ARTICLE AD BOX
ଭାରତର ଡିଜିଟାଲ ଅର୍ଥନୀତିକୁ ଆଗକୁ ନେଇଥିବା ୟୁପିଆଇକୁ ୨୦୨୬ରେ ୧୦ ବର୍ଷ ପୂରଣ ହୋଇଛି। ପ୍ରଥମ ଦଶନ୍ଧିରେ ସଂଖ୍ୟା ଦୃଷ୍ଟିରୁ ୟୁପିଆଇ କାରବାର ପାଖାପାଖି ୧୨ ହଜାର ଗୁଣ ବଢ଼ିଛି। ସେବା ଆରମ୍ଭ ବର୍ଷ ମାତ୍ର ୨ କୋଟି ଥର କାରବାର ହୋଇଥିବାବେଳେ ୨୦୨୫-୨୬ରେ ଏହା ୨୪ହଜାର କୋଟିରୁ ଅଧିକରେ ପହଞ୍ଚିଛି। ସେହିଭଳି ପ୍ରଥମ ବର୍ଷ ଏଥିରେ ୭ ହଜାର କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିଲା। ୨୦୨୫-୨୬ରେ ଏହା ୩୧୪ ଲକ୍ଷ କୋଟି ଟଙ୍କା ଟପିଯାଇଛି। କେବଳ ଭାରତ ନୁହେଁ, ବିଶ୍ବର ପାଖାପାଖି ୧୦ଟି ଦେଶରେ ଏହି ସେବା ଉପଲବ୍ଧ ହେଲାଣି। ଏଭଳି ସମୟରେ ସରକାର ୟୁପିଆଇ କାରବାର ଉପରେ ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍) ଲଗାଇବାରୁ ବିବାଦ ମୁଣ୍ଡ ଟେକିଛି। ତାହାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
୭୫% ବ୍ୟବସାୟୀ ପ୍ରଭାବିତ ହେବେନି
ବ୍ୟବସାୟୀଙ୍କୁ କରାଯାଉଥିବା ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ ଉପରେ ସରକାର ଲଗାଇଥିବା ୦.୪ ପ୍ରତିଶତ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ଦେଶର ୭୫ ପ୍ରତିଶତ ବ୍ୟବସାୟୀଙ୍କୁ ପ୍ରଭାବିତ କରିବନି। ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିବା ୬ କୋଟିରୁ ଅଧିକ ବ୍ୟବସାୟୀଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ କେବେବି ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେମେଣ୍ଟ ଗ୍ରହଣ କରିନାହାନ୍ତି ବୋଲି ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ‘ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ସିପିଆଇ)’ର ଏମ୍ଡି ଓ ସିଇଓ ଦିଲ୍ଲୀପ ଆସ୍ବେ କହିଛନ୍ତି। ସେ କହିଛନ୍ତି ଯେ ୟୁପିଆଇ ଉପରେ ଲଗାଯାଇଥିବା ଏମ୍ଡିଆର୍ର ୮୦ ପ୍ରତିଶତ ବାର୍ଷିକ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କାରବାର କରୁଥିବା ବ୍ୟବସାୟୀ ଓ ୧୦ ପ୍ରତିଶତ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କଠାରୁ ସଂଗ୍ରହ କରାଯିବ। ଏହି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପୂର୍ବରୁ ଏମ୍ଡିଆର୍ ଲଗାଯାଇଥିବା ବ୍ୟବସ୍ଥା ଯଥା କ୍ରେଡିଟ୍ କାର୍ଡ ସ୍ବାଇପ୍ ମେସିନ୍କୁ ଗ୍ରହଣ କରୁଛନ୍ତି। ତେଣୁ ସେମାନେ ୟୁପିଆଇ ଶୁଳ୍କ ଗ୍ରାହକଙ୍କ ଉପରେ ଲଦିବାର କୌଣସି ଆଶଙ୍କା ନାହିଁ। କେବଳ ଅବଶିଷ୍ଟ ୧୦ ପ୍ରତିଶତ ବ୍ୟବସାୟୀ ଏମ୍ଡିଆର୍ ଶୁଳ୍କକୁ ଗ୍ରାହକଙ୍କ ଉପରେ ଲଦିବା ଆଶଙ୍କା ରହିଛି। କିନ୍ତୁ ସେମାନେ ଯେଭଳି ତାହା କରିନପାରିବେ ସେଥିପାଇଁ ବ୍ୟାଙ୍କ, ପେମେଣ୍ଟ ଏଗ୍ରିଗେଟର ଓ ଏନ୍ପିସିଆଇ ମିଳିତ ଭାବେ କାମ କରୁଛନ୍ତି। ଗ୍ରାହକଙ୍କ ଉପରେ ଯେଭଳି ଏମ୍ଡିଆର୍ ପ୍ରଭାବ ନ ରହିବ ତାହା ନିଶ୍ଚିତ କରିବା ଦିଗରେ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ସଚେତନ ରହିଛି। ଏମ୍ଡିଆର୍ ଉପରେ ଲାଗିଥିବା ଜିଏସ୍ଟିର ପୁନର୍ବିଚାର କରିବା ଉପରେ ବିଚାର କରାଯାଉଛି। ଆସନ୍ତା ଅକ୍ଟୋବର ୭ରେ ହେବାକୁ ଥିବା ଜିଏସ୍ଟି ପରିଷଦ ବୈଠକରେ ସେହି ନିଷ୍ପତ୍ତି ନିଆଯିବ। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ମିଶି ମଧ୍ୟ ସରକାର କାମ କରୁଛନ୍ତି। ଏମ୍ଡିଆର୍କୁ ନେଇ ହେଉଥିବା ମିଥ୍ୟା ପ୍ରଚାର ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆଇବିଏକୁ କୁହାଯାଇଛି।
ପୂର୍ବରୁ ବି ଏମ୍ଡିଆର୍ ଲାଗିଥିଲା
ୟୁପିଆଇ କାରବାରରେ ଏମ୍ଡିଆର୍ ଲାଗିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏହା ଲାଗିଥିଲା। ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ୨୦୧୬ ମସିହାରେ ୟୁପିଆଇ ଆରମ୍ଭ କରାଯାଇଥିଲା। ୨୦୧୭ ଡିସେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟୁପିଆଇ ଓ ଡେବିଟ୍ କାର୍ଡ କାରବାର ଉପରେ ଏମ୍ଡିଆର୍ ଲଗାଯାଇଥିଲା। ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ୦.୨୫ ପ୍ରତିଶତ ଓ ଦୁଇ ହଜାର ଟଙ୍କାରୁ ଅଧିକ କାରବାର ଉପରେ ୦.