ଏହାର ବିଶାଳ ଜଳ ପ୍ରଣାଳୀକୁ ସମୃଦ୍ଧ କରିଛି ଅନେକ ଛୋଟବଡ଼ ଉପନଦୀ। ଲଦାଖରେ ଜାନସ୍କର, ଶ୍ୟୋକ, ନୁବ୍ରା, ସୁରୁ ପରି ନଦୀ ସବୁ ଏଥିରେ ମିଶିଥାଏ। ପରେ ପଞ୍ଜାବର ୫ଟି ନଦୀ ଯଥା- ଝେଲମ୍, ରାବି, ଚେନାବ, ବ୍ୟାସ ଓ ସତଲେଜ୍ ପ୍ରଭୃତି ନଦୀ ମିଶି ଏହାକୁ ଦକ୍ଷିଣ ଏସିଆର ଅନ୍ୟତମ ମହାନଦୀରେ ପରିଣତ କରିଛନ୍ତି। ବିଭିନ୍ନ ଦେଶ ଓ ଅଞ୍ଚଳ ଦେଇ ଏହା ପ୍ରବାହିତ ହେଲାବେଳେ ବିଭିନ୍ନ ନାମରେ ଏହା ନାମିତ। କିନ୍ତୁ ଦୁଇଟି ନାମରେ ଏହା ପରିଚିତ, ଯଥା- ସିନ୍ଧୁ ବା ଇଣ୍ଡସ। ଆଉ ଏହି ଦୁଇ ନାମରୁ ପରିଚିତି ପାଇଛି ଆମ ଦେଶ, ହିନ୍ଦୁସ୍ତାନ ବା ଇଣ୍ଡିଆ ଭାବରେ। 

ହଜାର ହଜାର ବର୍ଷ ଧରି ସିନ୍ଧୁ ନଦୀ ମଣିଷକୁ ଯୋଡ଼ି ଆସିଛି। ତାହାରି କୂଳରେ ଜନ୍ମ ନେଇଛି ନଗର ସଭ୍ୟତା, ବିକଶିତ ହୋଇଛି କୃଷି, ବାଣିଜ୍ୟ, ଭାଷା, ସଂସ୍କୃତି ଓ ଚିନ୍ତା-ଚେତନା। ଏହି ନଦୀ କେବେ ପାସପୋର୍ଟ ମାଗି ନାହିଁ କେଉଁ ଦେଶକୁ, ଅବା କେବେ ଧର୍ମ କିମ୍ବା ଜାତି ପଚାରି ନାହିଁ କାହାରିକୁ। ଯିଏ ତା’ର କୂଳକୁ ଆସିଛି, ସିନ୍ଧୁ ତାକୁ କୋଳେଇ ନେଇଛି, ଜୀବନ ଦେଇଛି ଓ ସମାଜକୁ ସମୃଦ୍ଧ କରିଛି। 

କିନ୍ତୁ ଇତିହାସର ଏହି ମହାନଦୀ ଆଜି ଏକ ନୂଆ ସଙ୍କଟର ସମ୍ମୁଖୀନ। ଯେଉଁ ନଦୀ ଏକଦା ସଭ୍ୟତାର ଜନନୀ ଓ ବାହକ ଥିଲା, ତାହା ଆଜି କୂଟନୀତି ଓ ଯୁଦ୍ଧରେ ଅସ୍ତ୍ର ଭାବରେ ବିବେଚିତ ହେଉଛି। ୧୯୬୦ ମସିହାର ଐତିହାସିକ ସିନ୍ଧୁ ଜଳ ଚୁକ୍ତି, ଯାହା ଛଅ ଦଶନ୍ଧି ଧରି ଭାରତ ଓ ପାକିସ୍ଥାନ ମଧ୍ୟରେ ଆନ୍ତର୍ଜାତିକ ଜଳଚୁକ୍ତିର ଏକ ଅସାଧାରଣ ଉଦାହରଣ ଥିଲା, ୨୦୨୫ ମସିହାର ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପୃଷ୍ଟଭୂମିରେ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଭାରତ ସରକାର ଏହି ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛନ୍ତି। ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିବା ସହିତ ଆବଶ୍ୟକ ପଡ଼ିଲେ ‘ପରମାଣୁ ଯୁଦ୍ଧ’ର ବିଭୀଷିକା ଦେଖାଇବ ବୋଲି ଧମକ ଦେଇଛି। 

