ARTICLE AD BOX
ରାଉରକେଲା: ଜଣେ ସରକାରୀ ପ୍ରଶାସକ ଭାବେ ସମଗ୍ର ରାଜ୍ୟରେ ସେବା ପ୍ରଦାନ କରିବାନିୟମ ରହିଛି। କିନ୍ତୁ କୌଣସି କାରଣରୁ କିଛି ବରିଷ୍ଠ ଅଧିକାରୀଙ୍କ ରାଉରକେଲା ମୋହ ତୁଟୁନି। ଅଧିକାରୀଙ୍କ କ୍ଷେତ୍ରରେ ସ୍ମାର୍ଟସିଟି ରାଉରକେଲା ତଥା ଖଣିଜପଦାର୍ଥରେ ଭରପୁର୍ ସୁନ୍ଦରଗଡ଼ ଜିଲ୍ଲା ଆସିବାକୁ ଅହେତୁକ ଦୁର୍ବଳତା ପରିଲକ୍ଷିତ ହୁଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ। ଏହି ଦୁଇ ଅଧିକାରୀ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ଦାୟିତ୍ବ ନିର୍ବାହ କରିବା ସହ ବଦଳିର ମାତ୍ର କେଇ ମାସ ପରେ ପୁଣି ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜଣେ ଅଧିକାରୀ ବାରମ୍ବାର ନିଜ ପସନ୍ଦର ସ୍ଥାନକୁ ଆସିବା ଦ୍ୱାରା ପ୍ରଶାସନିକ ନିରପେକ୍ଷତା କ୍ଷୁଣ୍ଣ ହେବା ସହ ଅନ୍ୟ ଯୋଗ୍ୟ ଅଧିକାରୀଙ୍କ ସୁଯୋଗ ହରାଉଛନ୍ତି। କେବଳ ଗୋଟିଏ ଅଞ୍ଚଳରେ ରହିବା ପଛରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ବା ବଡ଼ ପ୍ରଶାସନିକ ମଧୁଚନ୍ଦ୍ରିକା ଲୁଚି ରହିଥିବା ଅଭିଯୋଗ ହେଉଛି।
ଚର୍ଚ୍ଚାରେ ଅଛନ୍ତି ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ
ସଂପ୍ରତି ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଜୀବନ୍ତ ଗୁଳି ସହ ଅପରାଧୀ ଧରାପଡ଼ିବା ଘଟଣାରେ ଚର୍ଚ୍ଚାରେ ଅଛନ୍ତି ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ। ଶ୍ରୀ ମଲ୍ଲିକ ପୂର୍ବରୁ ରାଉରକେଲା ତହସିଲଦାର, ରାଉରକେଲା ଉନ୍ନୟନ ପ୍ରାଧିକରଣ ସେକ୍ରେଟାରୀ ଦାୟିତ୍ବ ନିର୍ବାହ କରିବାପରେ ପୁଣିଥରେ ଉପଜିଲ୍ଲାପାଳ ଭାବେ ରାଉରକେଲାକୁ ଫେରିଛନ୍ତି। ଶ୍ରୀ ମଲ୍ଲିକ ୨୦୨୧ ଫେବ୍ରୁଆରି ୧୨ ତାରିଖରେ ରାଉରକେଲାର ୩୧ତମ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଠାରେ ୩ ବର୍ଷ ୨ ମାସ ଯାଏ ତହସିଲଦାର ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପରେ ୩୦ ଅପ୍ରେଲ ୨୦୨୪ରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ (ସରକାରୀ ବିଜ୍ଞପ୍ତି ସଂଖ୍ୟା ୧୮୫୪୮ ଅନୁଯାୟୀ) ତାଙ୍କର ବଦଳି ହୋଇଥିଲା। ତେବେ ବଦଳି ଜିଲ୍ଲା ବାହାରକୁ ନୁହେଁ, ବରଂ ରାଉରକେଲା ସହର ଭିତରେ ହିଁ ସୀମିତ ରହିଥିଲା। ରାଉରକେଲା ତହସିଲଦାର ପଦବିରୁ ବଦଳି ହେବା ପରେ ୨୦୨୪ ମେ’ ୧ ତାରିଖରେ ଆନୁଷ୍ଠାନିକ ଭାବେ ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆର୍ଡିଏ)ର ସେକ୍ରେଟେରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପଦବିରେ ପ୍ରାୟ ୧୦ ମାସ ରହିବାପରେ ୨୩ ଫେବ୍ରୁଆରି ୨୦୨୫ରେ ତାଙ୍କୁ ଏଠାରୁ ଭୁବନେଶ୍ୱରକୁ ବଦଳି କରାଯାଇଥିଲା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଏକ ପ୍ରଶାସନିକ ଅଦଳବଦଳ ପ୍ରକ୍ରିୟାରେ ଭୁବନେଶ୍ୱରରେ ସେ ନଗର ଉନ୍ନୟନ ନିର୍ଦ୍ଦେଶାଳୟର ଓଏସ୍ଡି ଏବଂ ପରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍)ର ଓଏସ୍ଡି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ସେଠାରେ କେବଳ ୧୪ ମାସ ଦାୟିତ୍ବ ତୁଲାଇବାପରେ ପୁଣିଥରେ ରାଉରକେଲାକୁ ଫେରିଥିଲେ। ଏଥର ସେ ପାନପୋଷ ଉପଜିଲ୍ଲାପାଳ ଭାବେ ୨୦୨୬ ମେ’ ୭ ତାରିଖରେ କାର୍ଯ୍ୟରେ ଯୋଗଦେଇଥିଲେ।
ସେହିଭଳି ବର୍ତ୍ତମାନର ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ମଧ୍ୟ ପୂର୍ବରୁ ଏକାଧିକ ଦାୟିତ୍ବରେ ରହିସାରିଛନ୍ତି। ସେ ୨୦୨୨ ମସିହା ଜାନୁଆରି ୧୦ ତାରିଖରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ। ସେତେବେଳେ ଡା. ମହାପାତ୍ର ରାଉରକେଲା ମହାନଗର ନିଗମର କମିସନର, ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ର ସିଇଓ ଓ ଆର୍ଡିଏର ସେକ୍ରେଟାରୀ ଭାବେ ଅତିରିକ୍ତ ଦାୟତ୍ବ ତୁଲାଇଥିଲେ। ଏସବୁ ଦାୟତ୍ବରେ ପ୍ରାୟ ୨ ବର୍ଷ ରହିବାପରେ ୨୦୨୪ ଜାନୁଆରି ୨୨ରେ ତାଙ୍କର ବଦଳି ହୋଇଥିଲା। ପ୍ରାୟ ୧୮ ମାସ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଓ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାମ କରିଥିଲେ। ଏହାପରେ, ୨୦୨୫ ଜୁଲାଇ ୨୨ ତାରିଖରେ ସେ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ।
Heavy Rain: ଜାରି ରହିଛି ଲଗାଣ ବର୍ଷା, ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତଠୁ ଅଳ୍ପ ଦୂରରେ

1 hour ago
1


