ARTICLE AD BOX
ଭାସ୍କର ପରିଚ୍ଛା
ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ସୃଷ୍ଟି ହୋଇଥିବା ବନ୍ୟା ଓଡ଼ିଶା ପାଇଁ ଏକ ବଡ଼ ଚେତାବନୀ। ତାତ୍କାଳିକ ଦୃଷ୍ଟିକୋଣରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିଶ୍ଚିତ ଭାବେ ଜରୁରି। କିନ୍ତୁ ବନ୍ୟାର ବ୍ୟାପକତା ଯୋଗୁଁ ଆମକୁ ଅନେକ ଅସହଜ ପ୍ରଶ୍ନର ସାମନା କରିବା ପାଇଁ ହେଉଛି। ସବୁଠାରୁ ବଡ଼ ପ୍ରଶ୍ନ ଅତି ପ୍ରବଳ ବର୍ଷା, ନଦୀରେ ବନ୍ୟା ଜଳ ପ୍ରବାହ ଏବଂ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ ଆମର କେତେଦୂର ପ୍ରସ୍ତୁତି ଥିଲା?
ଏବେ ପ୍ରାଥମିକତା ହେଉଛି ଜୀବନଯାତ୍ରାକୁ ସ୍ୱାଭାବିକ କରିବା। ଏହି ଆକସ୍ମିକ ବନ୍ୟା ଦ୍ବାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଘରଦ୍ୱାର ଓ ଚାଷ ଜମି ଜଳମଗ୍ନ ହୋଇଛି। ରାସ୍ତାଘାଟ ନଷ୍ଟ ହୋଇଛି ଏବଂ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଚାଷୀ, ଦିନମଜୁରିଆ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ବନ୍ୟାର କରାଳ ଚେହେରା ଯଦି କିଛି ଇଙ୍ଗିତ ଦେଉଛି, ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ଏଠାର ଲୋକମାନଙ୍କ ଜୀବନକୁ ସ୍ୱାଭାବିକ କରିବା ପାଇଁ ଦୀର୍ଘ ସମୟ ଲାଗିବ।
ତେବେ, ସରକାରଙ୍କ ସାମନାରେ ଥିବା ଆହ୍ୱାନ କେବଳ ରିଲିଫ ଓ ଥଇଥାନରେ ସୀମିତ ରହିବା ଉଚିତ ନୁହେଁ। ବନ୍ୟା କାହିଁକି ହେଲା, ଏହାର ପ୍ରଭାବ ଏତେ ବ୍ୟାପକ କାହିଁକି ହେଲା ଏବଂ ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର କ୍ଷତି କିପରି ହ୍ରାସ କରାଯାଇ ପାରିବ, ତାହାର ଉତ୍ତର ଖୋଜିବାକୁ ପଡ଼ିବ।
ଅର୍ଣ୍ଣବ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଏହା ପ୍ରମାଣ କରିଛି ଯେ ଅନ୍ୟ କୌଣସି ରାଜ୍ୟରେ ବା ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁ ନ ଥିଲେ ମଧ୍ୟ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ। ବାତ୍ୟା ସହ ଜଡ଼ିତ ପାଣିପାଗ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅସ୍ୱାଭାବିକ ଭାବେ ପ୍ରବଳ ବର୍ଷା ହୋଇଥିଲା। ଗଞ୍ଜାମର ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିଲିମିଟର ଏବଂ ସୋରଡ଼ାରେ ୫୦୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସାନଖେମୁଣ୍ଡିରେ ୩୮୮ ମିଲିମିଟର ଓ ଚିକିଟିରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା।
