ARTICLE AD BOX
ସମ୍ବଲପୁର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ କଲରାପତରିଆ ବାଘ ଶିକାର ପାଇଁ ଯୋଜନା କରିଥିବା ୨ ଜଣ ଶିକାରୀ ରାଉତପଡା ଗାଁ ର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁ ପ୍ରସାଦ ସୁଇ (୪୮) ଙ୍କୁ ବନ ବିଭାଗ ଗିରଫ କରିଛି। ଡେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷ ଓ ବରଗଡ଼ଜିଲ୍ଲା ପୁଲିସ ପକ୍ଷରୁ ନଭେମ୍ବର ୧୦ ଓ ୧୧ ତାରିଖରେ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ସୂତ୍ରରୁ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଅଭୟାରଣ୍ୟ ସୀମାନ୍ତବର୍ତ୍ତୀ ୫ଟି ଗାଁରେ ବ୍ୟାପକ ତଲାସି ଅଭିଯାନ ଚାଲିଥିଲା। ଏଥିରେ ବନ ବିଭାଗ ଓ ପୁଲିସର ପ୍ରାୟ ୭୦ ଜଣ ସଶସ୍ତ୍ର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଆଘାତ ନ ପହଞ୍ଚାଇବା ଏବଂ ପ୍ରତିଶୋଧମୂଳକ ଶିକାର ଘଟଣାକୁ ଏଡ଼ାଇବା ପାଇଁ ଚଢ଼ଉ ହୋଇଥିବା ୫ଟି ଗାଁର ନାମ ଗୋପନ ରଖାଯାଇଛି।
ଏହି ଚଢାଉରେ ଫାଶ, ଯନ୍ତା, ୩ କିଲୋଗ୍ରାମ ବିଦ୍ୟୁତ୍ ସଂଯୋଗ ପାଇଁ ବ୍ୟବହୃତ ତାର, ୨ କିଲୋଗ୍ରାମ କେବୁଲ ତାର ଏବଂ ୨ ବଣ୍ଡଲ ଶିକାର ଜାଲ ଜବତ ହୋଇଛି। ବନ ବିଭାଗର ସୂଚନା ଅନୁସାରେ, ଅଭିଯୁକ୍ତମାନେ କଲରାପତରିଆ ବାଘ ଶିକାର କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଅଭୟାରଣ୍ୟ ଭିତରେ ଫାଶ ମଧ୍ୟ ବିଛାଇଥିଲେ। ଏଭଳି ଫାଶ ଓ ବିଦ୍ୟୁତ୍ ତାର ବ୍ୟବହାର ଯୋଗୁଁ ବନ୍ୟପ୍ରାଣୀମାନେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିବା ସହ ଫାଶରେ ପଡ଼ି ପ୍ରାଣ ହରାଇବାର ଆଶଙ୍କା ରହିଛି। ଦେବ୍ରିଗଡ଼ର ଲଖନପୁର ରେଞ୍ଜ କର୍ତ୍ତୃପକ୍ଷ ଉଭୟଙ୍କୁ ଗିରଫ କରି ନଭେମ୍ବର ୧୧ ତାରିଖରେ ଅଦାଲତ ଚାଲାଣ କରିଛନ୍ତି।
ଆହୁରି ପଢନ୍ତୁ: 20 shelters: ୩ ବର୍ଷ ପରେ ବି ନିର୍ମାଣ ହେଲାନି ୨୦ ଆଶ୍ରୟସ୍ଥଳ: ବାଲେଶ୍ବରକୁ ଡରାଉଛି ବନ୍ୟା, ବାତ୍ୟା
ଅନ୍ୟପକ୍ଷରେ, ବନ୍ୟପ୍ରାଣୀ ଶିକାର ସମ୍ପର୍କରେ ବିଶ୍ୱସନୀୟ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଦେବ୍ରିଗଡ଼ କର୍ତ୍ତୃପକ୍ଷ ୧ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଶିକାରୀମାନେ ଅଭୟାରଣ୍ୟ ସଂଲଗ୍ନ ଗାଁଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିବାରୁ ସୀମାନ୍ତ ଅଞ୍ଚଳରେ ମେଟାଲ ଡିଟେକ୍ଟର ଓ ବିଦ୍ୟୁତ୍ ପ୍ରବାହ ଚିହ୍ନଟକାରୀ ଯନ୍ତ୍ର ସହାୟତାରେ ଯାଞ୍ଚ କରାଯାଉଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗୁଇନ୍ଦା ସୂଚନା ଆଧାରରେ ଚଢ଼ାଉ, ନିୟମିତ ପାଟ୍ରୋଲିଂ ଓ ନଜରଦାରିକୁ ଗୁରୁତ୍ୱ ଦିଆଯାଉଛି। ବନ ବିଭାଗ, ଜିଲ୍ଲା ପୁଲିସ ଓ ସ୍ଥାନୀୟ ଲୋକଙ୍କ ସମନ୍ୱୟରେ ଏଭଳି ତଲାସି, ଚଢ଼ାଉ, ଜବତ ଓ ଗିରଫଦାରି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଡେବ୍ରିଗଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

13 hours ago
1


