Editorial: ଗଣତନ୍ତ୍ରର ହାଲ୍‌: ମୋବାଇଲ ଫୋନ ବଳୟରେ ଶୈଶବ

1 hour ago 1
ARTICLE AD BOX

ସୁଧାଂଶୁ ଷଡ଼ଙ୍ଗୀ

ଛୋଟ ପିଲାଟି ଅବାଧ୍ୟ ହେଲା। ବାପା-ମା’ ମୋବାଇଲ ଫୋନରେ ୟୁ-ଟ୍ୟୁବ ଚଲେଇ ଧରେଇଦେଲେ। କାନ୍ଦ ବନ୍ଦ। ପିଲାଟି ୟୁ-ଟ୍ୟୁବ ଦେଖିବ। ଆଙ୍ଗୁଠିରେ ନିର୍ଦ୍ଦେଶ ଦେଲେ ଗୋଟିଏ ଭିଡିଓ ସରିଲେ ଆଉ ଗୋଟିଏ ଆସିବ। ଆଲଗୋରିଦମ ଜାଣିଛି, ପିଲାଟି କ’ଣ ଦେଖିବାକୁ ଭଲପାଏ। ଦେଖୁ ଦେଖୁ ଖାଇବ ଓ ଶେଷରେ ଶୋଇଯିବ। ଆଉ ପିଲାକୁ ଭୁଲେଇବା ପାଇଁ ଚଢ଼େଇ ଦେଖେଇବା ଦରକାର ନାହିଁ। ପୌରାଣିକ କାହାଣୀ, ଆଈ-ମା’ ଗପ, ବୁଢ଼ୀ ଅସୁରୁଣୀର ଫରୁଆ ବିଷୟରେ ସେ ଶୁଣିବନି। କେହି ତାକୁ ଭୂତ, ବାୟା କି ପୋଲିସର ଭୟ ଦେଖାଇବା ଦରକାର ନାହିଁ। ମୋବାଇଲ ଫୋନ ପିଲାର ବାପା-ମା’, ଅଜା-ଆଈ, ଶିକ୍ଷକ, ବନ୍ଧୁ ଓ ଜୀବନ। ନୂଆ ପ୍ରକାରର ଶୈଶବ।

Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ

ଜନ୍ମର ପାଞ୍ଚ ବର୍ଷ ମଧ୍ୟରେ ଆମ ମସ୍ତିଷ୍କର ୯୫ ପ୍ରତିଶତ ବିକଶିତ ହୋଇଯାଏ। ବାକି ୫ ପ୍ରତିଶତ ବିକଶିତ ହେବାକୁ ଲାଗିଯାଏ ପରବର୍ତ୍ତୀ କୋଡ଼ିଏ ବର୍ଷ। ଏହି ପାଞ୍ଚ ପ୍ରତିଶତ ହେଲା ମସ୍ତିଷ୍କର ସମ୍ମୁଖ ଭାଗ ଯାହା ଆମକୁ ଆତ୍ମସଂଯମ ଶିଖାଏ। ଏହି ପ୍ରକ୍ରିୟାଟି ଅତି ମନ୍ଥର। ଛୋଟ ପିଲାଟିଏ ସେଥିପାଇଁ ନିଆଁରେ ହାତ ଭର୍ତ୍ତି କରିଦେଇପାରେ। ସବୁ ଅଭିଭାବକ ଏହା ଜାଣନ୍ତି ଓ ସତର୍କତା ଅବଲମ୍ବନ କରନ୍ତି। ଏହି ବୟସରେ ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ଖେଳରୁ ଶିଖେ। ପ୍ରାୟ ଛ’ ପ୍ରକାରର ଖେଳ ଖେଳାଯାଏ। ଉଚ୍ଚତା- ଯେମିତି ଗଛ ଚଢ଼ିବା, ଉପରକୁ ଚଢ଼ି ତଳକୁ ଖସଡ଼ାରେ ଖସିବା; ଗତି- ଦୌଡ଼ିବା, ଚକାଚକା ଭଉଁରି