Editorial: ଓଡ଼ିଶାର ଲକ୍ଷେ କୋଟି ଟଙ୍କା ସ୍ୱାହା!: ସରଳ କୁମାର ଦାସଙ୍କ ସମ୍ପାଦକୀୟ ସରଳ ବିଚାରରେ ପଢ଼ନ୍ତୁ ଏଥର...

56 minutes ago 2
ARTICLE AD BOX

ଓଡ଼ିଶାର ଲକ୍ଷେ କୋଟି ଟଙ୍କା ସ୍ୱାହା!

ସରଳ କୁମାର ଦାସ
ସରଳ ବିଚାର

ସଂସଦର ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଛି। ସେହି ବିଲ୍‌ଗୁଡ଼ିକ ମଧ୍ୟରେ ଥିଲା ଗୁରୁତ୍ୱପୂର୍ଣ୍ଣ ‘ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌’ ବା ‘ଏମ.ଏମ.ଡି.ଆର୍. ଆମେଣ୍ଡମେଣ୍ଟ ବିଲ୍‌’, ଯାହା ଆଇନରେ ପରିଣତ ହେଲେ ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କା ସ୍ୱାହା ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଗତ ୧୩ ତାରିଖ ଦିନ ଏମ.ଏମ.ଡି.ଆର୍. ସଂଶୋଧନ ବିଲ୍‌ ସଂସଦର ଉଭୟ ସଦନରେ ପାରିତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଏହି ସଂଶୋଧନ ଅନୁଯାୟୀ ଏମ.ଏମ.ଡି.ଆର୍. ଆଇନ, ୧୯୫୭ର ଧାରା ୯ରେ ଆଉ ଏକ ଉପଧାରା ‘ଘ’ ଯୋଗ କରାଗଲା, ଯଦ୍ଦ୍ୱାରା ଖଣି ସମ୍ପର୍କୀୟ ଟିକସ ନିର୍ଦ୍ଧାରଣରେ ଆଉ ରାଜ୍ୟଗୁଡ଼ିକର ସ୍ୱାଧୀନତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ କଟକଣା ବାହାରକୁ ଯାଇ ରାଜ୍ୟଗୁଡ଼ିକ ଆଉ ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ଲେଭି ଇତ୍ୟାଦି ଲଗାଇପାରିବେ ନାହିଁ। କେବଳ ସେତିକି ନୁହେଁ, ଅନ୍ୟ କୌଣସି ଆଇନ ବା ଅଦାଲତଙ୍କ ରାୟ ବଳରେ ଆଦାୟ ହେବାକୁ ଥିବା ବକେୟା ଦେୟ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଆଉ ଆଦାୟ କରିହେବ ନାହିଁ।

