ARTICLE AD BOX
ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସାଇବର ଠକେଇ ଓ ଧମକର ଶିକାର ହୋଇ ଜଣେ ୫୬ ବର୍ଷୀୟ ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କଠାରୁ ପ୍ରାୟ ୧୩ ଲକ୍ଷ ଟଙ୍କା ଠକିବା ସହ ପୁଅକୁ ଆପରାଧିକ ମାମଲାରେ ଫସାଇଦେବାକୁ ଧମକ ଦେଉଥିଲେ ଠକମାନେ। ଏହି ଘଟଣାରେ ବିହାରରୁ ତିନି ଜଣ ନାବାଳକଙ୍କ ସମେତ ମୋଟ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ପ୍ରଥମେ ପୁରୁଣା ମୁଦ୍ରା କିଣିବା ବାହାନାରେ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ। ଏଥିପାଇଁ ମୋଟା ଅଙ୍କର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ। ମହିଳା ଜଣକ ସେମାନଙ୍କ କଥାରେ ବିଶ୍ୱାସ କରି ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ପଠାଇଥିଲେ। କିନ୍ତୁ ପ୍ରତିଶ୍ରୁତି ଅନୁସାରେ ଟଙ୍କା ନ ମିଳିବାରୁ ସେ ନିଜ ଟଙ୍କା ଫେରସ୍ତ ମାଗିଥିଲେ।
ମିଥ୍ୟା ସୂଚନା ଦେଇ ଠକେଇ
ଏହାପରେ ଠକମାନେ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଦିଲ୍ଲୀ ପୁଲିସ ଟଙ୍କା ଜବତ କରିଛି ବୋଲି ମିଥ୍ୟା ସୂଚନା ଦେଇଥିଲେ। ଏପରିକି ମହିଳା ଓ ତାଙ୍କ ପୁଅଙ୍କ ନାମରେ ଜାଲ୍ ଦସ୍ତାବିଜ୍ ତିଆରି କରି ତାଙ୍କ ପୁଅକୁ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇଥିଲେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ମାରପିଟ୍ ଘଟଣାର ଭିଡିଓ ଓ ନକଲି ଡାକ୍ତରଖାନା ବିଲ୍ ପଠାଇ ଅଧିକ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିଲେ।
ନଭେମ୍ବର ୧ ତାରିଖରେ ଅଭିଯୋଗ
ମହିଳାଙ୍କ ମୃତ୍ୟୁ ପରେ ନଭେମ୍ବର ୧ ତାରିଖରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ବିହାରର ସହରସା, ମଧେପୁରା ଓ ଖଗଡ଼ିଆ ଅଞ୍ଚଳରେ ତଦନ୍ତ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ରାଜସ୍ଥାନକୁ ଅଣାଯାଇଥିଲା ଓ ପଚରାଉଚରା ପାଇଁ ପୁଲିସ ହେପାଜତକୁ ନିଆଯାଇଥିଲା। ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଫୋନ୍, କମ୍ପ୍ୟୁଟର ସମେତ ବିଭିନ୍ନ ଡିଜିଟାଲ୍ ଉପକରଣ ଜବତ ହୋଇଛି।
Woman Attack Case: ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ
ପୁଲିସ ଏପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କାର ଆର୍ଥିକ କାରବାରର ସନ୍ଧାନ ପାଇଛି। ଏହି ଠକେଇରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜା ଚାଲିଛି। ପୁଲିସ ଲୋକଙ୍କୁ ସତର୍କ କରାଇ କହିଛି ଯେ, କୌଣସି ସରକାରୀ ସଂସ୍ଥା ଫୋନ୍ କରି ଗିରଫ କରିବାର ଧମକ ଦିଏ ନାହିଁ। ଏଭଳି ଫୋନ୍ କଲ୍ ଆସିଲେ ଭୟଭୀତ ନହୋଇ ତୁରନ୍ତ ପୁଲିସକୁ ଜଣାଇବା ଉଚିତ।

1 day ago
2


