ARTICLE AD BOX
ବାଲିକୁଦା (ପ୍ରଣବ ପ୍ରଧାନ):ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ଓଳାଶ ଗ୍ରାମର ଜଣେ ଯୁବକଙ୍କ ମୃତଦେହ କଟିଜଙ୍ଗା ଗ୍ରାମ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ନିକଟରେ ଥିବା ଚାକୁଣ୍ଡା ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ମୃତକ ଓଳାଶ ଗ୍ରାମର ଗୌରାଙ୍ଗ ଚରଣ ଦାସ (ପିତା-ସ୍ୱର୍ଗତ ଭିକାରୀ ଚରଣ ଦାସ) ୩୬ ବୋଲି ଜଣାପଡ଼ିଛି। ସୋମବାର ସକାଳୁ କିଛି ସ୍ଥାନୀୟ ଲୋକ ଗୌରାଙ୍ଗଙ୍କୁ ଗଛରେ ବେକରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସ ଓ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ନିକଟରେ ଗୌରାଙ୍ଗଙ୍କ ସାଇକେଲ ମଧ୍ୟ ଥିବା ଦେଖାଯାଇଛି।
କରଜରେ ବୁଡ଼ି ରହିଥିଲେ ଗୌରାଙ୍ଗ
ତେବେ ଏହା ଆତ୍ମହତ୍ୟା ନୁହେଁ, ଗୌରାଙ୍ଗଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ଅନୁସାରେ, ଗୌରାଙ୍ଗ କିଛି ଲୋକଙ୍କଠାରୁ ଟଙ୍କା ଉଧାର କରିଥିଲେ। ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ସେ ଉଧାର ଟଙ୍କା ଫେରସ୍ତ କରିପାରୁନଥିଲେ। ଏହାକୁ ନେଇ ଗତକାଲି କିଛି ଲୋକ ତାଙ୍କୁ ଟଙ୍କା ଫେରସ୍ତ ନକଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ଏପରିକି ରାତି ଅଧ ପର୍ଯ୍ୟନ୍ତ ଖୋଜାଖୋଜି କରୁଥିବାରୁ ସେମାନେ ହିଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଯେଉଁ ସ୍ଥାନରେ ଗୌରାଙ୍ଗ ଝୁଲିଥିଲେ ସେଠାରେ ତାଙ୍କ ପାଦ ତଳକୁ ଛୁଇଁଥିବା ଦେଖାଯାଇଥିବାରୁ ଏହା ଆତ୍ମହତ୍ୟା ଘଟଣା ନୁହେଁ ବୋଲି ପରିବାର ସନ୍ଦେହ ପ୍ରକାଶ କରିଛି। ତେବେ ଘଟଣାଟି ହତ୍ୟା କିମ୍ବା ଆତ୍ମହତ୍ୟା, ଏନେଇ ଏବେ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନି ପୁଲିସ। ପୁଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଅନ୍ୟପଟେ ଉଧାର ଟଙ୍କାକୁ ନେଇ ଗୌରାଙ୍ଗ ମାନସିକ ଚାପରେ ରହିଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପୁଲିସ ଏହି ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ଗୌରାଙ୍ଗ ପ୍ରାୟ ଏକ ବର୍ଷ ତଳେ ତାଙ୍କ ପିତାଙ୍କୁ ହରାଇଥିଲେ। ତାଙ୍କ ପରିବାରରେ ବିଧବା ମା’, ବିଧବା ପତ୍ନୀ, ଅବିବାହିତ ଭଉଣୀ ଏବଂ ମାତ୍ର ୪ ବର୍ଷର ଏକ ଝିଅ ରହିଛି। ଗୌରାଙ୍ଗଙ୍କ ଅକାଳ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି।
Dead Body: ଦୁଧେଇ ନଦୀରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ଏନେଇ ଏସ୍ଡିପିଓ ଦିବ୍ୟ ରଞ୍ଜନ ନାଥ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ପରିବାରର ଅଭିଯୋଗକୁ ଗୁରୁତ୍ୱ ଦେଇ ପୁଲିସ ତଦନ୍ତ ଚଳାଇଛି। ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ। ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବ।

5 days ago
4