୬୫ ପ୍ରତିଶତର ଏମ୍ଡିଆର୍ ଲଗାଯାଇଥିଲା। କିନ୍ତୁ ୨୦୧୯ ଡିସେମ୍ବରରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ବ୍ୟାପକ କରିବା ଲାଗି ୟୁପିଆଇ ଉପରେ ଲାଗିଥିବା ଏମ୍ଡିଆର୍ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା। ସେଥିପାଇଁ ପେମେଣ୍ଟ୍ ଆଣ୍ଡ୍ ସେଟଲ୍ମେଣ୍ଟ୍ ସିଷ୍ଟମ୍ ଆକ୍ଟର ଧାରା ୧୦ଏରେ ବ୍ୟବସ୍ଥା କରାଯାଇଥିଲା। ସେହିଦିନଠାରୁ ୟୁପିଆଇ ଓ ରୁପେ ଡେବିଟ୍ କାର୍ଡ କାରବାରରେ ଏମ୍ଡିଆର୍ ଲଗାଇବା ଆଇନଗତ ଭାବେ ନିଷିଦ୍ଧ ହୋଇଥିଲା। ତେବେ ୨୦୨୬ରେ ଅର୍ଥ ମନ୍ତ୍ରଣାଳୟ ଓ ଏନ୍ପିସିଆଇ ପୁଣି ଥରେ ଏମ୍ଡିଆର୍ ଘୋଷଣା କରିଛନ୍ତି ଯାହା ଚଳିତ ବର୍ଷ ଅକ୍ଟୋବର ୧୫ରୁ ଲାଗୁ ହେବ।
ଅକ୍ଟୋବର ୨ରେ ବନ୍ଦ ହେବନି ୟୁପିଆଇ
କିଛି ଆଞ୍ଚଳିକ ବ୍ୟବସାୟୀ ସଂଗଠନ ଆସନ୍ତା ଅକ୍ଟୋବର ୨କୁ ‘ନୋ ୟୁପିଆଇ ଡେ’ ଘୋଷଣା କରିଛନ୍ତି। ସେହିଦିନ ସେମାନେ ୟୁପିଆଇରେ ପେମେଣ୍ଟ ଗ୍ରହଣ କରିବେ ନାହିଁ। ଏହାର ଅର୍ଥ ନୁହେଁ ସେହିଦିନ ସାରା ଦେଶରେ ୟୁପିଆଇ ବନ୍ଦ ରହିବ। ଲୋକମାନେ ଫୋନ୍ପେ, ଗୁଗଲ୍ପେ ଆଦି ଆପ୍ ଜରିଆରେ ୟୁପିଆଇକୁ ଯେଉଁଭଳି ବ୍ୟବହାର କରୁଛନ୍ତି, ତାହା ବ୍ୟବହାର କରିପାରିବେ। ସେହିଦିନ ୟୁପିଆଇ ସେବା କୌଣସି ପ୍ରକାରରେ ବନ୍ଦ ହେବନାହିଁ। କିଛି ବ୍ୟବସାୟୀ ପେମେଣ୍ଟ ନେବାକୁ ମନା କରିପାରନ୍ତି। କିନ୍ତୁ ଏହା ଏକ ସର୍ବଭାରତୀୟ ଆନ୍ଦୋଳନ ନୁହେଁ ଓ ସେଥିରେ ସବୁ ବ୍ୟବସାୟୀ ଭାଗ ନେଉନାହାନ୍ତି। ତେବେ ଜରୁରୀ କିଣାକିଣି କରିବାକୁ ଚାହୁଥିବା ଲୋକମାନେ ନିଜ ପାଖରେ ସେହିଦିନ ନଗଦ ରାଶି ରଖିଥିଲେ କିଣାକିଣିରେ ହେବାକୁ ଥିବା ବିଭ୍ରାଟରୁ ମୁକ୍ତି ପାଇପାରିବେ। ବ୍ୟକ୍ତିରୁ ବ୍ୟକ୍ତିକୁ ହେଉଥିବା ୟୁପିଆଇ କାରବାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ। ୟୁପିଆଇ ସେବାର ନିୟନ୍ତ୍ରଣ ଓ ପରିଚାଳନା ସହ ଜଡ଼ିତ ରିଜର୍ଭ ବ୍ୟାଙ୍କ, ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ(ଏନ୍ସିପିଆଇ), ଫୋନ୍ପେ ଓ ଗୁଗଲ୍ପେ ଭଳି ପେମେଣ୍ଟ ସେବା ପ୍ରଦାନ କରୁଥିବା ସଂସ୍ଥା ଓ କୌଣସି ବ୍ୟାଙ୍କ ସେହିଦିନ ୟୁପିଆଇ କାରବାର ବନ୍ଦ ରଖିବେ ନାହିଁ। ତେଣୁ ଏହି ସେବା ବନ୍ଦ ରହିବାର ପ୍ରଶ୍ନ ହିଁ ଉଠୁନାହିଁ।
Weather: ମୌସୁମୀ ପ୍ରତ୍ୟାବର୍ତ୍ତନ ସହ ସାମ୍ନାକୁ ଆସିଲା ଇନସାଟ୍ ଛବି
