Editorial: ମନ୍ କୀ ବାତ୍

3 days ago 3
ARTICLE AD BOX

ନିରଞ୍ଜନ ପଟ୍ଟନାୟକ

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ, ଓଡ଼ିଶା ମାଟିରେ ପାଦ ଦେଇ ଶପଥ ଗ୍ରହଣ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ କାରଣରୁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସେହି କାରଣଟି ହେଲା ତାଙ୍କ- “ମନ୍‌ କୀ ବାତ୍‌”। ଅର୍ଥାତ୍ ସେ ମହୋଦୟ କୌଣସି ଛଳନା ନକରି ଅତ୍ୟନ୍ତ ସତ୍ୟନିଷ୍ଠ ଭାବେ ନିଜର ମନର କଥା ସର୍ବସାଧାରଣରେ ଖୋଲି କହିଛନ୍ତି। ତେଣୁ ତାଙ୍କ ସ୍ପଷ୍ଟବାଦିତା ଓ ସତ୍ୟ-ପ୍ରକାଶ ପ୍ରତି ଆନ୍ତରିକତା ପାଇଁ ସେ ଅଭିନନ୍ଦନୀୟ। 
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫୩ ଅନୁସାରେ ପ୍ରତ୍ୟେକ ରାଜ୍ୟରେ ଜଣେ ଜଣେ ରାଜ୍ୟପାଳ ନିଯୁକ୍ତ ହେବା ବ୍ୟବସ୍ଥା ଅଛି। ସେହି ଅନୁସାରେ ଅନୁଚ୍ଛେଦ ୧୫୫ ଭାରତର ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ନିଯୁକ୍ତି କ୍ଷମତା ପ୍ରଦାନ କରିଛି। ଅନୁଚ୍ଛେଦ ୧୫୯ ଅନୁସାରେ ରାଜ୍ୟପାଳ ପଦ ଗ୍ରହଣ ପୂର୍ବରୁ ଶପଥ ନେବାର ବିଧି ଅଛି। ସେ ଶପଥରେ ମୁଖ୍ୟତଃ ସେ କହନ୍ତି- “ଇଶ୍ୱରଙ୍କ ନାମରେ ଶପଥ ନେଉଛି ବା ଆନ୍ତରିକ ଭାବେ ସତ୍ୟନିଷ୍ଠାର ସହ ପ୍ରତିଜ୍ଞା କରୁଛି ଯେ,  ରାଜ୍ୟର ରାଜ୍ୟପାଳ ଭାବରେ ମୋର ପଦ (ଦାୟିତ୍ବ)ର କର୍ତ୍ତବ୍ୟ ନିଷ୍ଠା ସହିତ ପାଳନ କରିବି ଏବଂ ମୋର ସାମର୍ଥ୍ୟ ଅନୁସାରେ ସମ୍ବିଧାନ ଓ ଆଇନର ସଂରକ୍ଷଣ, ସୁରକ୍ଷା ଓ ସମର୍ଥନ କରିବି। ମୁଁ ଏହି ରାଜ୍ୟର ଲୋକମାନଙ୍କ ସେବା ଓ ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିବି।”
ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହେଲେ ମଧ୍ୟ ସେ ନିଜ ଇଚ୍ଛା ଅନୁସାରେ ସମସ୍ତ ସରକାରୀ ନିଷ୍ପତ୍ତି ନେଇପାରନ୍ତି ନାହିଁ। ଅନୁଚ୍ଛେଦ ୧୬୩ ଅନୁସାରେ ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରୀ ପରିଷଦର ସହାୟତା ଓ ପରାମର୍ଶ ଅନୁସାରେ ସେ କାର୍ଯ୍ୟ କରନ୍ତି। କେତେକ କ୍ଷେତ୍ରରେ ସମ୍ବିଧାନ ତାଙ୍କୁ ବିବେକାଧୀନ କ୍ଷମତା ଦେଇଛି। ଅର୍ଥାତ୍ ସମ୍ବିଧାନର ନିୟମ ବାହାରେ ରାଜ୍ୟପାଳ ମହୋଦୟ ନିଜର ବିବେକ ଅନୁସାରେ କିଛି ପଦକ୍ଷେପ ନେଇପାରିବେ। 
ଏଇଠି ଆମ ନବନିଯୁକ୍ତ ରାଜ୍ୟପାଳଙ୍କ ବିବେକ କ’ଣ କହୁଛି, ତାହା ହୁଏତ ଆମେ ଜାଣିବାର ସୁଯୋଗ ନଥିଲା। କିନ୍ତୁ ଶ୍ରୀ ବ୍ରଜ ମୋହନ ରାମ ତାଙ୍କ ‘ମନ୍ କୀ ବାତ୍‌’ରେ ବିବେକର କଥା କହିଦେଇଛନ୍ତି। ତାଙ୍କ ମନ୍ କୀ ବାତ୍ ହେଲା, ବିଜେପି ପାଇଁ ସେ ବହୁ ପରିଶ୍ରମ କରିଥିଲେ ମଧ୍ୟ ଦଳ ତାଙ୍କୁ ଉଚିତ ସୁବିଧା ଦେଉ ନଥିଲା। ଜଣେ ଦଳିତ ସଂପ୍ରଦାୟର ବିଶିଷ୍ଟ ବିଜେପି ନେତା ଭାବେ ସେ ଦଳିତ ମୋର୍ଚ୍ଚାକୁ ସଂଗଠିତ କରି ଝାଡ଼ଖଣ୍ଡରେ ବିଜେପିକୁ ଯେଉଁ ଲାଭ ଦେଇଛନ୍ତି, ଏବେ ଓଡ଼ିଶାରେ ରାଜ୍ୟପାଳ ହେବା ପରେ ସେହିପରି ମୋର୍ଚ୍ଚାର ସଂଗଠନକୁ ମଜଭୁତ କରିବେ ଏବଂ ବିଜେପିର ଭୋଟ କେମିତି ଓଡ଼ିଶାରେ ବଢ଼ିବ ସେକଥା ସେ ଦେଖିବେ। 
ଏ କଥା ସତ ଯେ, ସେ ବିଜେପିର ଜଣେ ବରିଷ୍ଠ ନେତା ଓ ସଂଗଠକ। ବିଜେପି ତାଙ୍କୁ ଏତେ ବଡ଼ ପଦ ଦେଇଥିବାରୁ ଋଣ ପରିଶୋଧ ଭାବେ ସେ ବିଜେପି ଭୋଟ ବଢ଼ାଇବା କଥା କହିଛନ୍ତି। ଏହାକୁ କେହି କେହି ପାଟିରୁ ଖସିଯିବା ବା ‘ସ୍ଲିପ୍ ଅଫ୍ ଟଙ୍ଗ୍‌’ ବୋଲି କହି ସଫେଇ ଦେଉଛନ୍ତି। କିନ୍ତୁ କାରଣ ଯାହା ହେଉ ପଛେ ଏହା ତାଙ୍କର ବିବେକର ଭାଷା ଓ ମନ୍ କୀ ବାତ ଏଥିରେ ସନ୍ଦେହ ନାହିଁ। ତେଣୁ ମନ କଥା ସ୍ପଷ୍ଟ ଭାବରେ ପ୍ରକାଶ କରିଥିବା ଜଣେ ବ୍ୟକ୍ତିଙ୍କୁ ଆମେ ଅଭିନନ୍ଦନ ଜଣାଇବା ଉଚିତ। ଅନ୍ୟ ପକ୍ଷରେ ଯଦି ଏହା ତାଙ୍କର ମନର ସତ କଥା ନଥିଲା ବୋଲି ଆମେ ଗ୍ରହଣ କରିବା, ତେବେ ପଦ ଭାର ଗ୍ରହଣ ପୂର୍ବରୁ ଶପଥରେ ସେ ଯେଉଁ ସତ୍ୟନିଷ୍ଠା ସହ ପ୍ରତିଜ୍ଞା କଲେ, ତାହା କ’ଣ ସତ୍ୟ ପ୍ରତି ଅଭିପ୍ରେତ? ଏ ତ ଗଲା, ତାଙ୍କର ପ୍ରଥମ ମନ୍ କୀ ବାତ୍‌ର ଐତିହାସିକ ଉଚ୍ଚାରଣ। ଏବେ ତାଙ୍କ ଆଚରଣ ପ୍ରସଙ୍ଗକୁ ଆସିବା। ଜଣେ ବ୍ୟକ୍ତିଙ୍କର ଦୁଇ ଦୁଇଟା ପରସ୍ପର ବିରୋଧୀ ‘ମନ୍ କୀ ବାତ୍‌’ କେବେ ହୋଇ ନପାରେ। କେଉଁ ଆଧାରରେ ନବନିଯୁକ୍ତ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନିଜର ବନ୍ଧୁ, ସହଯୋଗୀ, ବିଜେପି ଦଳର କର୍ମକର୍ତ୍ତା, ବିଭିନ୍ନ ଛାମୁଆ ସଂଗଠନର ନେତାଙ୍କୁ ମିଶାଇ ପାଖାପାଖି ୬୦୦ ଲୋକଙ୍କ ଆତିଥ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ଏକ ପ୍ରକାର ବାଧ୍ୟ କଲେ? କେତେକ ଅଗ୍ରଣୀ ସମ୍ବାଦପତ୍ରର ଅକ୍‌ଟୋବର ୧୭ ତାରିଖର ରିପୋର୍ଟ ଅନୁସାରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଶପଥ ଗ୍ରହଣ ଅବସରରେ ପ୍ରଥମେ ତାଙ୍କ ସହିତ ଆସୁଥିବା ୩୦୦ ଅତିଥିଙ୍କ ରହିବା, ଖାଇବା ପାଇଁ ଚାରି ଦିନର ବ୍ୟବସ୍ଥା କରିବାକୁ ଲୋକଭବନ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଇଥିଲା। ପରେ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଥିବା ଏବଂ ଶପଥ ଗ୍ରହଣ ଉତ୍ସବକୁ ପ୍ରାୟ ୬୦୦ ଅତିଥି ଆସିଥିବା ଖବର ମିଳୁଛି। 

 ରାଜ୍ୟପାଳ କାର୍ଯ୍ୟଧାରାର ମୂଲ୍ୟାୟନ କଲାବେଳେ ତିନିଟି ପ୍ରଶ୍ନ ସାଧାରଣତଃ ମନରେ ଆସେ। ପ୍ରଥମତଃ, ତାଙ୍କର ସେହି କାର୍ଯ୍ୟ ସମ୍ବିଧାନ ଓ ଆଇନ ଅନୁସାରେ ହୋଇଛି କି? ଦ୍ବିତୀୟରେ, ସେହି କାର୍ଯ୍ୟରେ ରାଜ୍ୟ ବା ଦେଶର ଲୋକଙ୍କ ସ୍ୱାର୍ଥ ଓ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି କି? ତୃତୀୟଟି ହେଲା, ସରକାରୀ ପଦ ଓ ସରକାରୀ ସମ୍ବଳ ବ୍ୟବହାର ସମ୍ବନ୍ଧୀୟ ପ୍ରଯୁଜ୍ୟ ନିୟମ ପାଳନ କରାଯାଇଛି କି?

ମନ୍ କୀ ବାତ୍‌ରେ ବିଜେପି ସଂଗଠନକୁ ସୁଦୃଢ଼ କରିବାକୁ ଘୋଷଣା କରିଥିବା ରାମ ମହୋଦୟ ଝାଡ଼ଖଣ୍ଡରୁ ଏହି ଅତିଥିମାନଙ୍କୁ ଆଣି, ରାଜକୀୟ ଆତିଥ୍ୟ ପ୍ରଦାନ କରି ତାଙ୍କ ବିବେକର ସେହି ଭାଷାକୁ ପରୋକ୍ଷରେ ଆଉ ଥରେ ଆମକୁ ଶୁଣାଇ ନାହାନ୍ତି କି? 