ଖେଳିବା; ଖେଳନା- ପଥର, ବାଲି, ବାଡ଼ି, କଣ୍ଢେଇ ଇତ୍ୟାଦି ଧରି ଖେଳିବା; ଡରିବାରୁ ମଜା ନେବା- ବାଣ, ରାମଦୋଳି; ଲଢ଼େଇ- ମିଛିମିଛିକା କୁସ୍ତି; ହଜିଯିବା- ଲୁଚକାଳି ଖେଳ। ପିଲା ଜନ୍ମ ହେଲାବେଳେ କେବଳ ଗୋଟିଏ କଥା ଜାଣିଥାଏ, କାନ୍ଦିବା। ବାକି ସବୁ ଶିଖିବାକୁ ପଡ଼େ। ମା’ କୋଳରେ ଶିଶୁ ନିଜକୁ ସୁରକ୍ଷିତ ମନେକରେ। ତା’ପରେ ବାପା, ଭାଇ-ଭଉଣୀ, ସମ୍ପର୍କୀୟଙ୍କୁ ଚିହ୍ନେ। ଧୀରେ ଧୀରେ ଏହି ସୁରକ୍ଷିତ ବଳୟରୁ ବାହାରି ସମାଜକୁ ଜାଣେ ଓ ଜୀବନ ପାଇଁ ଆବଶ୍ୟକ କୌଶଳ ଶିଖିଯାଏ। ଏହା ଶାରୀରିକ ଓ ମାନସିକ ବିକାଶର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ଆମେ ଜିତିବା-ହାରିବା, କଟି-ମିଟି, ଚାଲିବା-ଦୌଡ଼ିବା, ଡେଇଁବା ଶିଖୁ; ଆତ୍ମ-ପ୍ରତ୍ୟୟ ଲାଭ କରୁ। 
ଦୁଇଟି ସମାନ୍ତରାଳ ଧାରା ଶିଶୁର ବିକାଶରେ ପ୍ରତିବନ୍ଧକ ସାଜିଛି। ପ୍ରଥମ, ପିଲାଙ୍କ ସୁରକ୍ଷା କଡ଼ାକଡ଼ି କରିବାର ନିଶା। ଘରେ ଗୋଟିଏ-ଦୁଇଟି ପିଲା। ସମସ୍ତେ ଜଗିଛନ୍ତି। ପିଲାକୁ ସାହି-ପଡ଼ିଶାରେ ଖେଳିବାକୁ ଯିବାକୁ ଛଡ଼ା ଯାଏନି, ଏହି ଭୟରେ ଯେ କାଳେ କ’ଣ ଅଘଟଣ ଘଟିବ। ପିଲା ଖେଳିଲେ ବି ବୟସ୍କ ଓ ଜାଣିବା ଲୋକଙ୍କ ତତ୍ତ୍ବାବଧାନରେ। ଏପରିକି ଖରା ଛୁଟିରେ ମାମୁ ଘରକୁ ବି ଯିବନି। ସ୍କୁଲ ଗଲେ, ଯନ୍ତାରେ ନେଇ ଗାଡ଼ି ସ୍କୁଲ ଦୁଆରେ ଛାଡୁଚି। ଅପରପକ୍ଷେ ମୋବାଇଲ ଫୋନ, ଲାପଟପ, ସ୍ମାର୍ଟ କ୍ଲାସରୁମ ସହ ପିଲାଦିନ କଟୁଛି। ଶିଶୁ କାଚ ପରି ଭଙ୍ଗୁର ନୁହେଁ ଯେ ପଡ଼ିଗଲେ ଭାଙ୍ଗିଯିବ। ସେ ନରମ, ନମନୀୟ ଓ ନିଷ୍କପଟ। ଆଜି କଟି ହେଲେ, କାଲି ମିଟି ହେଇଯିବ। ମନରେ କିଛି ଛଳ-କପଟ ରଖିବ ନାହିଁ। ଅଭିଭାବକ ନଥିଲେ, ଅଜଣା ଲୋକ ମଧ୍ୟ ଶିଶୁକୁ ସୁରକ୍ଷିତ ରଖିବେ। ଏହି ବୟସରେ ବିନା ତଦାରଖରେ ଖେଳିବା, ଅନ୍ୟମାନଙ୍କ ସଙ୍ଗେ ମିଶିବା, ଅଜଣା ଜାଗାକୁ ଯିବା ପିଲାଙ୍କୁ ଭବିଷ୍ୟତରେ ଆତ୍ମନିର୍ଭର କରେ। ମୋବାଇଲ ଫୋନ ବଳୟରେ ଶୈଶବ ଏକ ନୂଆ ପ୍ରକରଣ; ସ୍ୱାଭାବିକ ବା ସମୁଚିତ ନୁହେଁ।
