Daya West Canal: ଦୟା ୱେଷ୍ଟ କେନାଲ୍‌, ଗଙ୍ଗୁଆ ନିଷ୍କାସନ ପଥ ଅବରୋଧ: ଘରେ ପଶିଲା ପାଣି, ୫ ୱାର୍ଡ ଜଳବନ୍ଦି

1 week ago 4
ARTICLE AD BOX

ଭୁବନେଶ୍ୱର: ବର୍ଷତମମା ଦୟା ୱେଷ୍ଟ କେନାଲ୍‌ ଓ ଗଙ୍ଗୁଆ ଦେଇ ଭୁବନେଶ୍ବରର ଆବର୍ଜନା ପାଣି ନିଷ୍କାସିତ ହେଉଛି। କିନ୍ତୁ ଏହା କୁଢ଼କୁଢ଼ ଆବର୍ଜନାରେ ଭରି ରହିଛି। ବିଲାତି ଦଳ ସାଙ୍ଗକୁ ଗଛ ଡାଳ ଓ ଅନାବନା ଘାସ ସବୁ ଜଳପଥକୁ ଅବରୋଧ କରିରଖିଛି। ପରିଣାମ ହେଉଛି ଗତକାଲି ରାତିର ବର୍ଷାରେ ଦୟା ୱେଷ୍ଟ କେନାଲ୍‌ ପାର୍ଶ୍ବରେ ଥିବା ବିଏମ୍‌ସିର ୫ରୁ ଅଧିକ ୱାର୍ଡର ଲୋକେ ଜଳବନ୍ଦି ସମସ୍ୟା ଭୋଗିଛନ୍ତି। ରାସ୍ତାଘାଟ ବୁଡ଼ିଛି ଓ ଘରେ ପାଣି ପଶିଛି। ନିଷ୍କାସନ ବଦଳରେ ଦୟା ୱେଷ୍ଟ କେନାଲରୁ ବର୍ଷା ଓ ଆବର୍ଜନା ପାଣି ଓଲଟା ଆଖପାଖ ଅଞ୍ଚଳରେ ପଶିଛି। ଯେଉଁ ସ୍ଥାନରେ କେବେ କେହି ଜଳବନ୍ଦି ସମସ୍ୟା ଭୋଗିନଥିଲେ କି ଦେଖିନଥିଲେ, ସେମାନେ ବି ଆଜି ଜଳବନ୍ଦି ଜୀବନ କାଟିଛନ୍ତି। 

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

ଆଜି ମେୟର ସୁଲୋଚନା ଦାସ, ୪୩ ନମ୍ବର କର୍ପୋରେଟର୍‌ ଭରତ କୁମାର ଲେଙ୍କା ପ୍ରମୁଖ ବିଏମ୍‌ସି ଅଧିକାରୀଙ୍କ ସହ ସଂପୂର୍ଣ୍ଣ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଜରିଆରେ ଜେସିବି ଓ ମାନବସମ୍ବଳ ନିୟୋଜିତ କରି ନିଷ୍କାସନ ପଥରୁ ଅବରୋଧ ହଟାଇଛନ୍ତି। ଏଣୁ ଅପରାହ୍ଣରେ ଜଳବନ୍ଦି ସ୍ଥିତିରେ ସୁଧାର ଆସିଛି। ମେୟର ଏହି ଜଳବନ୍ଦି ସମସ୍ୟା ପାଇଁ ଜଳସଂପଦ ବିଭାଗକୁ ଦାୟୀ କରିଛନ୍ତି। ଜଳସଂପଦ ବିଭାଗ ଦୟା ୱେଷ୍ଟ କେନାଲ୍‌ ଓ ଗଙ୍ଗୁଆକୁ ନିୟମିତ ସଫା କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି। ବିଏମ୍‌ସିର ଆବର୍ଜନା ପାଣି ଦୟା ୱେ‌ଷ୍ଟ କେନାଲ ଦେଇ ଗଙ୍ଗୁଆକୁ ନିଷ୍କାସନ ହେଉଛି ଓ ପରେ ଦୟାକୁ ଯାଉଛି। କିନ୍ତୁ ଦୟା ୱେଷ୍ଟ କେନାଲ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜବରଦଖଲ ଓ ଆବର୍ଜନାରେ ଭରି ରହିଛି। ଆଜି ବର୍ଷା ପରେ ବର୍ଷା ପାଣି ମିଶା ଆବର୍ଜନା ପାଣି ନିଷ୍କାସନ ହୋଇନପାରି ୩୧, ୩୨, ୩୩, ୪୩, ୪୫ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ ପଶିଥିଲା। ଶାନ୍ତିନଗର, ଜିଜିପିରୁ ମଞ୍ଜୁଳା କଲ୍ୟାଣମଣ୍ଡପ, ଭାଗବତ ସନ୍ଧାନ, ଜଗନ୍ନାଥ ଆଭେନ୍ୟୁ ଆଦି ଅଞ୍ଚଳ ବୁଡ଼ିଯାଇଥିଲା। ‌

Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’