ଆହୁରି ପଢ଼ନ୍ତୁ- Pakistan Supreme Court: ଇମ୍ରାନ ଖାନଙ୍କୁ ଜେଲ୍‌ରୁ ମୁକ୍ତ କରାଯିବ: ହସ୍ପିଟାଲ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହାରେ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟଗୁଡ଼ିକ ୨୦୦୫ ମସିହା ଏପ୍ରିଲ ପହିଲାରୁ ସେମାନଙ୍କ ପ୍ରାପ୍ୟ ବକେୟା ରାଶିକୁ ଆଦାୟ କରିପାରିଥାନ୍ତେ। ଏକ ଆକଳନ ଅନୁଯାୟୀ ଏହି ସଂଶୋଧନ ଯୋଗୁଁ ସାମଗ୍ରିକ ଭାବେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ବକେୟା ପ୍ରାପ୍ୟ ହରାଇବେ ଏବଂ ତହିଁରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇ ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଏହି ଆଇନ ସଂଶୋଧନ ପଛରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ ପ୍ରମୁଖ ଖଣିଜ ସମ୍ପଦଗୁଡ଼ିକ ଅଳ୍ପ କେତେକ ରାଜ୍ୟରେ ଗଚ୍ଛିତ ଥିବାରୁ ସେହି ରାଜ୍ୟଗୁଡ଼ିକ ପ୍ରାୟ ୧୪ ପ୍ରକାର ଟିକସ, ଲେଭି, ରୟାଲଟି ଆଦି ଆଦାୟ କରୁଛନ୍ତି। ଦେଶଜ ଖଣିଜ ସମ୍ପଦର ଅହେତୁକ ଦରବୃଦ୍ଧି ଘଟୁଛି ଯଦ୍ଦ୍ୱାରା ବରଂ ବିଦେଶରୁ ଆମଦାନି ଶସ୍ତା ପଡୁଛି। ଫଳରେ ଦେଶରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୬ ଆର୍ଥିକ ବର୍ଷରେ ବିଦେଶରୁ ୧୦.୧୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ଆମଦାନି କରାଯାଇଥିଲା। ଦେଶର ଭିତ୍ତିଭୂମି ବିକାଶ, ବିନିର୍ମାଣ, ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ବିକାଶରେ ଖଣିଜ ପଦାର୍ଥର ଏକ ବଡ଼ ଭୂମିକା ଥିବାରୁ ଏହାର ମୂଲ୍ୟ ଓ ନୀତିରେ ସ୍ଥିରତା ଓ ସମାନତା ରହିଲେ ମାଇନିଙ୍ଗ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇ ଅର୍ଥନୈତିକ ବିକାଶ ଦର ବୃଦ୍ଧିରେ ସହାୟକ ହେବ। ଅବଶ୍ୟ ଭିନ୍ନ ଭିନ୍ନ ରାଜ୍ୟ ଦ୍ୱାରା ଭିନ୍ନ ଭିନ୍ନ ଟିକସ ଆଦାୟ ହେଉଥିଲେ ବି କୌଣସି ଗୋଟିଏ ରାଜ୍ୟ ୧୪ ପ୍ରକାର ଟିକସ ଆଦାୟ କରି ନଥାନ୍ତି। ତା’ ଛଡ଼ା ଆମଦାନି ହେଉଥିବା ଖଣିଜ ମଧ୍ୟରୁ ଅଧିକାଂଶ ଖଣିଜ ବା ସେହି ଗ୍ରେଡ୍‌ର ଖଣିଜ ଏଠାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ନଥିବାରୁ ଆମଦାନି ହୋଇଥାଏ। ତଥାପି କେନ୍ଦ୍ର ସରକାରଙ୍କ ଏହି ଯୁକ୍ତି ଗ୍ରହଣୀୟ ହୋଇପାରେ କିନ୍ତୁ ସେଥିପାଇଁ ରାଜ୍ୟଗୁଡ଼ିକୁ ସେମାନଙ୍କ ବକେୟା ପ୍ରାପ୍ୟ ଆଦାୟ କରିବାରୁ ବଞ୍ଚିତ କରିବା କେତେ ଦୂର ସମୀଚୀନ? ଓଡ଼ିଶା ସରକାରଙ୍କ ‘ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ସାମାଜିକ ଅର୍ଥନୈତିକ ବିକାଶ ଆଇନ’ (ଓରିସେଡ, ୨୦୦୪)ର ଧାରା ୩ ଅନୁଯାୟୀ ଖଣିଜ ସମ୍ପଦ ଥିବା ଜମିଗୁଡ଼ିକର ବାର୍ଷିକ ମୂଲ୍ୟ ଉପରେ ରାଜ୍ୟ ସରକାର ୨୦ ପ୍ରତିଶତ ଯାଏଁ ଲେଭି ଆଦାୟ କରିପାରିବେ। ଫେବ୍ରୁଆରି ୧, ୨୦୦୫ରେ ଓରିସେଡ ଆଇନ ଲାଗୁ ହେବା ପରେ ଏହାର ସାମ୍ୱିଧାନିକ ବୈଧତାକୁ ବିରୋଧ କରି କିଛି ଖଣି କମ୍ପାନି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେହି ବର୍ଷ ଡିସେମ୍ୱର ମାସରେ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ଅବୈଧ ଘୋଷଣା କରିବା ପରେ ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ। ସେହି ମାମଲାର ଏ ଯାଏଁ ଫଇସଲା ହୋଇ ନାହିଁ।

