ARTICLE AD BOX
ଯାହା ହେଉଛି ବିଶେଷ ଭାବରେ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏପ୍ରିଲ-ଜୁନ୍ ଚଉଠରେ ଘରୋଇ କ୍ଷେତ୍ରରେ ନିବେଶରେ ଦେଖାଯାଇଥିବା ବୃଦ୍ଧି। ଏବଂ ଏ କ୍ଷେତ୍ରରେ ଏଇ ବୃଦ୍ଧି ଅବ୍ୟାହତ ରହିବା ପାଇଁ ସୁଧ ହାର ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ ଅପେକ୍ଷା ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଉଟି ଚାହିଦାର ଆଚରଣ। ଗତ ବର୍ଷର କର-ରିହାତି ଏଥିରେ ବୃଦ୍ଧିକୁ ଇନ୍ଧନ ଯୋଗାଇଥିବା ବେଳେ, ଆସନ୍ନ ଜିଏସ୍ଟି-ସଂସ୍କାର ଏହାକୁ ଅବ୍ୟାହତ ରଖିବାରେ ସହାୟକ ହେବ।
ଅକ୍ଟୋବର ୭ ବୁଧବାର ଦିନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ‘ମନିଟାରି ପଲିସି କମିଟି’ (‘ଏମ୍ପିସି’) ତା’ର ଦ୍ବିମାସିକ ବୈଠକରେ ଗ୍ରହଣ କରିଥିବା ନିଷ୍ପତ୍ତି କେବଳ ବ୍ୟାପକ ଭାବରେ ଆଶା କରାଯାଉଥିବା ପଥ ଅନୁସରଣ କରିଛି, ତାହା ନୁହେଁ, କିଛି ମାତ୍ରାରେ ଆଶା କରାଯାଉଥିବା ଠାରୁ ଅଧିକ ବାଟ ଅଗ୍ରସର ହୋଇଛି ବୋଲି ମଧ୍ୟ କୁହାଯାଇ ପାରିବ। ଏଥର ‘ଏମ୍ପିସି’ ସମସ୍ତେ ଅନୁମାନ କରୁଥିବା ଭଳି ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ୨୫ ବେସିସ୍ ପଏଣ୍ଟ (୦.୨୫ ଶତାଂଶ) ବୃଦ୍ଧି ଘଟାଇ ତାହାକୁ ୫.୫୦ ଶତାଂଶରେ ପହଞ୍ଚାଇଥିବା ସହିତ ଆଉ ପାଦେ ଆଗକୁ ଯାଇ ତା’ର ଭବିଷ୍ୟତର ସମ୍ଭାବ୍ୟ ଆଚରଣ ସମ୍ବନ୍ଧରେ ଧାରଣା ବହନ କରୁଥିବା ସୂଚକ ବା ‘ଠାଣି’ (ଷ୍ଟାନ୍ସ)ରେ ପରିବର୍ତ୍ତନ ଘଟାଇ ତାହାକୁ ପୂର୍ବର ‘ନିରପେକ୍ଷ’ (‘ନିଉଟ୍ରାଲ’) ସ୍ଥାନରେ ‘କ୍ରମଶଃ ଭିଡ଼ିବା’ (‘କାଲିବ୍ରେଟେଡ ଟାଇଟେନିଙ୍ଗ’) ଶ୍ରେଣୀୟ କରିଦେଇଛି।
ଇରାନ ଯୁଦ୍ଧ ଯୋଗୁଁ ତୈଳ ଦରରେ ଘଟିଚାଲିଥିବା ବୃଦ୍ଧିର ନିକଟ ଭବିଷ୍ୟତରେ କୌଣସି ପ୍ରଶମନ ଘଟିବାର ଆଶା ଦେଖାଯାଉ ନ ଥିବାରୁ ଏକ ଆଶଙ୍କା ଦୃଢ଼ୀଭୂତ ହେବାକୁ ଲାଗିଲାଣି ଯେ ଏହା ଅବିଳମ୍ବେ ବଜାରରେ ଅନ୍ୟ ଦ୍ରବ୍ୟ ଓ ସେବା ସବୁର ମୂଲ୍ୟକୁ ସଂକ୍ରମିତ କରିବାକୁ ଯାଉଛି, କାରଣ ଇନ୍ଧନ ହେଉଛି ପ୍ରତ୍ୟେକ ଦ୍ରବ୍ୟ ବା