ARTICLE AD BOX
ଗ୍ଲାସ୍ଗୋ: ସ୍କଟଲାଣ୍ଡ୍ର ଗ୍ଲାସ୍ଗୋଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ପାକିସ୍ତାନ ଏକ ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଛି। ପାକିସ୍ତାନ ଦଳରେ ସ୍ଥାନ ପାଇ ଗ୍ଲାସ୍ଗୋ ଯାଇଥିବା ବକ୍ସର କୁଦ୍ରତୁଲ୍ଲା ଦଳୀୟ ହୋଟେଲରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପାକିସ୍ତାନ ବକ୍ସିଂ ମହାସଂଘ ତଥା ପାକିସ୍ତାନ ଅଲିମ୍ପିକ୍ସ ସଂଘର ଦାୟିତ୍ୱ ଓ ନିରୀକ୍ଷଣ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।
ତେବେ କୁଦ୍ରତୁଲ୍ଲା ୟୁରୋପରେ ରହିବା ଲାଗି ଜାଣିଶୁଣି ହୋଟେଲ ରୁମ୍ରୁ କେଉଁ ଆଡ଼େ ଚାଲି ଯାଇଥିବା ଚର୍ଚ୍ଚା ହେଉଛି। ବିଦେଶରେ ଆୟୋଜିତ ହେଉଥିବା କୌଣସି ବହୁଦେଶୀୟ ପ୍ରତିଯୋଗିତାକୁ ଯାଇ ପାକିସ୍ତାନୀ ଖେଳାଳି ନିଖୋଜ ହେବାର ବି ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ଏଭଳି ଅନେକ ଘଟଣା ପାଇଁ ପାକିସ୍ତାନ ବେଶ୍ ବଦନାମ ହୋଇଛି। ପାକିସ୍ତାନ ଅଲିମ୍ପିକ୍ସ ସଂଘର ଜଣେ ଅଧିକାରୀଙ୍କ ଅନୁସାରେ ନିଜ ବର୍ଗରେ ପ୍ରତିଯୋଗିତା ଶେଷ କରିବା ପରେ କୁଦ୍ରତୁଲ୍ଲା ଦଳୀୟ ହୋଟେଲରୁ ଚୁପଚାପ ବାହାରି ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ପାସପୋର୍ଟ ଦଳୀୟ ପ୍ରବନ୍ଧକଙ୍କ ପାଖରେ ଥିବା ସତ୍ତ୍ୱେ ସେ ନିଖୋଜ ହୋଇଛନ୍ତି।
Gold Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ପାରା ଖେଳାଳି ଶର୍ମିଳା
ଏହା ପୂର୍ବରୁ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବେଳେ ପାକିସ୍ତାନର ଦୁଇଜଣ ବକ୍ସର ସୁଲେମାନ ବାଲୋଚ୍ ଓ ନଜିରୁଲ୍ଲାହ ଖାନ୍ ମଧ୍ୟ ନିଖୋଜ ହୋଇଥିଲେ। ସେହିପରି, ୨୦୨୪ରେ ଇଟାଲୀର ବୁଷ୍ଟୋ ଆର୍ସିଜିଓରେ ଆୟୋଜିତ ବିଶ୍ୱ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ବେଳେ ଏସୀୟ ପ୍ରତିଯୋଗିତା ସ୍ୱର୍ଣ୍ଣପଦକ ବିଜେତା ବକ୍ସର ଜୋହାଇବ ରଶିଦ ମଧ୍ୟ ନିଖୋଜ ହୋଇଥିଲେ। ତାଙ୍କ ରୁମମେଟ୍ଙ୍କ ବିଦେଶୀ ମୁଦ୍ରା ଓ ମୂଲ୍ୟବାନ ସାମଗ୍ରୀ ନେଇ ସେ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ଏଥର ଗ୍ଲାସ୍ଗୋକୁ ପାକିସ୍ତାନ ୩୬ ଜଣିଆ ଦଳ ପଠାଇଥିଲା। ହେଲେ ମାତ୍ର ଗୋଟିଏ ପଦକ ସହ ଦେଶକୁ ଫେରିଥିଲା। ଏହି ପଦକଟି ମହିଳା ବକ୍ସର ଫାତିମା ଜେହରା ଜିତିଥିଲେ।

1 week ago
5


