ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ଡାକ୍ତରଖାନା ପରିସରରେ ଖୋଲା ରହିଥିଲା ନିର୍ମାଣାଧୀନ ପାଇଖାନା ଟାଙ୍କି। ଲଗାଣ ବର୍ଷାରେ ଟାଙ୍କିଟି ପାଣିରେ ଭରିଯାଇଥିବା ବେଳେ ଅସୁରକ୍ଷିତ ଭାବେ ଖୋଲା ରହିଥିବା ଏହି ସ୍ଥାନରେ ଘଟିଲା ଅଘଟଣ। ଶେଷରେ ଜୀବନ ହରାଇଲା ଜଣେ ୬ ବର୍ଷର ଶିଶୁ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ମୟୂରଭଂଜ ଜିଲ୍ଳା ବେତନଟୀ ବ୍ଲକ ଅଧୀନ ନଡ଼ପୁର ଡାକ୍ତରଖାନା ପରିସରରେ। ମୃତ ଶିଶୁ ନୂଆଗାଁର ଲକ୍ଷ୍ମୀଧର ବିନ୍ଧାଣିଙ୍କ ପୁଅ ଅର୍ଜୁନ ବିନ୍ଧାଣି।
ସୂଚନା ଅନୁସାରେ, ଅର୍ଜୁନଙ୍କ ମା’ ଅଞ୍ଜଳି ଡାକ୍ତରଖାନା ପରିସରରେ ନିର୍ମାଣାଧୀନ କୋଠାରେ ଶ୍ରମିକ ଭାବେ କାମ କରୁଥିଲେ। ଗୁରୁବାର ସେ କାମକୁ ଫେରିବା ସମୟରେ ଅର୍ଜୁନ ମଧ୍ୟ ତାଙ୍କ ସହ ଡାକ୍ତରଖାନା ପରିସରକୁ ଆସିଥିଲେ। ଏହି ସମୟରେ ଅର୍ଜୁନ ଖେଳୁଥିବା ବେଳେ ନିର୍ମାଣାଧୀନ ପାଇଖାନା ଟାଙ୍କି ନିକଟକୁ ଯାଇଥିଲେ। ବର୍ଷାପାଣିରେ ଟାଙ୍କିଟି ପ୍ରାୟ ଦୃଶ୍ୟମାନ ନଥିବାରୁ ଅଘଟଣ ଘଟିଥିବା ଜଣାପଡ଼ିଛି। ପୁଅକୁ ନପାଇ ମା’ ଓ ଅନ୍ୟମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ପରେ ଟାଙ୍କି ଭିତରେ ଥିବା ସନ୍ଦେହ ହେବାରୁ ଖୋଜାଖୋଜି କରି ରାତି ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅର୍ଜୁନଙ୍କୁ ମୃତ ଘୋଷଣା କରିଥିଲେ।
Two Dead: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର
ସୁରକ୍ଷା ନେଇ ପୂର୍ବରୁ ହୋଇଥିଲା ଅଭିଯୋଗ!
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ନିର୍ମାଣାଧୀନ ଟାଙ୍କିଟିକୁ ଆବଦ୍ଧ କରିବା ପାଇଁ ପୂର୍ବରୁ ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କୁ କୁହାଯାଇଥିଲା। ଏପରିକି ପୂର୍ବରୁ ମଧ୍ୟ ଏହି ଖୋଲା ଟାଙ୍କିରେ ଗୋରୁଗାଈ ଓ ଛେଳି ପଡ଼ିଥିବା ଅଭିଯୋଗ ରହିଛି। ତଥାପି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଏବେ ଜଣେ ନିରୀହ ଶିଶୁଙ୍କ ଜୀବନ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନଡ଼ପୁର ଓ ନୂଆଗାଁ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ବେତନଟୀ ଡାକ୍ତରଖାନା ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବାକୁ ଥିବାବେଳେ, ଘଟଣାରେ ଦାୟିତ୍ୱ ଓ ଅବହେଳାର ତଦନ୍ତ କିପରି ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

3 days ago
5


