ARTICLE AD BOX
ଭୁବନେଶ୍ୱର: ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ରାଜ୍ୟରେ ଏନ୍ଏଚ୍ଏଆଇ ଏବଂ ରାଜ୍ୟ ସରକାରଙ୍କ ଏନ୍ଏଚ୍ ଡିଭିଜନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ୫୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାସ୍ତା ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ଲାଗି ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା, ଭୂମିରାଶି ପୋର୍ଟାଲର ବହୁଳ ଉପଯୋଗ ସହ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ବିଭାଗୀୟ ଅଧିକାରୀ ଓ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ନିର୍ମାଣ କାର୍ଯ୍ୟରେ ଅବହେଳା କରୁଥିବା ଠିକାସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ମୁଖ୍ୟ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳରେ ସୃଷ୍ଟି ହେଉଥିବା ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେଉଥିବା ବାଇପାସ୍ ରାସ୍ତାଗୁଡ଼ିକର କାମ ଧାର୍ଯ୍ୟ ସମୟ ସୁଦ୍ଧା ସାରିବାକୁ କୁହାଯାଇଛି।
ବୈଠକରେ ୨୪୦ କିମି ଦୀର୍ଘ ରାୟପୁର-ବିଶାଖାପାଟଣା ରୋଡ୍ କରିଡ଼ର, ଚଣ୍ଡିଖୋଲ-ପାରାଦୀପକୁ ସଂଯୋଗ କରୁଥିବା ରାସ୍ତା, କଟକ-ଅନୁଗୁଳ-ସମ୍ବଲପୁର କରିଡ଼ର, ସମ୍ବଲପୁର ବାଇପାସ୍, କଟକ-କନ୍ଦରପୁର ରାସ୍ତା, କୋଷ୍ଟାଲ ହାଇେୱ (ରାମେଶ୍ୱର-ପାରାଦୀପ, ପାରାଦୀପ-ଦୀଘା), ୪ ଲେନ୍ ରେଢ଼ାଖୋଲ-ସମ୍ବଲପୁର ରାସ୍ତା, ୪ ଲେନ୍ ରାଉରକେଲା-ରାଞ୍ଚି ରାସ୍ତା, ୬ ଲେନ୍ କୋଇଡ଼ା-ବଡ଼ବିଲ୍-ଚଣ୍ଡିଖୋଲ ରାସ୍ତା, ଏନ୍ଏଚ୍-୧୬ରେ ଥିବା ୬ ଲେନ୍ ପୁଇଁତଳା-ଟାଙ୍ଗୀ ରାସ୍ତା, ୪ ଲେନ୍ ଝାରସୁଗୁଡ଼ା- ତିଲେଇବେଣି ଏବଂ ସମ୍ବଲପୁର-ଝାରସୁଗୁଡ଼ା ୪ ଲେନ୍ ଗ୍ରିନ୍ ଫିଲ୍ଡ ରାସ୍ତା, ସର୍ଭିସ୍ ରୋଡ୍ ସହ ୬ ଲେନ୍ ବିଶିଷ୍ଟ ପୁରୀ-ଭୁବନେଶ୍ୱର ରାସ୍ତା, କ୍ୟାପିଟାଲ୍ ରିଜିୟନ୍ ରିଂ-ରୋଡ୍ ଆଦି ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା।
ସେହିପରି ଏନ୍ଏଚ୍ ଡିଭିଜନ୍ ଅଧୀନରେ ଥିବା କୋକସରା-ନବରଙ୍ଗପୁର ରାସ୍ତାର ପ୍ରଶସ୍ତୀକରଣ, ଏନ୍ଏଚ୍-୫୯ ଅଧୀନରେ ଥିବା ଦାରିଙ୍ଗବାଡ଼ି ଘାଟି ରାସ୍ତା, ମୋହନା-କୋରାପୁଟ ରାସ୍ତାର ପ୍ରଶସ୍ତୀକରଣ, ଏନ୍ଏଚ୍-୧୫୭ରେ ଥିବା ଭଞ୍ଜନଗର-ଆସ୍କାର ରାସ୍ତାର ପ୍ରଶସ୍ତୀକରଣ, ବ୍ରହ୍ମପୁର ବାଇପାସ୍ ରାସ୍ତା, ଖୋର୍ଦ୍ଧା ବାଇପାସ୍ ରାସ୍ତା, ୪ ଲେନ୍ ଖରିଆର୍ ରୋଡ୍ ଆର୍ଓବି, ୪ ଲେନ୍ କେସିଙ୍ଗା ଆର୍ଓବି, ଏନ୍ଏଚ୍-୨୬୦ର ୪ ଲେନ୍ ଜୟପୁର ବାଇପାସ୍ ରାସ୍ତା ନିର୍ମାଣ, ମାଲକାନଗିରି-ମୋଟୁ ରାସ୍ତାରେ ହାଇଲେବଲ୍ ସେତୁ ନିର୍ମାଣ ଏବଂ କନ୍ଦରପୁର-ବାଲିକୁଦା ରାସ୍ତାର ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଥିଲା। ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂହ, ଏନ୍ଏଚ୍ଏଆଇର ଆଞ୍ଚଳିକ ଅଧିକାରୀ ସୁନିଲ କୁମାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

1 hour ago
1

