Editorial: ପିତାମହ!

6 days ago 5
ARTICLE AD BOX

‘ଜେନ ଜି’ ଆନ୍ଦୋଳନକାରୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଥିଲା କୌଣସି ‘ଏକଜିଦିଆ ପୁତ୍ର’ ସହିତ ‘କଠୋର ପିତା’ଙ୍କ ଆଚରଣ ସଦୃଶ। ଏଭଳି ସ୍ଥଳେ କୌଣସି ଜଣଙ୍କ ଆଗରେ ଯଦି ଅନ୍ୟ ଜଣେ ଅବନତ ହେବାକୁ ବାଧ୍ୟ ହୁଅନ୍ତି, ତେବେ, ହୁଏତ ସମସ୍ୟା ସମାହିତ ହୋଇଥିବାର ଧାରଣା ଉତ୍ପନ୍ନ ହୁଏ, କିନ୍ତୁ ପ୍ରକୃତରେ କଳହ ସମାପ୍ତ ହୋଇ ନ ପାରେ ଏବଂ ପରିବାରରେ ଉତ୍ତେଜନା ଓ ଅସ୍ବସ୍ତି ଲାଗି ରହିପାରେ! ଏହି ସମୟରେ ଲୋଡ଼ା ଯାଇଥାଏ ଶ୍ରଦ୍ଧାଶୀଳ ପିତାମହଙ୍କୁ, ଯିଏ ସୌହାର୍ଦ୍ଦ୍ୟ ଫେରାଇ ଆଣିବା ଲାଗି ସ୍ନେହ, କୋମଳ ଭର୍ତ୍ସନା, ଆଲୋଚନା-ସମାଲୋଚନା ଆଦି ଦ୍ବାରା ପିତା ଓ ପୁତ୍ରଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରନ୍ତି। ମୋହନ ଭାଗବତ ସେହିଭଳି ଜଣେ ପ୍ରବୁଦ୍ଧ ପିତାମହ ଭଳି ଦିଶନ୍ତି କି?

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ଗଲା ୬ ତାରିଖରେ ମୁମ୍ବାଇସ୍ଥିତ ‘ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର’ର ପରିପୂର୍ଣ୍ଣ ପ୍ରେକ୍ଷାଳୟରେ, ଏକ ମନୋଜ୍ଞ ପରିବେଶରେ, ‘ଜେନ ଜି’ ପକ୍ଷର ଜନୈକ ପ୍ରତିନିଧି ଏବଂ ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ ବା ଆର.ଏସ.ଏସ.ର ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ହୋଇଥିବା ଶିଷ୍ଟ ସଂବାଦ ବା ବାର୍ତ୍ତାଳାପ ଅନେକ କାରଣରୁ କୌତୂହଳ, ବିସ୍ମୟ ଓ ଚର୍ଚ୍ଚାର ବିଷୟ ହୋଇଛି। କାରଣ, ସିଜେପି ଦ୍ବାରା ଆ‌ୟୋଜିତ ଦୁର୍ବିନୀତ ‘ଜେନ ଜି’ ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ‌ବିଜେପି ଓ ଆର.ଏସ.ଏସ.