ARTICLE AD BOX
କାଶୀପୁର: କାଶୀପୁର ବ୍ଲକରେ ଜ୍ବରର ପ୍ରକୋପ ବଢ଼ିବାରେ ଲାଗିଛି। ଗୋରଖପୁର ଗ୍ରାମ ପରେ କୁଚେଇ ପଦର ପଞ୍ଚାୟତ ଯୁବାପଦର ଗ୍ରାମରେ ଜ୍ଵରର ବିଭୀଷିକା ଦେଖା ଦେଇଛି। ଗ୍ରାମର ୨୦ରୁ ଅଧିକ ଜଣ ଜ୍ବରରେ ପୀଡ଼ିତ ଥିବାବେଳେ ଗତକାଲି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଜ୍ବରରେ ପୀଡ଼ିତ ଦୁର୍ଯ୍ୟ ପୂଜାରୀଙ୍କ ପାଞ୍ଚ ବର୍ଷର ପୁଅ ପିଙ୍କୁ ପୂଜାରୀ ଏବଂ ଖଗେଶ୍ବର ମାଝୀଙ୍କ ପୁଅ ଶିଵ ମାଝୀ(୭)କୁ ପରିବାର ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ଦଶମନ୍ତପୁରବ୍ଲକ ଡୁମ୍ବାଗୁଡ଼ା ଗ୍ରାମରେ ରହୁଥିବା କ୍ବାକ ନିକଟକୁ ନେଇଥିଲେ। ଶିଶୁଙ୍କୁ ଇଞ୍ଜେକସନ ଦେଇ ଚିକିତ୍ସା କରିବାର କିଛି ଘଣ୍ଟା ପରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଗ୍ରାମବାସୀମାନେ କହିଛନ୍ତି। ଗତକାଲି ଅପରାହ୍ନରେ ଶିଵ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ଘଣ୍ଟା ପରେ ରାତିରେ ପିଙ୍କୁ ପୂଜାରୀଙ୍କ ମୃତ୍ୟୁ ହୋଇ ଥିବାର ଜଣା ଯାଇଛି।
ଏକ ସପ୍ତାହରୁ ଅଧିକ ଦିନ ହେଲା ଜ୍ବର ଲାଗି ରହିଛି
ଖବର ପାଇବା ପରେ କାଶୀପୁର ସିଏଚସିର ମୋବାଇଲ ହେଲଥ ଟିମ୍ ଗ୍ରାମରେ ପହଞ୍ଚି ଜ୍ବରରେ ପୀଡ଼ିତ ଚିକିତ୍ସା ଆରମ୍ଭ କରିଥିବା ଜଣା ଯାଇଛି। ଶତାଧିକ ପରିବାର ରହୁଥିବା ଯୁବା ପଦରଗ୍ରାମରେ ଏକ ସପ୍ତାହରୁ ଅଧିକ ଦିନ ହେଲା ଜ୍ବର ଲାଗି ରହିଛି। ଗ୍ରାମର ଜଗବନ୍ଧୁ ମାଝୀ(୨୧), ଅନିତା ମାଝୀ(୧୦ ), ଲଳିତା ମାଝୀ (୯), ସୁଶୀଳା ପାଇକ, ନୀରୁ ପ୍ରଧାନୀ, କରୁଣା ପାଇକଙ୍କ ସମେତ ବହୁଜଣ ଜ୍ବରରେ ପୀଡ଼ିତ ଥିବା ଜଣା ଯାଇଛି। ପୀଡ଼ିତଙ୍କ ମଧ୍ୟରୁ କିଛି ଜଣ ଡଙ୍ଗାସିଲ ପିଏଚସିରେ ଚିକିତ୍ସିତ ହୋଇଥିଲେ ସୁଦ୍ଧା ଜ୍ବର ଛାଡ଼ୁନ ଥିବାର ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, କୁଚେଇ ପଦରପଞ୍ଚାୟତଏବଂ ଡଙ୍ଗାସିଲ ପଞ୍ଚାୟତ ସଦରରେ ଗୋଟିଏ ଲେଖାଏଁ ପିଏଚସି ରହିଛି। କିନ୍ତୁ ଉକ୍ତ ପିଏଚସିରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ ଚିକିତ୍ସା ପାଇଁ ବେଆଇନ ଭାବେ ଚାଲୁଥିବା ଘରୋଇ କ୍ଲିନିକକୁ ଯିବା ପାଇଁ ବାଧ୍ୟ ହେଉଥିବାର କହିଛନ୍ତି। ଏହି ଘଟଣାରେ କାଶୀପୁର ସିଏଚସି ଇନ ଚାର୍ଜ ଡାକ୍ତର ନେତ୍ରାନନ୍ଦ ନାୟକ କହିଛନ୍ତି ଯେ,ଶିଶୁମୃତ୍ୟୁର ପ୍ରକୃତକାରଣ ଜଣା ପଡ଼ି ନ ଥିଲେ ସୁଦ୍ଧା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଗ୍ରାମରେ ଥିବା ଅନ୍ୟ ପୀଡ଼ିତଙ୍କ ଚିକିତ୍ସା ପାଇଁ ହେଲଥ ଟିମ୍ ପଠା ଯାଇଛି ବୋଲି କହିଛନ୍ତି । ଶିଶୁ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ କରିବା ସହିତ ପୀଡିତଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବା ପାଇଁ ଦାବୀ ହେଉଛି।

1 hour ago
1


