ARTICLE AD BOX
ସରୋଜ କୁମାର ସାମଲ
ଦୃଷ୍ଟି ପହଁରେଇବା ପାଇଁ ଭିସା ଦରକାର ପଡ଼େନାହିଁ। ସ୍ବପ୍ନ ଭସେଇବାକୁ ଏଲ.ଓ.ସି.ର ବାଧା ନ ଥାଏ। ପୁଣି ଆଖି ଓ ମନ ଯେତେବେଳେ ଷୋହଳରୁ କୋଡ଼ିଏ ବର୍ଷ ବୟସ୍କ କଲେଜ ପଢୁଆ ଜେନ୍-ଜିଙ୍କର, ସେତେବେଳେ ଉଭୟର ଗତି ଆକାଶ, ମହାକାଶ ଭେଦୀ ହେବା ସ୍ବାଭାବିକ। ସେଦିନ ସନ୍ଧ୍ୟାର ଅନୁଭବ, କିନ୍ତୁ ଉତ୍ସାହ ଜାଗାରେ ଉତ୍କଣ୍ଠା ଭରିଦେଲା। ପ୍ରାୟ ଚାଳିଶ ବର୍ଷର ବ୍ୟବଧାନରେ ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟର ପଶ୍ଚିମ ଛାତ୍ରାବାସରେ କିଛି ଦୁର୍ମୂଲ୍ୟ ମୁହୂର୍ତ୍ତ କାଟିବାର ଅବକାଶ ମିଳିଥିଲା। ମୁଖପତ୍ର ‘ଊର୍ମି’ର ସଂପାଦକମାନଙ୍କ ପାଇଁ ସ୍ମୃତି ପଖାଳିବାକୁ ତାହା ଥିଲା ଏକ ସୁନ୍ଦର ଅବସର। ତେବେ, ଗୋଟିଏ ଶୂନ୍ୟ ଶୂନ୍ୟ ଭାବ ମଧ୍ୟ ମନକୁ ଖୁବ୍ ଅସ୍ଥିର କରୁଥିଲା।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା
ଏ ସେହି ପଶ୍ଚିମ ଛାତ୍ରାବାସ, ଯିଏ ବ୍ରିଟିସ ଶାସନକୁ ବେଖାତିର କରି ଦିନେ ନିଜକୁ କଳ୍ପନାର ରିପବ୍ଲିକ ବା ସାଧାରଣତନ୍ତ୍ର ବୋଲି ଘୋଷଣା କରିଥିଲା। ସେ ପରିପ୍ରେକ୍ଷୀ ତ ଏବେ ନାହିଁ। କିନ୍ତୁ ଛାତ୍ରଙ୍କର ଅଙ୍ଗନ, ଶିକ୍ଷାୟତନ ଓ ଛାତ୍ରାବାସ ଅନ୍ତତଃ ପକ୍ଷେ ତ ସାମାନ୍ୟ ଉଦ୍ଦାମତାରେ ଖୁନ୍ଦାଖୁନ୍ଦି ହୋଇ ରହିବା ଦରକାର ଥିଲା! ଜଣେ କଲେଜ ଛାତ୍ର ବା ଛାତ୍ରୀ ତ ପ୍ରଥମେ ଜଣେ ଯୁବକ ବା ଯୁବତୀ! ଯୌବନର ଉଦ୍ଦାମତା ଓ ଉତ୍ସାହକୁ କଲେଜ ଜୀବନ ନିୟନ୍ତ୍ରଣ କରି ଚିରସ୍ରୋତା କରି ରଖେ ସିନା ନିଃଶେଷ ହେବାକୁ ଦିଏ ନାହିଁ। ସେ ଦିନ ପିଲାମାନେ ଧାଡ଼ି ହୋଇ ହଷ୍ଟେଲ ବାରଣ୍ଡାର କାନ୍ଥରେ ପିଠି ଭରା ଦେଇ ଛିଡ଼ା ହୋଇ ଆଳାପ କରୁଥିଲେ, ଯହିଁରେ ଅନୁସନ୍ଧିତ୍ସା ଓ ପ୍ରତିଭାର ଝଲକ ତ ଥିଲା, କିନ୍ତୁ ପ୍ରତ୍ୟୟ ନ ଥିଲା। ମୋ ଭଳି ଜଣେ ନିହାତି ସୀମିତ ଦୃଷ୍ଟିସଂପନ୍ନ ବ୍ୟକ୍ତିର ଆଖିକୁ ମଧ୍ୟ ତାହା ଏଡ଼ାଇ ଯାଉ ନ ଥିଲା।
ଶିକ୍ଷା କେବଳ ପାଠ୍ୟକ୍ରମର ପାଠ ନୁହେଁ। ଏହାର ଆନୁଷଙ୍ଗିକତା ବେଶ୍ ବିସ୍ତୀର୍ଣ୍ଣ। ସେହିଭଳି ଅଧ୍ୟୟନ ଖାଲି ଅଧ୍ୟାପନା-କେନ୍ଦ୍ରିତ ନୁହେଁ। ଏହା ଏକପାଖିଆ ମଧ୍ୟ ହୋଇପାରିବ ନାହିଁ। ଛାତ୍ରଛାତ୍ରୀମାନେ ଭବିଷ୍ୟତର ନାଗରିକ ବା ନେତା ଭଳି ବାରମ୍ବାର ଉଚ୍ଚାରିତ ବ୍ୟାଖ୍ୟାନ କଥା ଛାଡ଼ନ୍ତୁ, ଯୁବସୁଲଭ ପ୍ରତ୍ୟୟ ଟିକକ ସେମାନଙ୍କ ଭିତରେ ଜାଗ୍ରତ କରିବା ପାଇଁ ସେମାନଙ୍କୁ ଶିକ୍ଷାୟତନରେ ଭାଗୀଦାରିର ସୁଯୋଗ ଦେବାକୁ ହେବ। ତା’ର ରାସ୍ତା ହେଉଛି ଛାତ୍ର ସଂସଦ ନିର୍ବାଚନ। ପ୍ରତିନିଧି ହେବା ଓ ଚୟନ କରିବାର ପ୍ରକ୍ରିୟା, ଗୋଟିଏ ସାଧାରଣ ଛାତ୍ରକୁ ଉଦ୍ୟମୀ, କ୍ରିୟାଶୀଳ, ସଚେଷ୍ଟ ଓ ବ୍ୟବସ୍ଥା ସଂପୃକ୍ତ କରିବାର ସୁଯୋଗ ଦିଏ। ଶିକ୍ଷାବର୍ଷର ପ୍ରାରମ୍ଭିକ ମାସେ, ଦୁଇ ମାସ ଏହି ପ୍ରତିନିଧି ଚୟନର କୋଳାହଳ କ୍ୟାମ୍ପସଗୁଡ଼ିକୁ ଉଷ୍ଣ କରି ରଖେ। ସେଥିରେ ଜୀବନ ଥାଏ। ବୌଦ୍ଧିକ ଆରୋପ, ପ୍ରତ୍ୟାରୋପ ହୁଏ। ସାଧାରଣ ମଞ୍ଚରେ ପୁଅଝିଅ ଏକାଠି ହେଲେ ମନରେ ପୁଲକର ରଙ୍ଗ ଲାଗେ। ପ୍ରତିଦ୍ବନ୍ଦ୍ବୀ, ପୁଣି ସାଙ୍ଗ! ଡାଏଲେକ୍ଟିକ୍ସ ବା ଦ୍ବୈତର ପ୍ରକ୍ରିୟାରେ ଜୀବନର ସାଧାରଣତାରୁ ଉତ୍ତରଣର ସମ୍ଭାବନା।
