ARTICLE AD BOX
କଟକ (ଦୀପ୍ତି ରଂଜନ ସାମଲ): ଚୌଦ୍ବାର-କଟକ ବିଜେଡି ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏ ପଟେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ଓ ଅନ୍ୟପଟେ ଦେବୀ ମିଶ୍ର, ପ୍ରତାପ ଜେନା, ସଂତୃପ୍ତ ମିଶ୍ରଙ୍କ ଭଳି ବିଜେଡିର ବରିଷ୍ଠ ନେତାଙ୍କ ମଧ୍ୟରେ ଛକାପଞ୍ଝା ଭିତରେ ଦଳର କର୍ପୋରେଟର ଓ କାଉନସିଲରମାନେ ପେଶି ହେବାରେ ଲାଗିଛନ୍ତି।
ପ୍ରଭାତ ଆସନ୍ତାକାଲି ନିଜର ହଜାରରୁ ଅଧିକ ସମର୍ଥକଙ୍କ ସହିତ ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳରେ ସାମିଲ ହେବାକୁ ଯାଉଥିବା ବେଳେ ଆଜି ବରିଷ୍ଠ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ଘରେ ବିଜେଡିର ବରିଷ୍ଠ ନେତାମାନେ ଏକାଠି ହୋଇଛନ୍ତି। ବୈଠକରେ ରାଜ୍ୟସଭା ସଦସ୍ୟ ସଂତୃପ୍ତ ମିଶ୍ର, ଦେବୀ ମିଶ୍ର, ପ୍ରତାପ ଜେନା, ମେୟର ସୁବାସ ସିଂହ, ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହ ଉପସ୍ଥିତି ଥିଲେ। କିନ୍ତୁ ପୂର୍ବ ବୈଠକମାନଙ୍କରେ ଚୌଦ୍ବାର-କଟକ ଅଞ୍ଚଳର ଯେତିକି କର୍ପୋରେଟର ଯୋଗ ଦେଉଥିଲେ, ଆଜି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଦେଖିବାକୁ ମିଳି ନଥିଲା। ଚୌଦ୍ବାର-କଟକ ଅଞ୍ଚଳରୁ ପ୍ରଦୀପ୍ତ ଖୁଣ୍ଟିଆଙ୍କ ସହିତ ଡେପୁଟି ମେୟର ଦମୟନ୍ତୀ ମାଝୀ, କର୍ପୋରେଟର ତାପସ ସାମନ୍ତରାୟ, ପ୍ରଦୀପ ସାହୁ, କେ. ଜେଡ୍ ଆଫ୍ରିନ ଉପସ୍ଥିତ ଥିଲେ।
ଅନ୍ୟପଟେ ଚୌଦ୍ବାର ପୌର ପରିଷଦର କାଉନସିଲର ସୁବ୍ରତ କୁମାର ସାମଲ ଗତକାଲି ବିଜେଡିରୁ ଇସ୍ତଫା ଦେଇ ଦେଇଥିବା ବେଳେ ଆଜି ହଠାତ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫାପତ୍ର ଫେରାଇ ନେଇଛନ୍ତି। ନବୀନ ଗତକାଲି ସୁବ୍ରତଙ୍କ ସଦସ୍ୟତା ରଦ୍ଦ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିବା ବେଳେ ଆଜି ତାହାକୁ ଫେରାଇ ନେବାକୁ ଚିଠି ଲେଖିଥିବା କୁହାଯାଉଛି। ଏ ସଂପର୍କରେ ସୁବ୍ରତ କହିଛନ୍ତି ଯେ ଦଳ ଭିତରେ ଯେଉଁ ମନୋମାଳିନ୍ୟ ଯୋଗୁଁ ସେ ଇସ୍ତଫା ଦେଇଥିଲେ ଆଜି ନବୀନ ପଟ୍ଟନାୟକ ତାହାର ସମାଧାନ କରିଛନ୍ତି।
ଅନ୍ୟପଟେ ପ୍ରଦୀପ୍ତ ଖୁଣ୍ଟିଆଙ୍କ ଘରେ ବସିଥିବା ବୈଠକ ପରେ ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ଯେ ଓଡ଼ିଶାରେ ବିଜେପି ଏକ ବୁଡିଲା ଡଙ୍ଗା। ଏଥିରେ ଯେଉଁମାନେ ବସିବାକୁ ଯାଉଛନ୍ତି ସେମାନଙ୍କ ଭବିଷ୍ୟତ କଣ ହେବ ତାହା ସେମାନଙ୍କୁ ଜଣା। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବାକୁ ଯାଉଥିବାରୁ ଆମେ ଚୌଦ୍ବାର-କଟକ ବିଜେଡିର ସଂଗଠନକୁ ମଜବୁତ କରିବା ପାଇଁ ଏହି ସାଂଗଠନିକ ଆଲୋଚନା କରୁଛୁ। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନଗର ବିଜେଡି ସଭାପତି ସ୍ବଦେଶ ଦାସ, ପୂର୍ବତନ ମେୟର ମିନାକ୍ଷୀ ବେହେରା ଓ ଅନିତା ବେହେରା, ରାଜ୍ୟ ସାଧାରଣ ସଂପାଦକ ମହମ୍ମଦ ସକିଲ, ବରିଷ୍ଠ ନେତା ନିଶିଥ କରଣ, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ଚିରଂଜୟ ସାହୁ, ଶିଶିର ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
1


