Editorial: ନରାଜ ପ୍ରହେଳିକା

1 hour ago 3
ARTICLE AD BOX

ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକା ମହାନଦୀର ଜଳ ଉପରେ ନିର୍ଭର କରିଥାଏ। ଦ୍ରୁତ ବିସ୍ତାର ଲାଭ କରୁଥିବା କଟକ ଓ ଭୁବନେଶ୍ବରର ଘନ ଜନବସତିମାନ ଏଇ ଜଳ ଉପରେ ନିର୍ଭର କରିଥାନ୍ତି। ଅନୁମାନ କରାଯାଉଥିବା ଭଳି ଡେଟା ସେଣ୍ଟର ଯଦି ଦୈନିକ ୩୦ ନିୟୁତ ଲିଟର ଜଳ ଶୋଷି ନିଏ, ତେବେ ତାହା ଓଡ଼ିଶାକୁ ଏକ ତୃଷାର୍ତ୍ତ ରାଜ୍ୟରେ ପରିଣତ କରିଦେବ। ସରକାର ଓ ସଂପୃକ୍ତ କଂପାନି ତୁରନ୍ତ ଏ ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିବା ଜରୁରି।

ଏଇ ସମ୍ବାଦପତ୍ରର ଭଗିନୀ ପ୍ରକାଶନ ‘ଆମ ଓଡ଼ିଶା’ ସାପ୍ତାହିକ ପତ୍ରିକାର ସଦ୍ୟତମ ସଂଖ୍ୟାରେ ତାଙ୍କର ‘ରାଜଧାନୀ ରାଜନୀତି’ ସ୍ତମ୍ଭରେ ଶ୍ରୀ ନାରଦ ଓଡ଼ିଶାର ଅର୍ଥନୈତିକ ସ୍ବାର୍ଥ ସହିତ ଜଡ଼ିତ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ବାସ୍ତବରେ ସେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କର ଏ ସଂପର୍କିତ ମନ୍ତବ୍ୟକୁ ଉଦ୍ଧାର କରି ଯେଉଁ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି, ତାହା ହେଉଛି ନରାଜଠାରେ ଆଦାନୀ କଂପାନିର ସହଯୋଗରେ ଏକ ବିଶାଳ ଏଆଇ ଡେଟା ସେଣ୍ଟର ପ୍ରତିଷ୍ଠା କରାଯିବା ପାଇଁ ହେଉଥିବା ଉଦ୍ୟମ।
ଉପଲବ୍‌ଧ ସୂଚନା ଅନୁସାରେ ସେଠାରେ ୧.୦୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇ ୨୫୦ ଏକରବ୍ୟାପୀ ଏକ-ଗିଗାୱାଟ କ୍ଷମତାସଂପନ୍ନ ଏକ ଡେଟା ସେଣ୍ଟର ପ୍ରତିଷ୍ଠା କରାଯିବା ପାଇଁ ପ୍ରସ୍ତାବ ରହିଛି। ସେପ୍‌ଟେମ୍ବରରେ ରାଜ୍ୟ ସରକାର ସେଥିପାଇଁ କ୍ଲିଅରାନ୍‌ସ ପ୍ରଦାନ କରିଥିବା ସୂଚନା ପ୍ରକାଶ ପାଇଛି। ଏଇ ପରିସଂଖ୍ୟାନ ନିଶ୍ଚିତ ରୂପେ ପ୍ରଭାବଶାଳୀ ବୋଧ ହୋଇଥାଏ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ ଏବଂ ଅତ୍ୟାଧୁନିକ ଡିଜିଟାଲ ଭିତ୍ତିଭୂମି ଆଦି କ୍ଷେତ୍ରରେ ପୁଞ୍ଜି ନିବେଶକମାନଙ୍କ ପାଇଁ ଓଡ଼ିଶା ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟ ସ୍ଥଳ ବୋଲି ପ୍ରଦର୍ଶିତ କରିବା ନିମିତ୍ତ ରାଜ୍ୟ ସରକାର ଏହାକୁ ଏକ ଶକ୍ତିଶାଳୀ ଉଦାହରଣ ରୂପେ ବ୍ୟବହାର କରିବାକୁ ଚାହିଁବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଏଇ ପ୍ରସ୍ତାବିତ ପ୍ରକଳ୍ପ ପ୍ରତି ଉତ୍ସାହ ପ୍ରଦର୍ଶନ ନିଃସର୍ତ୍ତ ନ ହୋଇ ଯେ ସର୍ତ୍ତମୂଳକ ହେବା ଉଚିତ, ତାହା ଏହାର ସମସ୍ତ ଦିଗକୁ ଯତ୍ନର ସହିତ ଅନୁଶୀଳନ କଲେ ସ୍ପଷ୍ଟ ହୋଇଥାଏ।
ନିଃସନ୍ଦେହରେ ଆଧୁନିକ ଅର୍ଥନୀତି ପାଇଁ ବର୍ତ୍ତମାନ ଡେଟା ସେଣ୍ଟରମାନ ଅପରିହାର୍ଯ୍ୟ ହୋଇସାରିଲେଣି। ବ୍ୟାଙ୍କିଙ୍ଗରୁ ଆରମ୍ଭ କରି ଟେଲିକମ୍ୟୁନିକେସନ୍‌ସ, ଇ-କମର୍ସ, ଡିଜିଟାଲ ପ୍ରଶାସନ, ଏଆଇ, ବିଜ୍ଞାନ ଗବେଷଣା ସମେତ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ସମସ୍ତ କାର୍ଯ୍ୟ ସଂପାଦନରେ ରହିଥାଏ ଡେଟା ସେଣ୍ଟରମାନଙ୍କର ଅପରିହାର୍ଯ୍ୟ ଅବଦାନ। ଆଉ ଏହି ଡେଟା ସେଣ୍ଟରମାନ ଯଦି ସମସ୍ତେ ଦେଶ ବାହାରେ ଅବସ୍ଥିତ ଥାନ୍ତି, ତେବେ ଭାରତ କେବେହେଲେ ଡିଜିଟାଲ ସାର୍ବଭୌମତ୍ବ ହାସଲ କରିବା ସମ୍ଭବ ହୋଇପାରିବ ନାହିଁ। କିନ୍ତୁ ଡେଟା ସେଣ୍ଟରମାନଙ୍କର ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ସତ୍ତ୍ବେ ପୃଥିବୀ ସାରା ଏହାର ସ୍ଥାପନ ଏକ ଅତ୍ୟନ୍ତ ବିବଦମାନ ପ୍ରସଙ୍ଗରେ ପରିଣତ ହେବା ଦେଖାଯିବାରେ ଲାଗିଛି। ଏଗୁଡ଼ିକର ସମ୍ବଳ କ୍ଷୁଧା ଅପ୍ରମିତ ହୋଇଥାଏ- ଏମାନେ କାର୍ଯ୍ୟକ୍ଷମ ହେବା ପାଇଁ ଅପର୍ଯ୍ୟାପ୍ତ ପରିମାଣର ଜଳ ଓ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ କରିଥାନ୍ତି। ଏଥିସହିତ ଅନ୍ୟାନ୍ୟ ସ୍ଥାନୀୟ ଭିତ୍ତିଭୂମି ମଧ୍ୟ ଉପଲବ୍‌ଧ ହେବା ଆବଶ୍ୟକ ହୋଇଥାଏ।
ଏକ ଡେଟା ସେଣ୍ଟର କେ‌ବଳ କେତେଗୁଡ଼ିଏ କମ୍ପ୍ୟୁଟରମାନଙ୍କର ସମାହାର ନୁହେଁ, ଏଠାରେ ଥାଏ ହଜାର ହଜାର ସର୍ଭର, ଷ୍ଟୋରେଜ ସିଷ୍ଟମ, ନେଟୱର୍କିଙ୍ଗ ଉପକରଣମାନ, କୁଲିଙ୍ଗ ବ୍ୟବସ୍ଥା, ବ୍ୟାକଅପ୍ ଜେନେରେଟରମାନ, ଟ୍ରନ୍‌ସଫର୍ମରମାନ, ଏବଂ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା। ଏଆଇ ବିପ୍ଳବ ଏ ସମସ୍ତର ଆବଶ୍ୟକତାକୁ କେବଳ ବହୁଗୁଣିତ କରିଦେଇଛି ଯାହା। ଉନ୍ନତ ଏଆଇ ମଡେଲମାନଙ୍କୁ ତାଲିମ ଦେବା ପାଇଁ ଏବଂ ଚଳାଇବା ପାଇଁ ବିଶାଳ କମ୍ପ୍ୟୁଟିଙ୍ଗ କ୍ଷମତା ଆବଶ୍ୟକ ହୋଇଥାଏ। ୨୦୨୬ରେ ଇଣ୍ଟରନେସନାଲ ଏନର୍ଜି ଏଜେନ୍‌ସି କରିଥିବା ଆକଳନ ଅନୁସାରେ ଏଆଇକୈନ୍ଦ୍ରିକ ଡେଟା ସେଣ୍ଟରମାନଙ୍କରେ ବିଦ୍ୟୁତ୍‌ ଶକ୍ତି ବ୍ୟବହାରରେ ୫୦ ଶତାଂଶ ବୃଦ୍ଧି ଘଟିଥିଲା। ଏହା ଏକ ସାମୟିକ ବୃଦ୍ଧି ନୁହେଁ। ମାନୁଫାକ୍‌ଚରିଙ୍ଗରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା, ଶିକ୍ଷା, ପରିବହନ, ଫାଇନାନ୍‌ସ ଓ ପ୍ରଶାସନ ପର୍ଯ୍ୟନ୍ତରେ ଏଆଇର ବ୍ୟବହାରରେ ଯେତେ ବୃଦ୍ଧି ଘଟିଚାଲିବ, କମ୍ପ୍ୟୁଟିଙ୍ଗ କ୍ଷମତାରେ ସେତେ ତୀକ୍ଷ୍‌ଣ ବୃଦ୍ଧି ଆବଶ୍ୟକ ହେବ।
ଓଡ଼ିଶା ଏଇ ପରିବର୍ତ୍ତନରେ ଅଂଶଗ୍ରହଣ କରିବାରେ ଏଠାରେ ଏକ ଡେଟା ସେଣ୍ଟରର ସ୍ଥାପନ ନିଶ୍ଚିତ ଭାବରେ ସହାୟକ ହେବ। କିନ୍ତୁ ଏଥିସହିତ ଏହା ଆମର ସମ୍ବଳ ପରିସ୍ଥିତି ଉପରେ ସୃଷ୍ଟି କରୁଥିବା ଚାପ ପ୍ରତି ମଧ୍ୟ ଆମେ ସଚେତନ ହେବା ଆବଶ୍ୟକ। ପ୍ରସ୍ତାବିତ ଏକ-ଗିଗାୱାଟ ପ୍ରକଳ୍ପ ଯଦି ନିରବଚ୍ଛିନ୍ନ ଭାବରେ ଏକ ଗିଗାୱାଟ ଶକ୍ତି ଟାଣିଚାଲେ, ତେବେ ଦିନକୁ ଏହା ୨୪ ଗିଗାୱାଟ ଆୱାର ବିଦ୍ୟୁତ୍‌ ଶକ୍ତି ଭକ୍ଷଣ କରିବ, ଯାହା ହେଉଛି ୨.୪ କୋଟି ୟୁନିଟ୍‌ସ ସହିତ ସମାନ। ଏହା ହେଉଛି କେବଳ ମାତ୍ର ଏକ ସମ୍ଭାବ୍ୟ ଚିତ୍ର। ଅନ୍ତିମ ଚିତ୍ର ଅବଶ୍ୟ ନିର୍ଭର କରିବ ଏଇ ପ୍ରକଳ୍ପର ଦକ୍ଷତା ଉପରେ, ଶୀତଳୀକରଣ ପ୍ରବିଧି ଉପରେ ଏବଂ ଏହାର ସଂପ୍ରସାରଣର ବେଗ ଉପରେ। ଡେଟା ସେଣ୍ଟରର ଆଗମନ ଯୋଗୁଁ ରାଜ୍ୟର ପରିବାରମାନେ, କୃଷି, ଶିଳ୍ପ, ବାଣିଜ୍ୟ, ହସ୍‌ପିଟାଲ, ରେଳ ଚଳାଚଳ ଆଦି ଯେପରି ଶକ୍ତି ସଂକଟର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ପୂର୍ବରୁ ଯୋଜନା କରିବାକୁ ଓ ସତର୍କ ରହିବାକୁ ହେବ। ଆଗନ୍ତୁକ କଂପାନି ନିଜର ଶକ୍ତି ଆବଶ୍ୟକତା ପୂରଣ କରିବାକୁ ଯଦି ନିଜର ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରନ୍ତା, ତେବେ ଏଭଳି ସଂକଟର ଆବିର୍ଭାବ ଘଟନ୍ତା ନାହିଁ। ଏବଂ ତାହା ଯଦି ଅକ୍ଷୟ ଶକ୍ତିଭିତ୍ତିକ ହୁଅନ୍ତା, ତେବେ ପରିବେଶ ମଧ୍ୟ ସୁରକ୍ଷିତ ରହନ୍ତା।
