ARTICLE AD BOX
ଦୋଛକିରେ ମଣିଷ ଓ ହାତୀ
ଜିତଶତ୍ରୁ ମହାନ୍ତି
ଆଜିର ସ୍ୱରୁପରେ ବିଦ୍ୟମାନ ଗଜରାଜର ଆବିର୍ଭାବ ପ୍ରାୟ ଏକ କୋଟି ବର୍ଷ ପୂର୍ବେ ହୋଇଥିବାବେଳେ ମାନବର ସୃଷ୍ଟି ତିନି ଲକ୍ଷ ବର୍ଷ ତଳର। ଉଭୟଙ୍କର ଆଗମନ ଆଫ୍ରିକା ଭୂଖଣ୍ଡରୁ ହୋଇଥିଲା। ପରବର୍ତ୍ତୀ ସମୟରେ ଇଉରୋପ, ଏସିଆ ଓ ଆମେରିକୀୟ ମହାଦେଶକୁ ବିସ୍ତାରିତ ହେଲା। ସମ୍ପ୍ରତି ମନୁଷ୍ୟ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବାବେଳେ ଏହି ବୃହତ୍କାୟ ବଣୁଆ ଜୀବ ମାତ୍ର ୩୭ଟି ଆଫ୍ରିକୀୟ ଓ ୧୩ଟି ଏସୀୟ ଦେଶରେ ସଂକୁଚିତ। ଘଟଣା ଚକ୍ରରେ ଅଧିକାଂଶ ହାତୀ ବିଲୁପ୍ତ। ଅନେକ ଆଗରୁ ୪୨ ଜାତି ଓ ୧୭୫ ପ୍ରଜାତିର ହାତୀ ଥିଲେ। କିନ୍ତୁ ବର୍ତ୍ତମାନ କେବଳ ଦୁଇ ଜାତିର ତିନି ପ୍ରଜାତି ଅଛନ୍ତି।
ମାନବ ସଭ୍ୟତା ପ୍ରାରମ୍ଭରୁ ଉଭୟ ଜୀବର ପରିସଂଖ୍ୟାନ ବିପରୀତଗାମୀ। ଗତ ଶତାଦ୍ଧୀରେ ବିଶ୍ୱ ଜନସଂଖ୍ୟା ୧୬୦ କୋଟିରୁ ବଢ଼ି ୬୦୦ କୋଟି ହୋଇଥିବାବେଳେ ହାତୀ ସଂଖ୍ୟା ୫୦ ଲକ୍ଷରୁ ୫ ଲକ୍ଷକୁ ହ୍ରାସ ପାଇଥିଲା। ୧୯୭୦ ଓ ୮୦ ଦଶକ ଘୋର ଦୁର୍ଦ୍ଦିନ ଅବଧି ଥିଲା, ଯେଉଁ ସମୟରେ ଦାନ୍ତ ପାଇଁ ଅବାଧ ଶିକାର ଯୋଗୁଁ ହାତୀ ସଂଖ୍ୟା ଆଶାତୀତ ଭାବେ ୧୪ ଲକ୍ଷରୁ ୬ ଲକ୍ଷକୁ କମି ଯାଇଥିଲା। ଏସୀୟ ଅଣ୍ଡିରା ଦନ୍ତା ତୁଳନାରେ ଆଫ୍ରିକୀୟ ଉଭୟ ମାଈ ଓ ଅଣ୍ଡିରା ଦାନ୍ତଯୁକ୍ତ ହୋଇଥିବାରୁ ପ୍ରବଳ ମାତ୍ରାରେ ପ୍ରାଣ ହରାଇଥିଲେ। ଏହି ଧ୍ୱଂସର ଧାରାରେ ବ୍ୟଥିତ ଓ ବିଚଳିତ ବିଶ୍ୱ ସଂରକ୍ଷଣ ପ୍ରୟାସ ଆରମ୍ଭ କରିବାରୁ ଆଜି ଧରାପୃଷ୍ଠରେ ସାଢ଼େ ଚାରି ଲକ୍ଷରୁ ଅଧିକ ହାତୀ ବଞ୍ଚିଛନ୍ତି। ତନ୍ମମଧ୍ୟରେ ଆଫ୍ରିକୀୟ ୪ରୁ ୪.୧୫ ଲକ୍ଷ ଓ ଏସୀୟ ୪୦ରୁ ୫୦ ହଜାର। କିନ୍ତୁ ସଂକଟ ସମାପ୍ତ ହୋଇ ନାହିଁ। ୧୯୮୬ ମସିହାରୁ ଏ ପର୍ଯ୍ୟନ୍ତ ହାତୀ ବିପନ୍ନ ଶ୍ରେଣୀରେ ଅଛି।
