Cricket Club: ପିଏମ୍‌ କ୍ରିକେଟ୍‌ କ୍ଲବ୍‌ର ଶୁଭାରମ୍ଭ: ମୁଣ୍ଡ ଟେକିଲା ଆଉ ଏକ କ୍ରିକେଟ୍‌ କ୍ଲବ୍‌

1 hour ago 1
ARTICLE AD BOX

ଭୁବନେଶ୍ବର: ରସାତଳଗାମୀ ରାଜଧାନୀ କ୍ରିକେଟ୍‌କୁ ଉପରକୁ ନେବା ପାଇଁ ମୁଣ୍ଡ ଟେକିଛି ଆଉ ଏକ ନୂଆ କ୍ରି‌କେଟ୍‌ କ୍ଲବ୍‌। ହଂସପାଳ ଛକ ନହରକଣ୍ଟାର ଜୟଦେବ କଲେଜ ରୋଡ୍‌ ପାର୍ଶ୍ବରେ ପ୍ରାୟ ୭ ଏକର ପରିମିତ ଜମି ଉପରେ ନୂଆ ଗ୍ରାଉଣ୍ଡ୍‌ ସହ ଏହି କ୍ରିକେଟ୍‌ କ୍ଲବ୍‌ ବଡ଼ ସ୍ବପ୍ନ ନେଇ ଆଗକୁ ବଢ଼ିଛି। ପିଏମ୍‌ କ୍ରିକେଟ୍‌ କ୍ଲବ୍‌ ନାମରେ ନାମିତ ଏହି ଅନୁଷ୍ଠାନ କ୍ରିକେଟ୍‌ ଏକାଡେମୀ ଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ଘୋଷଣା କରିଛି। ପ୍ରାରମ୍ଭିକ ଅବସ୍ଥାରେ ଏହା କାର୍ଯ୍ୟକ୍ଷମ ହୋଇଥିବା ବେଳେ ମାସେ ଦୁଇ ମାସ ଭିତରେ ଏହା ସ୍ବୟଂ ସମ୍ପୂର୍ଣ୍ଣ ଭାବେ ଆଗକୁ ବଢ଼ିବ ବୋଲି କ୍ଲବ୍‌ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଶୁକ୍ରବାର ପିଏମ୍‌ କ୍ରିକେଟ୍‌ କ୍ଲବ୍‌ର କର୍ମକର୍ତା ଏହାର ଜର୍ସି ଉନ୍ମୋଚନ କରିବା ସହ ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି କରିବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି।

‘ଇଣ୍ଡିଆ’ ସ୍ବପ୍ନର ଅଂଶ ହେବି: ପ୍ରଭଞ୍ଜନ
ଖେଳ ଜୀବନରେ ବହୁ ସଫଳତା ପାଇଥିଲେ ମଧ୍ୟ ଜଣେ ସଫଳ ବ୍ୟାଟର୍‌ ପ୍ରଭଞ୍ଜନ ମଲ୍ଲିକ ଭାରତୀୟ ଦଳରୁ ଖେଳି ନପାରିବାର ଅବସୋସରେ ରହିଛନ୍ତି।  ଭାରତୀୟ ‘ଏ’ ଦଳ ପାଇଁ ‌ଖେଳିଥିବା ଏହି ଡାହାଣହାତୀ ବ୍ୟାଟର୍‌ ପିଏମ୍‌ କ୍ରିକେଟ୍‌ କ୍ଲବ୍‌ର ଅନ୍ୟତମ ଶୁଭେଚ୍ଛୁ ରହିଛନ୍ତି। ଖେଳାଳି ଜୀବନରେ ମୁଁ ‘ଇଣ୍ଡିଆ’ ପାଇଁ ଖେଳିପାରି ନଥିଲି। ଏହି ଅବସୋସ ମୋତେ ଅନେକ ଥର ପିଛା କରିଛି। ଏବେ ଅବଶିଷ୍ଟ ଜୀବନ ଖେଳାଳି ଗଢ଼ିବା କାମରେ ରହିବି। ରାଜ୍ୟର ପରବର୍ତୀ ପିଢ଼ିଙ୍କ ମଧ୍ୟରୁ କେହି ମୋ ଜରିଆରେ ଭାରତୀୟ ଦଳ ସଦସ୍ୟ ହୋଇପାରିଲେ ମୋ ଅଧୁରା ସ୍ନପ୍ନ ସାକାର ହୋଇପାରିବ। ସେଭଳି କିଛି ମୁହୂର୍ତର ଅଂଶବିଶେଷ ହୋଇପାରିଲେ ମୁଁ ଖୁସି ହେବି ବୋଲି ପ୍ରକାଶ କରିଥିଲେ ୪୯ ବର୍ଷୀୟ ପ୍ରଭଞ୍ଜନ। ସୂଚନାଯୋଗ୍ୟ, ଓଡ଼ିଶା ରଣଜୀ ଦଳର ସ୍ବର୍ଣ୍ଣିମ ଯୁଗର ଅନ୍ୟତମ ମହାରଥି ପ୍ରଭଞ୍ଜନ ୮୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୪୭.୩୦ ହାରାହାରିରେ ୫୮୧୮ ରନ୍‌ ସଂଗ୍ରହ କରିଥିଲେ। ଏହା ଭିତରେ ୧୮ ଶତକ ଏବଂ ୨୭ ଅର୍ଦ୍ଧଶତକ ସାମିଲ ଥିଲା। ଏହା ବ୍ୟତୀତ ସେ ୫୬ଟି ଲିଷ୍ଟ୍‌ ‘ଏ’ ଏବଂ ୧୧ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମଧ୍ୟ ସେ ପ୍ରତିନିଧିତ୍ବ କରିଥିଲେ। ଚଳିତ ବର୍ଷ ତାଙ୍କୁ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।

