Editorial: ଦେଶୀ-ବିଦେଶୀ

1 hour ago 1
ARTICLE AD BOX

ଇଂରେଜୀ ଭାରତୀୟମାନଙ୍କ ପାଇଁ ଏକ ସୀମାହୀନ ସମ୍ଭାବନାର ଦୁନିଆ ଉନ୍ମୁକ୍ତ କରିଛି। ତାକୁ ଏକ ବିଦେଶୀ ଭାଷା ରୂପେ ହତାଦର କରି ଏଇ ଦୁନିଆକୁ ସଂକୁଚିତ କରା ନ ଯାଉ।

ଭାରତରେ ଇଂରେଜୀକୁ ଆଉ ଏକ ବିଦେଶୀ ଭାଷା ରୂପେ ବିଚାର କରାଯାଇ ପାରିବ କି? ଗତ ଗୁରୁବାର ଦିନ ‘ସିବିଏସ୍‌ଇ’ ଦ୍ବାରା ‘ନେସନାଲ ଏଜୁକେସନ୍ ପଲିସି’ (‘ଏନ୍‌ଇପି’)ର ଅଂଶ ସ୍ବରୂପ କାର୍ଯ୍ୟକାରୀ ହେବାକୁ ଯାଉଥିବା ତ୍ରି-ଭାଷୀ ଫର୍ମୁଲା ବିରୋଧରେ ଆଗତ ଆବେଦନର ଶୁଣାଣି ଅବସରରେ ସୁପ୍ରିମ୍ କୋର୍ଟ ପଚାରିଥିବା ଏଇ ପ୍ରଶ୍ନ ଯେଉଁ ଏକ ବିତର୍କର ସୂତ୍ରପାତ କରିଛି, ତାହା ସେଇ ତାତ୍‌କାଳିକ ମାମଲାର ସରହଦକୁ ଅତିକ୍ରମ କରି ଏକ ସୁଦୂରପ୍ରସାରୀ ତାତ୍ପର୍ଯ୍ୟ ବହନ କରିଥାଏ। ସର୍ବୋଚ୍ଚ ଅଦାଲତ ଏଇ ପ୍ରଶ୍ନ ପଚାରିବା ବେଳେ ସ୍ପଷ୍ଟ କରି ଦେଇଛନ୍ତି ଯେ ଭାରତୀୟ ସମାଜରେ ‘‘ଇଂରେଜୀ ଭାଷା ‌େଯଉଁଭଳି ଗଭୀର ଚେର ବିସ୍ତାର କରିଛି’’, ସେଇ ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ମାନ୍ୟବର ଅଦାଲତ ମଧ୍ୟ ଏହାର ସାଂବିଧାନିକତା ପରୀକ୍ଷା କରାଯିବା ଆବଶ୍ୟକ ବୋଲି ମନ୍ତବ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ଏଠାରେ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ସୁପ୍ରିମ୍ କୋର୍ଟ ତାଙ୍କର ବକ୍ତବ୍ୟରେ କେଉଁଠି ହେଲେ ଇଂରେଜୀକୁ ଭାରତର ଏକ ସ୍ବଦେଶୀ ଭାଷା ରୂପେ ଘୋଷଣା କରି ନାହାନ୍ତି।
ଭାରତରେ ତା’ହେଲେ ଇଂରେଜୀର ପରିଚୟ କ’ଣ? ଏଇ ପ୍ରଶ୍ନର ଉତ୍ତର ସ୍ବାଭାବିକ ଭାବରେ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଉପରେ ନିର୍ଭର କରିବା କଥା: ଇଂରେଜୀର ଉତ୍ପତ୍ତିସ୍ଥଳ କେଉଁଠି? ଏହାର ଉତ୍ତର ସମସ୍ତଙ୍କୁ ଜଣା- ଏଇ ଭାଷାର ଜନ୍ମସ୍ଥାନ ହେଉଛି ଇଂଲାଣ୍ଡ୍ ଓ ଔପନିବେଶିକ ଶାସକମାନଙ୍କ ସହିତ ଏହା ଆସି ଭାରତରେ ପହଞ୍ଚିଥିଲା। କିନ୍ତୁ ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ମନ୍ତବ୍ୟର ମର୍ମ ହେଲା, ଇଂରେଜୀର ଏ ଦେଶରେ ସୁଦୀର୍ଘ ରହଣି ପରେ ବର୍ତ୍ତମାନ ଏ ମୂଳ-ଅନୁସନ୍ଧାନକାରୀ ପ୍ରଶ୍ନ ଆଉ ପ୍ରାସଙ୍ଗିକ ହୋଇ ନାହିଁ; ବର୍ତ୍ତମାନ ଯେଉଁ ପ୍ରଶ୍ନ ହେଉଛି ପ୍ରାସଙ୍ଗିକ, ତାହା ହେଉଛି: ଭାରତ ଏ ଭାଷାର କିଭଳି ଦଶା ଘଟାଇଛି?