ଆହୁରି ପଢ଼ନ୍ତୁ- Chhattisgarh: ଖାଲିଥିବା ମୋଟ ୧,୬୫୪ଟି ଶିକ୍ଷକ ପଦବି ହେବ ପୂରଣ
ଭାରତରେ ସ୍ଥିତି ମଧ୍ୟ ସେହିପରି। ଗତ ଦୁଇ ଦଶନ୍ଧି ଧରି ଏମାନଙ୍କ ସଂଖ୍ୟା ୨୫ରୁ ୩୦ ହଜାର ମଧ୍ୟରେ ରହିଆସୁଥିଲା। ଗତ ବର୍ଷ ଡିଏନ୍ଏ ଗଣନା ପଦ୍ଧତି ଫଳାଫଳରୁ ଆମ ଦେଶରେ ୨୨,୪୪୬ଟି ହାତୀ ଥିବାର ଆକଳନ କରାଯାଇଛି। ବହୁ ବର୍ଷ ଧରି ଓଡ଼ିଶାରେ ଏହି ସଂଖ୍ୟା ପ୍ରାୟ ଦୁଇ ହଜାର ରହୁଥିଲା କିନ୍ତୁ ଉପରୋକ୍ତ ବିବରଣୀ ଅନୁସାରେ ଏହା ଅଧାରୁ କମ୍, ମାତ୍ର ୯୧୨କୁ ଖସି ଆସିଛି।
ସଂଖ୍ୟାରେ କ୍ରମାଗତ ଅବନତିର କାରଣ ଅନେକ ଓ ଅଞ୍ଚଳଭିତ୍ତିକ। କ୍ଷୟପ୍ରାପ୍ତ, ବିଖଣ୍ଡିତ ଓ ବିପର୍ଯ୍ୟସ୍ତ ବାସସ୍ଥଳୀ, ହାତୀ-ମଣିଷ ବିବାଦ, ଦାନ୍ତ ଚୋରା ଚାଲାଣ ଜନିତ ଶିକାର, ସଡ଼କ ଓ ରେଳ ଦୁର୍ଘଟଣା ଏବଂ ବିଦ୍ୟୁତ୍ଘାତ ଇତ୍ୟାଦି ଏଥିପାଇଁ ମୁଖ୍ୟତଃ ଦାୟୀ। ଶିକାର ଯୋଗୁଁ ସର୍ବାଧିକ ଆଫ୍ରିକୀୟ ହାତୀଙ୍କର ପ୍ରାଣହାନୀ ଘଟୁଥିବାବେଳେ ଅଧିକାଂଶ ଏସୀୟ ହାତୀଙ୍କର ମଣିଷ ସହିତ ସଂଘାତ ଯୋଗୁଁ ମୃତ୍ୟୁ ହେଉଛି।
ହାତୀ ଓ ମଣିଷ ମଧ୍ୟରେ ଭୂଅଞ୍ଚଳର ଉପଯୋଗକୁ ନେଇ ଛକାପଞ୍ଝା ଚାଲିଛି। ଜନଅଧିକୃତ ଇଲାକାରେ ହାତୀର ଅବାଞ୍ଛିତ ଅହରହ ଅନୁପ୍ରବେଶ ଏବଂ ଲୋକମାନଙ୍କର ଆତ୍ମସ୍ୱାର୍ଥୀ ଆଧିପତ୍ୟ ବିସ୍ତାରରୁ ଏହି ବିବାଦର ସୂତ୍ରପାତ। ଏହା କ୍ରମଶଃ ଅଣାୟତ୍ତ ହୋଇ ଲଢ଼େଇରେ ପରିଣତ ହୋଇଛି। