ARTICLE AD BOX
ଠାକୁରମୁଣ୍ଡା: ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଞ୍ଚଳରେ ଏକ ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀ ବିରୋଧରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମହୁଲଡିହା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାରୁ ଜଣାପଡିଛି ଯେ, ଗତ ୧୪ ତାରିଖ ରାତି ପ୍ରାୟ ୮.୩୦ ସମୟରେ ମହୁଲଡିହା ଥାନାରେ ଅଭିଯୋଗକାରୀ ଶମ୍ଭୁ ବିନ୍ଧାଣୀ (୩୫), ପିତା- କୃଷ୍ଣ ବିନ୍ଧାଣୀ, ଗ୍ରାମ- ଖୁକୁନ୍ଦ, ଥାନା- ମହୁଲଡିହାଙ୍କ ଦ୍ୱାରା ଏକ ହତ୍ୟା ମାମଲା ରୁଜୁ ହୋଇଛି ।
ବୁଧିଆଙ୍କ ଦ୍ୱିତୀୟ ବିବାହ
ଅଭିଯୋଗ ଅନୁଯାୟୀ, ତାଙ୍କ ବଡ଼ ଭଉଣୀ ପାନମଣି ବିନ୍ଧାଣୀ (୪୨) ପ୍ରାୟ ୫ ବର୍ଷ ପୂର୍ବେ ବୁଧିଆ ବିନ୍ଧାଣୀ (୪୬), ପିତା- ସ୍ୱର୍ଗତ ଜଗନ୍ନାଥ ବିନ୍ଧାଣୀ, ଗ୍ରାମ- କରଡ଼ାପାଳ, ଡାଳପକାସାହି, ଥାନା- ମହୁଲଡିହାଙ୍କୁ ବିବାହ କରିଥିଲେ । ବୁଧିଆଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ବିବାହ ପରେ ପାନମଣି ସ୍ୱାମୀଙ୍କ ସହ ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନଯାପନ କରୁଥିଲେ । ତେବେ ଗତ ପ୍ରାୟ ୩ ବର୍ଷ ହେବ ବୁଧିଆ ତାଙ୍କୁ ବିଭିନ୍ନ ସମୟରେ ମାରପିଟ କରି ଆସୁଥିଲେ। ଏକ ଘଟଣାରେ ମାଡ଼ ମାରିବା ଫଳରେ ତାଙ୍କର ଗୋଟିଏ ଦାନ୍ତ ମଧ୍ୟ ଖସିଯାଇଥିଲା । ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଘରେ ବସି ଆପୋଷ ସମାଧାନ ହୋଇଥିଲା।
ଗତ ୧୪ ତାରିଖ ସକାଳ ପ୍ରାୟ ୯ ଟା ସମୟରେ ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ଜଣେ ନିକଟ ପଡ଼ୋଶୀଙ୍କ ଠାରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇଥିଲେ । ସୂଚନା ପାଇ ସେ ତୁରନ୍ତ ଭଉଣୀଙ୍କ ଘରକୁ ଯାଇ ତାଙ୍କୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ ଆଘାତ ଚିହ୍ନ ଥିବା ଦେଖିଥିଲେ। ସ୍ୱାମୀ ବୁଧିଆ ବିନ୍ଧାଣୀ ହିଁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ସେ ଥାନାରେ ରିପୋର୍ଟ କରିଥିଲେ । ଏହି ଅଭିଯୋଗ ଆଧାରରେ ଆଇଆଇସି, ମହୁଲଡିହା ଥାନା କେସ୍ ନଂ- ୧୩୨, ଧାରା- ୮୦/୮୫/୧୦୩(୧) BNS ଅନୁଯାୟୀ ମାମଲା ପଞ୍ଜୀକୃତ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ବୁଧିଆ ବିନ୍ଧାଣୀ (୪୬) ଙ୍କୁ ଯାଞ୍ଚ ଓ ପରବର୍ତ୍ତୀ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମହୁଲଡିହା ଥାନାରେ ଅଟକ ରଖାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

18 minutes ago
1