ର କତିପୟ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ପକ୍ଷରୁ ପ୍ରଦର୍ଶନକାରୀ ଏବଂ ସାମଗ୍ରିକ ଭାବେ ଜେନ ଜି ପିଢ଼ିକୁ କଟୁ ଆ‌କ୍ଷେପ କରାଯାଇଥିଲା, ଯହିଁରେ ‘ରାଷ୍ଟ୍ର ବିରୋଧୀ ଅପଶକ୍ତି’, ‘ବିଦେଶୀ ଏଜେଣ୍ଟ’, ‘ବାମବାଦୀ ଅରାଜକ’, ‘ଆତଙ୍କବାଦୀ’ ଏବଂ ‘ନର୍ଦ୍ଦମା-ପିଢ଼ି’ ବା ‘ଜେନେରେସନ ଗଟର’ ଇତ୍ୟାଦି ଅନ୍ତର୍ଭୁକ୍ତ। ଏଭଳି ସ୍ଥିତିରେ ମୋହନ ଭାଗବତଙ୍କ ମୁହଁରୁ ‘ଜେନ ଜି’ଙ୍କ ଚରିତ୍ର ଓ ସ୍ବଭାବର ପ୍ରଶଂସା, କୌଣସି ଗଣତନ୍ତ୍ରରେ ବାତ୍ତାର୍ଳାପ ଓ ବିରୋଧର ଆବଶ୍ୟକତା, ପ୍ରକୃତ ନେତୃତ୍ବର ପରିଭାଷା ଇତ୍ୟାଦିକୁ ନେଇ ଯାହା ସବୁ ଶୁଣିବାକୁ ମିଳିଛି, ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ ଏବଂ ସୂକ୍ଷ୍ମ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। 
କହିବା ଅନାବଶ୍ୟକ ଯେ ସେହି ବାର୍ତ୍ତାଳାପରେ ‘ଜେନ ଜି’ ଓ ‘ଜେନ ଆଲଫା’ଙ୍କୁ, ଅର୍ଥାତ୍ ସାଂପ୍ରତିକ ତରୁଣ ଓ କିଶୋରମାନଙ୍କୁ ସର୍ବାଧିକ ସଚ୍ଚୋଟ, ନିର୍ଭୀକ, ପ୍ରଶ୍ନ କରି ଉତ୍ତର ପାଇବା ସକାଶେ ବ୍ୟାକୁଳ ପିଢ଼ିର ସଦସ୍ୟ ବୋଲି ମୋହନ ଭାଗବତ ଯେଉଁ ସ୍ବୀକୃତିନାମା ବା ‘ସାର୍ଟିଫିକେଟ’ ପ୍ରଦାନ କରିଛନ୍ତି, ତାହା ଆନ୍ଦୋଳନକାରୀ ଏବଂ ଆନ୍ଦୋଳନର ଅସଂଖ୍ୟ ସମର୍ଥକଙ୍କ ସକାଶେ ସୁନିଶ୍ଚିତ ଭାବେ ଅତ୍ୟନ୍ତ ସାନ୍ତ୍ବନା ପ୍ରଦାୟୀ ହୋଇଥିବ; ଯାହାର ପ୍ରମାଣ ମିଳିଥିଲା ସେହି ପ୍ରେକ୍ଷାଳୟରେ ଗୁଂଜରି ଉଠୁଥିବା ତାଳି ମାଡ଼ରୁ। ବଡ଼ କଥା ହେଲା, ଏହି ସବୁ ମନ୍ତବ୍ୟ କେବଳ ଯେ ଜଣେ ମନନଶୀଳ ପ୍ରବୁଦ୍ଧଙ୍କ ଠାରୁ ଆସିଥିଲା ତାହା ନୁହେଁ, ସେ ମଧ୍ୟ ହେଉଛନ୍ତି ରାଷ୍ଟ୍ରବାଦୀ, ହିନ୍ଦୁତ୍ବବାଦୀ, ରକ୍ଷଣଶୀଳ ଆଦର୍ଶର ଶୃଙ୍ଖଳିତ ସଂଗଠନ ଆର.ଏସ.ଏସ.ର ମୁଖ୍ୟ। ପ୍ରକାଶ ଥାଉ କି ରାମ ମାଧବ ଓ ଅତୁଲ ଲିମାୟେଙ୍କ ଭଳି ଆର.