ARTICLE AD BOX
ଅ-ପରୀକ୍ଷିତ
ଶ୍ୟାମାପ୍ରସାଦ ଚୌଧୁରୀ
ଯାହା ମୁଁ ଚିନ୍ତଇ
“ପରୀକ୍ଷିତ ନ ହୋଇଥିବା ଜୀବନ ବଞ୍ଚିବା ଯୋଗ୍ୟ ନୁହେଁ।” ସକ୍ରେଟିସ୍ଙ୍କ ଏ ଧାରଣା କେବଳ ମଣିଷର ବିଜ୍ଞତାକୁ ନୁହେଁ, ବିଶ୍ୱାସକୁ ମଧ୍ୟ ପରୀକ୍ଷା କରିବାକୁ ଚାହିଁଥିଲା। ଆଜି ଆମ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହେଇଯାଇଛି, ପରୀକ୍ଷାର ପ୍ରଣାଳୀ ବା ପଦ୍ଧତିକୁ ବଦଳେଇ ହେବ କି? କିନ୍ତୁ, ଶିକ୍ଷା ବୋଲି ଆମେ ଯାହା ଏ ଯାଏଁ ବୁଝିଛୁ, ସେଇ ବୁଝିବାକୁ କେବେ ପରୀକ୍ଷା କରିଛୁ କି?
ଗୋଟେ ଭବ୍ୟ ଭ୍ରମରେ ଆମେ ବଞ୍ଚିଆସିଛୁ। ବିଦ୍ୟାଳୟକୁ ଶିକ୍ଷା, ପରୀକ୍ଷାକୁ ଜ୍ଞାନ, ପ୍ରମାଣପତ୍ରକୁ ଯୋଗ୍ୟତା ଓ ଅର୍ଥୋପାର୍ଜନକୁ ସଫଳତା ବୋଲି ଧରି ନେଇଛୁ। ଏମିତି ଧରିଛୁ ଯେ ଛାଡ଼ିବା ପାଇଁ ନାରାଜ। କୁଆଡ଼େ, ବ୍ରାଜିଲ୍ର ମାଙ୍କଡ଼-ଧରାଳିମାନେ ସରୁ ବେକ ଥିବା ବୋତଲ ଭିତରେ ବାଦାମ ମଞ୍ଜି କିଛି ରଖି ମାଙ୍କଡ଼କୁ ପ୍ରଲୋଭିତ କରି, ଧରନ୍ତି। ଥରେ ହାତ ଭର୍ତ୍ତି କରି ବାଦାମକୁ ଧରିବା ପରେ ମାଙ୍କଡ଼ ଆଉ ମୁଠାକୁ ଖୋଲିବାକୁ ଚାହେଁ ନାହିଁ, ଏଣୁ ନିଜ ହାତକୁ ନିଜେ ବାହାର କରିପାରେ ନାହିଁ। ବାଦାମର ସେଇ ବୋତଲ ହେଇଯାଏ ଗୋଟେ ଫନ୍ଦା। ମୋ ମତରେ, ଆମେ ବେଶୀ କିଛି ବିବର୍ତ୍ତିତ ବି ହେଇନେ।
ଆହୁରି ପଢ଼ନ୍ତୁ- State Human Rights Commission ବିରଜା ଶଙ୍କର ମିଶ୍ର ହେଲେ ରାଜ୍ୟ ମାନବାଧିକାର କମିସନ ସଦସ୍ୟ
୧୯୭୧ରେ ଅଷ୍ଟ୍ରିଆର ଜଣେ କାଥଲିକ୍ ପାଦ୍ରି ଓ ଦାର୍ଶନିକ ଇଭାନ ଇଲିଚ ଗୋଟେ ବହୁ ଚର୍ଚ୍ଚିତ ଓ ବହୁ ବିବାଦିତ ବହି ‘ଡିସ୍କୁଲିଙ୍ଗ୍ ସୋସାଇଟି’ (ସମାଜରୁ ବିଦ୍ୟାଳୟ ବ୍ୟବସ୍ଥା ହଟେଇବା) ଲେଖି କହିଲେ, ବିଦ୍ୟାଳୟ ପରି ଗୋଟେ ନିଷ୍ପ୍ରାଣ ଅନୁଷ୍ଠାନ ମଣିଷକୁ ଶିକ୍ଷା ଦେବାର ପରମ ଓ ପ୍ରକୃତ ବ୍ୟବସ୍ଥା ହେଇ ନପାରେ। ଏଣୁ, ତାକୁ ପ୍ରକାରାନ୍ତରେ ଜାବୁଡ଼ି ନଧରି, ବରଂ ମୁଠା ଖୋଲି ସେଥିରୁ ମୁକ୍ତି ପାଇବା ଦରକାର।
ଇଭାନ ଇଲିଚ ନାମଧାରୀ ଜଣେ ସତ ଓକିଲର ଅନୁଭବ ଉପରେ ଆଧାରିତ, ଟଲଷ୍ଟୟଙ୍କ ପ୍ରସିଦ୍ଧ ଉପନ୍ୟାସିକା ‘ଦ ଡେଥ ଅଫ ଇଭାନ ଇଲିଚ’ରେ ନାୟକ କିନ୍ତୁ ଜଣେ ଜଜ୍। ମୃତ୍ୟୁକୁ ପାଖରୁ ଦେଖି ଜୀବନର ଅର୍ଥକୁ ଶିଖୁଛନ୍ତି। ଜଜ୍ ପଚାରୁଛନ୍ତି, ଆମେ ଠିକ୍ ଭାବରେ ଜିଇଛୁ ତ? ଜଜ୍ ସେଇ ସମସ୍ତ ବ୍ୟବସ୍ଥା ସହ ଅସହମତ, ଯାହା ବାହ୍ୟ ସଫଳତାକୁ ଅନ୍ତର୍ନିହିତ ସାର୍ଥକତା ସହ ସମାନ କରି ଦେଖେ। ଦୁଇ ଇଭାନ ଇଲିଚଙ୍କ କଥା ବସ୍ତୁତଃ, ଏକ।
ମୁଁ କିଏ ବା କ’ଣ, କ’ଣ ମୋର ଉଦ୍ଦେଶ୍ୟ, ମୁଁ ଏଠି କାହିଁକି ଅଛି, ଏମିତି ନାନା କଥାର ପ୍ରଶ୍ନ-ପତ୍ର କାହିଁ କୋଉ କାଳୁ ‘ଲିକ୍’ ହେଇ ଆସିଛି! ଉତ୍ତର ନାହିଁ। ପରୀକ୍ଷା ବି କାହିଁ? ଆମେ ସଭିଏଁ କ’ଣ ଅ-ପରୀକ୍ଷିତ?
ଆହୁରି ପଢ଼ନ୍ତୁ- Pakistan Supreme Court: ଇମ୍ରାନ ଖାନଙ୍କୁ ଜେଲ୍ରୁ ମୁକ୍ତ କରାଯିବ: ହସ୍ପିଟାଲ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ବିଦ୍ୟାଳୟକୁ ଉଠେଇଦେବା ପକ୍ଷରେ ମୁଁ କେବେ ନଥିଲି ବା ଏବେ ବି ନାହିଁ। ନା ମୁଁ ଭାବିଛି, ସଂସାର ଆହୁରି ବିଦ୍ୟାଳୟର କୋଠରିମୟ ହେଉ। କାରଣ, ନିଠେଇକରି ଦେଖିଲେ, ସବୁଥିରୁ ଶିଖିହୁଏ। ଏଣୁ, ସବୁକିଛି ବିଦ୍ୟାଳୟ। ଥରେ ଥରେ, ଏକଥା ଭୁଲିଯାଉ ଯେ, କିଛି ପରୀକ୍ଷା କରାଯାଏ, କେବଳ ଆମକୁ ଜଣେଇବା ପାଇଁ ଯେ, ଆମେ ପାସ୍ କରିଛୁ, କାରଣ ସେମିତିରେ ସମୁଦାୟ ସମାଜ ହିଁ ପାସ୍ କରିଥାଏ। ଆଉ କିଛି ପରୀକ୍ଷାର ଗୋପନ ଓ ସମ୍ଭବତଃ ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଆମ ଭିତରୁ ଅନେକଙ୍କୁ ଫେଲ୍ କରେଇବା। କାରଣ ପରବର୍ତ୍ତୀ ପର୍ଯ୍ୟାୟର ଶିକ୍ଷା ବା ସୁବିଧା ବା ଇଚ୍ଛାପୂର୍ତ୍ତି ପାଇଁ, ଉପଲବ୍ଧ ନଥାଏ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା। ଏଣେ ନିଜେ ଫେଲ୍ ହେଇଛି ବୋଲି, କୌଣସି ବ୍ୟବସ୍ଥା ମାନିବାକୁ ରାଜି ନୁହେଁ।
ଡେଭିଡ୍ ଲେବାରିଙ୍କ ବହି ‘ସମୱାନ ହାଜ ଟୁ ଫେଲ’ (କାହାକୁ ଜଣକୁ ଫେଲ୍ ହେବାକୁ ପଡ଼ିବ) ତ ଏଇକଥା ବୁଝାଏ ଯେ ଗୋଟେ କଥା ପାଇଁ, ଜଣେ ପାସ୍ ହେବ ତ, ଅନ୍ୟ କେହି ନିଶ୍ଚୟ ଫେଲ୍ ହେବ। ଆମେ ମାନୁ ବା ନମାନୁ। କୌଣସି ପରୀକ୍ଷା ଯଦି ଗୋଟେ ଫଳ ପାଇଁ ଶହେ ପରୀକ୍ଷାର୍ଥୀଙ୍କର ପ୍ରତିଯୋଗିତା କରିବ, ଅନେଶତ ଜଣଙ୍କୁ ଯେ ଅସଫଳ ହେବାକୁ ହେବ, ଏକଥା ଜଣେ ଅ-ପରୀକ୍ଷକ ଓ ଅ-ପରୀକ୍ଷାର୍ଥୀ ମଧ୍ୟ ବୁଝିଥାଏ।
ପରୀକ୍ଷା ହୁଏ ତ ଉତ୍ତରକୁ ଗଣେ ଓ ଗୁଣେ। ଜୀବନ, ପ୍ରଶ୍ନକୁ ଭିଣେ। ପ୍ରମାଣପତ୍ର ଥରେ ଥରେ ଏମିତି ଗୋଟେ ଚାବି ହେଇଯାଏ ଯେ, ପ୍ରବେଶ ଦ୍ୱାରରେ ଝୁଲୁଥିବାର ଦେଖାଯାଏ, ଏକବାରେ ଅନ୍ୟ ଗୋଟେ ତାଲା। ଏବେ ପ୍ରଶ୍ନ ଉଠେ, ତାଲାକୁ ଭାଙ୍ଗିବି ନା ଦରଜାକୁ? ଚାବିକୁ ବଦଳେଇ ଦେଖିବି ନା ନୂଆ ଚାବିଟିଏ ହିଁ ତିଆରିବି? ହାତୁଡ଼ି ଖୋଜିବି ନା ତାଲା-ଖୋଲିବା ମିସ୍ତ୍ରୀକୁ?
