ARTICLE AD BOX
ପୁରୀ: ମା’ଙ୍କୁ ହତ୍ୟାକରି ରୋଷେଇଘରେ ପ୍ଲାଷ୍ଟର୍ କରି ପୁଅ ଫେରାର ହୋଇଯିବା ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ପୁରୀ ପୁଲିସ ଗୁରୁତ୍ୱର ସହ ନେଇ ଅଭିଯୁକ୍ତ ପୁଅ ମଦନକୁ ଧରିବା ପାଇଁ ତଦନ୍ତକୁ ଜୋର୍ଦାର କରିଛି। ଗୃହମାଲିକଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଆଜି ବୃଦ୍ଧାଙ୍କ ମୃତଦେହର ବ୍ୟବଚ୍ଛେଦ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ମୃତଦେହ ମିଳିଥିବା ଭଡ଼ାଘରକୁ ପୁଲିସ ସିଲ୍ କରିବା ସହ ସୁରକ୍ଷା ପାଇଁ ସେଠାରେ ଜଣେ ଗୃହରକ୍ଷୀଙ୍କୁ ମୁତୟନ କରିଛି। ଅନ୍ୟପକ୍ଷରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଛୁରି, ବାସନକୁସନ ସମେତ ବିଭିନ୍ନ ସାମଗ୍ରୀ ଓ ନମୁନା ଜବତ କରିଛି। ବୃଦ୍ଧାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ। ମୃତଦେହ ନେବା ପାଇଁ ମଧ୍ୟ କୌଣସି ଦାବିଦାର ଆସି ନାହାନ୍ତି।
ନିୟମ ଅନୁଯାୟୀ ମୃତଦେହକୁ ଆସନ୍ତା ୯୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖାଯିବ। ଏପଟେ ହତ୍ୟା ଅଭିଯୁକ୍ତ ମଦନକୁ ଧରିବା ପାଇଁ ପୁରୀ ପୁଲିସର ଏକ ଟିମ୍ ପାରଳାଖେମୁଣ୍ଡି ପୁଲିସର ସହାୟତା ନେଇ ଖୋଜାଖୋଜି ଚଳାଇଛି। ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତର ପ୍ରକୃତ ପରିଚୟ ଓ ଠିକଣା ଜାଣିବା ପାଇଁ ପୁଲିସ ତା’ର ମୋବାଇଲ୍ ଫୋନ୍କୁ ଟ୍ରାକ୍ କରୁଛି। ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ, ତାହା ଏବେ ପୁଲିସ ପାଇଁ ବଡ଼ ପ୍ରଶ୍ନ ହୋଇଛି। ମା ଓ ପୁଅଙ୍କ ମଧ୍ୟରେ ପ୍ରକୃତରେ କ’ଣ ସମ୍ପର୍କ ଥିଲା, ହତ୍ୟା ପୂର୍ବରୁ କୌଣସି ବିବାଦ ହୋଇଥିଲା କି, ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି କି, ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି। ସୋମବାର ରାତିରେ ପୁଲିସ ୪ ଘଣ୍ଟାର ପରିଶ୍ରମ କରି ପ୍ଲାଷ୍ଟର୍ ତାଡ଼ି ବୃଦ୍ଧାଙ୍କ ଶବ ଜବତ କରିଥିଲା। ବୃଦ୍ଧା ତାଙ୍କ ଜିଭ କାମୁଡ଼ି ଦେଇଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ପୁଲିସ କହିଛି। ପୁଲିସ ଏହି ତଥ୍ୟ ଆଧାରରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

1 hour ago
2