ଆହୁରି ପଢ଼ନ୍ତୁ- Union Health Minister J.P. Nadda: ଏମ୍ସରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଆଞ୍ଜିଓପ୍ଲାଷ୍ଟି

ମାତ୍ର ଏହି ପ୍ରସଙ୍ଗରେ ଭିନ୍ନ ଏକ ମାମଲା ‘ମିନେରାଲ ଏରିଆ ଡେଭଲପମେଣ୍ଟ ଅଥରିଟି (ମାଡା) ବନାମ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ୍)’ରେ ୨୦୨୪ ମସିହା ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ରାୟ ଅନୁସାରେ ଆଦାୟ ହେଉଥିବା ରୟାଲଟି ଟିକସ ନୁହେଁ ବରଂ ରାଜ୍ୟ ସରକାରଙ୍କୁ ଖଣିଜ ଉତ୍ତୋଳନ ପାଇଁ ଦିଆଯାଉଥିବା ଏକ ଅର୍ଥରାଶି ଅଟେ। ସମ୍ୱିଧାନର ଅନୁସୂଚୀ ୨୪୬ ଓ ସପ୍ତମ ସିଡ୍ୟୁଲ ଅନ୍ତର୍ଗତ ରାଜ୍ୟସୂଚୀର ୪୯ତମ ପ୍ରବେଶ (ଏଣ୍ଟ୍ରି) ଅନୁଯାୟୀ ଖଣିଜ ସମ୍ପଦ ବହନ କରୁଥିବା ଜମି ସଂକ୍ରାନ୍ତରେ ଆଇନ ପ୍ରଣୟନ କରିବାର କ୍ଷମତା ରାଜ୍ୟ ସରକାରଙ୍କର ରହିଛି। ରାଜ୍ୟ ତା’ ଉପରେ ଟିକସ ଲଗାଇପାରିବ ଓ ଏହା ପିଛିଲା ଭାବେ ଏପ୍ରିଲ ୧, ୨୦୦୫ ମସିହାରୁ ଲାଗୁ ହେବ। ଫଳରେ ଓଡ଼ିଶା ସରକାରଙ୍କର ଖଣିଜ ସମ୍ପଦ ଥିବା ଜମି ଉପରେ ଟିକସ ଲଗାଇବା ଅଧିକାର ସାମ୍ୱିଧାନିକ ବୈଧତା ହାସଲ କଲା। କିନ୍ତୁ ଓରିସେଡ ଆଇନ, ୨୦୦୪, ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଅବୈଧ ଘୋଷିତ ହୋଇଥିବାରୁ ତାହାର ସୁପ୍ରିମକୋର୍ଟଙ୍କ ଦ୍ୱାରା ପୁନଃବୈଧୀକରଣ ନହେବା ପର୍ଯ୍ୟନ୍ତ ମୂଳ ଆଇନକୁ ଭିତ୍ତି କରି ରାଜ୍ୟ ସରକାର ଟିକସ ଆଦାୟ କରିବା ସମ୍ଭବ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ୨୦୨୪ ମସିହା ସେପ୍‌ଟେମ୍ୱର ମାସରେ ରାଜ୍ୟ ବିଧାନସଭାରେ ବିବୃତି ଦିଆଯାଇଥିଲା। ମାତ୍ର ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ବି ମାମଲାର ଆଶୁ ଫଇସଲା ନହେବା ଉଦ୍‌ବେଗର ବିଷୟ। 

