ARTICLE AD BOX
କାଠମାଣ୍ଡୁ: ଗୁରୁବାର ସକାଳୁ ସକାଳୁ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ଦୋଡ଼ି ପଳାଇ ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିରୁ ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ସାଢ଼େ ୪ଟାରେ ୪.୯ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠର ୭୩ କିଲୋମିଟର ଗଭୀରତାରେ ଥିଲା।
ଭୂମିକମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକୁ ସକ୍ରିୟ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ମଧ୍ୟମ ତୀବ୍ରତାର ଭୂମିକମ୍ପରେ ବଡ଼ ଧରଣର ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ତୁରନ୍ତ କୌଣସି ରିପୋର୍ଟ ମିଳିନାହିଁ। ତେବେ ପାର୍ବତ୍ୟ ଅଞ୍ଚଳ ଯୋଗୁଁ ସ୍ଥାନୀୟ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ପରିସ୍ଥିତି ଉପରେ କଡ଼ା ନଜର
ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ନଭେମ୍ବର ୬ ତାରିଖ ସକାଳେ ନେପାଳର ହୁମଲା ଜିଲ୍ଲାରେ ସକାଳ ୭ଟା ୧୦ ମିନିଟରେ ୪.୨ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ପୂର୍ବରୁ ନେପାଳରେ ହିମବାହ ସ୍ଖଳନ ଏବଂ ଆକସ୍ମିକ ବନ୍ୟା ଭଳି ଦୁଇଟି ବଡ଼ ବିପର୍ଯ୍ୟୟ ପାର୍ବତ୍ୟାଞ୍ଚଳ ଜିଲ୍ଲାଗୁଡ଼ିକରେ ତାଣ୍ଡବ ରଚିଥିଲା। ଅଗଷ୍ଟ ମାସରେ ନେପାଳରେ ହୋଇଥିବା ଏହି ଘଟଣାରେ ୧,୫୦୦ ଲୋକଙ୍କ ଜୀବନ ଯାଇଥିଲା। ହଜାର ହଜାର ଲୋକ ନିଖୋଜ ଏବଂ ଆହତ ହୋଇଥିବା ରିପୋର୍ଟ କରାଯାଇଥିଲା। କିଛି ପୀଡିତ ଭାସି ଯାଇ ତଳମୁଣ୍ଡରେ ଥିବା ପଡ଼ୋଶୀ ଭାରତରେ ପହଞ୍ଚିଥିଲେ।

12 hours ago
4