ଆମ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଗତ ବହୁ ବର୍ଷ ହବ, ଛାତ୍ର ସଂସଦ ନିର୍ବାଚନ ହେଉନାହିଁ। ହଷ୍ଟେଲଗୁଡ଼ିକରେ ତା’ର ଚିହ୍ନବର୍ଣ୍ଣ ନାହିଁ। କେହି କେହି ତଥାକଥିତ ବୁଦ୍ଧିଜୀବୀ, ରାସ୍ତାରେ ଘାଟରେ, ଖଟିରେ ଏହି ‘ବ୍ୟବସ୍ଥାହୀନତା’ ସପକ୍ଷରେ ପ୍ରକଳ୍ଭ ହୋଇ ଉଠନ୍ତି। ଏହା ଏକ ସୁବିଧାବାଦୀ ‘ବାଦ’, ଯାହାକୁ ଇଂରେଜୀରେ ‘କନଫର୍ମିଜିମ’ ବୋଲି କୁହାଯାଏ। ଏଥିରେ ନିହିତ ଥାଏ ରାଜିପଣ, ଏଥିରେ ପ୍ରଶ୍ନ ନ ଥାଏ। ବିଜ୍ଞାନ, ଦର୍ଶନ, ସାହିତ୍ୟ, ଶାସନ ରୀତି, ରାଜ ଓ ସମାଜ ନୀତିର ଦିଗନ୍ତବ୍ୟାପୀ ପ୍ରାନ୍ତରରେ ବିଚରଣ ପାଇଁ ଆକାଂକ୍ଷୀ ଆମ ଛାତ୍ରଛାତ୍ରୀମାନଙ୍କୁ ଏହି ‘କନଫର୍ମିଜିମ’ର ବଳୟ ଭିତରୁ ବାହାର କରିବାକୁ ପଡ଼ିବ। ଗୁରୁକୁଳ ଓ ଆଶ୍ରମ ଢାଞ୍ଚାର ପେଟିକା ଭିତରେ ମହାବିଦ୍ୟାଳୟ ସ୍ତରର ଅନ୍ବେଷୀମାନଙ୍କୁ ବାନ୍ଧି ରଖିହେବ ନାହିଁ।
ଶିକ୍ଷା କେବଳ ପାଠ୍ୟକ୍ରମର ପାଠ ନୁହେଁ। ଏହାର ଆନୁଷଙ୍ଗିକତା ବେଶ୍ ବିସ୍ତୀର୍ଣ୍ଣ। ସେହିଭଳି ଅଧ୍ୟୟନ ଖାଲି ଅଧ୍ୟାପନା-କେନ୍ଦ୍ରିତ ନୁହେଁ। ଏହା ଏକପାଖିଆ ମଧ୍ୟ ହୋଇପାରିବ ନାହିଁ। ଛାତ୍ରଛାତ୍ରୀମାନେ ଭବିଷ୍ୟତର ନାଗରିକ ବା ନେତା ଭଳି ବାରମ୍ବାର ଉଚ୍ଚାରିତ ବ୍ୟାଖ୍ୟାନ କଥା ଛାଡ଼ନ୍ତୁ, ଯୁବସୁଲଭ ପ୍ରତ୍ୟୟ ଟିକକ ସେମାନଙ୍କ ଭିତରେ ଜାଗ୍ରତ କରିବା ପାଇଁ ସେମାନଙ୍କୁ ଶିକ୍ଷାୟତନରେ ଭାଗୀଦାରିର ସୁଯୋଗ ଦେବାକୁ ହେବ। ତା’ର ରାସ୍ତା ହେଉଛି ଛାତ୍ର ସଂସଦ ନିର୍ବାଚନ। ପ୍ରତିନିଧି ହେବା ଓ ଚୟନ କରିବାର ପ୍ରକ୍ରିୟା, ଗୋଟିଏ ସାଧାରଣ ଛାତ୍ରକୁ ଉଦ୍ୟମୀ, କ୍ରିୟାଶୀଳ, ସଚେଷ୍ଟ ଓ ବ୍ୟବସ୍ଥା ସଂପୃକ୍ତ କରିବାର ସୁଯୋଗ ଦିଏ।