ନିଶ୍ଚିତ ଭାବରେ ଏହା ସାଧାରଣ ବର୍ଷା ନ ଥିଲା। ଏତେ ପରିମାଣର ବର୍ଷା ନଦୀ, ନାଳ ଓ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଅସାଧାରଣ ଚାପ ସୃଷ୍ଟି କରିଥିଲା। ପାହାଡ଼ିଆ ଅଞ୍ଚଳରୁ ବହୁ ପରିମାଣର ଜଳ ନଦୀଗୁଡ଼ିକରେ ପ୍ରବେଶ କରିଥିଲା।
ଋଷିକୁଲ୍ୟା ଓ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇବା ପଛରେ କେବଳ ଗଞ୍ଜାମରେ ହୋଇଥିବା ବର୍ଷା ଦାୟୀ ନ ଥିଲା। କନ୍ଧମାଳ ଓ ଗଜପତି ଭଳି ଉପରମୁଣ୍ଡ ଅଞ୍ଚଳରେ ହୋଇଥିବା ବର୍ଷାର ପ୍ରଭାବ ମଧ୍ୟ ତଳମୁଣ୍ଡରେ ଅନୁଭୂତ ହୋଇଥିଲା। ପୁରୁଷୋତ୍ତମପୁର ନିକଟରେ ଋଷିକୁଲ୍ୟା ନଦୀ ବିପଦ ସଙ୍କେତ ଅତିକ୍ରମ କରିଥିଲା। ତେଣେ ବଂଶଧାରା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରକୁ ଉଠିଥିଲା।
ବର୍ତ୍ତମାନ ଏହା ସ୍ପଷ୍ଟ ଯେ ପୁରୁଷୋତ୍ତମପୁର ନିକଟରେ ନଦୀବନ୍ଧ ଭାଙ୍ଗିଯିବା ଫଳରେ ବନ୍ୟାର ପ୍ରଭାବ ଆହୁରି ବଢ଼ିଥିଲା। ଜଳଭଣ୍ଡାରର ମାଟି ଭିତରେ ପୂର୍ବରୁ ଅତ୍ୟଧିକ ଜଳ ରହିଥିବାରୁ ନୂଆ ବର୍ଷାଜଳ ଆଉ ମାଟି ଭିତରକୁ ଶୋଷି ହୋଇପାରି ନ ଥିଲା। ଏହା ସହିତ ଗାଁ ଓ ସହର ଚାରିପଟେ ଥିବା ନାଳ, ଜଳ ନିଷ୍କାସନ ମାର୍ଗ ଓ ନଦୀର ପ୍ରବାହ କ୍ଷମତା ଉପରେ ଚାପ ବଢ଼ିଥିଲା।
ମନ୍ଥନ
ଗଞ୍ଜାମ ବନ୍ୟା ଜଳଭଣ୍ଡାର ପରିଚାଳନା ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। ବାଘଲାଟି ଜଳଭଣ୍ଡାର ଓ ବାହୁଦା ନଦୀର ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ହଠାତ୍ ବଢ଼ିଯାଇଥିଲା। ବାତ୍ୟା ପୂର୍ବରୁ ଜଳଭଣ୍ଡାରରେ ଆବଶ୍ୟକ ସ୍ଥାନ ରଖିବା ପାଇଁ ପାଣି ଛଡ଼ାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅତ୍ୟଧିକ ଜଳପ୍ରବାହ ଯୋଗୁଁ ଜଳଭଣ୍ଡାରର ଗେଟ୍ ଖୋଲି ଅଧିକ ପାଣି ଛାଡ଼ିବାକୁ ପଡ଼ିଥିଲା।