ସରକାରୀ ସ୍ତରରେ ସାଧୁତାର ଏକମାତ୍ର ମାପକାଠି ହେଉଛି, ସାଧାରଣ ଲୋକଙ୍କ ରାଜସ୍ୱ ପ୍ରତି ଦାୟିତ୍ୱବୋଧ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜ୍ୟପାଳ ହେଉଛନ୍ତି ଏକ ସାମ୍ବିଧାନିକ ପଦର ଅଧିକାରୀ। ତାଙ୍କର ସମ୍ମାନ, ମର୍ଯ୍ୟାଦା ଓ ସରକାରୀ ସୁବିଧା ସମ୍ବିଧାନ ନିର୍ଦ୍ଧାରଣ କରିଛି। କିନ୍ତୁ ଏହି ପଦ ସହ ଜଡ଼ିତ ପ୍ରତ୍ୟେକ ସୁବିଧାର ଅର୍ଥ ଏହା ନୁହେଁ ଯେ, ଜଣେ ପଦାଧିକାରୀଙ୍କ ବ୍ୟକ୍ତିଗତ ଆତିଥ୍ୟର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଠାରେ ପ୍ରଶ୍ନ ଉଠେ- ଏହି ଅତିଥିମାନେ କିଏ ଥିଲେ? ସେମାନେ କ’ଣ ସରକାରୀ ନିମନ୍ତ୍ରିତ ଅତିଥି ଥିଲେ ନା ରାଜ୍ୟପାଳଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ବନ୍ଧୁ, ସହଯୋଗୀ ଓ ପରିଚିତ ବ୍ୟକ୍ତି ଥିଲେ? ଏହି ପ୍ରଶ୍ନର ଉତ୍ତର ଓଡ଼ିଶାର ଜନସାଧାରଣଙ୍କୁ ମିଳିବା ଆବଶ୍ୟକ। କାରଣ, ସେମାନଙ୍କ ଟିକସ ଅର୍ଥ କୌଣସି ପଦାଧିକାରୀଙ୍କ ବ୍ୟକ୍ତିଗତ ଅତିଥି ଚର୍ଚ୍ଚାରେ ଖର୍ଚ୍ଚ ହେଲା ନା ସରକାରୀ କାର୍ଯ୍ୟରେ ଖର୍ଚ୍ଚ ହେଲା, ସେ କଥା ଜାଣିବାର ଅଧିକାର ଅଛି। ଏହି ପ୍ରସଙ୍ଗରେ ମୋର ମନେ ପଡୁଛି ତିନି ଜଣ ରାଜ୍ୟପାଳଙ୍କ କଥା। ୨୦୦୯ରେ ଆସାମର ରାଜ୍ୟପାଳ ଭାବରେ ଯୋଗ ଦେଇଥିଲେ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ସେ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ। ମୋତେ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ସରକାରୀ ଅର୍ଥ ବ୍ୟୟ କରି ମୁଁ ସେ ଉତ୍ସବକୁ ଯିବା ପାଇଁ ଇଚ୍ଛା କରି ନଥିଲି। ୨୦୧୩ ମସିହାରେ ଡି. ୱାଇ. ପାଟିଲ ବିହାରର ରାଜ୍ୟପାଳ ହେଲେ। ସେ ତାଙ୍କ ଦରମାରୁ ମାତ୍ର ଗୋଟିଏ ଟଙ୍କା ଗ୍ରହଣ କରୁଥିଲେ। ତାଙ୍କ ଅତିଥିମାନେ ସର୍କିଟ ହାଉସରେ ରହିଲେ ବି ସେ ଖର୍ଚ୍ଚ ସେ ନିଜେ ଭରଣା କରୁଥିଲେ। ସେହିପରି ୨୦୧୭ରେ ତାମିଲନାଡୁର ରାଜ୍ୟପାଳ ହୋଇଥିଲେ ଶ୍ରୀ ବନୱାରୀ ଲାଲ୍ ପୁରୋହିତ। ସେ ନିଜେ ଓ ତାଙ୍କ ପରିବାର ସଦସ୍ୟମାନେ ରାଜଭବନରେ ଯେଉଁ ଖାଦ୍ୟ ଖାଉଥିଲେ, ତାହାର ମୂଲ୍ୟ ସେ ଦେଉଥିଲେ। ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ଥିଲା ଭାରତର ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ କଲାମଙ୍କ ଶପଥ ଗ୍ରହଣ ପ୍ରସଙ୍ଗ। ୨୦୦୨ ମସିହାରେ ସେ ରାଷ୍ଟ୍ରପତି ଭାବେ ପଦ ଭାର ଗ୍ରହଣ କରିବା ପରେ ନିଜ ଗାଁର ପ୍ରାୟ ୫୦ ଜଣ ସଦସ୍ୟଙ୍କୁ ଦିଲ୍ଲୀ ଡାକିଥିଲେ। ପରେ ସେମାନଙ୍କ ଯାତାୟାତ, ରାଷ୍ଟ୍ରପତି ଭବନରେ ରହିବା ଓ ଖାଦ୍ୟ ଆଦିର ଖର୍ଚ୍ଚ ହିସାବ ବୁଝି ସେ ନିଜ ପକେଟରୁ ତାକୁ ଭରଣା କରିଥିଲେ। 