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ୧୬ ବର୍ଷର ଘଟଣାବଳୀର ବିଶ୍ଳେଷଣରୁ ଜଣାପଡ଼ିଥାଏ ଯେ ବାର୍ଷିକ ୪୯୨ ହାରରେ ମୋଟ ୭୮୬୮ ଲୋକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି, ଯାହାର ୭୦ ପ୍ରତିଶତ ଚାରିଟି ରାଜ୍ୟ ଯଥା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମରେ ଘଟିଛି। ଉକ୍ତ ଅବଧିରେ ମନୁଷ୍ୟକୃତ କାରଣରୁ ବର୍ଷକୁ ୧୦୩ ହିସାବରେ ୧୬୫୩ଟି ହାତୀ ମରିଛନ୍ତି। ଏଥିରୁ ବିଦ୍ୟୁତ୍ ଆଘାତରେ ୧୧୦୫, ରେଳ ଧକ୍କାରେ ୨୨୫ ଓ ଶିକାର ଯୋଗୁଁ ୨୧୪ ହାତୀର ପ୍ରାଣନାଶ ପ୍ରମୁଖ। ପାଞ୍ଚଗୁଣ ଅଧିକ ଲୋକ ମରିବା ସହିତ ଘରଦ୍ୱାର ଧ୍ୱଂସ ଓ ଫସଲ ନଷ୍ଟ ଜନ ଆକ୍ରୋଶକୁ ତୀବ୍ର କରୁଛି।
ଆହୁରି ପଢ଼ନ୍ତୁ- ବିଶ୍ବ ୨୦ବର୍ଷରୁ କମ୍ ଦୌଡ଼କୁଦ ଉଦ୍ଯାପିତ : ୩ ପଦକ ସହ ୨୭ତମ ସ୍ଥାନରେ ଭାରତ
୧୪୯୫ ମଣିଷ ଓ ୩୪୫ ହାତୀ ମୃତ୍ୟୁ ସହ ଓଡ଼ିଶା ସର୍ବଭାରତୀୟ ତାଲିକାର ଶୀର୍ଷରେ ଅଛି। ଗତ ଦଶ ବର୍ଷ (୨୦୧୫-୧୬ରୁ ୨୦୨୪-୨୫)ରେ ହାତୀ ୧୭,୧୮୨ ଘର ଭାଙ୍ଗିଛି ଏବଂ ୪.୦୪ ଲକ୍ଷ ଚାଷୀଙ୍କର ୧.୩୪ ଲକ୍ଷ ଏକର ଫସଲ ନଷ୍ଟ କରିଛି। ବର୍ଷକୁ ପ୍ରାୟ ୪୦ ହଜାରରୁ ଅଧିକ ଚାଷୀ ଓ ୧୭୦୦ରୁ ଅଧିକ ଘରମାଲିକ କ୍ଷତିଗ୍ରସ୍ତ ହୋଇଛନ୍ତି। କେରଳ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରାଖଣ୍ଡ ଭଳି ହାତୀବହୁଳ ରାଜ୍ୟ ତୁଳନାରେ ଓଡ଼ିଶାରେ ଅପେକ୍ଷାକୃତ କମ୍ ସଂଖ୍ୟକ ହାତୀ ଥାଇ ମଧ୍ୟ ନଷ୍ଟଭ୍ରଷ୍ଟର ପରିମାଣ ବହୁଗୁଣ, ଯାହା ଆମ ଜଙ୍ଗଲର ଗୁଣାବତ୍ତା ଓ ପରିଚାଳନା ନେଇ ମନରେ ସଂଶୟ ସୃଷ୍ଟି କରିଥାଏ। ବ୍ୟାପକ ବିଭାଗୀୟ ବୈଷୟିକ ପଦକ୍ଷେପ ସହିତ ଜନସଚେତନା ଓ ସହଭାଗିତା ପାଇଁ ବାରମ୍ବାର ପ୍ରୟାସ ସତ୍ତ୍ବେ ଅଶାନୁରୂପ ଉପଶମ ମିଳିପାରୁ ନାହିଁ।
