ARTICLE AD BOX
କଣ୍ଟାବାଞ୍ଜି:ଲଗାଣ ବର୍ଷା ପରେ ଭାଙ୍ଗି ଯାଇଥିବା ପୋଲ ଏବେ ଲୋକଙ୍କ ପାଇଁ ଘାତକ ସାଜିଛି। ଭଙ୍ଗା ପୋଲରୁ ତଳକୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଡମନିଚୁଆଁ ଗାଁର କେମନ୍ତ ମାଝି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଭଙ୍ଗା ପୋଲକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁସାରେ, ଚଳିତ ଲଗାଣ ବର୍ଷାରେ ଡମନିଚୁଆଁ ଗାଁରୁ ଢୋଲମାନ୍ଦଲ ଯିବା ରାସ୍ତାରେ ଥିବା ପୋଲଟି ଭାଙ୍ଗି ଯାଇଛି। ପ୍ରବଳ ବର୍ଷା ଓ ପାଣିର ପ୍ରବଳ ସ୍ରୋତ ଯୋଗୁଁ ପୋଲଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପୋଲ ଭାଙ୍ଗିଯିବା ପରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଏହି ରାସ୍ତା ଦେଇ ଯିବାଆସିବା ବେଶ୍ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ସ୍ଥିତିରେ କେମନ୍ତ ମାଝି ଗତକାଲି ରାତିରେ କୌଣସି କାମରେ ନିଜ ଘରୁ ବାଇକ୍ ଯୋଗେ ବାହାରିଥିଲେ। ତେବେ ରାତିରେ ଭଙ୍ଗା ପୋଲ ନିକଟରେ ତାଙ୍କ ବାଇକ୍ ନିୟନ୍ତ୍ରଣ ହରାଇଥିବା ଅନୁମାନ କରାଯାଉଛି। ଭଙ୍ଗା ପୋଲ ତଳକୁ ବାଇକ୍ ସହ କେମନ୍ତ ଖସିପଡ଼ିଥିବା ସନ୍ଦେହ କରାଯାଉଛି।
ବାଇକ ସହ ଯୁବକଙ୍କ ମୃତଦେହ ଉଦ୍ଧାର
ଭୋରୁ ଗାଁର କିଛି ଲୋକ ରାସ୍ତା ଦେଇ ଯାଉଥିବା ସମୟରେ ପୋଲ ତଳେ ଏକ ବାଇକ୍ ପଡ଼ିଥିବା ଦେଖିଥିଲେ। ନିକଟକୁ ଯାଇ ଦେଖିବା ପରେ ବାଇକ୍ ସହ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ପରେ ମୃତ ଯୁବକ ଜଣକ ଡମନିଚୁଆଁ ଗାଁର କେମନ୍ତ ମାଝି ବୋଲି ପରିଚୟ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଯୁବକଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି। ଏପଟେ ଭଙ୍ଗା ପୋଲ ଯୋଗୁଁ ଏଭଳି ଅଘଟଣ ଘଟିଥିବାରୁ ତୁରନ୍ତ ପୋଲର ମରାମତି କରି ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଲଗାଣ ବର୍ଷା ସମୟରେ ଅନେକ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଶାସନ ପକ୍ଷରୁ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ସତର୍କତାମୂଳକ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷକରି ରାତି ସମୟରେ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଭଙ୍ଗା ପୋଲ ନିକଟରେ ସତର୍କ ସୂଚନା ଓ ବାରିକେଡ୍ ବ୍ୟବସ୍ଥା କରାଯିବା ଜରୁରୀ ବୋଲି ଦାବି ହେଉଛି। ଭଙ୍ଗା ପୋଲ ଯୋଗୁଁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ଏହି ଘଟଣା ପରେ ଏବେ ପ୍ରଶ୍ନ ଉଠିଛି,କେବେ ମରାମତି ହେବ ଏହି ବିପଦପୂର୍ଣ୍ଣ ପୋଲ? ଆଉ କେତେ ଦିନ ଧରି ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟତ କରିବେ ଲୋକେ?
World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ

1 hour ago
2