ଦେଶରେ ୟୁପିଆଇ (ୟୁନାଇଟେଡ୍ ପେମେଣ୍ଟ୍ ଇଣ୍ଟରଫେସ୍) ସେବା ୨୦୧୬ ଏପ୍ରିଲରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ଏହାର ଉଦ୍ଘାଟନ କରିଥିଲେ। ପରେ ସେହିବର୍ଷ ଅଗଷ୍ଟ ମାସରେ ସମସ୍ତଙ୍କ ପାଇଁ ଏହି ସେବା ଉପଲବ୍ଧ ହୋଇଥିଲା। ସ୍ମାର୍ଟଫୋନ ବ୍ୟବହାର ବଢ଼ିବା ଦ୍ବାରା ଲୋକମାନେ ସହଜରେ ଏହାକୁ ଆପଣାଇଥିଲେ। ଏପରିକି ଅନେକ ଲୋକ ଏହି ବ୍ୟବସ୍ଥା ପ୍ରତି ଏତେ ନିର୍ଭରଶୀଳ ବା ଅଭ୍ୟସ୍ତ ହୋଇ ପଡ଼ିଲେ ଯେ ସେମାନେ ପକେଟ୍ରେ ନଗଦ ରଖିବାକୁ ଆଉ ଉଚିତ୍ ମଣିଲେ ନାହିଁ। ପରିବା, ସଉଦା ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହେଉ କିମ୍ବା ଉଚ୍ଚ ମୂଲ୍ୟର ସାମଗ୍ରୀ କିଣିବା କିମ୍ବା ସ୍ବାସ୍ଥ୍ୟ, ଶିକ୍ଷା ଭଳି ସେବା ବାବଦ ଅର୍ଥ ପ୍ରଦାନ ସମୟରେ ଅର୍ଥ ପୈଠର ଏକ ବଡ଼ ମାଧ୍ୟମ ୟୁପିଆଇ ପାଲଟି ଯାଇଛି। ଦ୍ରୁତଗତିରେ ଏହି ଧାରା ବଡ଼ ସହରରୁ ଗ୍ରାମାଞ୍ଚଳକୁ ବ୍ୟାପିଯାଇଛି। ମୂଲ୍ୟ ଦୃଷ୍ଟିରୁ ଏହା କମ୍ ମନେ ହେଉଥିଲେ ମଧ୍ୟ କାରବାରର ସଂଖ୍ୟା ଦୃଷ୍ଟିରୁ ବହୁ ଅଧିକ ରହିଛି। କିନ୍ତୁ ସରକାର ଗତ ମୌସୁମୀ ଅଧିବେଶନରେ ଟିକସ ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍, ୨୦୨୬ ଗୃହୀତ କରାଇବା ପରଠାରୁ ଦେଶରେ ଏମ୍ଡିଆର୍ ଫେରିବା ଆଶଙ୍କା ସୃଷ୍ଟି ହୋଇଥିଲା। ଶେଷରେ ସରକାର ଚଳିତମାସ ୧୪ ତାରିଖରେ ଏ ନେଇ ବିଜ୍ଞପ୍ତି ଜାରି କରିବା ସହ ଆସନ୍ତାମାସ ୧୫ ତାରିଖରୁ ଏହାକୁ ଲାଗୁ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟୀମାନେ ଏହି ବୋଝକୁ ବହନ କରିବାକୁ ଥିବାରୁ ସେମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। କିଛି ବିଶେଷଜ୍ଞଙ୍କ ମତରେ ଏମ୍ଡିଆର୍ ଚାର୍ଜ ଡିଜିଟାଲ ବା ୟୁପିଆଇ କାରବାରର ଲୋକପ୍ରିୟତାକୁ ପ୍ରଭାବିତ କରିବ। ବର୍ତ୍ତମାନ ଗ୍ରାହକମାନଙ୍କଠାରୁ କ୍ରେଡିଟ୍ କାର୍ଡରେ କିଣିଲେ ଯେଭଳି ଦୋକାନୀ ଅଧିକ ଅର୍ଥ ଦାବି କରୁଛନ୍ତି ବା ରିହାତି କମାଇ ଦେଉଛନ୍ତି ୟୁପିଆଇରେ ଏମ୍ଡିଆର୍ ଲାଗୁହେଲେ ସେଭଳି ସ୍ଥିତି ଦେଖିବାକୁ ମିଳିବ। ବ୍ୟବସାୟୀମାନେ ଯଦି ଏମ୍ଡିଆର୍ ଚାର୍ଜ ଦେବେ ତାହାକୁ ସେମାନେ କୌଣସି ନା କୌଣସି ଉପାୟରେ ଗ୍ରାହକଙ୍କଠାରୁ ଆଦାୟ କରିବାକୁ ପ୍ରୟାସ କରିବେ। ଆଉ ଏହା ଦେଶରେ ନଗଦ କାରବାରକୁ ପ୍ରୋତ୍ସାହିତ କରିବ। ଏମ୍ଡିଆର୍ ବାବଦରେ ଆଦାୟ ହେବାକୁ ଥିବା ଅର୍ଥକୁ ଏହି ଶିଳ୍ପର ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଖର୍ଚ୍ଚ ହେବ ବୋଲି ସରକାର ଯୁକ୍ତି ଦର୍ଶାଉଥିଲେ ମଧ୍ୟ ଲୋକ ଓ ବ୍ୟବସାୟୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।
Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ
ସୁପ୍ରିମକୋର୍ଟରେ ଶୁଣାଣି ଆଜି
ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ ଦୋକାନରେ ବା ବ୍ୟବସାୟିକ କାରବାରରେ କରିବା ସମୟରେ ଆସନ୍ତା ୧୫ ତାରିଖରୁ ୦.୪ ପ୍ରତିଶତର ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ଲାଗୁ କରିବାକୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତାକାଲି (ସେପ୍ଟେମ୍ବର ୨୮) କରିବେ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଆବେଦନକାରୀ ଆଇନଜୀବୀ ଅଞ୍ଜନ ଦତ୍ତ କେନ୍ଦ୍ରର ସେପ୍ଟେମ୍ବର ୧୪ର ବିଜ୍ଞପ୍ତି ଓ ସେପ୍ଟେମ୍ବର ୧୫ରେ ଘୋଷିତ ଏମ୍ଡିଆର୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନରେ ଅଭିଯୋଗ କରାଯାଇଛି ଯେ ପର୍ଯ୍ୟାପ୍ତ ଆଇନଗତ ସୁରକ୍ଷା, ସ୍ୱଚ୍ଛତା ଓ ସାଧାରଣ ପରାମର୍ଶ ବିନା ଏମ୍ଡିଆର୍ ବ୍ୟବସ୍ଥା ଅଣାଯାଇଛି। ଏହାକୁ ବାତିଲ କିମ୍ବା ସ୍ଥଗିତ କରିବା ସହ ଛୋଟ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରିବାକୁ ଆବେଦନରେ କୁହାଯାଇଛି। ନୂଆ ବ୍ୟବସ୍ଥା ଅକ୍ଟୋବର ୧୫ରୁ ଲାଗୁ ହେବ। ୨,୦୦୦ ଟଙ୍କାରୁ ଅଧିକ ବ୍ୟବସାୟିକ ୟୁପିଆଇ ପେମେଣ୍ଟରେ ୦.୪ ପ୍ରତିଶତ ଏମ୍ଡିଆର୍ ଲାଗିବ। ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କାରବାରରେ ଏହାର ସର୍ବାଧିକ ସୀମା ୩୦୦ ଟଙ୍କାରେ ରହିବ। ରେଳ, ପେଟ୍ରୋଲ ପମ୍ପ, ଟେଲିକମ୍, ବୀମା, ଇନ୍ଧନ ଓ କୃଷି ଉପକରଣ ଭଳି କମ୍ ଲାଭ ଥିବା କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ପ୍ରତି କାରବାରରେ ୫ ଟଙ୍କା ଏମ୍ଡିଆର୍ ଧାର୍ଯ୍ୟ କରାଯାଇଛି।

46 minutes ago
1