ହାତୀ ଓ ମଣିଷର ସମ୍ପର୍କ ବର୍ତ୍ତମାନ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ପୂର୍ବର ମାନବୀୟ ସହନଶୀଳ ଓ ସୌହାର୍ଦପୂର୍ଣ୍ଣ ମନୋଭାବ ଏବେ ଅଶାନ୍ତ, ଅସ୍ଥିର ଓ ଅସହିଷ୍ଣୁ। ତ୍ୱରିତ କାର୍ଯ୍ୟନୁଷ୍ଠାନ, ଶୂନ୍ୟ ମୃତ୍ୟୁ, ସର୍ବନିମ୍ନ କ୍ଷୟକ୍ଷତି, ଅନୁପ୍ରବେଶ ବନ୍ଦ, ତାଣ୍ଡବକାରୀ ହାତୀର ସୁଦୂର ସ୍ଥାନାନ୍ତର, ପର୍ଯ୍ୟାପ୍ତ କ୍ଷତିପୂରଣ ଓ ସର୍ବୋପରି ଜଙ୍ଗଲରେ ଆବଦ୍ଧୀକରଣ ଲୋକମାନଙ୍କର ଦାବି। ଅନୁକମ୍ପା ବଦଳରେ ପ୍ରକୃତ କ୍ଷତିପୂରଣ ଜନ ଆକ୍ରୋଶକୁ ପ୍ରଶମିତ କରିବାର ଏକ ସହଜ ଓ ସଫଳ ଉପାୟ। ଭୌଗୋଳିକ ଭିନ୍ନତା, ସାମାଜିକ ବିବିଧତା ଓ ଅର୍ଥନୈତିକ ତାରତମ୍ୟ ଭିତ୍ତିରେ ସ୍ଥାନୀୟ ଏପରିକି ପ୍ରଭାବିତ ଗ୍ରାମସ୍ତରୀୟ ପଦକ୍ଷେପ ବେଶ୍ ଉପଯୋଗୀ। ଉନ୍ନୟନ ଯୋଜନା ପ୍ରସ୍ତୁତିରେ ସଂରକ୍ଷଣ ସହାୟକ ନିର୍ମାଣକୁ ଅଗ୍ରାଧିକାର ଓ ଜୀବନ-ଜୀବିକା ସୁରକ୍ଷିତ ସଂଶ୍ଳିଷ୍ଟ କାର୍ଯ୍ୟଶୈଳୀକୁ ପ୍ରାଧାନ୍ୟ ପ୍ରଦାନ ଏକାନ୍ତ କାମ୍ୟ। ହାତୀ ସହିତ ଭୂଅଞ୍ଚଳର ମିଳିତ ବ୍ୟବହାର ପାଇଁ ମଣିଷର ମାନସିକ ପ୍ରସ୍ତୁତି ନିହାତି ଜରୁରି। ସମସ୍ତ ସାମ୍ପ୍ରତିକ ଓ ସାମ୍ଭବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବନ୍ୟପ୍ରାଣୀ ସଂସ୍ଥା ଅଞ୍ଚଳଭିତ୍ତିକ ଆଶୁ, ସ୍ୱଳ୍ପ ଓ ଦୀର୍ଘମିଆଦି କାର୍ଯ୍ୟ ଖସଡ଼ା ସମ୍ବଳିତ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ଆକ୍ଷରିକ ଓ ଆନ୍ତରିକ ଅନୁପାଳନ ସମାଧାନର ସମ୍ଭାବନାକୁ ବଢ଼ାଇବ ବୋଲି ଆଶା ଅଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩
ଅଧିକ ଦେଖନ୍ତୁ-

1 hour ago
2


