ARTICLE AD BOX
ଭୁବନେଶ୍ବର: ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଶୁକ୍ରବାର ଠାରୁ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଅରମ୍ଭ ହୋଇଯାଇଛି। ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ପରିଚାଳିତ ଏହି ସମାରୋହର ଦ୍ବିତୀୟ ଦିନରେ ଶନିବାର ଅନେକ ଗୁଡ଼ିଏ ଅଧିବେଶନରେ ବକ୍ତାମାନେ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଆଲୋଚନା କରିଛନ୍ତି। ଏହି କ୍ରମରେ ଓଡ଼ିଶା ପରିବେଶ କଂଗ୍ରେସର ସଂପାଦକ ସୁଦର୍ଶନ ଦାସ ଏକ ସ୍ବତନ୍ତ୍ର ଅଧିବେଶନରେ କହିଛନ୍ତି, ଧୀରେ ଧୀରେ ସବୁ ନଦୀ ମରି ନାଳରେ ପରିଣତ ହୋଇସାରିଲାଣି। ଏହି ନଦୀଗୁଡ଼ିକରେ ଯେଉଁମାନେ ଗାଧୋଉଛନ୍ତି ଓ ପହରୁଛନ୍ତି, ସେହି ନଦୀଗୁଡ଼ିକ ନରହି ପାରେ ଏବଂ ମରିଯାଇପାରେ। ୨୦୦୦ ବର୍ଷ ପୂର୍ବେ ଗ୍ରୀକ୍ ଦାର୍ଶନିକମାନେ କହିଥିଲେ ଯେ, ଆପଣ ଗୋଟିଏ ନଦୀରେ ଦୁଇଥର ପାଦ ଦେଇପାରିବେ ନାହିଁ। ଯେଉଁଠି ପ୍ରବାହ ନାହିଁ ସେଇଠି ନଦୀ ନାହିଁ।
ନଦୀ ବ୍ୟବସ୍ଥା ଉପରେ ସେ କହିଛନ୍ତି, ନଦୀର ୱାଟର ଟାୱାର୍ ହେଉଛି ଜଙ୍ଗଲ ଏବଂ ପାହାଡ଼। ମହାନଦୀ, ବୈତରଣୀ, ବ୍ରାହ୍ମଣୀ ପରି ସମସ୍ତ ନଦୀ ପାହାଡ଼ ଏବଂ ଜଙ୍ଗଲରୁ ଆସିଥାଏ। ଯଦି ପାହାଡ଼ ଏବଂ ଜଙ୍ଗଲ ନରହେ, ତେବେ ନଦୀ ରହିବ ନାହିଁ। ନଦୀର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷମତା ରହିଥାଏ। କିନ୍ତୁ ସେହି କ୍ଷମତାଠାରୁ ଅଧିକ ବ୍ୟବହାର କଲେ ନଦୀର କ୍ଷମତା କମିଯାଇଥାଏ। ମହାନଦୀର ଉପରମୁଣ୍ଡରେ ଅର୍ଥାତ୍ ଛତିଶଗଡ଼ରେ ବହୁତଗୁଡ଼ିଏ ବ୍ୟାରେଜ୍, ବନ୍ଧ, ଓ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହି ସବୁ ସ୍ଥାନରୁ ପାଣି ଇଣ୍ଡଷ୍ଟ୍ରି, କୃଷି ଏବଂ ପିଇବା ପାଇଁ ବ୍ୟବହାର ହେଉଛି।
ସେ କହିଛନ୍ତି, ନଦୀକୁ 'ଜୀବନ୍ତ ସତ୍ତା' ଭାବେ ଗ୍ରହଣ କରନ୍ତୁ। ନ୍ୟୁଜିଲାଣ୍ଡର ହ୍ୱାଙ୍ଗାନୁଇ ନଦୀ ଏବଂ ଉତ୍ତରାଖଣ୍ଡ ହାଇକୋର୍ଟ ଦ୍ୱାରା ଗଙ୍ଗା-ଯମୁନାକୁ ଦିଆଯାଇଥିବା ମାନ୍ୟତା ଭଳି ନଦୀକୁ ଏକ ଜୀବନ୍ତ ସତ୍ତା ଭାବେ ସ୍ୱୀକୃତି ଦେବା ଜରୁରୀ। ଶୋଷଣ ଉପରେ ରୋକ: ନଦୀର ଯେତିକି କ୍ଷମତା ଅଛି, ତାହାଠାରୁ ଅଧିକ ଜଳ ବ୍ୟବହାର ବନ୍ଦ କରାଯାଉ। 'ୱାଟର ଟାୱାର'ର ସୁରକ୍ଷା: ପ୍ରକୃତିର ପ୍ରକୃତ ୱାଟର ଟାୱାର କୁହାଯାଉଥିବା ଜଙ୍ଗଲ ଏବଂ ପାହାଡ଼କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଉ।
ଭି ରାମପ୍ରସାଦ (ବାମରୁ ଦ୍ବିତୀୟ)ଏହି ଅଧିବେଶନରେ ଫ୍ରେଣ୍ଡସ୍ ଅଫ୍ ଲେକ୍ସର ସହପ୍ରତିଷ୍ଠାତା ଭି ରାମପ୍ରସାଦ କହିଥିଲେ, ରାଜସ୍ୱ ରେକର୍ଡଗୁଡ଼ିକରେ ନଦୀଗୁଡ଼ିକୁ ମଧ୍ୟ ନାଳ ଭାବରେ ଦର୍ଶାଯାଇଥାଏ ଯାହାକି ଚେକ୍ କରିବା ଜରୁରୀ ଅଟେ। ନାଳରେ ଆପଣ ଯାହା ଚାହିଁବେ ପକାଇ ପାରିବେ କିନ୍ତୁ ନଦୀରେ ତାହା କରାଯାଇ ପାରିବ ନାହିଁ। ସର୍ବପ୍ରଥମେ ନଦୀ ଏବଂ ଜଳାଶୟଗୁଡ଼ିକୁ ସେମାନଙ୍କର ଉଚିତ୍ ସମ୍ମାନ ଦେବା ଆବଶ୍ୟକ।

1 day ago
2