ଏଠାରେ ମୁଖ୍ୟ ପ୍ରଶ୍ନ ହେଉଛି, ବର୍ଷାର ପୂର୍ବାନୁମାନ, ଜଳଭଣ୍ଡାରର ପରିଚାଳନା ଏବଂ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଆଗୁଆ ସତର୍କ ସୂଚନା ଦେବା ଏସବୁ ଭିତରେ ଉପଯୁକ୍ତ ସମନ୍ୱୟ ରହିଥିଲା କି? କେବଳ ଜଳଭଣ୍ଡାରରୁ ପାଣି ଆସିବା ବନ୍ୟାର ଏକମାତ୍ର କାରଣ ବୋଲି କହିବା ଠିକ୍ ହେବ ନାହିଁ। ଜଳଭଣ୍ଡାରରେ ଜଳର ପ୍ରବେଶ, ସଂରକ୍ଷିତ ଜଳର ପରିମାଣ, ପାଣି ଛାଡ଼ିବାର ସମୟ ଓ ପରିମାଣ ଏବଂ ତଳମୁଣ୍ଡର ନଦୀର ଜଳଧାରଣ କ୍ଷମତାର ବୈଜ୍ଞାନିକ ଅନୁଧ୍ୟାନ ନିଶ୍ଚିତ ଆବଶ୍ୟକ। ସ୍ପଷ୍ଟ ଭାବରେ, ଏସବୁ ହୋଇ ନ ଥିଲା।
ଜଳଭଣ୍ଡାରକୁ କେବଳ ଜଳ ସଂରକ୍ଷଣର ସ୍ଥଳ ଭାବେ ନ ଦେଖି ବନ୍ୟା ନିୟନ୍ତ୍ରଣର ଏକ ବଡ଼ ମାଧ୍ୟମ ଭାବେ ଦେଖିବାକୁ ପଡ଼ିବ। ଜଳଭଣ୍ଡାରରେ କେତେ ପାଣି ରହିବ, କେତେ ପାଣି ଛଡ଼ାଯିବ ଏବଂ କେଉଁ ସମୟରେ ଛଡ଼ାଯିବ, ତାହା କେବଳ ନିୟମିତ ପରିଚାଳନା ବା ‘ଏସ.ଓ.ପି.’ ଉପରେ ନିର୍ଭର ନକରି ବର୍ଷାର ପୂର୍ବାନୁମାନ, ଉପରମୁଣ୍ଡର ଜଳପ୍ରବାହ ଓ ତଳମୁଣ୍ଡର ନଦୀର କ୍ଷମତାକୁ ଆଧାର କରି ନିର୍ଦ୍ଧାରଣ କରାଯିବା ଉଚିତ। ଜଳଭଣ୍ଡାର ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ଏହା କରନ୍ତି କି ନା ତାହା କହିବା କଷ୍ଟ।
ଯେଉଁଠି ଜଳଭଣ୍ଡାରର ନିର୍ମାଣ କ୍ଷମତା ଓ ପରିଚାଳନା ନିୟମ ଅନୁମତି ଦିଏ, ସେଠାରେ ଅତିବର୍ଷା ସମୟରେ ବନ୍ୟା ଜଳ ଧାରଣ ପାଇଁ ଆବଶ୍ୟକ ସ୍ଥାନ ରଖିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଜଳ ସମ୍ପଦ ବିଭାଗ, ଜଳ ଭଣ୍ଡାର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଏବଂ ସମନ୍ୱୟ ଅତ୍ୟନ୍ତ ଜରୁରି। ସମ୍ଭବତଃ, ଗଞ୍ଜାମରେ ଏହା ହୋଇ ନ ଥିଲା।
ଏହି ବନ୍ୟାର ଆଉ ଏକ ବଡ଼ ଶିକ୍ଷା ହେଉଛି ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥାର ଗୁରୁତ୍ୱ। ଜଳାଶୟ, ଆର୍ଦ୍ରଭୂମି, କେନାଲ ଓ ନଦୀର ବନ୍ୟା ଭୂମି କୌଣସି ଅବ୍ୟବହୃତ ବା ପଦର ଜମି ନୁହେଁ। ଅତିରିକ୍ତ ବର୍ଷା ଜଳକୁ ଧାରଣ ଓ ନିଷ୍କାସନ କରିବାରେ ଏଗୁଡ଼ିକର ଗୁରୁତ୍ୱ ଅତ୍ୟଧିକ।
କେନାଲ ମୁଣ୍ଡ ଜବରଦଖଲ, ଅନିୟନ୍ତ୍ରିତ ଗୃହ ନିର୍ମାଣ ଏବଂ ଜଳ ନିଷ୍କାସନ ମାର୍ଗର ସଂକୋଚନ ଯୋଗୁଁ ରାଜ୍ୟର ଅନେକ ଗାଁରେ ଓ ସହରରେ ବର୍ଷା ଜଳ ନିଷ୍କାସନ କ୍ଷମତା ହ୍ରାସ ପାଇଛି। ଏବେ ଅନ୍ତତଃ ସରକାର ଜିଲ୍ଲା ସ୍ତରରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରି ଅବରୋଧ ହୋଇଥିବା ଜଳପଥଗୁଡ଼ିକୁ ଚିହ୍ନଟ କରିବା ସହ ସେଗୁଡ଼ିକର ପୁନରୁଦ୍ଧାର କରିବା ଆବଶ୍ୟକ। ଗଞ୍ଜାମ ଆମକୁ ଏହି ଶିକ୍ଷା ଦେଇଛି।