ଆହୁରି ପଢ଼ନ୍ତୁ- Union Health Minister J.P. Nadda: ଏମ୍ସରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଆଞ୍ଜିଓପ୍ଲାଷ୍ଟି
ଆମର ପ୍ରଥମ କାମ, ପରୀକ୍ଷାର ନୁହେଁ, ପଦ୍ଧତିକୁ ସଜାଡ଼ିବା। ଚାବିକୁ - ପ୍ରକାରାନ୍ତରେ ନିଜକୁ - ପରୀକ୍ଷା କରିବାର ଉପାୟ ବି ଖୋଜିବା ଏବଂ ସେ ପରୀକ୍ଷାର ସଂଚାଳନା କଥା ଆଉ ଥରେ ଏବଂ ଅଲଗା ପ୍ରକାରେ ଭାବିବା। ଭୁଲ୍ ପାଠ୍ୟକ୍ରମଠାରୁ ଭୁଲ୍ ବିଶ୍ୱାସ ଅଧିକ ବିପଜ୍ଜନକ। ବୁଝିଥିବା ବହିର ଅପାଠ୍ୟକୁ ସଂଶୋଧନ କରିବା ସହଜ; ନବୁଝି ମୁଣ୍ଡ ଭିତରେ ‘ପାଳିଥିବା’ ବୌଦ୍ଧିକ ଚିନ୍ତାଧାରାକୁ ବଦଳେଇବା କଷ୍ଟ। ଇତିହାସ କହେ, ପ୍ରତ୍ୟେକ ବଡ଼ ପରିବର୍ତ୍ତନ ପ୍ରଥମେ ବିତର୍କିତ ମନରେ ଘଟିଛି, ବିକୃତ ମନରେ ନୁହେଁ।
ବାହାରେ ଶିକ୍ଷା ସଂପର୍କରେ, କିଏ କେମିତି ଚିନ୍ତା କରିଛି, ସେକଥାକୁ କ’ଣ ଆମ ମନରେ ଅବିକଳ ଥୋପି ଦିଆଯାଇପାରେ? ମୋ ମତରେ, ଚେତନାର ଚୁଲି ଓ ଚିନ୍ତାର ନିଆଁ, ବାହାରେ ଯାହା, ଭିତରେ ବି ସେଇଆ। ଶିକ୍ଷାକୁ ଗୋଟେ ସୁସ୍ବାଦୁ ବ୍ୟଞ୍ଜନ ବୋଲି ମନେ କଲେ, ଯିଏ ବି ଯେଉଁଠାରୁ, ଯେଉଁ ରେସିପି ଦେଉନା କାହିଁକି, ଆମେ ନିଜେ ତ ଏଠି ତାକୁ ରାନ୍ଧିବା ଅଥବା ଆଗରୁ ନିଜ ପ୍ରକାରେ ରାନ୍ଧିସାରି ଫ୍ରିଜ୍ରେ ରଖିଥିଲେ, କାଢ଼ି ଟିକେ ନିଶ୍ଚୟ ଗରମ କରିବା। ଆମେ ତାକୁ ନିଜେ ବି ବାଢ଼ିବା। କେବଳ ଭାବୁଛି, ଅନ୍ୟ କାହାକୁ, ବିଶେଷକରି ପିଲାଙ୍କୁ ପରସିବା ଆଗରୁ, ଆମର ଚମତ୍କାର ରାନ୍ଧୁଣିଆ କେତେଜଣ, କେମିତି କେଜାଣି, ଥରେ ନିଜେ ଟିକେ ଚାଖିପାରନ୍ତେନି!
ଚାଖିବା ବି ଗୋଟେ ପ୍ରକାରେ, ରେସିପି ଓ ନିଜ ସ୍ବାଦକୁ, ପରୀକ୍ଷା କରିବା ନୁହେଁ କି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୯୦୨୧୯୪୯୪୯
ଅଧିକ ଦେଖନ୍ତୁ-

1 hour ago
2