ଏସ.ଏସ.ର କିଛି ଅଗ୍ରଣୀ ନେତା, ଆନ୍ଦୋଳନକାରୀମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସନ୍ଦେହ, ନାପସନ୍ଦ ଓ ବିଦ୍ବେଷ ବ୍ୟକ୍ତ କରି ଚାଲିଥିଲେ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ସଂଘର କଠୋରପନ୍ଥୀମାନଙ୍କ ଠାରେ ମୋହନ ଭାଗବତଙ୍କ ମତାମତ ପ୍ରତିକ୍ରିୟା ସୃଷ୍ଟି କରିଥିବ। ହୁଏତ, ଏହି କାରଣରୁ ଭବିଷ୍ୟତ୍‌ରେ ଆର.ଏସ.ଏସ. ଭଳି ଏକ ଶୃଙ୍ଖଳିତ ସଂଗଠନରେ ମତାନୈକ୍ୟର ଆଭାସ ମିଳିପାରେ! ତେବେ, ସେ ଯାହା ହେଉ, ଏହି ବାର୍ତ୍ତାଳାପ ପରେ ‘ଜେନ ଜି’ ବର୍ଗର ଅସଂଖ୍ୟ ସଦସ୍ୟଙ୍କ ସକାଶେ ମୋହନ ଭାଗବତ ଯେ ଜଣେ ପଥ ପ୍ରଦର୍ଶକ ରୂପେ ଆବିର୍ଭୂତ ହୋଇଥିବେ, ଏଥି‌େର ସନ୍ଦେହ ନାହିଁ। ବିଜେପି ମଧ୍ୟ ତାଙ୍କୁ ଜଣେ ଗାର୍ଜନ ଭଳି ମାନ୍ୟ କରୁଥିବାରୁ ‘ସିଜେପି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆଶା ପ୍ରକାଶ କରିଛନ୍ତି ଯେ ଭାଗବତଙ୍କ ବାଣୀର ପ୍ରଭାବରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ଠାରେ ସଦ୍‌ବୁଦ୍ଧି ଉଦୟ ହେବ। ତେବେ, ଅନେକ ବିଶ୍ଳେଷକଙ୍କ ମତରେ ବିବର୍ତ୍ତିତ ମୋହନ ଭାଗବତ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଆଦର୍ଶ, ବାସ୍ତବତା ଓ ବ୍ୟାବହାରିକତା ମଧ୍ୟରେ ସମନ୍ବୟ ସ୍ଥାପନରେ ସଫଳ ହୋଇଛନ୍ତି, ଯଦ୍ଦ୍ବାରା ସଂଘର ଆବେଦନ ଅଧିକ ସୁଦୂରପ୍ରସାରୀ ହେବ, ସଂଗଠନର ଗ୍ରହଣୀୟତା ବୃଦ୍ଧି ପାଇବ ଏବଂ ସଂଘାତ ବଦଳରେ ସହଯୋଗର ରାଜନୀତି ସକାଶେ ବାଟ ଫିଟିବ। କିନ୍ତୁ, ଆଉ ଏକ ଆଶଙ୍କା ହେଲା ଏହା ଫଳରେ ଦଳ ଭିତରେ କଠୋରପନ୍ଥୀ ଓ ମଧ୍ୟମ ମାର୍ଗୀଙ୍କ ମଧ୍ୟରେ ଫାଟଟିଏ ଦିଶିପାରେ! ସେମାନଙ୍କ ମତରେ ଏହି ବାର୍ତ୍ତାଳାପ ଆର.ଏସ.ଏସ. ସକାଶେ ହୋଇପାରେ ଏକ କାଳ ବିଭାଜିକା ସୃଷ୍ଟିର କ୍ଷଣ!