ଠିକ୍ ସେହିପରି ନଦୀବନ୍ଧଗୁଡ଼ିକର ନିୟମିତ ବୈଷୟିକ ଯାଞ୍ଚ ହେବା ଦରକାର। ଦୁର୍ବଳ ସ୍ଥାନଗୁଡ଼ିକୁ ମଜବୁତ କରିବା, ଭାଙ୍ଗି ଯାଇଥିବା ବନ୍ଧର ମରାମତି ଓ ନଦୀତଟ ସୁରକ୍ଷାକୁ ଏକ ନିରନ୍ତର କାର୍ଯ୍ୟକ୍ରମର ଅଂଶ କରିବାକୁ ପଡ଼ିବ। ତିରିଶ-ଚାଳିଶି ବର୍ଷ ତଳେ ଯେଉଁମାନେ ଯନ୍ତ୍ରୀ ଥିଲେ ଏସବୁକୁ ନିଷ୍ଠାର ସହ କରୁଥିଲେ।
ଗଞ୍ଜାମରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତା ହେଉଛି ଜୀବନକୁ ପୁଣି ଥରେ ଗଢ଼ିବା। ଘରଭଙ୍ଗା, ଫସଲ ନଷ୍ଟ ଓ ସମ୍ପତ୍ତି କ୍ଷତିର ଆକଳନ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରାଯାଇ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯିବା ଆବଶ୍ୟକ।
ଚାଷୀମାନଙ୍କୁ ନୂଆ ଚାଷ ପାଇଁ ବିହନ, କୃଷି ଉପକରଣ ଓ ଋଣ ସହାୟତା ଯୋଗାଇ ଦେବାକୁ ପଡ଼ିବ। କ୍ଷୁଦ୍ର ବ୍ୟବସାୟୀ, କାରିଗର ଓ ମତ୍ସ୍ୟଜୀବୀଙ୍କ ପାଇଁ ଜୀବିକା ପୁନରୁଦ୍ଧାର ପ୍ୟାକେଜ ଆବଶ୍ୟକ। ନଷ୍ଟ ହୋଇଥିବା ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଓ ବିଦ୍ୟୁତ୍ ସଂଯୋଗର ପୁନରୁଦ୍ଧାରକୁ ପ୍ରାଥମିକତା ଦିଆଯିବା ଉଚିତ।
୧୯୯୯ର ମହାବାତ୍ୟା, ଫାଇଲିନ, ଫନି ଓ ପରବର୍ତ୍ତୀ ବାତ୍ୟାଗୁଡ଼ିକର ଅଭିଜ୍ଞତାରୁ ଉଦ୍ଧାର, ଆଶ୍ରୟ ଓ ଜନସାଧାରଣଙ୍କୁ ସ୍ଥାନାନ୍ତର କ୍ଷେତ୍ରରେ ଓଡ଼ିଶା ଅନେକ ଉନ୍ନତି କରିଛି। କିନ୍ତୁ ଗଞ୍ଜାମର ବନ୍ୟା ଦେଖାଇ ଦେଇଛି ଯେ ବିପର୍ଯ୍ୟୟ ପ୍ରସ୍ତୁତି କେବଳ ବାତ୍ୟା ଆଶ୍ରୟସ୍ଥଳ ଓ ଲୋକଙ୍କ ସ୍ଥାନାନ୍ତରରେ ସୀମିତ ରହିପାରିବ ନାହିଁ। ଏମିତି ତ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକ ଅକାମି ହୋଇପଡ଼ିଛି।
ବର୍ତ୍ତମାନ କଥା ହେଉଛି ପାଣିପାଗ ବିଭାଗର ପୂର୍ବାନୁମାନ ସହ ନଦୀ ଅବବାହିକାର ଜଳସ୍ତର ଓ ଜଳଭଣ୍ଡାରର ସ୍ଥିତିକୁ ଯୋଡ଼ି ଏକ ସମନ୍ୱିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କିଭଳି ପ୍ରସ୍ତୁତ କରାଯିବ। ଉପର ମୁଣ୍ଡରେ ଅତି ମାତ୍ରାରେ ବର୍ଷା ହେଲେ ତଳମୁଣ୍ଡର ଗାଁଗୁଡ଼ିକୁ ତୁରନ୍ତ ସତର୍କ କରାଯିବା ଆବଶ୍ୟକ। ସ୍ୱୟଂଚାଳିତ ନଦୀ ଜଳସ୍ତର ମାପକ, ଜଳଭଣ୍ଡାରର ‘ରିଏଲ ଟାଇମ’ ତଥ୍ୟ, ଉପଗ୍ରହ ଆଧାରିତ ବନ୍ୟା ମ୍ୟାପିଂ ଏବଂ ଗ୍ରାମସ୍ତରୀୟ ସତର୍କସୂଚନା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ପଡ଼ିବ। ବିଜ୍ଞାନ ସବୁ ବ୍ୟବସ୍ଥା କରିଛି, ମଣିଷ ତାକୁ କାମରେ ଲଗାଇ ପାରିଲେ ହେଲା!
