Delhi-NCR: ଶୀତଋତୁରେ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ପଦକ୍ଷେପ

59 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆଗକୁ ଶୀତ ଆସୁଥିବାରୁ ଦିଲ୍ଲୀ ସରକାର ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରଦୂଷଣ ନିୟନ୍ତ୍ରଣ କରିବାପାଇଁ ଆବଶ୍ୟକ ପଦ‌କ୍ଷେପ ଗ୍ରହଣ କରିଛନ୍ତି। କାରଣ ଶୀତ ଦିନରେ ଦିଲ୍ଲୀ ବାୟୁର ମାନ ଅତି ସାଂଘାତିକ ହୋଇଯାଏ। ଦିଲ୍ଲୀର ପ୍ରଦୂଷଣ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ହୋଇଥିବା ବୈଠକ ପରେ ପ୍ରଦୂଷଣ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି।

ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ପୂର୍ତ୍ତ ମନ୍ତ୍ରୀ ପରବେଶ ବର୍ମା ଓ ମନ୍ତ୍ରୀ ସିର୍ସା ଉପସ୍ଥିତ ଥିଲେ। ଘୋଷିତ ପ୍ରମୁଖ ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ‘ନୋ ପିୟୁସିସି, ନୋ ଫୁଏଲ୍‌’ ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାର ଅର୍ଥ ପ୍ରଦୂଷଣ ସାର୍ଟିଫିକେଟ୍‌ ନ ଥିଲେ ତେଲ ମିଳିବନି। 

‘ନୋ ପିୟୁସିସି, ନୋ ଫୁଏଲ୍‌’ ନିୟମ କଡ଼ାକଡ଼ି

ଏହା ବ୍ୟତୀତ ଦିଲ୍ଲୀର ସମସ୍ତ ୫୦୦ ପେଟ୍ରୋଲ ପମ୍ପ୍‌, ଯେଉଁଠାରେ ଏଏନ୍‌ପିଆର୍‌ କ୍ୟାମେରା ଲାଗିଛି, ସେଠାରେ ‘ଏଣ୍ଡ୍‌ ଅଫ୍‌ ଲାଇଫ୍‌’ ତଥା ଚଳାଚଳ ଯୋଗ୍ୟତା ସମୟ ଶେଷ ହୋଇଥିବା ଯାନବାହନ ବିରୋଧରେ କଡ଼ା ଅଭିଯାନ ଚାଲିବ। ଏନେଇ ଅକ୍ଟୋବରରେ ଜନସଚେତନତା ଅଭିଯାନ ଆରମ୍ଭ ହେବ ଏବଂ ନଭେମ୍ବରରେ ପିୟୁସି କେନ୍ଦ୍ରଗୁଡ଼ିକର ଉନ୍ନୟନ କରାଯିବ। ଏଥିସହ ୩ଟି ଅଟୋମେଟେଡ୍‌ ଟେଷ୍ଟିଙ୍ଗ ଷ୍ଟେସନ୍‌ ମାଧ୍ୟମରେ ପ୍ରାୟ ୨.୫ ଲକ୍ଷ ଯାନବାହନର ଫିଟନେସ୍ ଯାଞ୍ଚ କରାଯିବ।

ମନ୍ତ୍ରୀ ସିର୍ସା କହିଛନ୍ତି ଯେ, ଦିଲ୍ଲୀ ସରକାର ଆଉ ୧୫୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ। ଏହା ଫଳରେ ଦିଲ୍ଲୀରେ ଇ-ବସ୍ ସଂଖ୍ୟା ୭୦୦ରୁ ଅଧିକ ହେବ। ବର୍ତ୍ତମାନ ଦିଲ୍ଲୀରେ ୫୮୮ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରୁଛି। ବାୟୁ ପ୍ରଦୂଷଣ ଓ ଟ୍ରାଫିକ୍ ଭିଡ଼ ଅଧିକ ଥିବା ସ୍ଥାନଗୁଡ଼ିକରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଏକ ବ୍ୟାପକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।

ରାସ୍ତାରେ ଚାଲିବ ଅଧିକ ୧୫୦ ଇ-ବସ୍‌

ସିର୍ସା ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶ୍ମଶାନ, ଡମ୍ପିଂ ସାଇଟ୍ ଓ ନିର୍ମାଣ/ଭଙ୍ଗା କାର୍ଯ୍ୟରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ଥିବା ସ୍ଥାନଗୁଡ଼ିକ ଉପରେ ବିଶେଷ ନଜର ରଖାଯିବ। ମୋଟ୍‌ ୬୨ଟି ପ୍ରଦୂଷଣ ହଟ୍‌ସ୍ପଟ୍ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୪୨ଟି ସ୍ଥାନରେ ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣକୁ ଅଣାଯାଇଛି ଏବଂ ବାକି ସ୍ଥାନଗୁଡ଼ିକରେ କାମ ଜାରି ରହିଛି।

ଦିଲ୍ଲୀ ସରକାର ଆହୁରି କେତେକ ପଦକ୍ଷେପ ନେଇଛନ୍ତି ଏବଂ ସେଥିରେ ପାର୍କିଂ ଫି ବୃଦ୍ଧି, ଅଫିସ୍ ସମୟରେ ପରିବର୍ତ୍ତନ ଏବଂ ୫୦ ପ୍ରତିଶତ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା ରହିଛି। ନଭେମ୍ବର ପହିଲାରୁ ଅନୁମୋଦିତ ପାର୍କିଂ ସ୍ଥାନଗୁଡ଼ିକରେ ପାର୍କିଂ ଫି ଦୁଇଗୁଣ କରାଯିବ, ଯାହାଦ୍ୱାରା ବ୍ୟକ୍ତିଗତ ଗାଡ଼ି ବ୍ୟବହାରକୁ ନିରୁତ୍ସାହିତ କରାଯିବ। ଏମ୍‌ସିଡି (ଦିଲ୍ଲୀ ପୌର ନିଗମ) ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକ ନଭେମ୍ବର ୧ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଜିଏନ୍‌ସିଟିଡି (ଗଭର୍ଣ୍ଣମେଣ୍ଟ ଅଫ୍‌ ଦି ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ) ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ଟା ପର୍ଯ୍ୟନ୍ତ ଚାଲିବ।

Bangladesh Expresses: ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ପ୍ରସ୍ତୁତ ବାଂଲାଦେଶ, ‘ବଡ଼ ପଡ଼ୋଶୀ’ ଭାରତର ସକ୍ରିୟ ପଦକ୍ଷେପକୁ ଅପେକ୍ଷା

Read Entire Article
LEFT SIDEBAR AD

Hidden in mobile, Best for skyscrapers.