ସେବାର ଉତ୍ପାଦନରେ ବ୍ୟବହୃତ ଏକ ଅପରିହାର୍ଯ୍ୟ ଉପାଦାନ। ଏଇ ସମୟରେ ‘ଏଲ୍ ନିନୋ’ର ପ୍ରଭାବରେ କୃଷି ଉତ୍ପାଦନ ବାଧାପ୍ରାପ୍ତ ହେବା ଦ୍ବାରା ଖାଦ୍ୟଦ୍ରବ୍ୟର ଦରଦାମରେ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ଦେଖାଦେଲାଣି। ଏହା ଜଣାଶୁଣା ଯେ ଖାଦ୍ୟ-ମୁଦ୍ରାସ୍ଫୀତି କେବଳ ଖାଦ୍ୟଦ୍ରବ୍ୟ ମଧ୍ୟରେ ସୀମିତ ନ ରହି କ୍ରମେ ଅନ୍ୟାନ୍ୟ ଦ୍ରବ୍ୟ ଓ ସେବାମାନଙ୍କର ମୂଲ୍ୟରେ ବୃଦ୍ଧି ଘଟାଇଥାଏ। ତେଣୁ ଏ ଉଭୟ କାରଣ ଯୋଗୁଁ ଆଗାମୀ ସମୟରେ ଦେଶରେ ସାଧାରଣ ଖାଉଟି ମୁଦ୍ରାସ୍ଫୀତି ନିରାପଦ ସ୍ତର ଅତିକ୍ରମ କରିବାର ଏକ ଦୃଢ଼ ସମ୍ଭାବନା ବର୍ତ୍ତମାନ ଉପସ୍ଥିତ। ମୁଦ୍ରାସ୍ଫୀତିକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ବୃଦ୍ଧିକୁ ଏକ ପ୍ରମୁଖ କୌଶଳ ରୂପେ ବ୍ୟବହାର କରିଥାଏ। ଏଭଳି ପରିସ୍ଥିତିରେ ତେଣୁ ‘ଏମ୍ପିସି’ର ସମସ୍ତ ଛ’ଜଣଯାକ ସଦସ୍ୟ ସର୍ବସମ୍ମତ ଭାବରେ ‘ରେପୋ ରେଟ୍’ରେ ଉପରୋକ୍ତ ବୃଦ୍ଧି ଘଟାଇଛନ୍ତି। ‘ଠାଣି’ରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ଅବଶ୍ୟ ୪-୨ ସଂଖ୍ୟାଗରିଷ୍ଠ ସମର୍ଥନ ଦ୍ବାରା ଗୃହୀତ ହୋଇଛି।
ଏଠାରେ ସୂଚନାଯୋଗ୍ୟ ଯେ ତିନି ବର୍ଷରୁ ଅଧିକ କାଳ ଧରି ତାହାକୁ ଅପରିବର୍ତ୍ତିତ ରଖି ଚାଲିବା ପରେ ରିଜର୍ଭ ବ୍ୟାଙ୍କ୍ ପ୍ରଥମ ଥର ପାଇଁ ‘ରେପୋ ରେଟ୍’ରେ ଏହି ବୃଦ୍ଧି ଘଟାଇବା ଆବଶ୍ୟକ ମନେ କରିଛି। ଦେଶରେ ଖାଉଟି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଉପରେ ଯେଉଁ ଦାୟିତ୍ବ ନ୍ୟସ୍ତ କରାଯାଇଛି, ତାହା ଅନୁସାରେ ମୁଦ୍ରାସ୍ଫୀତି ହାରରେ ହ୍ରାସ ବୃଦ୍ଧି ଘଟି ତାହା ସର୍ବୋଚ୍ଚ ୬ ଶତାଂଶ ଓ ସର୍ବନିମ୍ନ ୨ ଶତାଂଶ ମଧ୍ୟରେ ରହିବା ନିଶ୍ଚିତ କରିବା ହେଉଛି ଏହି କେନ୍ଦ୍ରୀୟ ବ୍ୟାଙ୍କର ଦାୟିତ୍ବ। ଏଇ ସହନ ବଳୟର ମଧ୍ୟସ୍ଥଳୀୟ ହାର କିନ୍ତୁ ରିଜର୍ଭ ବ୍ୟାଙ୍କ ପାଇଁ ଏକ ଦିଗ୍ଦର୍ଶକ ରୂପେ କାର୍ଯ୍ୟ କରିଥାଏ, ଯାହା ହେଉଛି ବାର୍ଷିକ ୪ ଶତାଂଶ ହାରରେ ମୁଦ୍ରାସ୍ଫୀତି। ମୁଦ୍ରାସ୍ଫୀତି ହାର ଏହା ତଳକୁ ଖସିଲେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ନିରାପଦ ମଣିଥାଏ; ଅପରପକ୍ଷେ ମୁଦ୍ରାସ୍ଫୀତି ହାର ଏହା ଉପରକୁ ଉଠିଲେ ତାହାକୁ ସଂଯତ କରିବା ପାଇଁ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବା ଅାବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ ଅନୁଭବ କରିଥାଏ, ଯାହା ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ କରିଛି।
ଗତ ଅଗଷ୍ଟରେ ୪.୮ ଶତାଂଶ ବାର୍ଷିକ ହାର ଛୁଇଁଥିବା ଖାଉଟି ମୁଦ୍ରାସ୍ଫୀତି ଏହାର ତାତ୍କାଳିକ କାରଣ ରୂପେ କାର୍ଯ୍ୟ କରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଯୋଗାଣ ପାର୍ଶ୍ବରେ ଦେଖାଦେବାକୁ ଯାଉଥିବା ଉପରୋକ୍ତ ବାଧାବିଘ୍ନମାନଙ୍କର ପ୍ରଭାବରେ ବିତ୍ତ ବର୍ଷର ଅବଶିଷ୍ଟ ସମୟରେ ଏଥିରେ ଆହୁରି ବୃଦ୍ଧି ଘଟି ଖାଉଟି ମୁଦ୍ରାସ୍ଫୀତି ୫.୮ ଶତାଂଶ ଛୁଇଁବ ବୋଲି ରିଜର୍ଭ ବ୍ୟାଙ୍କ ଆଶଙ୍କା କରୁଛି। ଏଥିଯୋଗୁଁ ରିଜର୍ଭ ବ୍ୟାଙ୍କର ଗଭର୍ନର ସଞ୍ଜୟ ମଲହୋତ୍ରା ତାଙ୍କର ବକ୍ତବ୍ୟରେ ସଚେତନ କରାଇ ଦେଇଛନ୍ତି ଯେ ଗତ ବର୍ଷ ମୁଦ୍ରାସ୍ଫୀତି ଯେଉଁଭଳି ଏକ ନିରାପଦ ଚିତ୍ର ପ୍ରଦାନ କରିଥିଲା, ଏଥର ତାହା ସେଭଳି ନ ହେବାର ଦୃଢ଼ ସମ୍ଭାବନା ଦେଖାଯାଉଛି। ଏଭଳି ପରିସ୍ଥିତିରେ ନିର୍ଣ୍ଣାୟକ ସୁଧ ହାରରେ ବୃଦ୍ଧି ଘଟାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ସେ ସ୍ବୀକାର କରିଛନ୍ତି।
ଅଭିବୃଦ୍ଧିକୁ ପ୍ରାଧାନ୍ୟ ପ୍ରଦାନ କରୁଥିବା ପର୍ଯ୍ୟବେକ୍ଷକମାନେ ସ୍ବାଭାବିକ ଭାବରେ ସୁଧ ହାରରେ ବୃଦ୍ଧି ପ୍ରତି ବିମୁଖ ହେଉଥିଲେ ହେଁ, ସେମାନେ ଏହା ଦ୍ବାରା ଅତ୍ୟଧିକ ହତୋତ୍ସାହିତ ହେବା ଉଚିତ ନୁହେଁ। ସଂପ୍ରତି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବେଶ୍ ସନ୍ତୋଷଜନକ ହୋଇଚାଲିଛି। ୨୦୨୬-୨୭ ବିତ୍ତ ବର୍ଷରେ ଏଇ ଅଭିବୃଦ୍ଧି ହାର ପୂର୍ବରୁ ଅନୁମାନ କରାଯାଉଥିବା ଭଳି ୬.୭ ଶତାଂଶ ନ ହୋଇ ୭.