ARTICLE AD BOX
ମସ୍କୋ/କିଭ୍:ରୁଷ-ୟୁକ୍ରେନ୍ ଯୁଦ୍ଧ ଆହୁରି ଉଗ୍ର ରୂପ ଧାରଣ କରିଥିବା ବେଳେ, ରୁଷିଆର ରାଜଧାନୀ ମସ୍କୋର ପୂର୍ବ ଭାଗରେ ଥିବା ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ବଡ଼ ଡ୍ରୋନ୍ ଆକ୍ରମଣ କରାଯାଇଛି। ନିଜ୍ନି ନୋଭଗୋରୋଡ୍ ଅଞ୍ଚଳର କସଟୋଭୋ ଜିଲ୍ଲାରେ ଥିବା ରୁଷିଆର ସବୁଠାରୁ ବଡ଼ ତୈଳ ଓ ଇନ୍ଧନ ବିଶୋଧନାଗାର ଉପରେ ରାତିସାରା ଏହି ବ୍ୟାପକ ଡ୍ରୋନ୍ ଆକ୍ରମଣ ହୋଇଥିବା ରୁଷିଆ ସ୍ୱୀକାର କରିଛି।
ନିଜ୍ନି ନୋଭଗୋରୋଡର ରାଜ୍ୟପାଳ ଗ୍ଲେବ୍ ନିକିତିନ୍ କହିଛନ୍ତି ଯେ, ରାତ୍ରିକାଳୀନ ଡ୍ରୋନ୍ ଆକ୍ରମଣ ଯୋଗୁଁ କସଟୋଭୋ ଜିଲ୍ଲାସ୍ଥିତ ଶିଳ୍ପାନୁଷ୍ଠାନଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ବିମାନ ସୁରକ୍ଷା ବାହିନୀ ୧୦୦ରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ଡ୍ରୋନକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିଦେଇଥିବା ବେଳେ, ପ୍ରାଥମିକ ସୂଚନା ଅନୁଯାୟୀ ଏହି ଘଟଣାରେ କୌଣସି ମୃତାହତ ହୋଇନାହାନ୍ତି। ଅପରପକ୍ଷରେ, ୟୁକ୍ରେନ୍ ଗଣମାଧ୍ୟମ ଦାବି କରିଛି ଯେ ସେମାନଙ୍କ ସେନା ରୁଷିଆର ଶକ୍ତି ଉତ୍ପାଦନ କରୁଥିବା ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରିଫାଇନାରୀକୁ ସଫଳତାର ସହ ଟାର୍ଗେଟ୍ କରିଛି।
କିଭ୍ ଉପରେ କ୍ରମାଗତ ଚାପ ସୃଷ୍ଟି
ରୁଷିଆର ବରିଷ୍ଠ ଅଧିକାରୀ ଆଲେକ୍ସଜାଣ୍ଡାର୍ ନୋଭାକ୍ ସରକାରୀ ଟିଭିକୁ ସୂଚନା ଦେଇ କହିଛନ୍ତି ଯେ, କିଛି ଦିନର ବିରାମ ପରେ ୟୁକ୍ରେନ୍ ପୁଣି ଥରେ ରୁଷର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଆରମ୍ଭ କରିଛି। ନିକଟରେ ୟୁକ୍ରେନ୍ ରୁଷିଆର ୩ଟି ତୈଳ ବିଶୋଧନାଗାର ଏବଂ ଗୋଟିଏ ଗ୍ୟାସ୍-କେମିକାଲ୍ କମ୍ପ୍ଲେକ୍ସକୁ ଟାର୍ଗେଟ୍ କରିସାରିଛି। ୨୦୨୨ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ରୁଷିଆର ଶକ୍ତି କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବା ପାଇଁ ୟୁକ୍ରେନ୍ ଏହି ପାଲଟା ରଣନୀତି ଆପଣାଇଛି। ତେବେ ବିଶ୍ୱ ବଜାରରେ ଡିଜେଲର ଦର ବୃଦ୍ଧି ପାଇଁ ଏହି ଆକ୍ରମଣଗୁଡ଼ିକୁ ଦାୟୀ କରି, ଏପରି ଆକ୍ରମଣରୁ ବିରତ ରହିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ସପ୍ତାହ ହେବ କିଭ୍ ଉପରେ କ୍ରମାଗତ ଚାପ ସୃଷ୍ଟି କରିଆସୁଛନ୍ତି।
Accident: କାର୍ ଦୁର୍ଘଟଣାରେ ରାପଷ୍ଟାର୍ ହନି ସିଂହଙ୍କ ଭଣଜା ବିଦିତଙ୍କ ଅକାଳ ମୃତ୍ୟୁ, ପରିବାରରେ ଶୋକର ଛାୟା

1 hour ago
2