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଏ ପ୍ରଶ୍ନର ସର୍ବଜନବିଦିତ ଉତ୍ତର ଯେତିକି ବିସ୍ମୟଜନକ ସେତିକି ପ୍ରତିଶୋଧମୂଳକ: ଭାରତ ଏଇ ଭାଷାକୁ ଏଭଳି ଦଖଲ କରି ନେଇଛି ଯେ ଏହାର ବହିରାଗତ ପରିଚୟ ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇ ଇଂରେଜୀ ଏବେ ଏକ ଭାରତୀୟ ଭାଷାରେ ପରିଣତ ହୋଇସାରିଛି। ସ୍ବାଧୀନୋତ୍ତର ଭାରତରେ ପ୍ରଶାସନରୁ ଶିକ୍ଷାଦାନ ପର୍ଯ୍ୟନ୍ତ, ନ୍ୟାୟ ପାଳନରୁ ବ୍ୟବସାୟ ପର୍ଯ୍ୟନ୍ତ, ଗବେଷଣାରୁ ଗଣମାଧ୍ୟମ, ସାହିତ୍ୟ ପର୍ଯ୍ୟନ୍ତ ଓ ସାର୍ବଜନୀନ କ୍ଷେତ୍ରରେ ଭାବର ଆଦାନପ୍ରଦାନ ପର୍ଯ୍ୟନ୍ତ ଏମିତି କୌଣସି ଇଲାକା ନାହିଁ ଯେଉଁଠି ବ୍ୟବହୃତ ଭାଷା ସଂପୂର୍ଣ୍ଣ କିମ୍ବା ଆଂଶିକ ରୂପେ ଇଂରେଜୀ ହୋଇ ନ ଥାଏ।
ଏହା ବୋଧହୁଏ ହେଉଛି ଏକ ଭାଷାର ଇତିହାସର ସର୍ବାଧିକ ଚମକପ୍ରଦ ମୋଡ଼। ଉପନିବେଶ ସ୍ଥାପନକାରୀମାନଙ୍କର ଉଦ୍ଦେଶ୍ୟ ସାଧନରେ ଆୟୁଧ ରୂପେ ଏକ ଉପନିବେଶରେ ପ୍ରବେଶ କରିଥିବା ଏକ ଭାଷା କ୍ରମେ ସେଠାକାର ଅଧିବାସୀଙ୍କର ଅକ୍ତିଆରକୁ ଚାଲିଯାଏ ଓ ସେମାନେ ତାକୁ ନିଜର କାର୍ଯ୍ୟ ସାଧନରେ ନିୟୋଜିତ କରିବା ସଙ୍ଗେ ସଙ୍ଗେ ତା’ର ଚରିତ୍ରରେ ଏଭଳି ରୂପାୟନ ଘଟାନ୍ତି ଯେ, ସେ ଭାଷା ତା’ର ମୂଳ ପରିଚୟ ପରିତ୍ୟାଗ କରି ସଂପୃକ୍ତ ସମାଜ‌ର ଭାଷାରେ ପରିଣତ ହୋଇଯାଏ। ଭାରତରେ ଇଂରେଜୀର ତାହା ହିଁ ଘଟିଛି। ଅଞ୍ଚଳ-ଭିତ୍ତିରେ ଏଠାରେ ଯେଉଁ ଇଂରେଜୀ ଭାଷା ବ୍ୟବହୃତ ହୋଇଥାଏ, ତାହାକୁ ଅନେକ ସମୟରେ ଇଂଲିସ୍ ନାମରେ ଅଭିହିତ ନ କରି ‘ହିଙ୍ଗ୍‌ଲିସ୍’, ‘ବଙ୍ଗ୍‌ଲିସ୍’, ‘ଓଙ୍ଗ୍‌ଲିସ୍’, ‘ଟାଙ୍ଗ୍‌ଲିସ୍’ ଆଦି ରୂପେ ଆଖ୍ୟାୟିତ କରାଯିବା ଦେଖାଯାଇଥାଏ।
ଏହା ବାଦ୍ ଏଠାରେ ଅନେକ ମୂଳ ଇଂରେଜୀ ଶବ୍ଦମାନଙ୍କର କ୍ରମବିବର୍ତ୍ତନ ଘଟି ସେଗୁଡ଼ିକ ଭାରତରେ ଯେଉଁ ନୂତନ ଅର୍ଥ ବହନ କରୁଛନ୍ତି, ଇଂଲାଣ୍ଡ୍ ବା ଆମେରିକାର ଲୋକମାନେ ତା’ର କୂଳ କିନାରା ପାଇବେ ନାହିଁ, ଯେମିତି- ‘ରିଭର୍ଟ’, ‘ଟ୍ରାଏଲ ରୁମ୍’, ‘ବ୍ୟାଚ୍‌ମେଟ୍‌’, ‘ଆଉଟ୍‌ ଅଫ ଷ୍ଟେସନ୍’, ‘କଜିନ୍ ବ୍ରଦର’ କିମ୍ବା ‘ଟାଇମ୍‌ପାସ୍’ ଇତ୍ୟାଦି। ଏଇ ସୁଦୀର୍ଘ ତାଲିକା ଅନ୍ତର୍ଗତ ଆଉ କେତେକ ଉଦାହରଣ: ‘ପାସ୍ ଆଉଟ୍’, ‘ଏକ୍‌ସପାୟାର୍’, ‘ପିକ୍‌ଚର୍’, ‘ଡାଉଟ୍’, ‘କପି’, ‘ସିଫ୍‌ଟ’, ‘ଗୁଡ୍‌ନେମ୍’, ‘ବଙ୍କ୍’...। ଅାମେ ଏଇ ନିତ୍ୟ ବ୍ୟବହୃତ ଶବ୍ଦଗୁଡ଼ିକୁ ଯେଉଁ ଭାବ ପ୍ରକାଶ ପାଇଁ ବ୍ୟବହାର କରିଥାଉ, ଉପରୋକ୍ତ ଦେଶମାନଙ୍କରେ ତାହା ସେଭଳି ଅର୍ଥ ବହନ କରି ନ ଥାଏ। ଏହାର ଅଧିକ ବ୍ୟାଖ୍ୟାନ ସଂପୂର୍ଣ୍ଣ ଅନାବଶ୍ୟକ ହୋଇଥିଲେ ହେଁ, ଗୋଟିଏ ଦୁଇଟି ଉଦାହରଣ ପ୍ରଦାନ କରିବା ବୋଧହୁଏ ଅସମୀଚୀନ ହେବ ନାହିଁ: ଏଠାରେ ‘କପି’, ‘ଟ୍ରାଏଲ ରୁମ୍’, ‘ପାସ୍‌ ଆଉଟ୍’ ଯଥାକ୍ରମେ ‘ଖାତା’, ‘ପୋଷାକ ପରଖିବା କୋଠରି’, ‘ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା’ ବୁଝାଉଥିବା ବେଳେ ସେଠାରେ ଏହା ବୁଝାଇଥାଏ ‘ନକଲ’, ‘ଅଦାଲତରେ ମାମଲା ଶୁଣାଣି ସ୍ଥଳୀ’ ଓ ‘ଚେତା ହରାଇବା’। ଏଥିସହିତ ‘ପ୍ରିପୋନ୍’ରୁ ‘‌ରିଡ୍ରେସାଲ୍’ ପର୍ଯ୍ୟନ୍ତ ଭଳି ଏଠାରେ ଉଦ୍ଭାବିତ ହୋଇଥିବା ଅନେକ ଶବ୍ଦ ଇଂରେଜୀ ଅଭିଧାନରେ ଧସେଇ ପଶିବାରେ ଲାଗିଛନ୍ତି।

Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି

ଭାଷା ଗବେଷକମାନେ ଏ ସବୁକୁ ଆଉ ଭାଷାର ବିକୃତି ରୂପେ ନ ଦେଖି ଏହାକୁ ଭାଷାର ସ୍ବାଭାବିକ ବିବର୍ତ୍ତନ ଧାରାର ଅଂଶ ରୂ‌େପ ବିଚାର କରୁଛନ୍ତି। ସେମାନେ ଜାଣନ୍ତି ଯେ ବିଶୁଦ୍ଧତା ନୁହେଁ, ବ୍ୟବହାର ହିଁ ଏକ ଭାଷାକୁ ବଞ୍ଚାଇ ରଖିଥାଏ। ଖୋଦ୍ ଇଂରେଜୀ ହେଉଛି ଏହାର ଏକ ପ୍ରକୃଷ୍ଟ ଉଦାହରଣ, ଯିଏ ତା’ର ଇତିହାସ ସାରା ଲାଟିନ୍, ଗ୍ରୀକ୍, ଫରାସୀ, ସଂସ୍କୃତ, ହିନ୍ଦୀ ଆଦି ଭାଷାମାନଙ୍କରୁ ବିନା ଦ୍ବିଧାରେ ଶବ୍ଦମାନ ଆହରଣ କରିଛି। ଉଦାହରଣ ସ୍ବରୂପ ‘ଅବତାର’, ‘ଗୁରୁ’, ‘ପଣ୍ଡିତ’, ‘ମନ୍ତ୍ର’ ଆଦି ଓ ଆହୁରି ଅନେକ ଏଇଭଳି ସଂସ୍କୃତ ଶବ୍ଦ ସାବଲୀଳ ଭାବରେ କେବେଠାରୁ ଇଂରେଜୀ ଭାଷାର ଅଂଶ ପାଲଟି ସାରିଛନ୍ତି। ଇଂରେଜୀ ତେଣୁ ନିଜର କ୍ରମରୂପାନ୍ତର ଘଟାଇ ଏକ ଭାରତୀୟ ଭାଷାରେ ପରିଣତ ହୋଇଯିବାରେ କୌଣସି ଅସ୍ବାଭାବିକତା ନାହିଁ। ଅପର ପକ୍ଷେ ଏକ ମଧୁର ବିଡ଼ମ୍ବନା ସଦୃଶ ଭାରତ ଭଳି ଏକ ଭାଷାଗତ ବିବିଧତାପୂର୍ଣ୍ଣ ଦେଶରେ ଭାବବିନିମୟ ଓ ଯୋଗାଯୋଗ ସ୍ଥାପନର ଏକ ସାଧାରଣ ମାଧ୍ୟମ ରୂପେ କାର୍ଯ୍ୟ କରି ଇଂରେଜୀ ଯେ ଜାତୀୟ ସଂହତି ପ୍ରତିଷ୍ଠା କରିବା ଓ ତାହାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଚାଲିଛି, ତାହାର ଘୋର ବିରୋଧୀମାନେ ମଧ୍ୟ ଏହା ସ୍ବୀକାର କରିବେ।
ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ଅନ୍ୟ ଭାରତୀୟ ଭାଷାମାନଙ୍କ ତୁଳନାରେ ଇଂରେଜୀ ଏକ ବିଶେଷ ଅଗ୍ରାଧିକାର ଲାଭ କରିବା ପାଇଁ ହକ୍‌ଦାର। ବରଂ ଏହାର ବିପରୀତ ନୀତି ହେଉଛି ଯଥାର୍ଥ। ଗବେଷଣାରୁ ସାବ୍ୟସ୍ତ ହୋଇଛି ଯେ ଅାଦ୍ୟ ବାଲ୍ୟକାଳରେ ମାତୃଭାଷାରେ ଶିକ୍ଷାଦାନ ସର୍ବାଧିକ ଫଳପ୍ରଦ ହୋଇଥାଏ। ଏଠାରେ ଯାହା ହେଉଛି ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଇଂରେଜୀ ଉପରେ ଏକ ବିଦେଶୀ ମୋହର ଲଗାଇ ତା’ ପ୍ରତି ଏକ ବୈମାତୃକ ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ତାକୁ ଏକ ସର୍ବଭାରତୀୟ ଭାଷା ରୂପେ ସ୍ବୀକାର କରି ତାକୁ ଅନ୍ୟ ଭାଷାମାନଙ୍କ ସହିତ ଏକ ଭଗିନୀ ଭାଷା ରୂପେ ସହାବସ୍ଥାନ କରିବାକୁ ଦିଆଯିବା ଜରୁରି।
ଆଜି ଯଦି ପ୍ରବାସୀ ଭାରତୀୟମାନେ ବିଶାଳ ସଂଖ୍ୟାରେ ପୃଥିବୀର ସର୍ବତ୍ର ବିଭିନ୍ନ କ୍ଷେତ୍ରରେ ଆସ୍ଥାନ ଜମାଇବାରେ ଲାଗିଛନ୍ତି, ଇଂରେଜୀ ଭାଷାର ସେଥିରେ ଏକ ବିଶେଷ ଅବଦାନ ରହିଛି। ବିଚକ୍ଷଣ ଦାର୍ଶନିକ ଲୁଡ୍‌ୱିଗ୍ ୱିଟ୍‌ଗେନ୍‌ଷ୍ଟାଇନ୍ ତାଙ୍କର ୧୯୨୧ର ପ୍ରସିଦ୍ଧ ରଚନା ‘ଟ୍ରାକ୍ଟାଟସ୍ ଲଜିକୋ ଫିଲୋସଫିକସ୍’ରେ ଘୋଷଣା କରିଥିଲେ: ‘‘ମୋ ଭାଷାର ସୀମିତତା ମୋ ଦୁନିଆକୁ ସୀମିତ କରିଥାଏ।’’ ଇଂରେଜୀ ଭାରତୀୟମାନଙ୍କ ପାଇଁ ଏକ ସୀମାହୀନ ସମ୍ଭାବନାର ଦୁନିଆ ଉନ୍ମୁକ୍ତ କରିଛି। ତାକୁ ଏକ ବିଦେଶୀ ଭାଷା ରୂପେ ହତାଦର କରି ଏଇ ଦୁନିଆକୁ ସଂକୁଚିତ କରା ନ ଯାଉ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.