ମେୟର କହିଛନ୍ତି, ଭୁବନେଶ୍ବର ସହରର ପାଣି ଦୟା ୱେଷ୍ଟ କେନାଲ୍‌କୁ ଯେଉଁ ବାଟ ଦେଇ ନିଷ୍କାସିତ ହେଉଛି, ସେଠାରେ ଅନେକ ଜାଗା ଧସିଯାଇଛି। ଭଗବାନ ଟାୱାର ଓ ଅନେକ ଜାଗାରେ ଗଛ ପଡ଼ିଛି, ଅଳିଆ ଲାଖିଛି। ମଲା ଗୋରୁ ବି ଭାସୁଛନ୍ତି। ୩୨ ଓ ୩୩ ନମ୍ବର ନାଳ ସଂଯୋଗ କରୁଥିବା ସ୍ଥାନରେ ଯେଉଁ ସାଇଫନ୍‌ ଅଛି, ସେଠାରେ ପାଣି ନିଷ୍କାସନ ହୋଇପାରୁନି। ଏଣୁ ଲୋକଙ୍କ ଘରେ ପାଣି ପଶିଛି। ବର୍ଷା ପରେ ଏହାର ଟେଣ୍ଡର ଦେବାକୁ ଜଳସଂପଦ ବିଭାଗକୁ ଅନୁମତି ମାଗିବୁ। ଦୟା ୱେଷ୍ଟ କେନାଲ୍‌ ହେଉଛି ଜଳସଂପଦ ବିଭାଗର। ସେମାନେ କେନାଲ୍‌ ସଫା, ସାଇଫନ୍‌ ପୁନରୁଦ୍ଧାର କାମ କରିବା କଥା। କିନ୍ତୁ କେନାଲ୍‌, ସାଇଫନ୍‌ ସଫା କରାଯାଉନି। ଆମକୁ ଏହି କାମ ଦେବାକୁ ବି ୨୦୨୨ ମସିହାରୁ ବାରମ୍ବାର ଚିଠି ଲେଖିଛୁ। କେହି ଶୁଣୁନାହାନ୍ତି। ବହୁ ବିଳମ୍ବରେ ୪୪ ଓ ୪୩ ନମ୍ବର ୱାର୍ଡରେ ଦୁଇଟି ସାଇଫନ୍‌ କାମ କରିବାକୁ ଅନୁମତି ମିଳିଛି। ଯଦି ଏହା ଏବେ ନ କରିବୁ, ଲୋକଙ୍କ ଘରେ ପୁଣି ପାଣି ପଶିବ। ଏ ବିଷୟରେ ଧ୍ୟାନ ଦେବାକୁ ସରକାରଙ୍କୁ ଅନୁରୋଧ କରୁଛୁ। ବର୍ତ୍ତମାନର ଜଳସଂପଦ ବିଭାଗର ମୁଖ୍ୟ ସଚିବ ପୂର୍ବରୁ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଥିଲେ। ଦୟା ୱେ‌ଷ୍ଟ କେନାଲ୍‌ ଓ ଗଙ୍ଗୁଆ ସଫା କଲେ, ଭୁବନେଶ୍ବରର ଜଳବନ୍ଦି ସମସ୍ୟା କମିବ। ଏଠାର ସାଇଫନ୍‌ ବି ବହୁ ପୁରୁଣା ଓ ଛୋଟ। ଅନେକ ଜାଗାରେ ଦବିଗଲାଣି। ଏହାର ପୁନରୁଦ୍ଧାର ଦିଗରେ ସେ ଦୃଷ୍ଟିଦେବେ ବୋଲି ଆଶା। କର୍ପୋରେଟର ଶ୍ରୀ ଲେଙ୍କା, ଦୟା ୱେଷ୍ଟ କେନାଲ୍‌ ଦେଇ ପାଣି ନିଷ୍କାସନ ବଦଳରେ ଓଲଟା କେନାଲ୍‌ ପାଣି ଅଞ୍ଚଳରେ ପଶିଥିଲା ଓ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଥିଲା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

୨୪ ଘଣ୍ଟାରେ ୧୨୪ ମିମି ବର୍ଷିଲା
ଭୁବନେଶ୍ବର: ଗତକାଲି ସନ୍ଧ୍ୟା ୫ଟାରୁ ଆଜି ସନ୍ଧ୍ୟା ୫ଟା ମଧ୍ୟରେ ଭୁବନେଶ୍ବରରେ ୧୨୪ ମିଲିମିଟର ବର୍ଷା ହୋଇଛି। ଯଦି ହିସାବ ଦେଖିବା ଗତକାଲି ସନ୍ଧ୍ୟାଠାରୁ ଆଜି ସକାଳ ମଧ୍ୟରେ ୧୦୭.୯ ମିମି ବର୍ଷା ହୋଇଥିବା ବେଳେ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ୧୬.୧ ମିମି ବର୍ଷା ହୋଇଛି। ମଧୁସୂଦନ ନଗରରେ ସର୍ବାଧିକ ୧୦୭ ମିମି ବର୍ଷା ହୋଇଥିଲା। ଯେତେବେଳେ କି ନୟାପଲ୍ଲୀରେ ୯୭.୨, ଜଗମୋହନ ନଗରରେ ୯୦.୪, ଲକ୍ଷ୍ମୀସାଗରରେ ୯୦, ସହିଦନଗରରେ ୮୩.୨, ଖଣ୍ଡଗିରିରେ ୭୩.୨, ଖରବେଳନଗରରେ ୫୯.୪, ଚନ୍ଦ୍ରଶେଖରପୁରରେ ୫୦.୨, ପଟିଆରେ ୩୪.୬ ମିମି ବର୍ଷା ହୋଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ହଠାତ୍‌ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.