ପିଏମ୍‌ କ୍ରିକେଟ୍‌ କ୍ଲବ୍‌ରେ ୭୫ ୟାର୍ଡ ବିଶିଷ୍ଟ ଏକ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ନିର୍ମିତ ହୋଇଥିବା ବେଳେ ୬ଟି ସେଣ୍ଟର୍‌ ୱିକେଟ୍‌ ଓ ୭ଟି ପ୍ରାକ୍ଟିସ୍‌ ଟର୍ଫ ୱିକେଟ୍‌ ରହିଛି। ପେସାଦାର ପ୍ରଶିକ୍ଷଣ, ଫ୍ଲଡ୍‌ଲାଇଟ୍‌ ପ୍ରାକ୍ଟିସ୍‌ ଏରିଆ, ଦିନତମାମ ପ୍ରଶିକ୍ଷଣ ବ୍ୟବସ୍ଥା, ପୃଷ୍ଠିକର ଖାଦ୍ୟ, ରହଣି ପାଇଁ ହଷ୍ଟେଲ୍‌, ପ୍ରଦର୍ଶନର ଭିଡିଓ ସମୀକ୍ଷା, ଏକ୍ସପୋଜର ଟୁର୍‌ରେ ଅନ୍ୟ କ୍ରିକେଟ୍‌ ଏକାଡେମୀ ସହ ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍‌ ଖେଳିବା, ପ୍ରତି ଖେଳାଳିଙ୍କ ଉପରେ ବ୍ୟକ୍ତିଗତ ଧ୍ୟାନ ପ୍ରଦାନ କରିବା ଆଦିର ପ୍ରତିଶ୍ରୁତି ଦିଆଯାଇଛି। ଅନ୍ତେବାସୀଙ୍କ ପାଇଁ ୩୦ରୁ ୬୦ ଶଯ୍ୟା ବିଶିଷ୍ଟ ରହଣି ବ୍ୟବସ୍ଥା ରହିବ। ବିଶେଷ କରି ୧୨, ୧୬, ୧୯ ବ‌ର୍ଷରୁ କମ୍‌ ବୟସର ଖେଳାଳିଙ୍କ ଉପରେ ନଜର ରହିବ ଏବଂ ସେମାନଙ୍କୁ ଗଢ଼ି ତୋଳିବା ଦାୟିତ୍ବ ପିଏମ୍‌ କ୍ରିକେଟ୍‌ କ୍ଲବ୍‌ ନେବ। ୩ଟି ଭିନ୍ନ ପ୍ୟାକେଜ୍‌ରେ ମାସିକ ୧୦, ୧୫, ୨୦ ହଜାର ଟଙ୍କାର ନାମଲେଖା ଦେୟ ଧାର୍ଯ୍ୟ କରାଯାଇଛି। ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀରେ ପିଏମ୍‌ କ୍ରିକେଟ୍‌ କ୍ଲବ୍‌ର ସଭାପତି କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଉପସଭାପତି ପଙ୍କଜ ମୋଟୱାନୀ, ସମ୍ପାଦକ ଅଭିମନ୍ୟୁ ଜେନା, ଯୁଗ୍ମ ସମ୍ପାଦକ ସଂଜୟ ଗ୍ରାହାଚାର୍ଯ୍ୟ ଉପରୋକ୍ତ ସୂଚନାମାନ ପ୍ରଦାନ କରିଥିଲେ। ପୂର୍ବତନ କ୍ରିକେଟର୍‌ ତଥା ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ପ୍ରଭଞ୍ଜନ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ପିଏମ୍‌ କ୍ରିକେଟ୍‌ କ୍ଲବ୍‌ର ଆବିର୍ଭାବ ଦ୍ବାରା ଓଡ଼ିଶା କ୍ରିକେଟ୍‌ ପରୋକ୍ଷରେ ଫାଇଦା ପାଇବ ବୋଲି ମତ ରଖିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.