ARTICLE AD BOX
ବିଜୟ ନାୟକ
“ରମ୍ୟକଳାର ଶିଳା, କିଛି ତ କହିନି ମଣିଷର କଥା କହିବାର ଯାହା ଥିଲା।” ସଚ୍ଚି ରାଉତରାୟଙ୍କର ଏହି ଉକ୍ତିର ପରିପ୍ରେକ୍ଷୀ ଭିନ୍ନ ହେଲେ ମଧ୍ୟ ଏହା ଅନସ୍ୱୀକାର୍ଯ୍ୟ ଯେ କଳା ସବୁକଥା କହିପାରେ ନାହିଁ। କିଛି କଥା ଲୁକ୍କାୟିତ ହୋଇ ରହିଯାଏ କବିତାରେ। ନିରବତା କିନ୍ତୁ ଅନେକ କଥା କହେ। ମୌନତା ତେଣୁ କାଳଜୟୀ କଳା ଓ କବିତାର କଷଟି।
ଘୋଡ଼ା ଓ ସଇସମାନଙ୍କର କ୍ଳାନ୍ତି ପ୍ରକଟିତ ହୋଇଛି କି କୋଣାର୍କ କଳାରେ? ନୃତ୍ୟାଙ୍ଗନାମାନଙ୍କ ନୂପୁରର ଛନ୍ଦ କେଉଁ ରାଗିଣୀ ତୋଳେ? କଳା ତାହା କହିବାକୁ ସକ୍ଷମ କି? ଅଳସକନ୍ୟାମାନଙ୍କ ଲାସ୍ୟର ଭାଷା କ’ଣ? କ’ଣ ତା’ର ଭାବ? କେଉଁ କଳାର ସାମର୍ଥ୍ୟ ଅଛି ତାହା ପରିସ୍ଫୁଟ କରିବାକୁ? ଶିଳାଶିଳ୍ପ ହର୍ଷ ବା ଉଲ୍ଲାସ ଆଢ଼ୁଆଳର ଶବ୍ଦକୁ ଶତଦଳରେ ରୂପାନ୍ତରଣ କରିପାରେ କି? ଫ୍ରେମ୍ ମଧ୍ୟରେ ଆବଦ୍ଧ ଚିତ୍ର କେଉଁ କଥା କହେ? କହିପାରେ କି ସ୍ବପ୍ନ ଓ ସଙ୍ଘାତର କଥା? ଇଂରେଜୀରେ ଗୋଟେ କବିତା ଅଛି, ‘ଦ ଫ୍ରେମ୍ ଇଜ୍ ଉଡ୍ ବଟ୍ ୱିଣ୍ଡୋଜ୍ ଓପନ୍ ୱାଇଡ୍।’ ଝର୍କା ବାହାରର ସବୁ ଦୃଶ୍ୟକୁ ନିଜ ଭିତରେ ବାନ୍ଧି ରଖିପାରେ କି ଚିତ୍ର ପ୍ରତିମା? ଲେଖନୀ ବା ତୂଳୀ ଅସହାୟ ନା ଅସହାୟ କବିକଳାକାର? ଲିଓନାର୍ଡୋ ଡା ଭିଞ୍ଚିଙ୍କ ‘ମୋନାଲିସା’ ହସ ନା କାନ୍ଦର ପ୍ରତୀକ ନା ଚିରକାଳ ଅନୁଚ୍ଚାରିତ ଶବ୍ଦର ଳାଳିତ୍ୟ? ନିଃଶବ୍ଦ ଅଭିବ୍ୟକ୍ତି ହିଁ ରାଜା ରବି ବର୍ମା, ନନ୍ଦଲାଲ ବୋଷ, ବିମ୍ବାଧର ବର୍ମା, ଗୋପାଳ କାନୁନ୍ଗୋ, ଉପେନ୍ଦ୍ର ମହାରଥୀ ପ୍ରମୁଖଙ୍କ ଚିତ୍ରର ବୈଚିତ୍ର୍ୟ।
ଗୋଟେ ଦେଶରେ ଜଣେ ରଜା ଥିଲେ- ଆଈମା’ର କାହାଣୀ ଏମିତି ଆରମ୍ଭ ହୁଏ। ରଜା, ରାଣୀ, ରଜା ପୁଅ, ମନ୍ତ୍ରୀ ପୁଅ, ସାଧବ ଝିଅ, ବୁଢ଼ୀ ଅସୁରୁଣୀ- ଏମାନଙ୍କୁ ନେଇ କାହାଣୀର ଆରମ୍ଭ, ପ୍ରବାହ ଓ ପରିସମାପ୍ତି ଘଟେ। ସବୁକଥା କହିସାରିଲା ପରେ ଆଈମା’ କହେ, ମୋ କଥାଟି ସରିଲା, ଫୁଲଗଛଟି ମରିଲା। ଏପରି କାହାଣୀରେ ସବୁକଥା ତନ୍ନ ତନ୍ନ କରି ବର୍ଣ୍ଣନା କରାଯାଏ। ଆଧୁନିକ କ୍ଷୁଦ୍ରଗଳ୍ପ କାହାଣୀ ଠାରୁ ଭିନ୍ନ ଅବଶ୍ୟ। ଆକସ୍ମିକ ଆରମ୍ଭ ଓ ନାଟକୀୟ ପରିସମାପ୍ତି କ୍ଷୁଦ୍ରଗଳ୍ପର ବିଶେଷତ୍ୱ। ତଥାପି ଏଥିରେ କାହାଣୀଟିଏ ଲୁଚି ରହିଥାଏ। ବିନା କାହାଣୀରେ ଗଳ୍ପ କିଛି ଉଚ୍ଛ୍ୱାସର ଅବତାରଣା ମାତ୍ର। ଗଳ୍ପ ସରୁ ସରୁ ଗଳ୍ପଟି ମନରୁ ଲିଭିଯାଇଥାଏ। ପ୍ରଭାବଶାଳୀ କାହାଣୀ ଗ୍ରଥିତ ଗଳ୍ପ ସାମୟିକ ଉତ୍ତେଜନା ନୁହେଁ, ସର୍ବକାଳୀନ ଶିହରଣ। ବିନା ଝାଡ଼ୁପ୍ରହାରରେ ‘ପେଟେଣ୍ଟ ମେଡିସିନ୍’ ଶେଷହୁଏ ନା ଇଂରେଜୀ ଘୁଷି ବିନା ‘ଡାକ ମୁନସୀ’ ଗଳ୍ପର ଯବନିକା ପଡ଼େ? ମନୋଜ ଦାସଙ୍କ ‘ଜହ୍ନରାତିର ସେତୁ’ ଗଳ୍ପରେ ଜୀବନତୀରେ ପ୍ରେମର ଉପକ୍ରମ ଓ ମରଣତୀରେ ତା’ର ଉପସଂହାର। ଆମୂଳଚୂଳ ବିବରଣୀ ଗଳ୍ପକୁ ସ୍ମରଣୀୟ କରେ। କିନ୍ତୁ କବିତାରେ ଚରିତ୍ରର ଚିତ୍ର ଅଙ୍କିତ ହୋଇଥିଲେ ମଧ୍ୟ ସେଥିରେ ଅନେକ କିଛି ଅକୁହା ରହିଯାଏ।
ସଚ୍ଚି ରାଉତରାୟଙ୍କ ‘ପ୍ରତିମା ନାୟକ’ ସମକାଳୀନ ଓଡ଼ିଆ କାବ୍ୟଧାରାର ମୋଡ଼ ବଦଳାଇଥିବା ଏକ କବିତା। ‘ଆକାଶରେ ଫିକାଜହ୍ନ ସାବୁନର ଫେଣ ପରି ସଫା’- ଏହା କବିତାର ଆଦ୍ୟ ଉଚ୍ଚାରଣ। ଆଲୁଅ ଓ ଅଂଧାର ମଧ୍ୟରେ ଦଫାରଫା କରିଥିବା ଜହ୍ନରାତିର ଦୃଶ୍ୟର ବର୍ଣ୍ଣନା ଏବଂ ତତ୍ପରେ ପ୍ରତିମା ନାୟକର ପରିଚୟ ବେଶ୍ ଆଧୁନିକ, ଯେମିତି “ମୁଖ ତା’ର ବ୍ରଣଦୁଷ୍ଟ ହାତରେ ତା’ ଚମଡ଼ାର ବ୍ୟାଗ୍, ଶୀର୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅପଲକ ଦାଗ। ତନୁ ତା’ର ରୋଗଜୀର୍ଣ ବ୍ରଣେ ତା’ର ମ୍ଳାନ ମୁହଁଯାକ, ଶ୍ଳଥ, ଋଜୁଦେହ-ଶିଖା ଢାଂକି ଅଛି ଖାକୀର ପୋଷାକ।’’
ଏକଦା କାବ୍ୟସାହିତ୍ୟକୁ ଆବୋରି ରହିଥିବା ନାୟିକାମାନେ ଥିଲେ ସୁନ୍ଦରୀ, ସୁକୁମାରୀ ରାଜଦୁଲାଳୀ। ସଚ୍ଚି ବାବୁଙ୍କ ‘ପ୍ରତିମା ନାୟକ’ ଏହାର ପହିଲି ବ୍ୟତିକ୍ରମ। ଧୂସର ଧରାର କନ୍ୟା ପ୍ରତିମା। ଦୁର୍ବାର ତା’ର ଜୀବନଯାତ୍ରା। ପିତୃହାନି, ଋଣଭାର ଆଦି ପାଇଁ ପାଠପଢ଼ା ସେ ଅଧାରୁ ଛାଡ଼ିଦେଇଥିଲା। ସପ୍ଲାଇ ବିଭାଗରେ ଚାକିରି ଖଣ୍ଡିଏ କରି କୌଣସି ପ୍ରକାରେ ବଞ୍ଚୁଥିଲା ପ୍ରତିମା। ସଚ୍ଚିଙ୍କ ଭାଷାରେ, “ସପ୍ଲାଇରେ ନେଇଚି ଆଶ୍ରୟ, ଦରମାଟା ମନ୍ଦ ନୁହେଁ ଏଇ ତା’ର ଦୀର୍ଘ ପରିଚୟ।” ତେବେ ରକ୍ଷଣଶୀଳ ସମାଜରେ ଏକା ଏକା ଗୋଟେ ଝିଅ ବଞ୍ଚୁଥିଲା କିପରି? ତା’ର ଦରମା ମନ୍ଦ ନଥିଲା ସିନା, କିନ୍ତୁ ସ୍ୱପ୍ନସବୁ ତ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା। ଖୁବ୍ ଛୋଟ ରାତିଟେ ଦୀର୍ଘ ଲାଗୁ ନଥିବ କି ପ୍ରତିମା ନାୟକକୁ! ପରେ ଆଉ କ’ଣସବୁ ଘଟିଲା ତା’ ଜୀବନରେ? ପ୍ରତିମା ନାୟକ ବିଷୟରେ ଅଧିକ କିଛି କହିବାର ନଥିଲା କି କବିଙ୍କର?
ଆଉ ଗୋଟେ ଚରିତ୍ର ଚିତ୍ରିତ ହୋଇଛି ‘ଚନ୍ଦ୍ରମାର ଚୁଡ଼ି’ କବିତାରେ। କବି ରମାକାନ୍ତ ରଥ କହିଛନ୍ତି ଚନ୍ଦ୍ରା ବେହେରାଣୀର କଥା: “ଚନ୍ଦ୍ରମା ଜୀଇଁଛି ଏଇ ଘରେ ନୂଆଁଣିଆ ବତାରୁଅ ତଳେ, ସେ ଜୀଇଁଛି ଏଇ ଭଙ୍ଗା ଖପରର ଛାଉଣି କୁଟୀରେ।” ପେଟ ପାଇଁ ପ୍ରତି ରାତିରେ ନିଜକୁ ବିକ୍ରିକରେ ଚନ୍ଦ୍ରା ବେହେରାଣୀ। ଅଭାବ କଷଣ ଭିତରେ ସେ ତା’ ଗେରସ୍ତକୁ ଖୁବ୍ ଭଲପାଏ। କହେ, “ମୁଁ ଯଦି ମରିବି ତେବେ ତୁ କାହାକୁ ଦୁତୀୟ ହବୁନି, ତତେ ନେଇ ଆଉ କାହା ସାଥେ ମୋର ହେବା ଭାଗୁଆଳ, ଦିହରେ ଯିବନି।” ସବୁ ତଥାକଥିତ ଆଦର୍ଶକୁ ହତ୍ୟାକରି ବଞ୍ଚିଥିବା ଚନ୍ଦ୍ରା ବେହେରାଣୀର କ’ଣ ହେଲା ଆଉ? ସେ ବିଷୟରେ କାହିଁକି ତୁନି ପଡ଼ିଗଲେ କବି ରମାକାନ୍ତ?
ଯାହା କହିବାର କଥା, ତାହା କହିଥାଏ ଗପ। କବିତା କିନ୍ତୁ ‘ନିମିଷେ ଲୁଚାଏ ନିମିଷେ ଦେଖାଏ, ସ୍ୱପ୍ନ-ଲଭ୍ୟ ପ୍ରିୟ ପ୍ରତିମା ପରାଏ।’ ଏହି ଲୁଚକାଳି ଖେଳ, କବିତାର କମନୀୟତା। ଯାହା ଦେଖିହୁଏ ତାହା ବାସ୍ତବତା, ଯାହା ଦେଖିହୁଏ ନାହିଁ ତାହା ରହସ୍ୟ। ରହସ୍ୟ ନାହିଁ ତ କବିତା କାହିଁ? କବିତା ବିଦେହ। ଅନ୍ୟକୁ ଛୁଏଁ। ତାକୁ ଛୁଇଁହୁଏ ନାହିଁ। ଯାହା କହିହୁଏ ତାହା କଥା, ଯାହା କହିହୁଏ ନାହିଁ ତାହା କବିତା!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

1 day ago
2


