ARTICLE AD BOX
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ସଂସ୍କାର ସରକାର ଆଣିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଘରୋଇ କମ୍ପାନିଗୁଡ଼ିକୁ କ୍ଷେପଣାସ୍ତ୍ର ବିକାଶ ଓ ଉତ୍ପାଦନ ଲାଗି ଅନୁମତି ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଭାରତୀୟ ସେନା ସହିତ ବିଦେଶରେ ଭାରତର କ୍ଷେପଣାସ୍ତ୍ରଗୁଡ଼ିକର ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏପ୍ରକାର ପଦକ୍ଷେପ ନେବେ। ଏହା ଭାରତର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷମତା ଓ ରପ୍ତାନିକୁ ବଢ଼ାଇବ। ସରକାର ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ରର ବିମାନ, ଡ୍ରୋନ, ତୋପ ଆଦିର ନିର୍ମାଣ ପାଇଁ ଘରୋଇ କ୍ଷେତ୍ରକୁ ଅନୁମତି ପ୍ରଦାନ କରି ସାରିଛନ୍ତି। କ୍ଷେପଣାସ୍ତ୍ର ଉତ୍ପାଦନ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ବାରା ହୋଇ ଆସୁଥିବାବେଳେ ଆଗାମୀ ଦିନରେ ଏହି କାର୍ଯ୍ୟ ଘରୋଇ କମ୍ପାନିଗୁଡ଼ିକୁ ମିଳିବ।
ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରାଳୟ ଖୁବ୍ ଶୀଘ୍ର ଅସ୍ତ୍ର ମାର୍କ -୨ ବିୟଣ୍ଡ ଭିଜୁଆଲ ରେଞ୍ଜ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ଉତ୍ପାଦନ ପାଇଁ ଆର୍ଏଫ୍ପି (ପ୍ରସ୍ତାବ ପାଇଁ ଅନୁରୋଧ) ଘରୋଇ କମ୍ପାନିଗୁଡ଼ିକଠାରୁ ଆହ୍ବାନ କରିବ। ଏଥିରେ ଆଇସିଓଏମ୍ଏମ୍, ଭାରତ ଫର୍ଜ, ଟାଟା ଗ୍ରୁପ୍ ଏବଂ ମହିନ୍ଦ୍ରା ଗ୍ରୁପ୍ ଭାଗ ନେବ ସମ୍ଭାବନା ରହିଛି। ରାଷ୍ଟ୍ରାୟତ୍ତ ଭାରତ ଡାଇନାମିକ୍ସ ଲିମିଟେଡ୍ ବର୍ତ୍ତମାନ ଚାହିଦାକୁ ସଂପୂର୍ଣ୍ଣ ଭାବେ ପୂରଣ କରିପାରୁ ନଥିବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
Iran: ଆକ୍ରମଣ ପରେ ଇରାନ ପୁଣି ସକ୍ରିୟ: ପରମାଣୁ ଏବଂ କ୍ଷେପଣାସ୍ତ୍ର ଘାଟିଗୁଡ଼ିକ ଚଳଚଞ୍ଚଳ
ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ଅସ୍ତ୍ର ମାର୍କ-୨ର ବିକାଶ କରାଯାଇଛି। ଏହାର ରେଞ୍ଜ ୧୮୦ରୁ ୨୦୦ କିମି ରହିଛି। ଚୀନର ଦୂରଗାମୀ ପିଏଲ୍-୧୫ଇ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବା ଲାଗି ଏହାର ବିକାଶ କରାଯାଇଛି। ଗତବର୍ଷ ‘ଅପରେସନ ସିନ୍ଦୂର’ ପୂର୍ବରୁ ଚୀନ ଏହି କ୍ଷେପଣାସ୍ତ୍ର ପାକିସ୍ତାନକୁ ଯୋଗାଇ ଦେଇଥିଲା। ତେଜସ୍ ମାର୍କ ୧-ଏ, ମିଗ୍-୨୯, ସୁଖୋଇ-୩୦ ଏମ୍କେ ଏବଂ ରାଫେଲ ମେରାଇନ ଫାଇଟର ବିମାନରେ ଏଗୁଡ଼ିକୁ ଖଞ୍ଜାଯିବାର ଆଶା କରାଯାଉଛି।
ଏହା ପରେ ପ୍ରଳୟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ବିକାଶ ଓ ଉତ୍ପାଦନ ଘରୋଇ କମ୍ପାନିଗୁଡ଼ିକୁ ଦିଆଯିବା ସମ୍ଭାବନା ରହିଛି ବୋଲି କୁହାଯାଇଛି। ପ୍ରଳୟର ରେଞ୍ଜ ୫୦୦ କିମି ରହିଛି। ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଶବ୍ଦଠାରୁ ୬ ଗୁଣା ଅଧିକ ବେଗରେ ଯାଇ ପାରିବ। ଗତବର୍ଷର ‘ଅପରେସନ ସିନ୍ଦୂର’ ଭାରତର ପ୍ରତିରକ୍ଷା କ୍ଷେତ୍ରର ପ୍ରାଥମିକତାକୁ ନୂଆ ରୂପ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ମୋଦୀ ସରକାର ଭାରତର ଆକ୍ରମଣ ଓ ପ୍ରତିରୋଧ କ୍ଷମତାକୁ ମଜଭୁତ କରିବା ପାଇଁ ଦେଶର କ୍ଷେପଣାସ୍ତ୍ର ଭଣ୍ଡାରକୁ ସୁଦୃଢ଼ କରିବାକୁ ଚାହୁଛନ୍ତି। ବର୍ତ୍ତମାନର ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟ ଭାରତକୁ ଏ ନେଇ ଅଧିକ ସଚେତନ କରାଇ ଦେଇଛି। କ୍ଷେପଣାସ୍ତ୍ର ଉତ୍ପାଦନ ବଢ଼ାଇବା ସହିତ ଭାରତ ସରକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଉଛନ୍ତି।

3 hours ago
2


