ARTICLE AD BOX
ନୂଆଦିଲ୍ଲୀ: ଆଗାମୀ ଦଶନ୍ଧିଗୁଡ଼ିକରେ ଡିମେନ୍ସିଆ (ଭୁଲା ରୋଗ) ବିଶ୍ୱ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇପାରେ। ୨୦୨୩ରେ ବିଶ୍ୱରେ ପ୍ରାୟ ୧.୧୪ କୋଟି ଲୋକ ଏହି ରୋଗରେ ନୂଆ କରି ଆକ୍ରାନ୍ତ ହୋଇଥିବାବେଳେ ୨୦୫୦ ସୁଦ୍ଧା ଏହି ସଂଖ୍ୟା ବର୍ଷକୁ ୨.୪୭ କୋଟିରେ ପହଞ୍ଚିପାରେ। ‘ଜାମା ନ୍ୟୁରୋଲୋଜି’ ପତ୍ରିକାରେ ପ୍ରକାଶିତ ଏକ ବୈଶ୍ବିକ ଅଧ୍ୟୟନରେ ଏହି ଆକଳନ କରାଯାଇଛି। ବିଶ୍ୱରେ ଜନସଂଖ୍ୟାର ବୟସ ବଢ଼ିବା ସହ ଏହି ରୋଗର ନୂଆ ମାମଲା ବଢ଼ିବାର ଆଶଙ୍କା ରହିଛି।
ଡିମେନ୍ସିଆ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ସ୍ମରଣଶକ୍ତି, ଚିନ୍ତା କରିବାର କ୍ଷମତା ଓ ଦୈନନ୍ଦିନ କାର୍ଯ୍ୟ କରିବାର ଦକ୍ଷତା ପ୍ରଭାବିତ ହୁଏ। ଏହା କେବଳ ସ୍ମୃତିଶକ୍ତି ହ୍ରାସ ମଧ୍ୟରେ ସୀମିତ ନୁହେଁ। ଏହି ଅଧ୍ୟୟନରେ ୬ଟି ମହାଦେଶର ୧୮ଟି ଦେଶ ଓ ଅଞ୍ଚଳର ୨୨ଟି ଜନସଂଖ୍ୟାଭିତ୍ତିକ ଦୀର୍ଘକାଳୀନ ଅଧ୍ୟୟନରୁ ସଂଗୃହୀତ ୩୮,୪୧୮ ଜଣଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା। ଏଥିରୁ ୩,୦୦୧ ଜଣଙ୍କଠାରେ ଡିମେନ୍ସିଆ ଚିହ୍ନଟ ହୋଇଥିଲା। ଅଧ୍ୟୟନରେ ମହିଳାଙ୍କଠାରେ ଏହି ରୋଗର ନୂଆ ମାମଲା ହାର ପୁରୁଷଙ୍କ ତୁଳନାରେ ଅଧିକ ଥିବା ଜଣାପଡ଼ିଛି। ପ୍ରତି ହଜାର ବ୍ୟକ୍ତି-ବର୍ଷରେ ମହିଳାଙ୍କ କ୍ଷେତ୍ରରେ ୧୦.୬ଟି ନୂଆ ମାମଲା ଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୮.୬ ଥିଲା।
ସେହିପରି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ରୋଗର ନୂଆ ମାମଲା ହାର ଅଧିକ ରହିଛି। ଏହି ଦେଶଗୁଡ଼ିକରେ ପ୍ରତି ହଜାର ବ୍ୟକ୍ତି-ବର୍ଷରେ ୧୩.୬ଟି ମାମଲା ଥିବାବେଳେ ଉଚ୍ଚ ଆୟକାରୀ ଦେଶରେ ଏହା ୮.୩ ରହିଛି। ଗବେଷକଙ୍କ ମତରେ, ଏହି ଆକଳନ ଭବିଷ୍ୟତରେ ରୋଗ ନିରାକରଣ, ଶୀଘ୍ର ଚିହ୍ନଟ ଓ ସ୍ମୃତି ସମ୍ବନ୍ଧୀୟ ଚିକିତ୍ସା ସେବାର ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ବିଶେଷକରି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଫେରି ଆସିଲେ ସ୍ୱାମୀ! ୭୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିବାକୁ ମନା କଲେ ୩୦ ବର୍ଷୀୟା ବ୍ଲଗର

1 hour ago
2