ଏସବୁ ପ୍ରସଙ୍ଗ ମୁଁ ଏଇଥିପାଇଁ ଉଲ୍ଲେଖ କରୁଛି ଯେ, ରାଷ୍ଟ୍ରପତି, ରାଜ୍ୟପାଳ, ବାଚସ୍ପତି ଆଦି ପଦରେ ନିଯୁକ୍ତ ବା ନିର୍ବାଚିତ ବ୍ୟକ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥନରୁ ଆସିଥିଲେ ମଧ୍ୟ ସାଧୁତା, ନିରପେକ୍ଷତା ତଥା ସମଦୃଷ୍ଟି ତାଙ୍କ ପଦର ମର୍ଯ୍ୟାଦା ବୃଦ୍ଧି କରେ। ରାଜ୍ୟପାଳ ହେବା ପରେ ସେ ଆଉ ଦଳ ବା ଜାତି-ଧର୍ମ ମଧ୍ୟରେ ସୀମିତ ନ ରହି ଏକ ଉଦାର ନିରପେକ୍ଷ ମନୋଭାବରେ ରାଷ୍ଟ୍ରର ହିତ ପାଇଁ କାର୍ଯ୍ୟ କରନ୍ତି। ରାଜ୍ୟପାଳ କାର୍ଯ୍ୟଧାରାର ମୂଲ୍ୟାୟନ କଲାବେଳେ ତିନିଟି ପ୍ରଶ୍ନ ସାଧାରଣତଃ ମନରେ ଆସେ। ପ୍ରଥମତଃ, ତାଙ୍କର ସେହି କାର୍ଯ୍ୟ ସମ୍ବିଧାନ ଓ ଆଇନ ଅନୁସାରେ ହୋଇଛି କି? ଦ୍ବିତୀୟରେ, ସେହି କାର୍ଯ୍ୟରେ ରାଜ୍ୟ ବା ଦେଶର ଲୋକଙ୍କ ସ୍ୱାର୍ଥ ଓ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି କି? ତୃତୀୟଟି ହେଲା, ସରକାରୀ ପଦ ଓ ସରକାରୀ ସମ୍ବଳ ବ୍ୟବହାର ସମ୍ବନ୍ଧୀୟ ପ୍ରଯୁଜ୍ୟ ନିୟମ ପାଳନ କରାଯାଇଛି କି?
ଆମ ନବନିଯୁକ୍ତ ରାଜ୍ୟପାଳଙ୍କ ୩୦୦-୬୦୦ ଅତିଥି ଚର୍ଚ୍ଚା ପ୍ରସଙ୍ଗରେ ଏହି ପ୍ରଶ୍ନ ଏବେ ସାଧାରଣ ଭାବେ, କେବଳ ମୋତେ ନୁହେଁ, ପ୍ରତ୍ୟେକ ସଚେତନ ଓଡ଼ିଶାବାସୀଙ୍କୁ ଆନ୍ଦୋଳିତ କରୁଛି। ରାଜ୍ୟପାଳ ରାଜ୍ୟବାସୀଙ୍କ ପ୍ରତି କେତେ ସମ୍ବେଦନଶୀଳ ହେବେ, ରାଜ୍ୟର ବିକାଶ ପାଇଁ ମନ୍ତ୍ରୀ ପରିଷଦକୁ ସେ କି ପରାମର୍ଶ ଦେବେ, ସେ କଥା ତାଙ୍କ ଉଚ୍ଚାରଣ ଓ ଆଚରଣରୁ ପ୍ରାୟ ଅନୁମାନ କରିହେଉଛି। ଏମିତି ସ୍ଥିତିରେ ଓଡ଼ିଶାରେ ନଦୀ ସମସ୍ୟା, ଓଡ଼ିଶାର ପରିବେଶ ସମସ୍ୟା, ନିଯୁକ୍ତି ସମସ୍ୟା ତଥା ଓଡ଼ିଶାରେ ବଢୁଥିବା ଅପରାଧ ଜନିତ ସମସ୍ୟାରେ ମାନ୍ୟବର ରାଜ୍ୟପାଳଙ୍କ ମନ୍ କୀ ବାତ୍ କ’ଣ ହେବ, ତାକୁ ଆମେ ଅପେକ୍ଷା କରିବା ନା, ଦଳିତ ସଂଗଠନକୁ ମଜବୁତ କରି ସେ ବିଜେପିର ଭୋଟ ବ୍ୟାଙ୍କ ବଢ଼ାଇବା ସମ୍ବନ୍ଧରେ ସତ କଥା କହିଥିବା ଯୋଗୁଁ ତାଙ୍କୁ ଅଭିନନ୍ଦନ ଜଣାଇବା, ତାହା ବିଚାରଣୀୟ।
(ମତାମତ ଲେଖକଙ୍କ ନିଜସ୍ବ)
ପୂର୍ବତନ ପିସିସି ସଭାପତି, ଓଡ଼ିଶା

Read Entire Article
LEFT SIDEBAR AD

Hidden in mobile, Best for skyscrapers.