୯୫ ପ୍ରତିଶତ ପିଲା ଏବେ ସାମାଜିକ ଗଣମାଧ୍ୟମରେ। ତାଙ୍କ ଭିତରୁ ଏକ-ତୃତୀୟାଂଶ ସବୁବେଳେ ମୋବାଇଲ ଫୋନ ବା କମ୍ପ୍ୟୁଟରକୁ ଚାହିଁ ରହିଛନ୍ତି। ଦିନରେ ତିନିରୁ ଆଠ ଘଣ୍ଟା ସେମାନେ ସାମାଜିକ ଗଣମାଧ୍ୟମରେ। ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ସେମାନଙ୍କ ଭିତରେ ଛାନିଆ ହେବା ପ୍ରବଣତା ବଢୁଛି। ମୋବାଇଲ ଫୋନରେ ନୋଟିଫିକେସନ ଆସିଲା କି? କେଉଁଠି କ’ଣ ହେଲା, କିଏ କ’ଣ ପୋଷ୍ଟ କରିଛି ତାକୁ ଅନବରତ ଚାହିଁ ରହିଛନ୍ତି। ସମସ୍ତେ ଭଲ ଭଲ ପୋଷ୍ଟ କରୁଛନ୍ତି; କେଉଁ ହୋଟେଲରେ ଖାଇଲେ, କେଉଁଠିକି ବୁଲି ଗଲେ, ଜନ୍ମ ଦିନ ପାଳନ କଲେ। ପିଲାଟି ତୁଳନା କରୁଛି। ଭାବୁଛି ଏମିତି କିଛି ପୋଷ୍ଟ କରିବାକୁ ତାକୁ ପରବର୍ତ୍ତୀ ସୁଯୋଗ କେବେ ମିଳିବ? ସମୁଦ୍ର କୂଳକୁ ଯିବ, ଫଟୋ ଉଠାଇ ଅନ୍ୟକୁ ଦେଖେଇହେବା ପାଇଁ ପୋଷ୍ଟ କରିବ। ସେଲଫି ଓ ରିଲ ନିଶା ପ୍ରଚଣ୍ଡ। ଆଗରୁ ପରୀକ୍ଷାରେ ନମ୍ବରକୁ ନେଇ ପ୍ରତିଯୋଗିତା ଥିଲା। ଏବେ ହେଲା, କାହାର କେତେ ‘ଫଲୋଅର୍’, କାହାକୁ କେତେ ‘ଲାଇକ୍’ ମିଳୁଛି। ଯେଉଁ ପିଲା ଏହି ପ୍ରତିଯୋଗିତାରେ ପାରୁ ନାହାନ୍ତି, ସେମାନେ ହତାଶ; “ମୋ ଦ୍ୱାରା କିଛି ହବନି’’ ଭାବନା ତାଙ୍କୁ ଘାରୁଛି। ଗୁଡ଼ାଏ ଅନାବନା ତଥ୍ୟରେ ପିଲା ଉବୁଟୁବୁ। ସାମାଜିକ ଗଣମାଧ୍ୟମରେ ଯେଉଁ ସମୟ ଯାଉଛି, ତାହା କଟୁଛି ଖେଳରୁ, ଅନ୍ୟମାନଙ୍କ ସଙ୍ଗେ ମିଳାମିଶା କରିବାରୁ, ଶୋଇବାରୁ, ଗପ ବହି ପଢ଼ିବାରୁ। ପିଲା ଅଭିଭାବକଙ୍କ ପାଖରେ ଶାରୀରିକ ଭାବେ ଅଛନ୍ତି, କିନ୍ତୁ ଫୋନରେ କାହା ସାଙ୍ଗରେ ଚାଟ୍ କରୁଛନ୍ତି, କି ଆଉ କେଉଁ ଦୁନିଆରେ ଅଛନ୍ତି ତାହା ବାପା-ମାଙ୍କୁ ଅଜଣା। 