ଛାତ୍ର ସଂସଦର ନିର୍ବାଚନ ବିଭିନ୍ନ ଦେଶରେ ଏକ ସ୍ବୀକୃତ ପ୍ରକ୍ରିୟା। ଆମେରିକୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାମ୍ପସକୈନ୍ଦ୍ରିକ ଛାତ୍ର ଗତିବିଧିର ଲମ୍ବା ଇତିହାସ ରହିଛି। ଦାସତ୍ବ ବିରୋଧୀ ଆୱାଜର କାଳ ଖଣ୍ଡଠାରୁ, ମହା ଅର୍ଥନୈତିକ ମାନ୍ଦାବସ୍ଥାର ପର୍ଯ୍ୟାୟ ମଧ୍ୟ ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିବର୍ତ୍ତିତ ଛାତ୍ର ରାଜନୀତି ବିଶ୍ବବିଦ୍ୟାଳୟଗୁଡ଼ିକରେ ବେଶ୍ ମର୍ଯ୍ୟାଦାବନ୍ତ ହୋଇପାରିଛି। ମଧ୍ୟଯୁଗୀୟ ଇଉରୋପୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ର ସ୍ବରର ଅଭ୍ୟୁତ୍ଥାନ ଜାତୀୟ ସ୍ତରରେ କ୍ଷମତା ଦଖଲ ପର୍ଯ୍ୟନ୍ତ ପ୍ରସରିତ ହୋଇଛି। କେମ୍ବ୍ରିଜ ଓ ଅକ୍ସଫୋର୍ଡ ଭଳି ବିଶ୍ବବିଦ୍ୟାଳୟର ବାର୍ଷିକ କ୍ୟାଲେଣ୍ଡରରେ ଛାତ୍ର ପ୍ରତିନିଧି ନିର୍ବାଚନ ଏକ ଧାର୍ଯ୍ୟ ନିର୍ଘଣ୍ଟ। ଦକ୍ଷିଣ ଆଫ୍ରିକା, ଲାଟିନ୍ ଆମେରିକୀୟ ଦେଶସମୂହ, ଦକ୍ଷିଣ-ପୂର୍ବ ଏସିଆ ଏବଂ ପୃଥିବୀର ଅନ୍ୟ ବହୁ ରାଷ୍ଟ୍ରର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ, ଭିନ୍ନ ଭିନ୍ନ ରୂପରେ ଛାତ୍ର ପରିଷଦଗୁଡ଼ିକ ରହିଛି। ଭାରତର ବିଭିନ୍ନ ପ୍ରଦେଶ, ଯଥା ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ହରିୟାଣା ଓ ଝାଡ଼ଖଣ୍ଡ ପ୍ରଭୃତି ଏ ନେଇ ଆଇନ ପ୍ରଣୟନ କରି ବିଧାନ ତିଆରି କରିଛନ୍ତି। ୧୯୮୯ର ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ଏହା