୧ ଶତାଂଶ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ ତା’ର ସଦ୍ୟ ଅନୁମାନ ପ୍ରକାଶ କରିଛି। ବ୍ୟୟ ପାର୍ଶ୍ବରେ ଅନୁଭୂତ ଚାପ ସତ୍ତ୍ବେ ଫ୍ୟାକ୍ଟ୍ରି ଉତ୍ପାଦନରେ ସନ୍ତୋଷଜନକ ବୃଦ୍ଧି ଘଟିବା ଦେଖାଯାଇଛି ଏବଂ ସେବା କ୍ଷେତ୍ରର ବିଭିନ୍ନ ସ୍ତରରେ ମଧ୍ୟ ଅନୁରୂପ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଯାହା ହେଉଛି ବିଶେଷ ଭାବରେ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏପ୍ରିଲ-ଜୁନ୍ ଚଉଠରେ ଘରୋଇ କ୍ଷେତ୍ରରେ ନିବେଶରେ ଦେଖାଯାଇଥିବା ବୃଦ୍ଧି। ଏବଂ ଏ କ୍ଷେତ୍ରରେ ଏଇ ବୃଦ୍ଧି ଅବ୍ୟାହତ ରହିବା ପାଇଁ ସୁଧ ହାର ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ ଅପେକ୍ଷା ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଉଟି ଚାହିଦାର ଆଚରଣ। ଗତ ବର୍ଷର କର-ରିହାତି ଏଥିରେ ବୃଦ୍ଧିକୁ ଇନ୍ଧନ ଯୋଗାଇଥିବା ବେଳେ, ଆସନ୍ନ ଜିଏସ୍ଟି-ସଂସ୍କାର ଏହାକୁ ଅବ୍ୟାହତ ରଖିବାରେ ସହାୟକ ହେବ।
‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବା ନିମିତ୍ତ ଆବିର୍ଭୂତ ହୋଇଥିବା ବାହ୍ୟ ଚାପ ସମ୍ବନ୍ଧରେ ମଧ୍ୟ ଆମେ ସଚେତନ ହେବା ଉଚିତ ମନେ ହୁଏ। ଇତିମଧ୍ୟରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥା ‘ଫେଡେରାଲ ରିଜର୍ଭ’ ସେଠାରେ ଦୀର୍ଘ କାଳର କୁଣ୍ଠା ପରିହାର କରି ନୀତିଗତ ସୁଧ ହାରରେ ବୃଦ୍ଧି ଘଟାଇଛି। ଏହା ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଥିଲେ ହେଁ, ଆନ୍ତର୍ଜାତିକ ନିବେଶକମାନଙ୍କ ଦୃଷ୍ଟିରେ ଆମେରିକାକୁ ଏକ ଅଧିକ ଲାଭପ୍ରଦ ଗନ୍ତବ୍ୟସ୍ଥଳୀରେ ପରିଣତ କରିଛି। ବୈଦେଶିକ ପୁଞ୍ଜି ନିବେଶକମାନେ ଏଥିଯୋଗୁଁ ଭାରତରୁ ନିବେଶ ପ୍ରତ୍ୟାହାର କରି ଆମେରିକା ଦିଗରେ ପଳାୟନ କରିବାର ସମ୍ଭାବନାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ‘ରେପୋ ରେଟ୍’ରେ କିଛି ମାତ୍ରାରେ ବୃଦ୍ଧି ଘଟାଇବା ଛଡ଼ା ରିଜର୍ଭ ବ୍ୟାଙ୍କର ଅନ୍ୟ କିଛି ଚାରା ନ ଥିଲା। ସମସ୍ତ ଦୃଷ୍ଟିରୁ ବିଚାର କଲେ ତେଣୁ ‘ଏମ୍ପିସି’ ଏକ ସମୟୋଚିତ ନିଷ୍ପତ୍ତି ନେଇଛି ବୋଲି କୁହାଯିବ।

51 minutes ago
1


