ARTICLE AD BOX
ଡେରାଡୁନ: ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ଯୋଗୁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ଷା ଜନିତ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବାବେଳେ ଭୂସ୍ଖଳନ ଯୋଗୁ ବଦ୍ରିନାଥ ଜାତୀୟ ରାଜପଥ ସମେତ ଅନେକ ସଡ଼କ ବନ୍ଦ ହୋଇଯାଇଛି। ଚାମୋଲି ଜିଲ୍ଲାର ଗୋପେଶ୍ୱରସ୍ଥିତ ଜିଲ୍ଲା ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା କାରଣରୁ ହସ୍ପିଟାଲ ପରିସରର ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ସେଠାରେ ଥିବା ଜଣେ ଡାକ୍ତର କାନ୍ଥ ତଳେ ଚାପି ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ହସ୍ପିଟାଲ ପରିସରର ଅନ୍ୟ ବିପଜ୍ଜନକ ସ୍ଥାନଗୁଡ଼ିକର ସୁରକ୍ଷା ଯାଞ୍ଚ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ଲଗାତାର ବର୍ଷା ଯୋଗୁ ଚାମୋଲି, ରୁଦ୍ରପ୍ରୟାଗ, ପିଥୋରାଗଡ଼ ଓ ଉତ୍ତରକାଶୀ ସମେତ ଅନେକ ପାହାଡ଼ିଆ ଜିଲ୍ଲାରେ ଭୂସ୍ଖଳନ ଘଟିଛି। ଏହାଫଳରେ ବଦ୍ରିନାଥ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପଥର ଓ ମାଟି ଖସିପଡ଼ି ଯାତାୟାତ ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିବାବେଳେ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି। ସୀମା ସଡ଼କ ସଂଗଠନ (ବିଆର୍ଓ) ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳର କର୍ମଚାରୀମାନେ ଜେସିବି ଓ ଅନ୍ୟ ଭାରୀ ଯନ୍ତ୍ରପାତି ସାହାଯ୍ୟରେ ରାସ୍ତାରୁ ପଥର ଓ ମାଟି ହଟାଇବା କାମରେ ଲାଗିଛନ୍ତି।
Weather: ଜନଜୀବନ ଅସ୍ତବ୍ୟସ୍ତ: ରାଜସ୍ଥାନ, ହରିୟାଣା ଓ ପଞ୍ଜାବରେ ନିଆଁ ବର୍ଷୁଛି
ବର୍ଷା ଜାରି ରହିଥିବାରୁ ରାସ୍ତା ସ୍ୱାଭାବିକ କରିବାରେ ବାଧା ସୃଷ୍ଟି ହେଉଛି। ଭାରତୀୟ ପାଣିପାଗ ବିଭାଗ ଉତ୍ତରାଖଣ୍ଡର ଅନେକ ଜିଲ୍ଲା ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛି। ନଦୀ ଓ ଝରଣା ନିକଟକୁ ନ ଯିବା ସହ ପାହାଡ଼ିଆ ଅଞ୍ଚଳକୁ ଅନାବଶ୍ୟକ ଯାତ୍ରା ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ଶିକ୍ଷାନୁଷ୍ଠାନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ କିଛି ଦିନ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ଅନୁରୋଧ କରିଛି।

1 hour ago
1