୨୦୨୪ ମସିହା ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଖଣି କମ୍ପାନିଗୁଡ଼ିକ ସେମାନଙ୍କ ବକେୟା ଦେୟକୁ ଏପ୍ରିଲ ୧, ୨୦୨୬ରୁ ଆରମ୍ଭ କରି ୧୨ଟି ବାର୍ଷିକ କିସ୍ତିରେ ପଇଠ କରିବେ। ତେବେ ଆଇନରେ ସଂଶୋଧନ ଯୋଗୁଁ ପ୍ରଭାବିତ ୧୫ଟି ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ ମଧ୍ୟରୁ ଓଡ଼ିଶା ଓ ଝାଡ଼ଖଣ୍ଡ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାର ଖଣିଜ ଉତ୍ପାଦନର ସିଂହଭାଗ କୋଇଲା, ଲୁହାପଥର, କ୍ରୋମ ପଥର ଆଦିରୁ ହେଉଥିବାରୁ ଲେଭି ହାରକୁ ହାରାହାରି ୧୫ ପ୍ରତିଶତ ନିଆଗଲେ ୨୦୦୫-୦୬ରୁ ୨୦୨୫-୨୬ ମଧ୍ୟରେ ଓଡ଼ିଶା ପାଇବାକୁ ଥିବା ବକେୟା ଲେଭିର ପରିମାଣ ସମୁଦାୟ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି। ଆକଳନ ଅନୁଯାୟୀ ଓଡ଼ିଶାର ବାର୍ଷିକ ରାଜସ୍ୱ ପ୍ରାୟ ୧୨ ହଜାର କୋଟି ଟଙ୍କା ହ୍ରାସ ପାଇବାର ଆଶଙ୍କା ଦେଖା ଦେଇଛି। 

ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଓ ସ୍ପଷ୍ଟୀକରଣ ପରେ ‘ଓରିସେଡ ଆଇନ’ର ପୁନଃବୈଧୀକରଣ ଲାଗି ପ୍ରୟାସ ତ୍ୱରାନ୍ୱିତ କରିବା ସହ ବକେୟା ରାଶି ଆଦାୟ କରିବା ଲାଗି ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦିଷ୍ଟ କେତୋଟି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିଲା, ଯେମିତି- ଖଣି ଲିଜଧାରୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଆଦାୟ ହେବାକୁ ଥିବା ବକେୟା ରାଶି ନିର୍ଦ୍ଧାରଣ କରିବା, ଲିଜଧାରୀଙ୍କୁ ଖଣିୱାରି ଦେୟ ନୋଟିସ ଜାରି କରିବା ସହ ବାର୍ଷିକ କିସ୍ତିର ପରିମାଣ ସୂଚୀତ କରିବା, ଯଥାସମ୍ଭବ ମକଦ୍ଦମା, ବିବାଦ ଓ ପ୍ରତିବାଦଗୁଡ଼ିକର ଆଶୁ ସମାଧାନ କରି ଏପ୍ରିଲ ୧, ୨୦୨୬ ସୁଦ୍ଧା ପ୍ରଥମ କିସ୍ତି ଆଦାୟର ପଥ ପ୍ରଶସ୍ତ କରିବା। ଏ ଦିଗରେ ସରକାରୀ ସ୍ତରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସର୍ବସାଧାରଣରେ ତଥ୍ୟ ଉପଲବ୍ଧ ନାହିଁ। ଓରିସେଡ ଆଇନର ପୁନଃବୈଧୀକରଣ ସୁନିଶ୍ଚିତ କରାଯାଇ ଏପ୍ରିଲ ୧, ୨୦୨୬ ସୁଦ୍ଧା ବକେୟା ରାଶିର ପ୍ରଥମ କିସ୍ତିର ଅନ୍ତତଃ କିଛି ପରିମାଣରେ ରାଶି ଆଦାୟ ହୋଇପାରିଥିଲେ ତାହା ସରକାରଙ୍କ ଆନ୍ତରିକତାକୁ ଦର୍ଶାଇଥାନ୍ତା।

ଆହୁରି ପଢ଼ନ୍ତୁ- Bribe Cases ୫୦ହଜାର ଟଙ୍କା ହାତଗୁଞ୍ଜା ନେଇଥିଲେ ଦଣ୍ଡପାଇଲେ ପୂର୍ବ ଜେଇ, ୮ହଜାର ଲାଞ୍ଚ ନେଇ ଧରାପଡ଼ିଲେ ମାଲକାନଗିରି ଆର୍‌ଆଇ