ଆମର ଦ୍ବିତୀୟ ଚିନ୍ତାର କାରଣ ହେଉଛି- ଜଳ। ମହାନଦୀର ଜଳପ୍ରବାହକୁ ଦୃଷ୍ଟିରେ ରଖି ନରାଜଠାରେ ଏଇ ଡେଟା ସେଣ୍ଟରର ସ୍ଥାପନା ପରିକଳ୍ପନା କରାଯାଇଛି। ମହାନଦୀର ଜଳ କେବଳ ଶିଳ୍ପରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ, ରାଜ୍ୟର ବିସ୍ତୃତ ଅଞ୍ଚଳରେ ପାନୀୟ ଜଳ ଯୋଗଣରୁ ଆରମ୍ଭ କରି କୃଷି, ନୌ-ପରିବହନ, ମତ୍ସ୍ୟଚାଷ ଆଦିକୁ ଆବଶ୍ୟକ ଜଳ ଯୋଗାଇ ମହାନଦୀ ରାଜ୍ୟର ଜୀବନରେଖା ରୂପେ କାର୍ଯ୍ୟ କରିଥାଏ। ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକା ମହାନଦୀର ଜଳ ଉପରେ ନିର୍ଭର କରିଥାଏ। ଦ୍ରୁତ ବିସ୍ତାର ଲାଭ କରୁଥିବା କଟକ ଓ ଭୁବନେଶ୍ବରର ଘନ ଜନବସତିମାନ ଏଇ ଜଳ ଉପରେ ନିର୍ଭର କରିଥାନ୍ତି। ଅନୁମାନ କରାଯାଉଥିବା ଭଳି ଡେଟା ସେଣ୍ଟର ଯଦି ଦୈନିକ ୩୦ ନିୟୁତ ଲିଟର ଜଳ ଶୋଷି ନିଏ, ତେବେ ତାହା ଓଡ଼ିଶାକୁ ଏକ ତୃଷାର୍ତ୍ତ ରାଜ୍ୟରେ ପରିଣତ କରିଦେବ। ସରକାର ଓ ସଂପୃକ୍ତ କଂପାନି ତୁରନ୍ତ ଏ ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିବା ଜରୁରି।
ଡେଟା ସେଣ୍ଟରମାନଙ୍କ ବିରୁଦ୍ଧରେ ହେଉଥିବା ଏକ ମୁଖ୍ୟ ‌ଅଭିଯୋଗ ହେଲା, ନିର୍ମାଣ ସମାପ୍ତ ହେବା ପରେ ଏହାକୁ ଚଳାଇବା ପାଇଁ ସର୍ବନିମ୍ନ ଲୋକଶକ୍ତି ଆବଶ୍ୟକ ‌େହାଇଥାଏ। ତେଣୁ ବିପୁଳ ପୁଞ୍ଜି ନିବେଶ ସତ୍ତ୍ବେ ଏଥିଯୋଗୁଁ ରାଜ୍ୟରେ ନଗଣ୍ୟ ପରିମାଣରେ ସିଧାସଳଖ ନିଯୁକ୍ତି ସୃଷ୍ଟି ହେବ। ଡେଟା ସେଣ୍ଟର ନିର୍ମାଣ ପୂର୍ବରୁ ସରକାର ଏ ସମସ୍ତ ଚିନ୍ତା ଉଦ୍ରେକକାରୀ ପ୍ରସଙ୍ଗମାନଙ୍କ ସଂପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରି ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିବେ ବୋଲି ଆଶା କରାଯାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.