୨୦୨୫ ମସିହାରେ ‘ନେଟଫ୍ଲିକ୍ସ’ ଚାରି ଭାଗରେ ଗୋଟିଏ ନାଟକ ଦେଖେଇଲା, ଯାହାର ନାମ ହେଲା ‘ଆଡୋଲେସେନ୍‌ସ’। ଏହି ନାଟକରେ ତେର ବର୍ଷର ପୁଅଟିଏ ଜଣେ ସହପାଠିନୀର ହତ୍ୟା କରୁଛି। ଏହା ପରେ ବାପା-ମା’ ଆଲୋଚନା କରୁଛନ୍ତି, ସେମାନେ ପୁଅର ଲାଳନପାଳନରେ କିଛି ଭୁଲ୍‌ କରି ନାହାନ୍ତି ତ? ପିଲାଟି ମାଗିଲା, ‘ମୋତେ ଗୋଟିଏ ଲାପଟପ ଆଣି ଦିଅ’। ସେମାନେ ଆଣିଦେଲେ। କହିଲା, ‘ମୋତେ ଲାପଟପ ସହ ଛାଡ଼ିଦିଅ, ବ୍ୟସ୍ତ କରନି’। ସେମାନେ ଛାଡ଼ିଦେଲେ। ସେ ଯେ ସାମାଜିକ ଗଣମାଧ୍ୟମର ଜଙ୍ଗଲରେ ପଶି ବାଟବଣା ହବ, ବାପା-ମା’ ଜାଣିବେ କେମିତି? ଜାପାନୀ ଭାଷାରେ ଗୋଟିଏ ଶବ୍ଦ ଅଛି- ‘ହିକିକୋମୋରି’। ଏହି ଶବ୍ଦଟି ସେଭଳି ପିଲାଙ୍କ ପାଇଁ ବ୍ୟବହାର କରାଯାଏ ଯେଉଁମାନେ ସ୍କୁଲ ଯାଆନ୍ତି, ସେଠୁ ଫେରି ଘରର ଗୋଟିଏ ବଖରାରେ ଗୁମ୍ଫା ଭଳି ପଶିଯାଇ ରୁହନ୍ତି। ସେଠି କମ୍ପ୍ୟୁଟର ଥାଏ, ଗେମିଂ କନସୋଲ ଥାଏ। ଆମର କିଛି ପିଲା ହିକିକୋମୋରି ହୋଇଗଲେଣି। ମଣିଷ ଇତିହାସରେ ସବୁ ପିଢ଼ି ପୂର୍ବ ପିଢ଼ିଠାରୁ ଅଧିକ ବୁଦ୍ଧିମାନ୍‌ ଓ ଦକ୍ଷ ହେବାର ଧାରା ଚାଲି ଆସିଛି। କିନ୍ତୁ ପ୍ରଥମ କରି ପରିସଂଖ୍ୟାନ ମିଳିଲାଣି ଯେ, ଏଭଳି ଏକ ପିଢ଼ି ସୃଷ୍ଟି ହେଉଛି, ଯାହା ବୁଦ୍ଧି, ଜ୍ଞାନ, କୌଶଳ ଓ ବୌଦ୍ଧିକତା ଦୃଷ୍ଟିକୋଣରୁ ପୂର୍ବ ପିଢ଼ିଠାରୁ ପଛରେ। ସାମାଜିକ ଗଣମାଧ୍ୟମଗୁଡ଼ିକ ଆମ ମସ୍ତିଷ୍କରେ ଡୋପାମିନ ପ୍ରବାହ କରାନ୍ତି। ଆମକୁ ଖୁସି ଓ ନିଶାସକ୍ତ କରନ୍ତି। ସବୁବେଳେ ଆମେ ଅପେକ୍ଷା କରୁ ଡୋପାମିନ ପାଇଁ। ଶୈଶବରେ ଏହି ନିଶା ସହଜରେ ଧରେ କାରଣ ଶିଶୁର ଆତ୍ମନିୟନ୍ତ୍ରଣ କଲାଭଳି ମସ୍ତିଷ୍କର ବିକାଶ ହୋଇ ନଥାଏ। ପିଲାବେଳୁ ନିଜକୁ ଅମୋଦିତ କରିବା ଯେତେବେଳେ ଜୀବନର ସର୍ବସ୍ବ ହେଇଯାଏ, ସେତେବେଳେ କୌଣସି ଗଭୀର ପ୍ରୟାସ କରିବା ସମ୍ଭବ ହୁଏନି। ପିଲାମାନଙ୍କ ଶୈଶବକୁ ମୋବାଇଲ ଫୋନରେ ବିସର୍ଜନ କରିଦେବାର ଅର୍ଥ ହେଲା ମାନସିକ ଭାବରେ ଭାରାକ୍ରାନ୍ତ, ସମାଜରୁ ନିରୁଦ୍ଦିଷ୍ଟ, ଶାରୀରିକ ଦୃଷ୍ଟିକୋଣରୁ ଅକ୍ଷମ ଓ ବୌଦ୍ଧିକ ଦୃଷ୍ଟିକୋଣରୁ ବୀତସ୍ପୃହ ନାଗରିକ ସୃଷ୍ଟି କରିବା। ଜୀବନରେ ଝଡ଼ଝଞ୍ଜାର ସମ୍ମୁଖୀନ ହେଲାବେଳେ ସେମାନେ ଭାଙ୍ଗି ପଡ଼ିବେନି ତ?
ବଜାରକୁ ଔଷଧଟିଏ ଆସିବା ପୂର୍ବରୁ ତା’ର ଉପାଦେୟତା ଓ ପାର୍ଶ୍ବ ପ୍ରତିକ୍ରିୟା ସଂକ୍ରାନ୍ତରେ ବିସ୍ତୃତ ଗବେଷଣା କରାଯାଏ। ସାମାଜିକ ଗଣମାଧ୍ୟମ ଆସିବା ପୂର୍ବରୁ ଏହାର ପ୍ରଭାବ ଉପରେ ଅଧ୍ୟୟନ କରାଯାଇ ନଥିଲା। ଏହା ଯେ ଛୋଟ ପିଲାଙ୍କର ବିକାଶରେ ବାଧକ ସାଜିବ, ତାକୁ ବୁଝିବାକୁ ସମୟ ଲାଗିଲା। ଗଲା ଜାନୁଆରିରୁ ଅଷ୍ଟ୍ରେଲିଆ ଷୋହଳ ବର୍ଷରୁ କମ୍ ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମକୁ ବାରଣ କରିଛି। ୟୁରୋପୀୟ ଦେଶମାନେ ମଧ୍ୟ ଏହିଭଳି କଟକଣା କରିବା ଆରମ୍ଭ କଲେଣି। ସ୍ୱିଡେନ ସ୍ମାର୍ଟ କ୍ଲାସରୁମ ଓ ଲାପଟପ ଜାଗାରେ କଳାପଟା, ଚକ୍-ଖଡ଼ି, ଖାତା-ବହି, ପେନସିଲ, ପେନ ବ୍ୟବହାରକୁ ଫେରିଲାଣି। ସରକାର କଟକଣା ଜାରି କରିବା ପାଇଁ ସମୟ ଲାଗିପାରେ, କିନ୍ତୁ ନିୟମ ହେଲେ ମଧ୍ୟ ପିଲାଙ୍କୁ ମୋବାଇଲ ଫୋନରୁ ଦୂରରେ ରଖିବାର ମୂଳ ଦାୟିତ୍ୱ ଅଭିଭାବକ ଓ ସମାଜର। ସେଥିପାଇଁ ସଚେତନତା ଆବଶ୍ୟକ।
(ମତାମତ ଲେଖକଙ୍କ ନିଜସ୍ବ)

Read Entire Article
LEFT SIDEBAR AD

Hidden in mobile, Best for skyscrapers.