ପ୍ରକାରାନ୍ତରେ ବ୍ୟବସ୍ଥିତ। କାରଣ ସିନେଟ୍ ଗଠନର ପ୍ରସ୍ତାବରେ ଛାତ୍ର ସଂସଦ ପ୍ରତିନିଧିମାନଙ୍କର ଭୂମିକା ବିଷୟରେ କୁହାଯାଇଛି। ବିଭିନ୍ନ ରାଜ୍ୟର ଆଲୋଚିତ ନିୟମ ଓ ଅଧିନିୟମଗୁଡ଼ିକ ସବୁ ବୈଧାନିକ। କିନ୍ତୁ ଏହାର ଅନୁପାଳନ ସଂପୃକ୍ତ କର୍ତ୍ତୃପକ୍ଷ ଓ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ। କାରଣ ଅବଜ୍ଞା କିମ୍ବା ଶିଥିଳ ମନୋବୃତ୍ତି କ୍ଷେତ୍ରରେ ପ୍ରତିଷ୍ଠାନ ପାଇଁ ଦଣ୍ଡର କିଛି ବିଧାନ ନାହିଁ। ସାଧାରଣ ବିଶୃଙ୍ଖଳାଜନିତ ପରିସ୍ଥିତିକୁ ମଧ୍ୟ ‘ଫୋର୍ସ ମାଜେଉର୍’ର ରୂପ ଦିଆଯାଇଛି। ଘରୋଇ ବୈଷୟିକ ଅନୁଷ୍ଠାନଗୁଡ଼ିକ ଏହି କ୍ୟାମ୍ପସ ଗଣତନ୍ତ୍ରର ପ୍ରକ୍ରିୟାରୁ ବହୁ ଦୂରରେ।
‘କନଫର୍ମିଜିମ’ର ପ୍ରଭାବରେ ‘ସଚେଷ୍ଟ ମୁଁ’ ମରେ ଓ ‘ସମର୍ପିତ ଆମେ’ ଭଳି ଆଭିମୁଖ୍ୟ ମୁଣ୍ଡ ଟେକେ। ଅନ୍ୟ ପକ୍ଷରେ କ୍ୟାମ୍ପସ ଗଣତନ୍ତ୍ରେର ‘ହ୍ବାଟ୍ ଆଇ ଷ୍ଟାଣ୍ଡ ଫର୍’ ଓ ହାତଲେଖା ପ୍ରଚାରପତ୍ର ଭଳି ଚମତ୍କାର ସୃଜନୀର ପରିପ୍ରକାଶ ହୁଏ। ରାଜନୀତି ଆଲୋଚକ ଆବେ ହଫମ୍ୟାନ କହୁଛନ୍ତି, ଗଣତନ୍ତ୍ର ଗୋଟିଏ ଟୋପି ନୁହଁ ଯେ, ୟାକୁ ଟଙ୍ଗାଇ ରଖିହେବ। ଏହା କାର୍ଯ୍ୟାନ୍ବୟନର ତତ୍ତ୍ବ। ଚୁପ୍ ବସିଯିବ ତ, ସୁନ୍ଦର ଇମାରତ୍ଟି ଧସି ଚୁନା ହୋଇଯିବ। ନୂଆ ଭୋଟର ପଞ୍ଜୀକରଣ ପାଇଁ ଏବଂ ଦେଶ-ରାଜ୍ୟର ସରକାର ଚୟନ ପାଇଁ, ପ୍ରଥମ ଭୋଟ ଦେବାକୁ ନିର୍ବାଚନ ଆୟୋଗ ଯଦି ନାନା କାର୍ଯ୍ୟକ୍ରମର ପୃଷ୍ଠପୋଷକତା କରୁଛନ୍ତି, ସେହି ଅଠରବର୍ଷୀୟମାନେ ନିଜ ଶିକ୍ଷା ଅନୁଷ୍ଠାନର ପରିସରରେ ନିଜ ଭିତରୁ ପ୍ରତିନିଧି ବାଛିବେ ନାହିଁ କାହିଁକି?