ଆଲେଖ୍ୟଟି ଲେଖା ହେବା ପର୍ଯ୍ୟନ୍ତ ସଂଶୋଧିତ ବିଲ୍‌ଟି ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇ ଆଇନରେ ପରିଣତ ହୋଇ ନାହିଁ। ଇତିମଧ୍ୟରେ ଝାଡ଼ଖଣ୍ଡ ଓ କେରଳ ରାଜ୍ୟ ସଂଶୋଧିତ ବିଲକୁ ଖୋଲାଖୋଲି ବିରୋଧ କଲେଣି। ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ତ ବିଲ୍‌ଟିର ପୁନର୍ବିବେଚନା ଲାଗି ସଂସଦକୁ ଫେରାଇଦେବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଜରିଆରେ ଅନୁରୋଧ କରିସାରିଲେଣି। ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଅନୁରୂପ ଅନୁରୋଧ କରିବାର ଆବଶ୍ୟକତା ଅନୁଭୂତ ହେଉଛି। ଏହି ସଂଶୋଧନ ଯୋଗୁଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ପରି ଆଦିବାସୀ ଅଧ୍ୟୁଷିତ ରାଜ୍ୟଗୁଡ଼ିକ ସର୍ବାଧିକ ପ୍ରଭାବିତ ହେଉଥିବାରୁ ବିଲ୍‌ଟି ଉପରେ ସଂସଦରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ତେଣୁ ରାଷ୍ଟ୍ରପତି ବିଲ୍‌ଟିକୁ ସଂସଦର ପୁନର୍ବିବେଚନା ପାଇଁ ଫେରାଇ ଦେଲେ ତାହା ବିସ୍ତୃତ ଆଲୋଚନା ହୋଇ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ୱାର୍ଥରକ୍ଷାରେ ସହାୟକ ହୁଅନ୍ତା।

ଏମ.ଏମ.ଡି.ଆର. ଆଇନରେ ସଂଶୋଧନ ଯୋଗୁଁ ବିପୁଳ ରାଜସ୍ୱ ହ୍ରାସ ପାଇ ଓଡ଼ିଶାର ବ୍ୟାପକ କ୍ଷତି ସାଧନ ହେବାର ଆଶଙ୍କା ଥିବାରୁ ରାଜନେତାମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟର ସ୍ୱାର୍ଥରକ୍ଷା ଲାଗି ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ନିକଟ ଅତୀତରେ ରାଜ୍ୟର ଦାରିଦ୍ର୍ୟ ଓ ଅନଗ୍ରସରତାକୁ ଆଖି ଆଗରେ ରଖି କେନ୍ଦ୍ରରୁ କିଛି ଅତିରିକ୍ତ ସୁବିଧା ସୁଯୋଗ ହାସଲ କରିବା ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦାବି ହେଉଥିଲା। ତାହା ମିଳିବା ତ ଦୂରର କଥା ଏହି ସଂଶୋଧନ ଯୋଗୁଁ ରାଜ୍ୟ ତା’ର ନ୍ୟାଯ୍ୟ ପ୍ରାପ୍ୟରୁ ମଧ୍ୟ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହେବା ଚିନ୍ତାଜନକ। ସୁପ୍ରିମକୋର୍ଟର ୯ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠଙ୍କ ରାୟ ଅନୁସାରେ ଖଣିଜ ସମ୍ପଦ ଥିବା ଜମି ଉପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଟିକସ ଲଗାଇବାର ସାମ୍ୱିଧାନିକ ଅଧିକାର ରହିଛି। ଏହି ସଂଶୋଧିତ ଆଇନ ଯୋଗୁଁ ରାଜ୍ୟଗୁଡ଼ିକର ସେହି ଅଧିକାରର ହନନ ହେଉଥିବା ପ୍ରତୀତ ହେଉଛି। ତେଣୁ ଆବଶ୍ୟକତା ଉପୁଜିଲେ ରାଜ୍ୟର ସେହି ସାମ୍ୱିଧାନିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଇନଗତ ପରାମର୍ଶ ପୂର୍ବକ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିବା ଉଚିତ।
(ମତାମତ ଲେଖକଙ୍କ ନିଜସ୍ବ) 

ମୋ: ୯୪୩୭୦୩୮୦୧୫

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.