ଗଲା ପ୍ରାୟ ପାଞ୍ଚ ବର୍ଷ ଧରି ମୋହନ ଭାଗବତ ଯେଉଁ ସବୁ ଶିରୋନାମା ମଣ୍ଡନକାରୀ ବକ୍ତବ୍ୟ ଦେଇଛନ୍ତି ବା କାର୍ଯ୍ୟ କରିଛନ୍ତି, ତହିଁରେ ସାଂପ୍ରଦାୟିକ ଔଦାର୍ଯ୍ୟ, ନରମ ହିନ୍ଦୁତ୍ବ ଓ ସହନଶୀଳତା ଆଦି ପ୍ରଦର୍ଶିତ ହୋଇଛି। ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ଯେ ହିନ୍ଦୁ ମୁସଲିମ ନିର୍ବିଶେଷରେ ଭାରତୀୟ ଭୂଖଣ୍ଡର ସମସ୍ତ ଅଧିବାସୀଙ୍କ ଡି.ଏନ.ଏ. ସମାନ, ଯାହାର ଅର୍ଥ ଏହି ଉପମହାଦେଶର ଅସଂଖ୍ୟ ବାସିନ୍ଦା ବିଭିନ୍ନ କାରଣରୁ ଧର୍ମାନ୍ତରିତ ହୋଇଥାଇପାରନ୍ତି, କିନ୍ତୁ ତଦ୍ଦ୍ବାରା ‘ଉତ୍ସା‌ନ୍ତରିତ’ ହୋଇନାହାନ୍ତି; ବା ପ୍ର‌ତ୍ୟେକ ମସଜିଦ ତଳେ ଶିବଲିଙ୍ଗ ଅନ୍ବେଷଣର ଉଦ୍ୟମ ଅନାବଶ୍ୟକ; ଅଥବା, ପାକିସ୍ତାନ ସହିତ ସଂବାଦର ସୁଯୋଗ ସୃଷ୍ଟି ହେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ଗଲା ୨୦୨୨ ମସିହାରେ ସୁଖ୍ୟାତ ମୁସଲିମଙ୍କ ଏକ ଦଳ ମୋହନ ଭାଗବତଙ୍କୁ ସାକ୍ଷାତ କରି ଅତ୍ୟନ୍ତ ସନ୍ତୋଷଜନକ ଅନୁଭୂତି ସହିତ ଫେରିଥିଲେ। ସେହିଭଳି ମୋହନ ଭାଗବତଙ୍କ ଦ୍ବାରା ଦିଲ୍ଲୀର ତାଜସ୍ବିଦୁଲ କୁରାନ’ ମଦ୍ରାସା ପରିଦର୍ଶନ ଜଣେ ଆର.ଏସ.ଏସ. ପ୍ରମୁଖ ଭାବେ ବିରଳ ଶ୍ରେଣୀୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଦ୍ୟ ସମାପ୍ତ ଏହି ବାର୍ତ୍ତାଳାପ କ୍ରମରେ ‘ଏଲ.ଜି.ବି.ଟି.କ୍ୟୁ.’ (ସମଲିଙ୍ଗୀ ଇତ୍ୟାଦି) ବର୍ଗର ସଦସ୍ୟମାନଙ୍କ ପ୍ରତି ତାଙ୍କର ଉଦାର ତଥା ସଂବେଦନଶୀଳ ମନୋଭାବ ସଂଘର ଅନେକ ସଦସ୍ୟଙ୍କ ସକାଶେ ପସ‌ନ୍ଦଯୋଗ୍ୟ ହୋଇ ନ ଥିବ! ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ମିଖାଇଲ ଗୋର୍ବାଚଭଙ୍କ ‘ପେରେଷ୍ଟ୍ରୋଇକା’ ଓ ‘ଗ୍ଲାସନଷ୍ଟ’ ଭଳି ମୋହନ ଭାଗବତଙ୍କ ଆଭିମୁଖ୍ୟରେ କ’ଣ ସଂସ୍କାରର ସୂଚନା ମିଳିଥାଏ? ନା ଏଥିରେ ନିହିତ ଅଛି ଏକ ପଦ୍ଧତି, ଯାହା ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ଆବଶ୍ୟକ ହୋଇଥାଏ?