୨୦୦୫ରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଜେଏମ୍ ଲିଙ୍ଗଦୋ କମିଟି ନିୟମିତ ଛାତ୍ର ଭୋଟ ସପକ୍ଷରେ ବଳିଷ୍ଠ ସୁପାରିସ କରିଛନ୍ତି। ଏହା ବିରୋଧରେ କ୍ୟାମ୍ପସ ହିଂସାର ଯୁକ୍ତି ଦିଆଯାଉଛି। ମୂଳ ହେଉଛି ଅର୍ଥର ଅପଯୋଗ। ସେଥିରୁ ଜାତ ବିଭିନ୍ନ ଅସାମାଜିକ କାର୍ଯ୍ୟ। ଶାସକର ପୃଷ୍ଠପୋଷକତା ହିଁ ଏହାର ଉତ୍ସ। ଏଠି ସରକାର ଅପେକ୍ଷା ଶାସକ ଦଳର ଭୂମିକା ବେଶୀ। ଏହି ଦଳ ଯଦି ଅସଦ୍ ଉପାୟର ପ୍ରବଣତାକୁ ରୋକି ଦେଇପାରିଲା, ଛାତ୍ରଙ୍କ କ୍ୟାମ୍ପସ ଭୋଟ ନିର୍ବିବାଦୀୟ ଏବଂ ସୁସ୍ଥ ପ୍ରତିଦ୍ବନ୍ଦ୍ବିତାର ବାତାବରଣରେ ସଂପନ୍ନ ହୋଇପାରିବ।
ଟ୍ରେନ୍ର ଟ୍ରାକ୍ ମଧ୍ୟରେ ପଥର କାହିଁକି ବିଛାଯାଏ?
ଗାଧୁଆ ପାଣି ସହିତ ଶିଶୁକୁ ଫିଙ୍ଗିଦେବାର ଭୁଲ୍କୁ ପରିହାର କରି କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ସୁଧାରମୂଳକ ପଦକ୍ଷେପ ନିଆଯାଇ ପାରିଲେ, ବହୁଳାଂଶରେ ନିର୍ବାଚନର ଏହି ପ୍ରକ୍ରିୟା ନିର୍ବିଘ୍ନ ହୋଇପାରିବ; ଯେମିତି କି ଶିକ୍ଷାବର୍ଷର ପ୍ରଥମ ଚାରିରୁ ଛଅ ସପ୍ତାହ ମଧ୍ୟରେ ନିର୍ବାଚନ କରିବାକୁ ପଡ଼ିବ, ନିର୍ବାଚନ ଘୋଷଣାର ଦିନଠାରୁ ସର୍ବାଧିକ ଦଶ ଦିନ ମଧ୍ୟରେ ଭୋଟ୍ର ନିର୍ଘଣ୍ଟ ପ୍ରସ୍ତୁତିର ବ୍ୟବସ୍ଥା, କାନ୍ଥଲେଖା ନୁହେଁ କେବଳ ହାତରେ ପ୍ରସ୍ତୁତ ପ୍ରଚାର ଓ ପ୍ରାଚୀର ପତ୍ରର ବ୍ୟବହାର, ପ୍ରମୁଖ ପଦ ପାଇଁ ଜଣେ ପ୍ରାର୍ଥୀ-ପ୍ରାର୍ଥିନୀଙ୍କ ଦ୍ବାରା ସର୍ବାଧିକ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚର ସୀମା ନିର୍ଦ୍ଧାରଣ ଓ ଏଥି ପାଇଁ ପ୍ରାର୍ଥିପତ୍ର ସହିତ ଘୋଷଣାନାମା ଏବଂ ନିର୍ବାଚନ ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ବା କୁଳପତିଙ୍କ ମନୋନୀତ ନିର୍ବାଚନ କମିଟି ନିକଟରେ ସବିଶେଷ ଖର୍ଚ୍ଚ ବିବରଣୀ ପ୍ରଦାନର ବ୍ୟବସ୍ଥା, ପ୍ରମାଣିତ ବ୍ୟକ୍ତିଗତ କୁତ୍ସା ପାଇଁ ପ୍ରାର୍ଥିତ୍ବ ନାକଚ ହେବାର ବ୍ୟବସ୍ଥା, ଡାକବାଜି ଯନ୍ତ୍ର ଓ ବାଦ୍ୟର ନିଷେଧାଦେଶ, କର୍ତ୍ତୃପକ୍ଷଙ୍କ ଦ୍ବାରା ଅଧିକରୁ ଅଧିକ ତର୍କ ଓ ଆଲୋଚନା ସଭାର ଆୟୋଜନ ଇତ୍ୟାଦି। ଏହା ଦ୍ବାରା ଅନ୍ୟ ବିଶୃଙ୍ଖଳ ମାଧ୍ୟମ ଉପରେ ଗୁରୁତ୍ବ କମିବ। ସେମିତି ପ୍ରାର୍ଥିତ୍ବ ପାଇଁ ଶିକ୍ଷା ଓ ମେଧାଭିତ୍ତିକ ମାନଦଣ୍ଡ, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତିରେ ହିଂସା ସଂଘଟିତ ହେଲେ ଛାତ୍ରତ୍ବ ରଦ୍ଦର ସ୍ବୀକାର ସମ୍ବଳିତ ପ୍ରଜ୍ଞାପତ୍ର ପ୍ରାର୍ଥୀଙ୍କ ଦ୍ବାରା ପ୍ରଦାନ ଏବଂ ନିର୍ବାଚନରେ କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିଷ୍ପକ୍ଷତା ଜରିଆରେ ସୁସ୍ଥ ନିର୍ବାଚନ ସମ୍ଭବ। ଛାତ୍ର ସଂସଦରେ ବିଜୟୀ କିମ୍ବା ପରାଜିତଙ୍କ ମଧ୍ୟରୁ କିଏ ଯଦି ଭବିଷ୍ୟତରେ ରାଜନୀତି କରିବେ, କରନ୍ତୁ। ବ୍ୟବସାୟୀ ଓ ଠିକାଦାର ନେତୃତ୍ବଠାରୁ ପେସାଦାର ରାଜନୀତି ଗଣତନ୍ତ୍ର ପାଇଁ ଶୁଭଙ୍କର। ବେଶୀ ଗୁରୁତ୍ବପୂର୍ଣ୍ଣ ହେଉଛି, ବୃହତ୍ତର ସାମାଜିକ ନେତୃତ୍ବ। ଭବିଷ୍ୟତର ସମୃଦ୍ଧ ସାଧାରଣ ଜୀବନ ପାଇଁ ଶିକ୍ଷାନୁଷ୍ଠାନର ଛାତ୍ର ରାଜନୀତି ଏକ ସଫଳ ଗବେଷଣାଗାର। ସମାଜଶାସ୍ତ୍ରୀ ରବର୍ଟ ପୁଟନାସଙ୍କ ମତରେ ଅନ୍ତଷ୍କରଣ ଓ ବହିଷ୍କରଣର ଯୁଗ୍ମ ନିୟମରେ ଗୋଷ୍ଠୀ ବାନ୍ଧିବା ଆଉ ଭାଙ୍ଗିବା ଗଣତନ୍ତ୍ରର ସଞ୍ଚାଳନ ପାଇଁ ଜରୁରି। ସରକାରୀ, ବେସରକାରୀ ସବୁ ମହା ଓ ବିଶ୍ବ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମେସିନ ନୁହନ୍ତି, ମଣିଷ ଭାବରେ ଗଢ଼ି ହେବାକୁ ଗଠନ ଓ ବିଘଟନର ଶିକ୍ଷାଦାୟୀ ଅନୁଭବରୁ ସେମାନେ ବଞ୍ଚିତ ନ ହୁଅନ୍ତୁ। ସରକାର ଛାତ୍ର ଭୋଟ୍ର ଘୋଷଣା କରନ୍ତୁ। ପିଲାମାନେ କିଛିଦିନ ଚାଲିବେ, ଦୌଡ଼ିବେ, ପୁଣି ଝୁଣ୍ଟିବେ। ତାଙ୍କୁ ପରେ ପାହାଡ଼ ଚଢ଼ିବାକୁ ପଡ଼ିବ ଯେ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୨୬୬୪୪

44 minutes ago
1


