ARTICLE AD BOX
ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡାଙ୍କ ପତ୍ନୀ ଚେନ୍ନମ୍ମା ଦେବେ ଗୌଡାଙ୍କର ଶନିବାର ହୃଦ୍ଘାତରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଶ୍ବାସକ୍ରିୟା ଜନିତ ସମସ୍ୟାରେ ସେ ଚିକିତ୍ସାଧୀନ ଥିଲେ। ଦେବେ ଗୌଡା, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟମାନେ ହସ୍ପିଟାଲରେ ଥିଲେ।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ଚେନ୍ନମ୍ମାଙ୍କ ପାର୍ଥିବ ଶରୀରକୁ ଶନିବାର ରାତିରେ ବେଙ୍ଗାଲୁରୁର ପଦ୍ମନାଭନଗରସ୍ଥିତ ପାରିବାରିକ ବାସଭବନକୁ ସ୍ଥାନାନ୍ତର କରାଯିବ ଓ ରବିବାର ଅପରାହ୍ଣ ପର୍ଯ୍ୟନ୍ତ ସେଠାରେ ରହିବାର ସମ୍ଭାବନା ରହିଛି। ସୋମବାର ପୈତୃକ ଗାଁ ହାସନ ଜିଲ୍ଲାରେ ଶେଷକୃତ୍ୟ ସମ୍ପନ୍ନ ହୋଇପାରେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଚେନ୍ନମ୍ମାଙ୍କୁ ବୁଧବାର ରାତିରେ ପୁରୁଣା ବିମାନବନ୍ଦର ରୋଡରେ ଥିବା ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ବିବୃତିରେ ହସ୍ପିଟାଲ କହିଛି ଯେ, ଅପରାହ୍ଣ ୪ଟାରେ ଚେନ୍ନମ୍ମାଙ୍କର ହୃଦ୍ଘାତ ହୋଇଥିଲା। ଚେନ୍ନମ୍ମା ଫେବ୍ରୁଆରି ୨୦୦୧ରେ ଏକ ପାରିବାରିକ କଳହରୁ ହୋଇଥିବା ଏସିଡ୍ ଆକ୍ରମଣରୁ ବର୍ତ୍ତି ଯାଇଥିଲେ।
ଆହୁରି ପଢନ୍ତୁ: Mamata: ମମତା ଓ ଉଦ୍ଧବଙ୍କୁ ଝଟ୍କା: ଶିବସେନା ସାଂସଦଙ୍କ ମିଶ୍ରଣକୁ ମଞ୍ଜୁରୀ ଦେଲେ ବାଚସ୍ପତି
ଚେନ୍ନମ୍ମା ୧୯୫୪ ମସିହାରେ ଦେବେଗୌଡାଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କ ଚାରି ପୁଅ ଓ ଦୁଇ ଝିଅ ଅଛନ୍ତି, ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଓ ହାସନ ଜିଲ୍ଲାର ହୋଲେନାରସିପୁର ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ବିଧାୟକ ଏଚ୍ ଡି ରେବନ୍ନା ଅନ୍ୟତମ। ଚେନ୍ନମ୍ମାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ମୋଦୀ ଟେଲିଫୋନରେ ଦେବେ ଗୌଡାଙ୍କ ସହିତ କଥା ହେବା ସହିତ ସମବେଦନା ଜଣାଇଛନ୍ତି।

2 hours ago
1