Book released: ‘ଅମ୍ଳାନ ସୃତି’ ବହିର ଉନ୍ମଚନ

ପ୍ରକାଶ ଥାଉ କି କୌଣସି ନାମୋଲ୍ଲେଖ କରା ନ ଯାଇ, କେବଳ ଇଙ୍ଗିତଧର୍ମୀ ବକ୍ତବ୍ୟ ମାଧ୍ୟମରେ, ମୋହନ ଭାଗବତଙ୍କ ଦ୍ବାରା ‘ଏକମାତ୍ର ନେତାଙ୍କ ମହିମା ଗାନ’ କିମ୍ବା ‘ନେତାଙ୍କ ଅହଙ୍କାର’ ଅଥବା ‘ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନରେ କ୍ଷମତାସୀନ ନେତାଙ୍କ ବିଫଳତା’ ଇତ୍ୟାଦି ଭଳି ବିଷୟର ଅବତାରଣା କରାଯାଉଛି। କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ଏହା ହୋଇପାରେ ଏକ ବିବେଚନାପୂର୍ଣ୍ଣ କୌଶଳର ଅଂଶ, ଯହିଁରେ ନିର୍ଦୟ ନିର୍ବା‌ଚନ ଜିଣା ଯନ୍ତ୍ରରେ ପରିଣତ ହୋଇସାରିଥିବା ବିଜେପି ପ୍ରତି ଜନସାଧାରଣଙ୍କ ମଧ୍ୟରେ ଠୁଳ ହେଉଥିବା ଅସନ୍ତୋଷକୁ ପ୍ରଶମିତ କରିବା ସକାଶେ ମୋହନ ଭାଗବାତ ଜଣେ ମଧ୍ୟସ୍ଥି ରୂପେ ଆବିର୍ଭୂତ ହେଉଛନ୍ତି ମାତ୍ର! ଏହି ତତ୍ତ୍ବକୁ ବୁଝାଇବାକୁ ଯାଇ ସେମାନେ ‘ଜେନ ଜି’ଙ୍କ ଆନ୍ଦୋଳନକୁ ଏକ ଉଦାହରଣ ଭାବେ ଦର୍ଶାନ୍ତି। ସେମାନଙ୍କ ଅନୁସାରେ ‘ଜେନ ଜି’ ଆନ୍ଦୋଳନକାରୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଥିଲା କୌଣସି ‘ଏକଜିଦିଆ ପୁତ୍ର’ ସହିତ ‘କଠୋର ପିତା’ଙ୍କ ଆଚରଣ ସଦୃଶ। ଏଭଳି ସ୍ଥଳେ କୌଣସି ଜଣଙ୍କ ଆଗରେ ଯଦି ଅନ୍ୟ ଜଣେ ଅବନତ ହେବାକୁ ବାଧ୍ୟ ହୁଅନ୍ତି, ତେବେ, ହୁଏତ ସମସ୍ୟା ସମାହିତ ହୋଇଥିବାର ଧାରଣା ଉତ୍ପନ୍ନ ହୁଏ, କିନ୍ତୁ ପ୍ରକୃତରେ କଳହ ସମାପ୍ତ ହୋଇ ନ ପାରେ ଏବଂ ପରିବାରରେ ଉତ୍ତେଜନା ଓ ଅସ୍ବସ୍ତି ଲାଗି ରହିପାରେ! ଏହି ସମୟରେ ଲୋଡ଼ା ଯାଇଥାଏ ଶ୍ରଦ୍ଧାଶୀଳ ପିତାମହଙ୍କୁ, ଯିଏ ସୌହାର୍ଦ୍ଦ୍ୟ ଫେରାଇ ଆଣିବା ଲାଗି ସ୍ନେହ, କୋମଳ ଭର୍ତ୍ସନା, ଆଲୋଚନା-ସମାଲୋଚନା ଆଦି ଦ୍ବାରା ପିତା ଓ ପୁତ୍ରଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରନ୍ତି। ମୋହନ ଭାଗବତ ସେହିଭଳି ଜଣେ ପ୍ରବୁଦ୍ଧ ପିତାମହ ଭଳି ଦିଶନ୍ତି କି? ଏକ ବିଦ୍ବେଷ ସାନ୍ଦ୍ର ପରିବେଶରେ ସହଜତା ଆଣିବା ସକାଶେ ସେ ନିଜକୁ କଳହ ପ୍ରଶମନକାରୀ ଭୂମିକାରେ ଅବତୀର୍ଣ୍ଣ କରାଉଛନ୍ତି କି? ସଂଘର ମୁଖ୍ୟ ରୂପେ ଯଦି ତାଙ୍କୁ ବିଜେପିର ‘ମେଣ୍ଟର’ (ଦିଗ୍‌ଦର୍ଶକ) ବୋଲି ବିଚାର କରାଯାଏ, ତେବେ କହିହେବ କି ଯେ ସେ ତାଙ୍କ ଦାୟିତ୍ବ ନିର୍ବାହ କରୁଛନ୍ତି!

Read Entire Article
LEFT SIDEBAR AD

Hidden in mobile, Best for skyscrapers.