ଗଞ୍ଜାମ ବନ୍ୟାର କାରଣ ଓ ପ୍ରଭାବ ସମ୍ପର୍କରେ ଏକ ସ୍ୱାଧୀନ ବୈଷୟିକ ଅନୁଧ୍ୟାନ ହେବା ଆବଶ୍ୟକ। ବର୍ଷାର ପରିମାଣ, ନଦୀର ଜଳପ୍ରବାହ, ଜଳଭଣ୍ଡାର ପରିଚାଳନା, ନଦୀବନ୍ଧର ସ୍ଥିତି ଓ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତିକୁ ଏହାର ପରିସରଭୁକ୍ତ କରାଯିବା ଦରକାର। ଏହି ଅନୁଧ୍ୟାନର ରିପୋର୍ଟ ସାର୍ବଜନୀନ କରାଯାଇ ତାହାର ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ।
ସରକାର ଏକ ଦୀର୍ଘକାଳୀନ ‘ଗଞ୍ଜାମ ବନ୍ୟା ପୁନର୍ବାସ ମିସନ’ ଗଠନ କରିବା ବିଷୟ ଚିନ୍ତା କରିପାରନ୍ତି। ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ, କୃଷି ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ସାମିଲ ହେବା ଦରକାର। ନଦୀ ଅବବାହିକାର ସମନ୍ୱିତ ଯୋଜନା, ଜଳଭଣ୍ଡାରର ଦକ୍ଷ ପରିଚାଳନା, ଜଳ ନିଷ୍କାସନ ବ୍ୟବସ୍ଥାର ପୁନରୁଦ୍ଧାର, ଭିତ୍ତିଭୂମିର ସୁରକ୍ଷା ଓ ଜୀବିକା ସଂରକ୍ଷଣ ଏହାର ପ୍ରମୁଖ ଲକ୍ଷ୍ୟ ହେବା ଦରକାର।
ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ। ଅତିବର୍ଷାର ପ୍ରତ୍ୟେକଟି ଘଟଣାକୁ ମଧ୍ୟ ନିର୍ଭୁଲ୍ ଭାବେ ପୂର୍ବାନୁମାନ କରିବା କଷ୍ଟକର। କିନ୍ତୁ ବୈଜ୍ଞାନିକ ଯୋଜନା, ପ୍ରଶାସନିକ ସମନ୍ୱୟ ଓ ସମୟୋଚିତ ପଦକ୍ଷେପ ଦ୍ୱାରା ମାନବୀୟ କ୍ଷତିକୁ ନିଶ୍ଚିତ ଭାବେ କମାଯାଇ ପାରିବ।
ଗଞ୍ଜାମକୁ କେବଳ ବନ୍ୟାରେ ନଷ୍ଟ ହୋଇଥିବା ଭିତ୍ତିଭୂମିର ପୁନର୍ନିର୍ମାଣରେ ସୀମିତ ରଖିବା ଉଚିତ ନୁହେଁ। ଆଗାମୀ ଦିନରେ ଏଭଳି ଅତିବର୍ଷା ଓ ବନ୍ୟାର ସାମ୍ନା କରିବା ପାଇଁ ଏହାର ଗାଁ, ସହର, ଭିତ୍ତିଭୂମି ଓ ଅର୍ଥନୀତିକୁ ଅଧିକ ସକ୍ଷମ କରିବାକୁ ପଡ଼ିବ। ବିପର୍ଯ୍ୟୟ ପରିଚାଳନାର ପ୍ରକୃତ ସଫଳତା କେବଳ କେତେ ଶୀଘ୍ର ଉଦ୍ଧାର କାର୍ଯ୍ୟ କରାଗଲା ସେଥିରେ ନାହିଁ। ପରବର୍ତ୍ତୀ ବିପର୍ଯ୍ୟୟ ଆସିବା ପୂର୍ବରୁ ଲୋକଙ୍କ ଜୀବନ ଓ ଜୀବିକାକୁ କେତେ ସୁରକ୍ଷିତ କରାଯାଇ ପାରିଛି, ତାହା ହିଁ ବନ୍ୟା ପରିଚାଳନାର ପ୍ରକୃତ ମାପକାଠି ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୫୦୮୫୯୨

56 minutes ago
2