ଲଦାଖ ଭ୍ରମଣ ବେଳେ ବାରମ୍ବାର ସିନ୍ଧୁ ନଦୀକୁ ଅତିକ୍ରମ କରିବା ଓ ତା’ର ନିରନ୍ତର ପ୍ରବାହକୁ ଦେଖିଲାବେଳେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା- ମଣିଷ କ’ଣ ସତରେ ଗୋଟେ ନଦୀକୁ ବନ୍ଦୀ କରିପାରିବ? ମାନଚିତ୍ରରେ ଅଙ୍କା ଯାଇଥିବା ସୀମାରେଖାଟି ଜଳର ପ୍ରବାହକୁ ଅଟକାଇ ପାରିବ କି? ଯେଉଁ ନଦି ହିମାଳୟର ଜନ୍ମ ପୂର୍ବରୁ ନିଜର ଯାତ୍ରା ଆରମ୍ଭ କରିଥିଲା, ଯେଉଁ ନଦୀ ସଭ୍ୟତା ଓ ସାମ୍ରାଜ୍ୟର ଉତ୍‌ଥାନ-ପତନ, ଦେଶ ବିଭାଜନ ଓ ଅସଂଖ୍ୟ ଯୁଦ୍ଧର ସାକ୍ଷୀ ହୋଇ ରହି ଆସିଛି ତାକୁ କ’ଣ ମଣିଷର ଇଚ୍ଛାରେ ରୋକି ଦିଆଯାଇ ପାରିବ? 

ଆହୁରି ପଢ଼ନ୍ତୁ- Attack: ମ୍ୟାମାରର ବୌଦ୍ଧ ମଠରେ ବିମାନ ଆକ୍ରମଣ: ଧ୍ୟାନ ଶିବିରରେ ଥିବା ୧୪ ଜଣଙ୍କ ମୃତ୍ୟୁ

ନଦୀକୁ ଅସ୍ତ୍ରରେ ପରିଣତ କରିବା ଚିନ୍ତା ମଣିଷର ହୋଇପାରେ, ପ୍ରକୃତିର ନୁହେଁ। ସିନ୍ଧୁ କୌଣସି ଦେଶର ଶତ୍ରୁ ନୁହେଁ, ସେ ହିମାଳୟରୁ ନିସୃତ, ଏସିଆର ସଭ୍ୟତାର ଜନନୀ ଏବଂ ଦେଶ ନିର୍ବିଶେଷରେ କୋଟି କୋଟି ମଣିଷଙ୍କର ଜୀବନରେଖା। ଏହା ପ୍ରକୃତିର ଏକ ପ୍ରବାହ, ମଣିଷ ଦ୍ୱାରା ଅଙ୍କାଯାଇଥିବା କୃତ୍ରିମ ସୀମା ରେଖା ଦ୍ୱାରା ବନ୍ଧା ନୁହେଁ। ଏହାକୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରିବାର ଅର୍ଥ କେବଳ ଅନ୍ୟ ଏକ ଦେଶ ଉପରେ ଚାପ ସୃଷ୍ଟି ନୁହେଁ, ଏହା ମାନବ ସଭ୍ୟତାର ସହଯୋଗ ଓ ସହାବସ୍ଥାନର ମହାନ ପରମ୍ପରା ଓ ଐତିହ୍ୟ ଉପରେ ଶକ୍ତ ଆଘାତ।

ଶାସକ ଶ୍ରେଣୀ ନଦୀକୁ ନେଇ ଚୁକ୍ତି କରିପାରନ୍ତି, ଚୁକ୍ତିକୁ ଭାଙ୍ଗିପାରନ୍ତି, ନୂଆ ନୀତି ପ୍ରଣୟନ କରିପାରନ୍ତି, କିନ୍ତୁ ସେମାନେ ନଦୀର ଆତ୍ମାକୁ ବଦଳାଇ ପାରିବେ କି? ସେମାନେ କ’ଣ ହିମାଳୟକୁ ଆଦେଶ ଦେଇପାରିବେ କେଉଁଠି ଓ କେବେ ବରଫ ତରଳିବ? ସେମାନେ କ’ଣ ମେଘକୁ ନିର୍ଦ୍ଦେଶ ଦେଇପାରିବେ କେଉଁ ଉପତ୍ୟକାରେ ବର୍ଷା ହେବ? ପ୍ରକୃତିର ନିଜସ୍ୱ ନିୟମ ରହିଛି, ଯାହା ମାନବ ରାଜନୀତିଠାରୁ ଅନେକ ଅଧିକ ପ୍ରାଚୀନ ଓ ସୁଦୂରପ୍ରସାରୀ।

ସିନ୍ଧୁ ଆମକୁ ଶିଖାଏ- ଜଳର ପ୍ରକୃତି ହେଉଛି ବହିବା, ଯୋଡ଼ିବା ଓ ଜୀବନ ଦେବା, ବିଭାଜନ କରିବା ନୁହେଁ। ନଦୀକୁ ମାନଚିତ୍ରରେ ବାଣ୍ଟି ଦିଆଯାଇପାରେ, କିନ୍ତୁ ତାହାର ପ୍ରବାହକୁ ନୁହେଁ। ସଭ୍ୟତାର ଇତିହାସ ଆମକୁ ଏହି କଥା ହିଁ ଶିଖାଏ ଯେ ନଦୀମାନେ ସଭ୍ୟତାର ଜନକ ଓ ବାହକ ମଧ୍ୟ। ଆଉ ଯେତେବେଳେ ନଦୀକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଏ, ମାନବତା ସେଠାରେ ହାର ମାନେ, ସଭ୍ୟତା ପରାହତ ହୁଏ।
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦୨୦୨୨୫

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.